Unknown

 

 

 

 

 

 

 

 

 

୧୫୯ତମ ସଂଖ୍ୟା କୋଣାର୍କ ୨୦୧୦

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସମ୍ପାଦକ :

ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ

ଡକ୍ଟର ବିଜୟାନନ୍ଦ ସିଂହ

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ଏକାଡେମୀ କର୍ତ୍ତୃକ ସର୍ବସତ୍ତ୍ୱାଧିକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ

 

ସୂଚୀ

ସଂପାଦକୀୟ

୧.

ଓଡ଼ିଆ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗର ଧାରା

 

ଡକ୍ଟର ରବିନାରାୟଣ ମହାରଣା

୨.

ସାଂପ୍ରତିକ ଓଡ଼ିଆ ଶିଶୁ କବିତାର ଗତି ଓ ପ୍ରକୃତି

 

ଡକ୍ଟର ସୁନାମଣି ରାଉତ

୩.

ପରିବେଶ ସମାଲୋଚନା ଓ

ଚେତନାର ହରିତାୟନ

 

ଡକ୍ଟର ଚିତ୍ତରଞ୍ଜନ ମିଶ୍ର

୪.

ଭାଗବତରେ ଶ୍ରୀଜଗନ୍ନାଥ

 

ଡକ୍ଟର ଚିନ୍ମୟୀ ମହାପାତ୍ର

୫.

ଓଡ଼ିଆ ଏକାଙ୍କିକା ସାହିତ୍ୟର ପ୍ରାଣପ୍ରତିଷ୍ଠାତା

ପ୍ରାଣବନ୍ଧୁ କର

 

ଡକ୍ଟର ନାରାୟଣ ସେଠୀ

୬.

‘ବଜ୍ରବାହୁ’ ଉପନ୍ୟାସରେ ସାମ୍ୟବାଦୀ ସଫଳତା

 

ଡକ୍ଟର ସୁପ୍ରିୟା ପାଲ

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ୱତ୍ୱ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/-

୬.

ପ୍ରକାଶକଙ୍କ ନାମ

ଡକ୍ଟର ବିଜୟାନନ୍ଦ ସିଂହ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଦିଲୀପ କୁମାର ବେଉରା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ବିଜୟିନୀ ପବ୍ଲିକେଶନ୍ସ, କଟକ - ୭୫୩୦୧୨

୮.

ସମ୍ପାଦକଙ୍କ ନାମ

ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ

ଡକ୍ଟର ବିଜୟାନନ୍ଦ ସିଂହ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ବିଜୟିନୀ ପବ୍ଲିକେଶନ୍ସ, କଟକ - ୭୫୩୦୧୨

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଡକ୍ଟର ବିଜୟାନନ୍ଦ ସିଂହ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ-।

 

 

ଡକ୍ଟର ବିଜୟାନନ୍ଦ ସିଂହ

ସଚିବ,

ଓଡ଼ିଶା ସାହିତ୍ୟ ଏକାଡେମୀ

 

ସଂପାଦକୀୟ...

ସାହିତ୍ୟମନସ୍କ ଓଡ଼ିଆ ଜାତି

 

ଭାଷା ଓ ସାହିତ୍ୟକୁ ନେଇ ଦେଶ ଗର୍ବ କରେ । କୁହାଯାଏ ଯେ ଯେଉଁ ଭୂଖଣ୍ଡର ଭାଷା ଓ ସାହିତ୍ୟ ଯେତେ ସମୃଦ୍ଧ ସେହି ଦେଶ ସେତେ ଉନ୍ନତ । ଭାଷା ମାଧ୍ୟମରେ ମଣିଷ ନିଜକୁ ବ୍ୟକ୍ତ କଲେ ମଧ୍ୟ ସାହିତ୍ୟରେ ମଣିଷ ଜୀବନ ଓ ସମାଜର କଥା କହେ । ସାହିତ୍ୟରୁ ଉପଲବ୍ଧ ହୁଏ ସେହି ଭୂଖଣ୍ଡ ଓ ସମାଜର ବାସ୍ତବ ଚିତ୍ର । ସମାଜର ସାହିତ୍ୟ ସହିତ ସଂପର୍କ ନିବିଡ଼ । ସାହିତ୍ୟ ଯୁଗାତୀତ । ସମୟର ସୀମା ଭିତରେ ସାହିତ୍ୟ ସୀମିତ ନୁହେଁ । କିନ୍ତୁ ସମୟର ଚିତ୍ର ସାହିତ୍ୟରେ ପ୍ରତିଫଳିତ । ମଣିଷର ଭାବ ଓ ଭାବନାର ସାର୍ଥକ କଳାତ୍ମକ ପରିପ୍ରକାଶ ସାହିତ୍ୟ । ସାହିତ୍ୟ ବିପ୍ଳବ ସୃଷ୍ଟି ପାଇଁ ପ୍ରସ୍ତୁତ କରେ ଭିତ୍ତିଭୂମି । ପୁଣି ଦେଶ ବା ଜାତିର ସାଂସ୍କୃତିକ ପରିଚୟ ପ୍ରଦାନ କରେ ସାହିତ୍ୟ ।

 

ସଭ୍ୟତାର ବିକଶିତ ରୂପ ସଂସ୍କୃତି । ସଂସ୍କୃତିର ରୂପାୟନ ସାହିତ୍ୟରେ ଘଟିଲେ ସାହିତ୍ୟ ହୁଏ ପ୍ରାଣବନ୍ତ । ସାହିତ୍ୟରୁ ହିଁ ଇତିହାସର ସଂକେତ ମିଳେ । ସେହିପରି ସାହିତ୍ୟ ସହିତ ପରମ୍ପରା ଘନିଷ୍ଠ ଭାବରେ ସଂପୃକ୍ତ । ସାହିତ୍ୟ ମାଧ୍ୟମରେ ପରମ୍ପରାର ସୂଚନା ଜଣାପଡ଼େ । ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ଭାଷା ଓ ସାହିତ୍ୟ ଜାତିର ପ୍ରାଣସ୍ପନ୍ଦନ ।

 

ଓଡ଼ିଆ ଏକ ସମୃଦ୍ଧ ଓ ଐତିହ୍ୟପୂର୍ଣ୍ଣ ଭାଷା । ଏହି ଭାଷା ଓ ସାହିତ୍ୟରୁ ଓଡ଼ିଆ ଜାତିର ଐତିହ୍ୟ, ପରମ୍ପରା, ସାମାଜିକ ବ୍ୟବସ୍ଥା ସର୍ବୋପରି ଗୌରବମୟ ସଂସ୍କୃତିର ସ୍ପଷ୍ଟ ରୂପ ମିଳେ । ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଆ ଭାଷାର ଅଗ୍ରଗତି ଘଟିଛି । ସମୟ ସମୟରେ ଓଡ଼ିଆ ସାହିତ୍ୟ ନଦୀ ସ୍ରୋତ ମୋଡ଼ ବୁଲିଲା ପରି ଦିଗ ପରିବର୍ତ୍ତନ କରିଛି । ନୂତନ ଚିନ୍ତା ଓ ଚେତନାରେ ଉଦ୍‌ଭାସିତ ହୋଇଛି । ଏହି ସାହିତ୍ୟରେ ସଂକଟ ବି ଆସିଛି । କିନ୍ତୁ ଦୃଢ଼ତାର ସହିତ ସଂକଟକୁ ଅତିକ୍ରମ କରି ଯାତ୍ରାପଥରେ ଅଗ୍ରସର ହୋଇଛି ଓଡ଼ିଆ ସାହିତ୍ୟ ।

 

ସଂପ୍ରତି କୁହାଯାଉଛି ଓଡ଼ିଆ ଭାଷା ଓ ସାହିତ୍ୟ ସମସ୍ୟା ଓ ସଂକଟ ମଧ୍ୟରେ ଗତି କରୁଛି-। ଇଂରେଜୀ ଓ ହିନ୍ଦୀ ଭାଷା ଓଡ଼ିଆ ଭାଷା ପାଇଁ ସମସ୍ୟାର କାରଣ ବୋଲି ଚର୍ଚ୍ଚା ହେଉଛି । ଓଡ଼ିଆ ଭାଷା ଓ ସାହିତ୍ୟପ୍ରୀତି ହ୍ରାସ ହେଉଛି ବୋଲି ଯୁକ୍ତି କରାଯାଉଛି । କିନ୍ତୁ ଏସବୁର ପ୍ରାସଙ୍ଗିକତା କେତେ ? ଏହାକୁ ସବିଶେଷ ପର୍ଯ୍ୟାଲୋଚନା କରାଯାଇପାରେ ।

 

ଜାତୀୟ ଓ ଆନ୍ତର୍ଜାତୀୟ ସ୍ଥିତି ଓ ପରିସ୍ଥିତିର ପ୍ରଭାବ ଭାରତର ବିଭିନ୍ନ ପ୍ରାନ୍ତୀୟ ଭାଷାରେ ପରିଲକ୍ଷିତ ହେଉଛି । ଇଂରେଜୀ ଭାଷା ପ୍ରତି ଆଗ୍ରହ ବୃଦ୍ଧି ପାଇବା କିଛି ନୂଆ କଥା ନୁହେଁ । ଏହି ଦୃଷ୍ଟିକୋଣରୁ ବିଚାର କଲେ ଓଡ଼ିଆ ଭାଷାରେ ସାହିତ୍ୟ ପ୍ରତି ଓଡ଼ିଆମାନଙ୍କର ମମତା ଓ ଆନ୍ତରିକତା ହ୍ରାସ ପାଇନାହିଁ ବରଂ ବୃଦ୍ଧି ପାଇଛି ।

 

ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଓଡ଼ିଶାରେ ପୁସ୍ତକ ପ୍ରକାଶନ ସଂଖ୍ୟା ଆଶାତୀତ-। ସଂଖ୍ୟାଧିକ ପୁସ୍ତକ ପ୍ରତି ମାସରେ ଆତ୍ମପ୍ରକାଶ କରୁଛି । ତାହା ପୁଣି ଉନ୍ନତମାନ ଓ ରୁଚିର । ପୁସ୍ତକ ବିକ୍ରେତାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଦିନ ଥିଲା କେବଳ କଟକ ସହର ଥିଲା ପୁସ୍ତକ ବିପଣି କେନ୍ଦ୍ର କିନ୍ତୁ ଓଡ଼ିଶାର ଅଧକାଂଶ ଜିଲ୍ଲାରେ ଏବେ ପୁସ୍ତକ ବିକ୍ରେତା ଓ ପ୍ରକାଶକମାନେ ଏଥିପ୍ରତି ନିଷ୍ଠା ପ୍ରଦର୍ଶନ କରୁଛନ୍ତି । ଓଡ଼ିଶାରେ ମଧ୍ୟ ବହିର ବିକ୍ରୟ ସଂଖ୍ୟା ଅତୀତ ଅପେକ୍ଷା ବହୁଗୁଣିତ ହୋଇଛି । ଓଡ଼ିଶାରେ ପୁସ୍ତକ ପ୍ରଦର୍ଶନୀ ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି । ଆମ ରାଜ୍ୟର ପୁସ୍ତକମେଳା ବଡ଼ ବଡ଼ ଯାତ୍ରା ମହୋତ୍ସବରେ ପରିଣତ ହୋଇଛି । ହଜାର ହଜାର ଲୋକ ପୁସ୍ତକମେଳାକୁ ଆସୁଛନ୍ତି ଓ ବହି କିଣୁଛନ୍ତି ।

 

ଚାରି କୋଟିରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଓଡ଼ିଶାରେ ୫୦ରୁ ଅଧିକ ଦୈନିକ ସମ୍ବାଦପତ୍ର ଓଡ଼ିଆରେ ପ୍ରକାଶିତ ହେଉଛି । ତାହା ଓଡ଼ିଶାର ଗାଁ ଗହଳି, ସହର ବଜାରରେ ଏକାଧିକ ସଂସ୍କରଣରେ ବର୍ତ୍ତମାନ ମିଳୁଛି । ଲକ୍ଷାଧିକ ପାଠକ ଏସବୁକୁ ଆଗ୍ରହର ସହ ମଧ୍ୟ ପଢ଼ୁଛନ୍ତି । ସେହିପରି ଶାରଦୀୟ ପୂଜା ଅବକାଶରେ ଶତାଧିକ ଆକର୍ଷଣୀୟ ପତ୍ରପତ୍ରିକା ପ୍ରକାଶିତ ହେଉଛି ।

 

ସାହିତ୍ୟ ସଭା, ସମିତି, ଉତ୍ସବ, କବି ସମ୍ମିଳନୀ ଓ ପୁରସ୍କାର ସମ୍ବର୍ଦ୍ଧନା ପ୍ରଦାନ ମଧ୍ୟ ବ୍ୟାପକ ହୋଇଛି । ଏସବୁ ପ୍ରମାଣିତ କରୁଛି ଯେ ଓଡ଼ିଆମାନେ ସାହିତ୍ୟମନସ୍କ । ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ସେମାନଙ୍କର ଆଗ୍ରହ, ନିଷ୍ଠା ଓ ଆନ୍ତରିକତାର ଏହା ଜ୍ଵଳନ୍ତ ନିଦର୍ଶନ । ତେଣୁ ଆମର ବିଶ୍ଵାସ ଅତୀତ ପରି ସଂକଟ ଓ ସମସ୍ୟାକୁ ସମାଧାନ କରି ଓଡ଼ିଆ ଭାଷା ଓ ସାହିତ୍ୟ ତାର ଗତିପଥରେ ଆଗୁସାର ହେବ, ସନ୍ଦେହର ଅବକାଶ ନାହିଁ ।

 

ଚଳିତ ‘କୋଣାର୍କ’ ବିଭିନ୍ନ ରଂଗର ପୁଷ୍ପରେ ଶୋଭିତ । ଓଡ଼ିଆ ସାହିତ୍ୟରେ ହାସ୍ୟ-ବ୍ୟଙ୍ଗର ଧାରା କଥା ଆଲୋଚିତ ହୋଇଥିଲାବେଳେ ଓଡ଼ିଆ ଶିଶୁ କବିତାର ଗତି ଓ ପ୍ରକୃତିର କଥା ସ୍ଥାନ ପାଇଛି । ପରିବେଶ ସମାଲୋଚନା କେବଳ ସାହିତ୍ୟର କଥା ନୁହେଁ ବରଂ ଏହା ଅର୍ଥନୀତି, ରାଜନୀତି, ପ୍ରଯୁକ୍ତି ଭଳି ଅନୁସଂଗ ବିଜଡ଼ିତ । ଭାଗବତରେ ଶ୍ରୀ ଜଗନ୍ନାଥ ପ୍ରସଙ୍ଗ ଚର୍ଚ୍ଚା ପ୍ରାସଙ୍ଗିକ ହୋଇଛି । ପ୍ରାଣବନ୍ଧୁ କରଙ୍କ ଏକାଙ୍କିକାର ବୈଶିଷ୍ଟ୍ୟ ଓ ‘ବଜ୍ରବାହୁ’ ଉପନ୍ୟାସରେ ସାମାଜିକ ମୂଲ୍ୟବୋଧର ପରିବର୍ତ୍ତିତ ଅବସ୍ଥାର ଚିତ୍ର ଏହି ସଂଖ୍ୟାରେ ପ୍ରକାଶ ଲାଭ କରିଛି । ଆଲୋଚନାଗୁଡ଼ିକ ସୁଖପାଠ୍ୟ ହେବା ସହ ସାହିତ୍ୟର ବିଦଗ୍ଧ ଭୋକ୍ତାଗଣଙ୍କ ଚେତନାର ବିକାଶରେ ସହାୟକ ବୋଲି ଆଶା କରୁଛୁ ।

 

ନବବର୍ଷ

୧ ଜାନୁୟାରୀ ୨୦୧୧

ଭୁବନେଶ୍ଵର

 

ବିଜୟାନନ୍ଦ ସିଂହ

ସଂପାଦକ

 

 

ଓଡ଼ିଆ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗର ଧାରା

ଡକ୍ଟର ରବିନାରାୟଣ ମହାରଣା

 

ପ୍ରଥମରୁହିଁ ଆମକୁ ମନେରଖିବାକୁ ହେବ ଯେ, ଓଡ଼ିଆ ସାହିତ୍ୟ ତା’ର ଉନ୍ମେଷ କାଳରୁହିଁ ହାସ୍ୟ ଓ ବ୍ୟଙ୍ଗକୁ ଆଧାର କରି ଗତିଶୀଳ ହୋଇଉଠିଥିଲା, ଯଦିଓ ହାସ୍ୟ ଓ ବ୍ୟଙ୍ଗର ଧାରା ସଂପର୍କରେ ଏ ଯାବତ୍ ଗବେଷଣା ଏକ ଅବହେଳିତ ସ୍ତରରେ ରହିଯାଇଛି । ଅନ୍ୟପକ୍ଷରେ ଏହି ପ୍ରସଙ୍ଗର ପରିସର ମଧ୍ୟ ଏକାନ୍ତ ବ୍ୟାପକ । ଆଲୋଚନାର ସୁବିଧା ଦୃଷ୍ଟିରୁ ଏହି ପ୍ରସଙ୍ଗଟିକୁ ଆମେ ଦୁଇ ଭାଗରେ ବିଭାଜିତ କରିପାରିବା । ଯେପରି : ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗର ଧାରା ଓ ଦ୍ୱିତୀୟଟି ହେଉଛି ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗର ଧାରା । ତେବେ ଏହା ପୂର୍ବରୁ ହାସ୍ୟ ଓ ବ୍ୟଙ୍ଗର ସଂଜ୍ଞା କ’ଣ ଓ ସାହିତ୍ୟରେ ଏହାର କାହିଁକି ଆବଶ୍ୟକତା ରହିଛି, ତାହାକୁ ବିଚାର କରିବାର ଏକ ମୌଳିକ ପ୍ରାସଙ୍ଗିକତା ରହିଛି । ତେଣୁ ପ୍ରଥମେ ଏହାର ସଂଜ୍ଞା (Defination) ଓ ତା’ପରେ ଏହାର ପରିସର (Area), ତା’ପରେ ଆମ ଓଡ଼ିଆ ସାହିତ୍ୟ କିଭଳି ଭାବରେ ଏହି ରସରେ ପ୍ଲାବିତ ହୋଇ ରଦ୍ଧିମନ୍ତ ହୋଇଉଠିଛି ତାହା ବିଚାର୍ଯ୍ୟ ।

 

ହାସ୍ୟ ଓ ବ୍ୟଙ୍ଗର ସଂଜ୍ଞା ଓ ପରିସର

ଇତିହାସକୁ ପର୍ଯ୍ୟବେକ୍ଷଣ କଲେ ଜଣାଯାଏ ଯେ, ହାସ୍ୟରସ ସଂପର୍କରେ ପ୍ରଥମେ ଆଲୋକପାତ କରିଥିଲେ ଆଚାର୍ଯ୍ୟ ଭରତ ମୁନି । ସେ ତାଙ୍କର ନାଟ୍ୟଶାସ୍ତ୍ରରେ ଯେଉଁ ଆଠଗୋଟି ରସର ଉତ୍‌ଥାପନ କରିଛନ୍ତି, ତନ୍ମଧ୍ୟରୁ ହାସ୍ୟରସଟି ହେଉଛି ଦ୍ୱିତୀୟ ପର୍ଯ୍ୟାୟର । ସେ ଅବଶ୍ୟ ଏହି ହାସ୍ୟରସ ପ୍ରସଙ୍ଗକୁ ନାଟକ କ୍ଷେତ୍ରରେ ଉପସ୍ଥାପନ କରିଥିଲେ । ତେବେ ତାହା ପ୍ରାସଙ୍ଗିକ ଭାବରେ ଆଜି ସାହିତ୍ୟର ଯେ କୌଣସି ବିଭାଗ ପାଇଁ ପ୍ରଯୁଜ୍ୟ ନିଶ୍ଚୟ । ଅନ୍ୟପକ୍ଷରେ ଏହାର ସଂଜ୍ଞା ନିର୍ଦ୍ଦେଶ କରିବାକୁ ଯାଇ ପୂର୍ଣ୍ଣଚନ୍ଦ୍ରଭାଷାକୋଷରେ କୁହାଯାଇଛି ଯେ, ‘‘ଆଚାର, ବାକ୍ୟ, ବେଶ ଓ ଚେଷ୍ଟାଦିର ବିକୃତ ନିବନ୍ଧ” ହିଁ ହେଉଛି ହାସ୍ୟରସ ବା Sentiament of Mirth ସେଥିରେ ମଧ୍ୟ କୁହାଯାଇଛି ଯେ ମନୁଷ୍ୟକୁ ହସାଇବା ଏହାର ଲକ୍ଷ୍ୟ । (ପୂର୍ଣ୍ଣଚନ୍ଦ୍ର ଭାଷାକୋଷ / ପୃ. ୭୦୦୭) । ଏହିଥିରୁ ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ ଯେ କଥା କହିବାବେଳେ ଆଚରଣରେ, ବାକ୍ୟରେ, ବେଶ-ଭୂଷାରେ ଓ ନାୟକର ସଚେଷ୍ଟାତ୍ମକ ପ୍ରକ୍ରିୟାରେ ଯଦି ବିକୃତିର ଏକ ଅଭିନବ ସଂଯୋଜନା ରହିଲା, ତେବେ ତାହା ଅନ୍ୟକୁ ନିଶ୍ଚିତ ଭାବରେ ହସାଇଦେବ । ଏହାହିଁ ହାସ୍ୟରସ । ମାତ୍ର ବ୍ୟଙ୍ଗ ଠିକ ହାସ୍ୟ ନୁହେଁ । ବ୍ୟଙ୍ଗରେ ବ୍ୟଞ୍ଜନାର୍ଥର ଭୂମିକା କିନ୍ତୁ ପ୍ରତୁଳ । ସେହି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବ୍ୟଙ୍ଗର ସଂଜ୍ଞାକୁ ମଧ୍ୟ ନିର୍ଦ୍ଧାରଣ କରି କୁହାଯାଇଛି ଯେ, “ଶବର ବ୍ୟଞ୍ଜନାବୃତ୍ତ ଦ୍ଵାରା ପ୍ରକଟିତ ଅର୍ଥକୁ ବ୍ୟଙ୍ଗ ବୋଲାଯାଏ ।” (ପୂର୍ଣ୍ଣଚନ୍ଦ୍ର ଭାଷାକୋଷ / ପୃ. ୭୦୦୭) । ତେଣୁ ହାସ୍ୟ ଯେତେବେଳେ ସିଧା ସଳଖ ଭାବରେ ହାସ୍ୟରସର ଉଦ୍ରେକ କରିଥାଏ, ସେତେବେଳେ ବ୍ୟଙ୍ଗ ପ୍ରଚ୍ଛନ୍ନ ଭାବରେ ତଥା ବ୍ୟଞ୍ଜନାତ୍ମକ ଭାବରେ ହାସ୍ୟରସ ସୃଷ୍ଟି କରିଥାଏ । ହାସ୍ୟରେ ହାସ୍ୟକାର ସହିତ ମିଶି ପାଠକ କି ଶ୍ରୋତା ଯେତେବେଳେ ପ୍ରାଣଖୋଲା ହସିଥାଏ, ସେତେବେଳେ ବ୍ୟଙ୍ଗରେ ବ୍ୟଙ୍ଗକାର ସହିତ ମିଶି ପାଠକ କି ଶ୍ରୋତା ପ୍ରାଣ ଖୋଲି ହସିପାରନ୍ତି ନାହିଁ, ବରଂ ମଣିଷର ଅସହାୟତାରେ କରୁଣା ପ୍ରକାଶ କରିଥାନ୍ତି । ମାତ୍ର ଉଭୟଙ୍କର ଉଦ୍ଦେଶ୍ୟ (Objective) କିନ୍ତୁ ଏକ- ତାହା ହେଉଛି “ସମାଜ ସଂସ୍କାର” । ହାସ୍ୟକାର କି ବ୍ୟଙ୍ଗକାର ମାତ୍ରେ ମନେକରନ୍ତି ଯେ ସମାଜର ପ୍ରତିଟି ଅସଙ୍ଗତିକୁ ସଂଗତି ପଥରେ ନେବାର ଗୁରୁ ଦାୟିତ୍ଵଟି ଯେପରି ତାଙ୍କର କାନ୍ଧରେ ରହିଛି । ଜର୍ଜ ବର୍ଣ୍ଣାଡ଼ ଶ ଏହି ପ୍ରସଙ୍ଗରେ କହିଛନ୍ତି, "After all the salvation, the world dependes upon who will not take evil good humouredly and whose laughter destroys the fool instead of encouraging him."। ସେହିପରି ଭାବରେ ସାଂପ୍ରତିକ ବ୍ୟଙ୍ଗ ସାହିତ୍ୟର ଅନ୍ୟତମ ଯଶସ୍ଵୀ ସ୍ରଷ୍ଟା ଶ୍ରୀଯୁକ୍ତ ସତ୍ୟାନାଶ ମଧ୍ୟ ଅନୁରୂପ ମନ୍ତବ୍ୟଟିଏ ପରିବେଷଣ କରି କୁହନ୍ତି, ତାଙ୍କର କାମ ହେଲା, “କିଛି କରିବା । ବ୍ୟଙ୍ଗ ମାଧ୍ୟମରେ ସମାଜର ଚିତ୍ରକୁ ଚିତ୍ରଣ କରୁ କରୁ ସତ୍ୟର ଉଦ୍‌ଘାଟନ କରିବା । ଯଦି ସେହି ସତ୍ୟକୁ ଉପଲବ୍ଧି କରି କେହି ନିଜକୁ ସଂସ୍କାରିତ କରିପାରିଲା, ତେବେ ଲେଖକର ସେଥିରେ ସାର୍ଥକତା ରହିଛି ।’ (ବ୍ୟକ୍ତିଗତ ଆଳାପ/ ତା ୧୮-୧୧-୨୦୧୦) । ତେଣୁ ବ୍ୟଙ୍ଗକାର କେବେ ବିଶୃଙ୍ଖଳିତ ପରିବେଶ ବା ସମାଜକୁ ସହ୍ୟ କରିପାରିବେ ନାହିଁ । ଯାହାକୁ ସାଧାରଣ ମଣିଷ ଜ୍ଞାତସାରରେ ହେଉ ବା ଅଜ୍ଞତାବଶତଃ ହେଉ, ଦେଖି ନ ଦେଖିଲା ପରି ହୋଇ ଉପେକ୍ଷା କରିଯାଏ, ତାହାକୁ ହାସ୍ୟ-ବ୍ୟଙ୍ଗକାର ଅତ୍ୟନ୍ତ ନିର୍ମମ ଭାବରେ ନିଜ ଲେଖନୀରେ ଧରି ରଖି ତାହାର ମୁଖା ଖୋଲି ଦିଅନ୍ତି । ତାଙ୍କ ନିକଟରେ ସେହି କାରଣରୁ ମଣିଷର ସାମାନ୍ୟତମ ଅପରାଧ ମଧ୍ୟ କେବେ କ୍ଷମଣୀୟ ହୋଇପାରେ ନାହିଁ । ତେଣୁ ମୋଟ ଉପରେ କହିବାକୁ ଗଲେ ଯେତେବେଳେ ହାସ୍ୟକାର ମଣିଷର ସମସ୍ତ ପ୍ରକାର ଅସଙ୍ଗତି ମଧ୍ୟରେ ସଂଗତିର ଧାରାଟିକୁ ଦର୍ଶନ କରି ସେଥିରେ ନିଜକୁ ଖାପ ଖୁଆଇ ନେବାର ଅପଚେଷ୍ଟାଟିକୁ ଲକ୍ଷ୍ୟ କରି ନିଜ ସୃଷ୍ଟିରେ ସ୍ଥାନ ଦିଅନ୍ତି ସେତେବେଳେ ତାହା ପାଠକ କି ଶ୍ରୋତାଙ୍କ ନିକଟରେ ହାସ୍ୟରସ ସୃଷ୍ଟି କରିଥାଏ, ମାତ୍ର ବ୍ୟଙ୍ଗକାର ନିଜର ସୃଷ୍ଟି ମାଧ୍ୟମରେ ମଣିଷର ସମସ୍ତ ପ୍ରକାର ଦୁର୍ନୀତି, ଅତ୍ୟାଚାର ଓ ଶୋଷଣକୁ ସିଧାସଳଖ ଭାବରେ ଉନ୍ମୁକ୍ତ କରି ଦିଅନ୍ତି ଓ ସେହିଭଳି କର୍ମ କରୁଥିବା ମଣିଷଟି ଅତ୍ୟନ୍ତ ନିର୍ମମ ଭାବରେ ଆଘାତପ୍ରାପ୍ତ ହୋଇଥାଏ । ଏହି କାରଣରୁ କୌଣସି ହାସ୍ୟସ୍ରଷ୍ଟାଙ୍କୁ ପାଖରେ ପାଇଲେ ମନରେ କୌତୂହଳ ଜାଗ୍ରତ ହେଉଥିବାବେଳେ କୌଣସି ବ୍ୟଙ୍ଗକାରଙ୍କୁ ନିକଟରେ ପାଇଲେ ସ୍ଵାଭାବିକ ଭାବରେ ମନ ମଧ୍ୟରେ ଭୟ ସଂଚରି ଯାଇଥାଏ । ମୋଟ ଉପରେ କହିବାକୁ ଗଲେ ଏହି ହାସ୍ୟ ଓ ବ୍ୟଙ୍ଗର ଧାରା ହେଉଛି ସାହିତ୍ୟ ଜଗତର ଏକ ଅଭିନବ ତଥା ଶକ୍ତିଶାଳୀ ଧାରାଟିଏ । ଏହା ସବୁକାଳରେ ଓ ସବୁ ଦେଶରେ ସାହିତ୍ୟକୁ ଅନେକ ମାତ୍ରାରେ ପରିପୂର୍ଣ୍ଣ କରିଛି ଓ ପୁଷ୍ଟ କରିଛି ମଧ୍ୟ । ଆମ ଓଡ଼ିଆ ସାହିତ୍ୟ ଏହି ପରଂପରାରୁ କେବେ ବିଚ୍ୟୁତ ହୋଇ ରହିନାହିଁ, ଅଧିକନ୍ତୁ ଅନେକ ପରିମାଣରେ ଏହି ଭାବଧାରାରେ ଅବଗାହନ କରି ପୁଷ୍ଟ ଓ ସମୃଦ୍ଧ ହୋଇଉଠିଛି ।

 

ଓଡ଼ିଆ ମୌଖିକ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗ

ପ୍ରଥମରୁ କହିରଖିଛି ଯେ ଓଡ଼ିଆ ସାହିତ୍ୟ ତା’ର ଉନ୍ମେଷ କାଳରୁ ହିଁ ହାସ୍ୟ ଓ ବ୍ୟଙ୍ଗକୁ ଆଧାର କରି ଗତିଶୀଳ ହୋଇଉଠିଥିଲା । ଓଡ଼ିଆ ମୌଖିକ ସାହିତ୍ୟରେ ଏତାଦୃଶ ଦୃଷ୍ଟାନ୍ତର ଅସଦ୍ଭାବ ରହିନାହିଁ । ଯଦି ସଭ୍ୟ ସମାଜରେ ଅସଭ୍ୟୋଚିତ କଥାବାର୍ତ୍ତା ବା ଶବ୍ଦ ପ୍ରୟୋଗ ମଣିଷ ମନରେ ହାସ୍ୟ ସୃଷ୍ଟି କରିବାକୁ କ୍ଷମ ହୋଇଥାଏ, କି ଅସଙ୍ଗତିପୂର୍ଣ୍ଣ ଆଚରଣଦ୍ୱାର। ଆମ ଜୀବନକୁ ଧନ୍ୟ କରିବାର ବୃଥା ଅପଚେଷ୍ଟାରୁ ହାସ୍ୟରସର ଉଦ୍ରେକ ହେଉଥାଏ, ତେବେ ଆମ ମୌଖିକ ସାହିତ୍ୟରେ ଏହିପରି ଉଦାହରଣର ରାଶି ରାଶି ଦୃଷ୍ଟାନ୍ତକୁ ଆମେ ଲକ୍ଷ୍ୟ କରିପାରିବା । ଯେପରି :

 

୧.

କ୍ଷୀରରେ ଧୋଇବ ଖଣ୍ଡରେ ମୋହିବ ନିମ୍ବକି ମଧୁର ହୋଇବ

 

ଶତଥର କରି ବୁଝାଇ କହିଲେ ପର କି ଆପଣା ହୋଇବ ?

୨.

ଅଳପ ତେଣ୍ଟା, ମାଇପ ଖେଣ୍ଟା, ମଠୁଆ ବଳଦ ଯାହାର

 

ଯମ ଘର ଯାଇ କି ଫଳ ପାଇବ ନିତି ମରଣ ତାହାର ।

୩.

ଆରେ ଚଇତା, ଦୁଇ ମାଇପର ଘଇତା

 

ତବତ ଖାଇବୁ କି ପଖାଳ ଖାଇବୁ ଦିନ ଥାଉ ଥାଉ କହିଥା ।

 

ସମାଲୋଚକ ଡକ୍ଟର କୁଞ୍ଜବିହାରୀ ଦାଶ ତାଙ୍କର ଗବେଷଣାତ୍ମକ ନିବନ୍ଧରେ ହାସ୍ୟ ଓ ବ୍ୟଙ୍ଗର ଧାରାରେ ଲୋକକଥାର ଦୃଷ୍ଟାନ୍ତକୁ ପୃଥକ୍‌ ପୃଥକ୍‌ ଭାବରେ ଉପସ୍ଥାପନ କରିଛନ୍ତି ।

 

ହାସ୍ୟରସରେ ଲୋକକଥା ।

 

୧.

ସ୍ୱାର୍ଥପରତା ଦିଗରେ,

 

‘‘ତୋ କଥା କରିବି, ମୋ କଥା କରିବି, ତୋ କଥା ହୃଦର ଗାର

 

ସମୟ ପଡ଼ିଲେ ମୋ କଥା କରିବି ତୋ କଥା ପାଣିରେ ଗାର ।’’

୨.

ନିର୍ଲଜତା ଦିଗରେ,

 

“ଅଲାଜୁକି ଗଲା ମରିବାକୁ,

 

ତାକୁ ତିନିଜଣ ଗଲେ ଧରିବାକୁ ।’’

୩.

ପ୍ରତିଶୋଧରେ ଆନନ୍ଦ,

 

“ମାଡ଼ ତ ମାଇଲୁ ବେଶ୍‌ କଲୁ ହାତେ ରାନ୍ଧି ବାଢ଼ି ଖା’

 

ଚୂଲି ଫୁଙ୍କୁ ଫୁଙ୍ଗୁ ନିଶ ପୋଡ଼ିଗଲା, ମାଡ଼ର ଅସୁଲ ପା” । ...ଇତ୍ୟାଦି ।

 

ସେହିପରି ବ୍ୟଙ୍ଗ ଅର୍ଥରେ :

 

୧.

ଧନୀର କୃପଣ ସ୍ଵଭାବ,

 

“ବଡ଼ ଘର ବୋଲି ନାଁ ପଡ଼ୁଛି

 

ଅଢ଼େଇ କୁଲା ଶାଗ ଶିଝୁଛି ।’’

୨.

କୃତଘ୍ନତାର ସ୍ଵଭାବ,

 

“ଛି, ଛିରେ ପଚା ପଇଡ଼

 

ଭାସି ଯାଉଥିଲୁ ମଝି ନଈରେ, ଗୋଟେଇ ଆଣିଲି ତତେ

 

ତୋ ଦେହରେ ଚେରିମି ଲାଗିଲା, ଜବାବ୍ ଦେଉଛୁ ମତେ ।’’... ଇତ୍ୟାଦି !

 

(ଓଡ଼ିଆ ଲୋକଗୀତ ଓ କାହାଣୀ ପୃ. ୨୮୩-୨୮୭)

 

ଆମର ଏହି ଲୋକଗୀତିଗୁଡ଼ିକ କେବେ ଓ କେଉଁ ସମୟରେ ରଚିତ ହୋଇଛି, ତାହା ଯଦିଓ ଏଯାବତ ସଠିକ ଭାବରେ ଜଣାନାହିଁ, ତେବେ ତାହା ଯେ ଲିଖିତ ସାହିତ୍ୟ ସୃଷ୍ଟିର ବହୁତ ପୂର୍ବରୁ ଏବଂ ଅତ୍ୟନ୍ତ ପୁରାତନ ତାହା ସଦୈବ ସ୍ଵୀକୃତ । ଏବଂ ଅନ୍ୟପକ୍ଷରେ ଓଡ଼ିଆ ଲୋକଗୀତିକୁ ଯଦି ଓଡ଼ିଆ ସାହିତ୍ୟର ଉନ୍ମେଷ ପର୍ବ ବୋଲି ଧରାଯାଏ, ତେବେ ସେହି କାଳରେ ହାସ୍ୟ ଓ ବ୍ୟଙ୍ଗର ଧାରା ଯେ ସାହିତ୍ୟକୁ ପ୍ରତୂଳ ପରିମାଣରେ ପୁଷ୍ଟ କରିଥିଲା ତାହା ନିଃସନ୍ଦେହ ।

 

ଓଡ଼ିଆ ଲିଖିତ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗ

ଓଡ଼ିଆ ଲୋକକଥା ପରେ ଆସେ ଓଡ଼ିଆ ଲିଖିତ ସାହିତ୍ୟ ବା ଓଡ଼ିଆ ବିଦଗ୍ଧ ସାହିତ୍ୟ । ଏହି ପର୍ଯ୍ୟାୟରେ ମାଟିର ମହାକବି ସାରଳା ଦାସଙ୍କଠାରୁ ଆରମ୍ଭ କରି ସାଂପ୍ରତିକ ଯୁଗର ଶ୍ରୀ ଜ୍ଞାନ ହୋତା ବା ଶ୍ରୀଯୁକ୍ତ ସତ୍ୟାନାଶଙ୍କ ପର୍ଯ୍ୟନ୍ତ ବ୍ୟାପ୍ତ ରହିଥିବା ସମସ୍ତ ହାସ୍ୟ- ବ୍ୟଙ୍ଗ ସାହିତ୍ୟକୁ ଅକଳନ କରିପାରିବା । ତେବେ ଆଲୋଚନାର ସୁବିଧା ଦୃଷ୍ଟିରୁ ଆମେ ଏହି ବିସ୍ତୃତ ପର୍ଯ୍ୟାୟକୁ ଦୁଇଟି ଉପ-ପର୍ଯ୍ୟାୟରେ ବିଭାଜିତ କରି ଆଲୋଚନାକୁ ଗତିଶୀଳ କରାଇପାରିବା । ଯେପରି : (୧) ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗ ଓ (୨) ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗ ।

 

(୧) ସ୍ଵାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗ :

ଏହି ପର୍ଯ୍ୟାୟଟିରେ ଆମର ଏହି ଆଲୋଚନାଟିକୁ ପ୍ରଥମେ ଓଡ଼ିଆ ସାହିତ୍ୟର ଉନ୍ମେଷକାଳ ଅର୍ଥାତ ସାରଳାଙ୍କ ଯୁଗଠାରୁ ଆରମ୍ଭ କରି ଓଡ଼ିଆ ସାହିତ୍ୟରେ ନବଜାଗରଣ ଦେଖା ଦେବା ପର୍ଯ୍ୟନ୍ତ ବା ରାଧାନାଥ ଯୁଗ ପର୍ଯ୍ୟନ୍ତ ଓ ପରେ ରାଧାନାଥଙ୍କ ସମୟଠାରୁ ଆରମ୍ଭ କରି ଭାରତର ସ୍ଵାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ସମୟ ସୀମାର ହାସ୍ୟ ଓ ବ୍ୟଙ୍ଗର ଧାରାକୁ ବିଚାର କରିପାରିବା । ସାରଳାଙ୍କ ସମୟର ସାହିତ୍ୟ କହିଲେ ତାଙ୍କର ସାହିତ୍ୟର ସମୟ ସୀମା ମଧ୍ୟରେ ରଚିତ ସାହିତ୍ୟ ତାହାର କିଞ୍ଚିତ ପୂର୍ବବର୍ତ୍ତୀ ବା ପରବର୍ତ୍ତୀ ସାହିତ୍ୟକୁ ହିଁ ବୁଝାଇଥାଏ । ତେଣୁ ଏହି ପର୍ଯ୍ୟାୟରେ ସାରଳାଙ୍କ ମହାଭାରତ, ବତ୍ସା ଦାସଙ୍କ କଳସା ଚଉତିଶା ବା ନାରାୟଣ ନନ୍ଦ ଅବଧୂତ ସ୍ଵାମୀଙ୍କ ରୁଦ୍ର ସୁଧାନିଧି ପ୍ରଭୃତିକୁ ଗ୍ରହଣ କରାଯାଇପାରେ । ମନେରଖିବାକୁ ହେବ ଯେ ଏହି ଚିର ନମସ୍ୟ ସ୍ରଷ୍ଟାମାନେ କେବେ ହାସ୍ୟ ବା ବ୍ୟଙ୍ଗକାର ନଥିଲେ କି ସେମାନଙ୍କର ସୃଷ୍ଟି ହାସ୍ୟ- ବ୍ୟଙ୍ଗ ଶ୍ରେଣୀର ନୁହେଁ । ତେବେ ସାହିତ୍ୟର ବର୍ଣ୍ଣନାବେଳେ ପ୍ରସଙ୍ଗ କ୍ରମରେ ସେମାନେ ଯେଉଁଠି ଅସଙ୍ଗତିର ବର୍ଣ୍ଣନା କରିଯାଇଛନ୍ତି, ସେହିଠାରେ ଆମେ ହାସ୍ୟର ସନ୍ଧାନ ଯାହା କରିପାରିଛେ । ଯେପରି ସାରଳା ଲେଖିଛନ୍ତି :

 

“ଆପଣା ଶରୀରେ ବାବୁ ପଡ଼ିଛି ଅଂସେଇ

ପରର କଳଙ୍କ ଉଘାଉ ତୁ ନାସିକାରେ ହସ୍ତ ଦେଇ ।”

(ମହାଭାରତ)

 

ବା ବତ୍ସା ଦାସ ଲେଖିଛନ୍ତି,

“ଖୁଁ ଖୁଁ ଖାସ ସାହସେଣ ପେରୁଅଛି ଧଇଁ

ଖର ନିଶ୍ଵାସ ବୁଢ଼ାର ମଥା ଲାଗେ ଭୂଇଁ

ଖଣ୍ଡିଆ ଯୋଗୀର ସଂଗ ନାହିଁ ଯାନ ତାର

ଖଣ୍ଡିଆ ବଳଦ ବୁଢ଼ା ବାନ୍ଧିଛି ପାଖର ।”

(କଳସ। ଚଉତିଶା)

 

ବା ନାରାୟଣ ନନ୍ଦ ଲେଖିଛନ୍ତି,

‘‘ସ୍ତନଯୁଗଳ କଳ୍ପଲତା ଫଳ ପ୍ରାୟେ ପ୍ରକାଶ

ଇନ୍ଦ୍ର ଦେଖିଲେ ସ୍ଵର୍ଗ ଭୋଗ ଛାଡ଼ି ହୋଇବ ଦାସ ।

(ରୁଦ୍ର ସୁଧାନିଧି) ଇତ୍ୟାଦି ।

 

ଏହିସବୁ ଉଦାହରଣଗୁଡ଼ିକରେ କିନ୍ତୁ ନିର୍ମଳ ହାସ୍ୟରସ କି ଶାଣିତ ବ୍ୟଙ୍ଗ ପ୍ରାୟ ଅନୁପସ୍ଥିତ କହିଲେ ଚଳେ । ତେଣୁ ସମାଲୋଚକ ଡକ୍ଟର କୁଞ୍ଜବିହାରୀ ଦାଶ କୁହନ୍ତି, ‘‘ତହିଁର (ଏହିସବୁ ସାହିତ୍ୟ ବା ସାହିତ୍ୟର ଉଦାହରଣ) ଗେ।ଟିଏ ଅଂଶରେ ଧର୍ମର, ଅନ୍ୟ ଅଂଶରେ କାମର ଜୟଜୟକାର । ... ପ୍ରଥମ ଅବସ୍ଥାରେ ହାସ୍ୟର ଅବକାଶ ନାହିଁ, ଦ୍ୱିତୀୟ ଅବସ୍ଥାରେ ତାର ହାସ୍ୟଶ୍ଳୀଳତା ବିବର୍ଜିତ, ରୁଚି ଗର୍ହିଁତ । ବିନୋଦନର ସ୍ତର ବଡ଼ ନିମ୍ନରେ । ସେତେବେଳେ ହାସ୍ୟୋଦ୍ରେକର ଚେଷ୍ଟା ହିଁ ହାସ୍ୟକର ହୋଇଅଛି । ଶୁଦ୍ଧ ହାସ୍ୟରସର ନମୁନା ଅତି ଅଳ୍ପ ।’’ (ଓଡ଼ିଆ ଲୋକଗୀତ ଓ କାହାଣୀ / ପୃ.୨୮୩) । ତଥାପି ଡକ୍ଟର କୁଞ୍ଜବିହାରୀ ଦାଶଙ୍କ ଏତାଦୃଶ ମନ୍ତବ୍ୟ ଆମ ମନରେ ପ୍ରତ୍ୟୟ ସୃଷ୍ଟି କରିଥାଏ ଯେ, ଶୁଦ୍ଧ ହାସ୍ୟରସର ମାତ୍ରା ଅଳ୍ପ ହୋଇଥିଲେ ମଧ୍ୟ ଆମ ସାହିତ୍ୟରେ କେବେ ଉପେକ୍ଷଣୀୟ ହୋଇ ରହିନାହିଁ । ଅନ୍ୟ ପକ୍ଷରେ ପ୍ରାଚୀନ ସାହିତ୍ୟର ହାସ୍ୟରସ ସଂପର୍କରେ ମତବ୍ୟକ୍ତ କରି ସମାଲୋଚକ ଡକ୍ଟର ଦାଶରଥି ଦାଶ ମଧ୍ୟ କୁହନ୍ତି, “ପ୍ରାଚୀନ ଓଡ଼ିଆ ସାହିତ୍ୟରେ ହାସ୍ୟରସର ଏକାନ୍ତ ଅସଦ୍ଭାବ । ଓଡ଼ିଆ ଜାତିର ଚରିତ୍ରଲିପିରେ ଭାବ ପ୍ରବଣତା ଓ ଅଧ୍ୟାତ୍ମବାସର ଗୁରୁତ୍ଵପୂର୍ଣ୍ଣ ଭୂମିକା ଦେଖିଲେ ତାହାର କାରଣ ଅସ୍ପଷ୍ଟ ରହେ ନାହିଁ । ଜୀବନର ଆନନ୍ଦ ବେଦନାକୁ ଲଘୁକାନ୍ତ ହାସ୍ୟୋଜ୍ଵଳ କରି ଦେଖିବା ପାଇଁ ଯେପରି ଏ ଜାତିର ଆନ୍ତରିକ କାମନା ନଥିଲା । ସବୁଠାରେ ଜୀବନ ଗମ୍ଭୀର, ଅଯଥା ଦାର୍ଶନିକ ଚିନ୍ତାରେ ବିହ୍ଵୋଳ ।’’

(ନାନା ନିବନ୍ଧ/ ପୃଷ୍ଠା : ୨୨୮)

 

ତେଣୁ ପ୍ରକୃତ ହାସ୍ୟରସପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିଥିଲା ଅନ୍ତତଃ ଅଷ୍ଟାଦଶ ଶତାବ୍ଦୀର ଉତ୍ତରାର୍ଦ୍ଧ ବେଳକୁ, କବି ବ୍ରଜନାଥ ବଡ଼ଜେନା (୧୭୩୦-୧୭୯୫)ଙ୍କ ଆଗମନ କାଳକୁ । କବି ବ୍ରଜନାଥ ବଡ଼ଜେନାଙ୍କ ରଚନାଗୁଡ଼ିକ ମଧ୍ୟରୁ ଆମେ “ଚତୁର ବିନୋଦ’’କୁ ହାସ୍ୟରସ ଦିଗରେ ଶ୍ରେଷ୍ଠ ନିଦର୍ଶନ ଭାବରେ ଗ୍ରହଣ କରିପାରିବା । ଚତୁର ବିନୋଦରେ ରାଜକୁମାର ମୋହନାଙ୍ଗ ସାଧବଝିଅ ଚଞ୍ଚଳାକ୍ଷୀକୁ ଯେଉଁ ଚାରିଗୋଟି ବିନୋଦର କଥା କହି ତା’ର ଗୌରୀବ୍ରତ ପାଳନରେ ସହାୟତା କରିଛି, ତନ୍ମଧ୍ୟରୁ ହାସ୍ୟବିନୋଦ ଅତ୍ୟନ୍ତ ଚିତ୍ତାକର୍ଷକ । ହାସ୍ୟବିନୋଦରେ ମୂଳରୁ ଶେଷ ପର୍ଯ୍ୟନ୍ତ କେବଳ ଅସଙ୍ଗତି ହିଁ ଅସଙ୍ଗତି । ଏହି ଅସଙ୍ଗତି ହିଁ ତାର ହାସ୍ୟ ସୃଷ୍ଟିର ମୂଳ ଉପାଦାନ । ହାସ୍ୟବିନୋଦରେ ଥିବା ଚରିତ୍ର ଓ ସେମାନଙ୍କର ନାମକରଣ ଏହି ମର୍ମରେ ଏଠାରେ ଉପସ୍ଥାପିତ କରାଯାଇପାରେ । ଯେପରି : ନାୟକ : ଷଣ୍ଢ ମାର୍ଜରମୁଖା, ନାୟିକା : ବିଳାପମୁଖୀ, ବ୍ରାହ୍ମଣ ପଣ୍ଡିତ : ପଣ୍ଡିତ ଲିଙ୍ଗ-ବେଧବିଦ୍ୟା ପାରଙ୍ଗମ, ବୈଦ୍ୟରନ୍ନ : ବ୍ୟାଧିବର୍ଦ୍ଧନ ଚୂଡ଼ାମଣି, ଜ୍ୟୋତିଷ : ଜ୍ୟୋତିଷ ବର୍ଦ୍ଧନ ଓ ନାପିତ : ରକ୍ତ ହିଣ୍ଡୋଳ । ଏମାନଙ୍କର ଆଚରଣ ଓ କଥୋପକଥନ ମଧ୍ୟ ନାମାନୁରୂପ । ଦେଖନ୍ତୁ ନାୟକ କିପରି ଭାବରେ ନାୟିକାକୁ ସମ୍ଭାଷଣ କରୁଛି-। ନାୟକ ନାୟିକାକୁ କହୁଛି, “ଧନ୍ୟ ଧନ୍ୟରେ ଶ୍ମଶାନ ମଣ୍ଡନି, ରାତ୍ରିଚରମୁଖୀ, ଅଶ୍ୱମୋହିନୀ କରାଳ ନେତ୍ରୀ” ବୈଦ୍ୟ ଶ୍ରୀ ବିଦ୍ୟାବର୍ଦ୍ଧନ ଚୂଡ଼ାମଣିଙ୍କର ହାତ ବାଜିଲେ ମଳୁ ମଲା, ଜ୍ୟୋତିଷ ବର୍ଦ୍ଧନଙ୍କ ବିଦ୍ୟା ଏପରି ଯେ, ତଦ୍ୱାରା ସେ “ତାରା ଦେଖିଲେ ଦିବସ କହି ଖରା ଦେଖିଲେ ରାତି” । ଆଉ ବାକି ରହିଲେ ପଣ୍ଡିତେ । ଥରେ ରାଣୀ ତାଙ୍କୁ ନମସ୍କାର କରନ୍ତେ ଗୁରୁ ବ୍ରାହ୍ମଣଙ୍କ ଦୃଷ୍ଟିପଡ଼ିଲା ତାଙ୍କ ସ୍ତନଉପରେ । ସେ ପୁଣି ଆଶୁକବି । ତେଣୁ ଶତମୁଖର ହୋଇ ସେ ଅନାୟସରେ ଗାଇ ଉଠିଛନ୍ତି, ‘‘ଏ ଯେଉଁ କୁଚ ଯୁଗଳ କରେ ଧରି ଯେବେ କରନ୍ତି କୋଳ, ସ୍ୱର୍ଗକୁ ମଣନ୍ତି ତଳ, ମୋ ଧନରେ ।” ଏହିପରି ଦେଖିବାକୁ ଗଲେ ତତ୍କାଳୀନ ସମାଜରେ ଆଧିପତ୍ୟ ବିସ୍ତାର କରିଥିବା କ୍ଷମତାଧାରୀ ଅପାତ୍ରଙ୍କୁ ଦେଖି କବି କେବେ ସେମାନଙ୍କୁ କ୍ଷମା କରିନାହାନ୍ତି । ‘ଷଣ୍ଢାସୁର ଆମର ମଉଳା ଝିଅ ଭଉଣୀ ? ବା “ତୁମର ଯେଉଁପରି କୁମାର ବୟସ, ଆମ ଜେମା ଦେଶଙ୍କର ସେହି ରୂପେ ରଞ୍ଜ ଆସୁଅଛି ନିଶ” ଆଦି ବର୍ଣ୍ଣନାରେ କବି ବଡ଼ଜେନା ଯେପରି ଭାବରେ ଶୁଦ୍ଧ ହାସ୍ୟରସକୁ ପରିବେଷଣ କରିଛନ୍ତି, ଠିକ୍‌ ସେହିପରି ମଧ୍ୟ ଶାଣିତ ବ୍ୟଙ୍ଗ ମାଧ୍ୟମରେ ତତ୍କାଳୀନ ସମସ୍ତ ଆଧିପତ୍ୟଧାରୀ ଅପାତ୍ରଙ୍କର ମୁଖାକୁ ଖୋଲି ଦେଇଛନ୍ତି । ତେଣୁ ହାସ୍ୟ ଓ ବ୍ୟଙ୍ଗ ସୃଷ୍ଟି କ୍ଷେତ୍ରରେ ବଡ଼ଜେନା ହେଉଛନ୍ତି ବାସ୍ତବରେ ଏକ କ୍ରାନ୍ତିକାରୀ ପ୍ରବାଦ ପୁରୁଷ ।

 

କବି ବଡ଼ଜେନାଙ୍କ ପରେ ଆସନ୍ତି, କବି ଯଦୁମଣି ମହାପାତ୍ର (୧୭୮୧- ୧୮୬୬) । ହାସ୍ୟରସ ସୃଷ୍ଟି କ୍ଷେତ୍ରରେ ତାଙ୍କର ପ୍ରତିଭା ଅତ୍ୟନ୍ତ ସମୁଦ୍ୟତ ଓ ଅବିସମ୍ବାଦିତ । ସେ ଥିଲେ ଆଶୁକବି । ତେଣୁ ପ୍ରତ୍ୟେକଟି କ୍ଷେତ୍ରରେ ସେ କବିତା ରଚନା କରିବାରେ ଥଲେ ସିଦ୍ଧହସ୍ତ । ନିଜର ନିବେଦନ ଜଣାଇବାକୁ ହେଉ ବା ନିଜକୁ ନିଶ୍ଚିତ ଅପମାନରୁ ମୁକ୍ତ କରିବା ପାଇଁ ହେଉ ସେ ସିଧା କବିତାର ସାହାଯ୍ୟ ଲୋଡ଼ୁଥିଲେ ଓ ସଫଳ ହେଉଥିଲେ ମଧ୍ୟ । କେତୋଟି ଦୃଷ୍ଟାନ୍ତ ଏହି ପରିପ୍ରେକ୍ଷୀରେ ଉପସ୍ଥାପିତ କରାଯାଇପାରେ । ଥରେ ନୟାଗଡ଼ର ରାଜା ବିନାୟକ ସିଂହ ମାନଧାତା ନିଜର ପାତ୍ରମନ୍ତ୍ରୀଙ୍କ ସହ ପାହାଡ଼ର ତଳି ଅଞ୍ଚଳରେ ଯାଉଥିବାବେଳେ ଖଣ୍ଡପଡ଼ାର ରାଜା ତାଙ୍କର ପାତ୍ରମନ୍ତ୍ରୀଙ୍କ ସହ ପାହାଡ଼ ଉପରେ ଚଢ଼ୁଥାନ୍ତି । ଠିକ୍‌ ଏହି ସମୟରେ ଖଣ୍ଡପଡ଼ାର ବିଦୂଷକ ନୟାଗଡ଼ର ରାଜା ଓ ପାତ୍ରମନ୍ତ୍ରୀ ଆଦିଙ୍କୁ ଦେଖି ହସିଲେ । ଅର୍ଥ ଥିଲା ସେମାନେ ବଡ଼ ବୋଲି ଉପରେ ଯାଉଛନ୍ତି ଓ ନୟାଗଡ଼ର ରାଜା ଓ ପାତ୍ରମନ୍ତ୍ରୀ ପାହାଡ଼ର ତଳ ଅଞ୍ଚଳରେ ଯାଉଥିବାରୁ ସେମାନେ ଛୋଟ । ଏ କଥା ଯଦୁମଣି ବୁଝିଗଲେ ଓ ସଂଗେ ସଂଗେ ଉତ୍ତର ଦେଲେ, “ନିକିତି ତଉଲେ ସାନବଡ଼କୁ । ଭାରି ହୁଏ ଯିଏ ରହେ ତଳକୁ ।” ଏହାଶୁଣି ଖଣ୍ଡପଡ଼ା ରାଜା ହାତୀ ଅଟକାଇ ତଳି ଅଞ୍ଚଳକୁ ଆସିଲେ ଓ ଉଭୟ ରାଜାଙ୍କ ମଧ୍ୟରେ ବନ୍ଧୁତ୍ଵର ଆଦାନ ପ୍ରଦାନ ବଳିଷ୍ଠ ହୋଇ ଉଠିଥିଲା । ଅନ୍ୟପକ୍ଷରେ ଥରେ ରାଜା ବିନାୟକ ସିଂହ ମାନଧାତା କବି ଯଦୁମଣିଙ୍କୁ ଖଣ୍ଡିଏ ଚାଷ ଜମି ଦେବାକୁ କହି ଭୁଲି ଯାଇଥିଲେ ଓ ପରେ ତାଙ୍କର କରଣଙ୍କ ପରାମର୍ଶରେ କୌଣସି ଏକ ନିକୃଷ୍ଟ ଜମିଟିକୁ ଯଦୁମଣିଙ୍କୁ ଦେଇ ବିଦାୟ କରିଥିଲେ । ମାତ୍ର କବି ଯଦୁମଣି ଏତିକିରେ ଦବିଗଲେ ନାହିଁ । ସେ କବିତାଟିଏ ଲେଖିଲେ । କବିତାଟି ଏହିପରି :

 

“ଦେଉ ଆଜ୍ଞା ଦେଲେ ହରଷେ

କରଣ ତା’ କଲେ ବରଷେ,

ବାଛି ବାଛି କରି ଦେଲେ ପଡ଼ିଆ

ଶ୍ରାବଣ ମାସରେ ଭାଂଗେ ନଡ଼ିଆ

ଏମନ୍ତ ସେ ଭୂଇଁ

ଚାକୁଣ୍ଡା ବୁଣିଲେ ଉଠଇ ନାହିଁ ।’’

 

ରାଜା କବିତାଟି ଶୁଣି ବେଶ୍‌ କଥାଟି ବୁଝିଗଲେ । ସଂଗେସଂଗେ ଯଦୁମଣିଙ୍କୁ ଡକାଇ ଖଣ୍ଡିଏ ଭଲ ଜମି ତାଙ୍କ ନାମରେ ଲେଖିଦେଲେ । ଏହିଭଳି ଭାବରେ ଦେଖିବାକୁ ଗଲେ କବି ଯଦୁମଣିଙ୍କ ବିଭିନ୍ନ ହାସ୍ୟାମୋଦୀ ସୃଷ୍ଟି ତାଙ୍କ ସାରସ୍ୱତ ସାଧନାକୁ କେବଳ ପୁଷ୍ଟ କରିଥଲା ମାତ୍ର ।

 

କବି ଯଦୁମଣିଙ୍କ ପରେ “କବିସୂର୍ଯ୍ୟ ବଳଦେବ ରଥ ।’’ ତାଙ୍କର ସମୟ ସୀମା ହେଉଛି - ୧୭୮୫-୧୮୪୫ ।’’ ତାଙ୍କ ସୃଷ୍ଟିରେ “ହାସ୍ୟ କଲ୍ଲୋଳ” ହେଉଛି ଏହି ପର୍ଯ୍ୟାୟର ଏକ ଶ୍ରେଷ୍ଠ କୃତି-। ଅନ୍ୟପକ୍ଷରେ ଏହା କବିଙ୍କ ଅଫୁରନ୍ତ ଉତ୍ସାହ ଓ ଅନନ୍ତ ଉଦ୍ୟମର ସୃଷ୍ଟି ମାତ୍ର । ଏତାଦୃଶ ସୃଷ୍ଟିମୂଳରେ ମଧ୍ୟ ରହିଛି ତାଙ୍କର ପୂର୍ବସୂରୀ ବ୍ରଜନାଥ ବଡ଼ଜେନାଙ୍କର ପ୍ରଚ୍ଛନ୍ନ ପ୍ରେରଣା । ତେଣୁ ହାସ୍ୟ କଲ୍ଲୋଳରେ କବିସୂର୍ଯ୍ୟଙ୍କର କେତେକ ବର୍ଣ୍ଣନା ଅତ୍ୟନ୍ତ ହାସ୍ୟବିନୋଦର ନିକଟବର୍ତ୍ତୀ । ଦୃଷ୍ଟାନ୍ତ ସମୁଦ୍ୟତ । ହାସ୍ୟ କଲ୍ଲୋଳରେ ବର୍ଣ୍ଣିତ ରହିଥିବା ରାଜ୍ୟର ନାମ ହେଉଛି ରହସ୍ୟଘୋଷ, ସେଠାରେ ସାଧୁଙ୍କୁ ନିନ୍ଦିଲେ ସମସ୍ତଙ୍କର ସନ୍ତୋଷ । ମହାରାଜା ଭଲ୍ଲାତକର୍ଣ୍ଣ ଗଧପତି । ସେ ପୁଣି ଅଳ୍ପ କାଲା । ରାଜାଙ୍କ ନିକଟରୁ ନ୍ୟାୟ ଚାହିଲେ ଯୁବତୀ କନ୍ୟାମାନଙ୍କୁ ରାଜଦରବାରକୁ ଆଣିବାକୁ ହୁଏ । କବି ପୁଣି ତାଙ୍କର କପିରାଜ । ଇତ୍ୟାଦି ଇତ୍ୟାଦି । ହାସକଲ୍ଲୋଳର ଏହିସବୁ ନାମକରଣ ଯେ ହାସ୍ୟବିନୋଦର ଅତ୍ୟନ୍ତ ନିକଟବର୍ତ୍ତୀ, ତାହାକୁ ଅସ୍ଵୀକାର କରାଯାଇ ନପାରେ । ତେବେ କବିସୂର୍ଯ୍ୟ ତତ୍କାଳୀନ ରାଜାଙ୍କର ଓ ରାଜଦରବାରର ମୁଖାକୁ ଏହିଠାରେ ଅତ୍ୟନ୍ତ ଚତୁରତା ସହିତ ଓ ନିର୍ମମ ଭାବରେ ଉନ୍ମୁକ୍ତ କରିଦେଇଛନ୍ତି । କେବଳ ବ୍ୟଙ୍ଗ ନୁହେଁ ଶୁଦ୍ଧ ହାସ୍ୟରସ ମଧ୍ୟ ତାଙ୍କର ହାସ୍ୟ କଲ୍ଲୋଳରେ ରହିଛି । ଉଦାହରଣଟିଏ ପ୍ରସ୍ତୁତ କରାଯାଇପାରେ । ଯେପରି : “ସେ ଦେଶରେ ଅଛନ୍ତି ପୁଣି ବହୁତ ରାଣୀ ଓ ବହୁତ କାଣୀ । ରାଣୀ କେମନ୍ତ ଏବଂ କାଣୀ କେମନ୍ତ କି ? ପାଇକାଣୀ, ବାରିକାଣୀ, ନାୟକାଣୀ, ରେଡ଼କାଣୀ, କାଣୀ ଏମାନେ । ରାଣୀ କେଉଁମାନେ ତାହା କହିବା । ବେହେରାଣୀ, ମାଗୁରାଣୀ, ଫଦରାଣୀ, କଣ୍ଡୁରାଣୀ, ଖଡ଼ୁରାଣୀ, ପାଟରାଣୀ, ବାଉରାଣୀ ଏମାନେ ରାଣୀ ଅଟନ୍ତି ।” ବା “ସେ ରାଜ୍ୟରେ କୋଟିଏ ଊଣା ଦଶହଜାର ଫଉଜକୁ ମହାବାହାଦୂର ଦଶଜଣ ସରଦାର ।... ଯୁଦ୍ଧ ଦେଖିଲେ ପଛଘୁଞ୍ଚା ଦିଅନ୍ତି । ଛୁରୀ ଦେଖିଲେ ହୁରୀ ପକାନ୍ତି । କାତି ବୋଇଲେ ଛାତି କଂପାନ୍ତି । ଖଣ୍ଡା ଦେଖିଲେ ଦଣ୍ଡା ହୋଇ ଶୁଅନ୍ତି... ଛାଟ ଦେଖିଲେ କୀଟରୁ ବଳନ୍ତି-। ଚାପ ଦେଖିଲେ ବାପଲୋ ବୋଲନ୍ତି । ପଟା ଦେଖିଲେ ଛଟା ଗାଳନ୍ତି । ଗଦା ଦେଖିଲେ ପଦାକୁ ପଳାନ୍ତି।’’ ହାସ୍ୟ କଲ୍ଲୋଳ ଛଡ଼ା କବିସୂର୍ଯ୍ୟ ବଳଦେବଙ୍କର ହାସ୍ୟରସ ପରିବେଷଣ ଦିଗରେ ଆଉ ତିନିଗୋଟି କୃତି ମଧ୍ୟ ରହିଛି । ତାହା ହେଉଛି ‘ଜଗତେ କେବଳ’, ‘ହେ ସରସେ କୁହାଯାଉଥାଏ ସିନା’ ଓ ‘କାହାକୁ କହିବା’ ପରି ତିନିଗୋଟି କବିତା । କବିତା ତିନିଗୋଟିରେ ମଧ୍ୟ ସମକାଳୀନ ସମାଜର ସ୍ଥିତାବସ୍ଥାକୁ ଯାହା ହାସ୍ୟଚିତ୍ର ମାଧ୍ୟମରେ ଚିତ୍ରିତ କରାଯାଇଛି ।

 

କବିସୂର୍ଯ୍ୟଙ୍କ ପରେ ପରେ ଆମେ ଭେଟୁ ବ୍ୟାସକବି ତଥା କଥାସମ୍ରାଟ ଫକୀରମୋହନ ସେନାପତି (୧୮୪୩-୧୯୧୮)ଙ୍କୁ । ଫକୀର ମୋହନ ମଧ୍ୟ ପୂର୍ବସୂରୀଙ୍କୁ ବିସ୍ମରି ନାହାନ୍ତି । ତାଙ୍କ ସୃଷ୍ଟିର ପ୍ରତିଟି ଛତ୍ରେ ଛତ୍ରେ ସେ ମଧ୍ୟ ସମକାଳୀନ ସମାଜର ଚିତ୍ରକୁ ଅତ୍ୟନ୍ତ ବର୍ଣ୍ଣିଳ କରି ତୋଳି ଧରିଛନ୍ତି । ତାଙ୍କର ପେଟେଣ୍ଟ ମେଡ଼ିସିନ, ସଭ୍ୟ ଜମିଦାର, ଡାକମୁନ୍‍ସୀ ପ୍ରଭୃତି ଗଳ୍ପରେ ଅନେକତ୍ର ହାସ୍ୟରସର ଛିଟା ବର୍ତ୍ତମାନ । ଏପରିକି ତାଙ୍କର ଛ’ ମାଣ ଆଠଗୁଣ୍ଠ ଉପନ୍ୟାସରେ ମଧ୍ୟ ପ୍ରତୁଳ ହାସ୍ୟର ଅବତାରଣା କରାଯାଇଛି । ଏହି ଉପନ୍ୟାସରେ ବର୍ଣ୍ଣିତ ଥିବା ଚମ୍ପାର ଗତିଭଂଗି, ଅସୁରଦୀଘିର ମାନଚିତ୍ର, ଗୋବରା ଜେନା ଚୌକିଦାରର ଗ୍ରାମ ଜଗିବା, ଦାରୋଗା ବାବୁଙ୍କ ଘୋଡ଼ାଚଢ଼ା, ମିଆଁ ପୁଅର ନିଆଁଲଗା ଦାଢ଼ି ପ୍ରଭୃତି ଉପାଖ୍ୟାନ ଗୁଡ଼ିକ ସ୍ଵତଃ ପାଠକଙ୍କୁ ଶୁଦ୍ଧ ହାସ୍ୟରସରେ ସିକ୍ତ କରି ରଖେ । ଉଦାହରଣ ସ୍ଵରୂପ ଚଂପାର ରୂପ-ଗୁଣ ବର୍ଣ୍ଣନା ପୂର୍ବକ ଫକୀରମୋହନ ଯେଉଁପରି ହାସ୍ୟରସର ଅବତାରଣା କରିଛନ୍ତି, ତାହାକୁ ଏଠାରେ ଲକ୍ଷ୍ୟ କରାଯାଇପାରେ ।

 

ତାଙ୍କ ଲେଖନୀରେ ଚଂପାର ବର୍ଣ୍ଣନା ଏହିପରି :

“କଜ୍ଵଳ ପୂରିତ ଲୋଚନ ଭାଲେ

ଗୁଣ୍ଡିମିଶା ଖିଲ୍ଲୀ ଗୁଞ୍ଜିତ ଗାଲେ ।

ତୈଳ ହରିଦ୍ରା ବୋଳିତ ଦେହେ

କୁକ୍କୁରୀବ ଶୀଘ୍ରଂ ଧାବତି ବେହେ ।।

ଷୋଳ ହାତୀ ଶାଢ଼ି ବିସ୍ତୃତ କଚ୍ଛେ

ଥୋପ ଭିଡ଼ା ଜୁଡ଼ା ଶୋଭିତ ଉଚ୍ଚେ ।।

ଦୁମୁଦୁମୁ ଗୁମୁ ଗୁମୁ ଚଳନଂ ତସ୍ୟା

ଚଳତି ବା ଧାବତି ବିଷମ ସମସ୍ୟା ।

କଙ୍କଣ ଚୂଡ଼ି ହସ୍ତେ ବିରାଜେ

ଝମ ଝମ ଝମ ଝୁଣ୍ଟିଆ ବାଜେ ।।

ସା ଯଦା ଗଚ୍ଛତି ଗୋହିରୀ ଦାଣ୍ଡେ

ହସ୍ତ ହଲାଇ ଚାଣ୍ଡେ ଚାଣ୍ଡେ ।।

ଦେଖି ଶଙ୍କି ଯାନ୍ତି ଗ୍ରାମ୍ୟ ଲୋକେ

ଡରି ମରି ପଳାଇ ଯାନ୍ତି ଥୋକେ ।।

ଇତି ରୂପ ବର୍ଣ୍ଣନଂ ପଜ୍‌ଝଟି ଛନ୍ଦେ

ଅତଃ ଗୁଣ ବର୍ଣ୍ଣ୍ୟତେ ବିବିଧ ପ୍ରବନ୍ଧେ ।”

 

ଚମ୍ପାର ଏତାଦୃଶ ବର୍ଣ୍ଣନା ପ୍ରାଣକୁ ପୁଲକିତ କରେ ନାହିଁକି ? ସେହିପରି ତାଙ୍କର ‘ମୁଁ ହାଟବାହୁଡ଼ା’ କବିତାଟିକୁ ମଧ୍ୟ ଏହି କ୍ଷେତ୍ରରେ ସ୍ମରଣ କରାଯାଇପାରେ । ସେଥିରେ ଫକୀର ମୋହନ ଦେଶୀ ଓ ବିଦେଶୀ ପାଠପଢ଼ାକୁ କିପରି ଭାବରେ ବ୍ୟଙ୍ଗ କରିଛନ୍ତି, ତାହା ଦେଖନ୍ତୁ :

 

“ଦେଖିଲି ସଂସାରେ ବସିଛି ହାଟ

ଲୋକ ଗହଳିରେ ନମିଳେ ବାଟ ।

ଦୋକାନ ପସରା ଧାଡ଼ିକି ଧାଡ଼ି

ବାଟ ଦୁଇ ପାସ ବସିଛି ମାଡ଼ି ।

ଭୁଲାଇବା ପାଇଁ ଗହକି ମନ

ହାଟୁଆଙ୍କ ଦେଖ କେଡ଼େ ଯତନ ।

ହାଟୁଆ ବାଟୁଆ ଅଛନ୍ତି ଧାଇଁ

ହାଟେ କିଣାବିକା କରିବା ପାଇଁ ।

 

ପୁଣି ଦେଖିଲି ଗୋଟାଏ ଚାଳି ଦୋକାନ

ଦୋକାନୀର ନାମ ଯେ ଅବଧାନ ।

ଦେଶୀ ସଢ଼ା ମାଲ ବିକଇ ସେହି

ପିଲାଏ କିଣନ୍ତି ପଇସା ଦେଇ ।” ଇତ୍ୟାଦି... ।

 

ଫକୀରମୋହନ ସେନାପତି ଅନେକ ଲାଳିକା ମଧ୍ୟ ଲେଖିଛନ୍ତି, ଯାହାକୁ ହାସ୍ୟରସ ଅବତାରଣା କ୍ଷେତ୍ରରେ ଅନ୍ୟଏକ ବିଶେଷ ଅବଦାନ ବୋଲି ସ୍ଵୀକାର କରିବାକୁ ପଡ଼େ । ଉଦାହରଣ ପାଇଁ ଆମେ ସେହି “ଛ ମାଣ ଆଠଗୁଣ୍ଠଂ” ଉପନ୍ୟାସକୁ ଅବଲୋକନ କରିପାରିବା । ଉପରୋକ୍ତ ଚମ୍ପାର ବର୍ଣ୍ଣନାଟି ମଧ୍ୟ ସଂସ୍କୃତରେ ଥିବା ସରସ୍ୱତୀଙ୍କ ବନ୍ଦନାର ଅନୁରୂପରେ ରଚିତ ଏକ ଲାଳିକା । ପୁନଶ୍ଚ ‘‘ଛ ମାଣ ଆଠଗୁଣ୍ଠ’’ର ସପ୍ତମ ପରିଚ୍ଛେଦରେ ବୁଢ଼ୀମଂଗଳାର ବର୍ଣ୍ଣନା କ୍ରମରେ ସଂସ୍କୃତରେ ଥିବା ଦେବୀ ସ୍ତୁତି ଶ୍ଳୋକାନୁରୂପ ଯେଉଁ ଲାଳିକାଟି ସ୍ଥାନିତ ହୋଇଛି ତାହା ଏହିପରି :

 

“ଯା ଦେବୀ ବୃକ୍ଷମୂଳେଷୁ ଶିଳା ରୂପେଣ ସଂସ୍ଥିତା

ନମତସ୍ୟୈ ନମତସ୍ୟୈ ନମତସ୍ୟୈ ନମୋ ନମଃ ।’’

 

ସେହିପରି କବି ଗଂଗାଧର ମେହେର (୧୮୬୨-୧୯୨୪) ମଧ୍ୟ ତାଙ୍କର “ତାକୁ ମଧ୍ୟ ବୋଲିଥାନ୍ତି ଧର୍ମାବତାର’’ କବିତା ପ୍ରଭୃତିରେ ତତ୍କାଳୀନ ସମାଜର ପ୍ରକୃତ ସ୍ଵରୂପକୁ ବ୍ୟଙ୍ଗାତ୍ମକ ରୀତିରେ ଉନ୍ମୋଚିତ କରିଦେଇଛନ୍ତି । କବି ରାଧାନାଥ ମଧ୍ୟ ହାସ୍ୟ-ବ୍ୟଙ୍ଗର ଅବତାରଣାକୁ ସାହିତ୍ୟରୁ ବାଦ ଦେଇନାହାନ୍ତି । ଅତ୍ୟନ୍ତ ସତର୍କତାର ସହିତ ସେ ତାଙ୍କର ଅନେକ କାବ୍ୟରେ, ବିଶେଷ କରି ତାଙ୍କର ‘ମହାଯାତ୍ରା’ ଓ ‘ଦରବାର’ କାବ୍ୟରେ ହାସ୍ୟ-ବ୍ୟଙ୍ଗର ଧାରାକୁ ଅତୁଟ ରଖିଛନ୍ତି ।

 

ଏହିପରି ଭାବରେ ଦେଖିବାକୁ ଗଲେ ଓଡ଼ିଆ ଗଳ୍ପ, ଉପନ୍ୟାସ ଓ କବିତାଦିରେ ସେତେବେଳେ ନିର୍ମଳ ହାସ୍ୟରସ ଓ ବ୍ୟଙ୍ଗ ଅତ୍ୟନ୍ତ ସଯତ୍ନ ସହିତ ବିଦଗ୍‌ଧ ଓ ସାହିତ୍ୟ ମଧ୍ୟରେ ରୂପ ଗ୍ରହଣ କରିଥିଲା । ମାତ୍ର ବିଶୁଦ୍ଧ ହାସ୍ୟ କି ବ୍ୟଙ୍ଗକୁ କେବଳ ଆଧାର କରି ସାହିତ୍ୟ ସଂରଚନା ପାଇଁ ଯେପରି ସମୟ ଅପେକ୍ଷା କରିଥିଲା ଆମର ଚିର ନମସ୍ୟ ସ୍ରଷ୍ଟା ଗୋବିନ୍ଦ ତ୍ରିପାଠୀ, କୃଷ୍ଣ ପ୍ରସାଦ ବସୁ ବା ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୨-୧୯୪୫) ପ୍ରମୁଖ ଲେଖକଙ୍କର ସାହିତ୍ୟ କ୍ଷେତ୍ରରେ ଆତ୍ମପ୍ରକାଶକୁ । ସେମାନଙ୍କର ରାଶି ରାଶି ଅନନ୍ୟ କୃତି ମଧ୍ୟରୁ ଗୋବିନ୍ଦ ତ୍ରିପାଠୀଙ୍କ “ବଟୁଆ’’, କୃଷ୍ଣ ପ୍ରସାଦ ବସୁଙ୍କ ‘‘ଆଖଡ଼ା ଘରେ ବୈଠକ’’ ବା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର “ବାଇ ମହାନ୍ତିଙ୍କ ପାଞ୍ଜି’’, ‘‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା” କି “ନନାଙ୍କ ବସ୍ତାନି’’ ଅତ୍ୟନ୍ତ ଉଲ୍ଲେଖନୀୟ କୃତିବିଶେଷ । ଅନ୍ୟପକ୍ଷରେ ଦେଖିବାକୁ ଗଲେ ଓଡ଼ିଆ ନାଟକରେ ମଧ୍ୟ ହାସ୍ୟରସର ଏକ ସ୍ଵତନ୍ତ୍ର ସ୍ଥାନ ରହିଛି । ତେବେ ଗଣକବି ବୈଷ୍ଣବ ପାଣି (୧୮୮୨-୧୯୫୬)ଙ୍କ ଗୀତିନାଟ୍ୟରେ ସମକାଳୀନ ସମାଜର ରୀତି- ନୀତି ବର୍ଣ୍ଣନାଦିରେ ଯେପରି ହାସ୍ୟ-ବ୍ୟଙ୍ଗଧାରାର ମନ୍ଦାକିନୀ ପ୍ରବାହିତ ହୋଇଛି, ତାହାକୁ କେବେ ଅସ୍ଵୀକାର କରିହେବ ନାହିଁ ।

 

ଓଡ଼ିଆ ସାହିତ୍ୟରେ ହାସ୍ୟରସର ଧାରାକୁ ବଳବତ୍ତର କରିବା ଦିଗରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅବଦାନକୁ ସ୍ଵୀକାର କରିବାକୁ ପଡ଼ିଥାଏ । ସେ ନିଜେ ଯେପରି ସାହିତ୍ୟ ମାଧ୍ୟମରେ ହାସ୍ୟରସର ଅବତାରଣା କରୁ ଥଲେ, ଠିକ୍‌ ସେହିପରି ଭାବରେ ହାସ୍ୟରସର ବିକାଶ ପାଇଁ ୧୯୩୬ ମସିହାରେ “ଡଗର” ନାମକ ଏକ ପତ୍ରିକାକୁ ମଧ୍ୟ ପ୍ରକାଶ କରୁଥିଲେ । ଏହି ଡଗର ପତ୍ରିକାଟି ପ୍ରକାଶନ ହେବା ଦ୍ଵାରା କହିବାକୁ ଗଲେ ଓଡ଼ିଆ ସାହିତ୍ୟରେ ଅନେକ ନୂତନ ଲେଖକ ହାସ୍ୟରସ ବା ବ୍ୟଙ୍ଗ ସୃଷ୍ଟି କ୍ଷେତ୍ରରେ ନିଜର ମନୋନିବେଶକୁ ଜାରି ରଖିଲେ । ଫଳରେ ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଆ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗର ଧାରା କ୍ରମଶଃ ବଳିଷ୍ଠ ହୋଇଉଠିଲା । ଏହି ଧାରରେ ମଧ୍ୟ ଯୋଗ ଦେଇଛନ୍ତି ଆମର ଅନ୍ୟତମ ସ୍ଵାଧୀନଚେତା କବି ଗୋଦାବରୀଶ ମହାପାତ୍ର-। ସେ ଯେପରି ବ୍ୟଙ୍ଗ ରଚନାରେ ସିଦ୍ଧହସ୍ତ, ଠିକ୍‌ ସେହିପରି ସେ ମଧ୍ୟ “ନିଆଁଖୁଣ୍ଟା’’ ନାମକ ଏକ ଶାଣିତ ବ୍ୟଙ୍ଗ ପତ୍ରିକା ପ୍ରକାଶ କରି ସମକାଳୀନ ସମାଜରେ ଦେଖାଯାଉଥିବା ସମସ୍ତ ପ୍ରକାର ଅବ୍ୟବସ୍ଥାକୁ ଯେପରି ରୂପ ପ୍ରଦାନ କରିଛନ୍ତି, ଠିକ୍‌ ସେହିପରି ମଧ୍ୟ ଓଡ଼ିଆ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗର ଧାରାକୁ ନିଆଁଖୁଣ୍ଟା ମାଧ୍ୟମରେ ବଳବତ୍ତର କରାଇଛନ୍ତି । ଏହି “ନିଆଁଖୁଣ୍ଟା’’, ପତ୍ରିକାଟି ୧୯୩୮ ମସିହାରେ ଆତ୍ମପ୍ରକାଶ କରିଥିଲା । ଡଗର ପତ୍ରିକାଟି କଟକରୁ ପ୍ରକାଶ ପାଉଥିବାବେଳେ, ନିଆଁଖୁଣ୍ଟାଟି ପ୍ରକାଶ ପାଉଥିଲା ବ୍ରହ୍ମପୁରରୁ । ମୋଟ ଉପରେ କହିବାକୁ ଗଲେ, “ଡଗର’’ ଓ “ନିଆଁଖୁଣ୍ଡା’’ ପତ୍ରିକାଦ୍ୱୟ ସେ କାଳରେ ଓଡ଼ିଆ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗର ଧାରାକୁ କେବଳ ସ୍ରୋତମୁଖୀ କରିଥିଲା ତାହା ନୁହେଁ, ଅନେକ ହାସ୍ୟ ଓ ବ୍ୟଙ୍ଗକାରଙ୍କୁ ମଧ୍ୟ ସୃଷ୍ଟି କରାଇ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସେମାନଙ୍କ ପାଇଁ ଗୋଟିଏ ବିଶେଷ ସ୍ଥାନ ପ୍ରଦାନ କରିଥଲା । କହିବାକୁ ଗଲେ ଏହି ପତ୍ରିକାଦ୍ଵୟ ଏହି ହାସ୍ୟ-ବ୍ୟଙ୍ଗର ଧାରା କ୍ଷେତ୍ରରେ ଏକ ନୂତନ ପରିବର୍ତ୍ତନର ସୂତ୍ରପାତ କରିଥିଲେ ।

 

ପରବର୍ତ୍ତୀ କାଳରେ ଏହି ଧାରାର ସୁଯୋଗ୍ୟ ଦାୟାଦ ଭାବରେ ଦେଖା ଦେଇଥିଲେ ଓଡ଼ିଆ ସାହିତ୍ୟର ମହାନ୍‌ ହାସ୍ୟସ୍ରଷ୍ଟା ଫତୁରାନନ୍ଦ (୧୯୧୫-୧୯୯୫) । ଫତୁରାନନ୍ଦଙ୍କ ମୂଳ ନାମ ଥିଲା ଶ୍ରୀ ରାମଚନ୍ଦ୍ର ମିଶ୍ର । ସେ ଡଗର ସଂସ୍ପର୍ଶରେ ଆସନ୍ତି ୧୯୩୭ ମସିହାବେଳକୁ । ଏହି ପତ୍ରିକାରେ ସେ ପ୍ରଥମେ ଲେଖନୀ ଚାଳନା କରନ୍ତି ଓ ୧୯୪୯ ମସିହାବେଳକୁ ସେ ଏହି ପତ୍ରିକାର ପ୍ରକାଶନ କ୍ଷେତ୍ରରେ ସକ୍ରିୟ ଅଂଶ ଗ୍ରହଣ କରନ୍ତି । ସୁଆଲୋଚକ ଡକ୍ଟର ବିଜୟାନନ୍ଦ ସିଂହ କୁହନ୍ତି, ‘‘ହାସ୍ୟ ଓ ବ୍ୟଙ୍ଗକୁ ନିଜ କୃତିର ଏକମାତ୍ର ମାଧ୍ୟମ ବୋଲି ଗ୍ରହଣ କରି ଓଡ଼ିଆ କଥା ସାହିତ୍ୟକୁ ସମୃଦ୍ଧ କରିବାରେ ଫତୁରାନନ୍ଦଙ୍କ ଉଦ୍ୟମ ଅବିସ୍ମରଣୀୟ ।’’ ସେ ପୁଣି ମଧ୍ୟ କହିଛନ୍ତି, ‘‘ନିଜେ ଅନ୍ତରରେ କାନ୍ଦି ଜଗତକୁ ହସାଇବା ପାଇଁ ଓ ନିଜେ ସନ୍ତୁଳିତ ହୋଇ ବ୍ୟଙ୍ଗ ମାଧ୍ୟମରେ ସମାଜ ସଂସ୍କାର କରିବା ପାଇଁ ସତେ ଯେପରି ତାଙ୍କର ଆବିର୍ଭାବ (ଫତୁରାନନ୍ଦଙ୍କ ସୃଷ୍ଟିରେ ହାସ୍ୟ / ଡକ୍ଟର ବିଜୟାନନ୍ଦ ସିଂହ/ ପୃଷ୍ଠା, ୨୫-୩୦) । ହାସ୍ୟ-ବ୍ୟଙ୍ଗର ସ୍ରଷ୍ଟା ଫତୁରାନନ୍ଦ ତାଙ୍କ ଜୀବନରେ ଅନେକ ହାସ୍ୟ / ବ୍ୟଙ୍ଗ ସାହିତ୍ୟ ରଚନା କରିଛନ୍ତି । ‘ହେରେସା’, ‘ଗମାତ୍‌’, ‘ସାହିତ୍ୟ ବେଉଷଣ’ ଓ ‘ଭୋଟ ପ୍ରଭୃତି ଗଳ୍ପ ତାଙ୍କ ସୃଷ୍ଟି ମଧ୍ୟରେ ଅନନ୍ୟ କୃତି । ବିଶେଷ କରି ତାଙ୍କର ଉପନ୍ୟାସ ନାକଟା ଚିତ୍ରକର ହାସ୍ୟ- ବ୍ୟଙ୍ଗ କ୍ଷେତ୍ରରେ ଏଇ ଅଦ୍ଭୁତପୂର୍ବ ସୃଷ୍ଟି । ଏହି ଉପନ୍ୟାସ ସଂପର୍କରେ ସୁଆଲୋଚକ ଡକ୍ଟର ବିଜୟାନନ୍ଦ ସିଂହ କୁହନ୍ତି, ‘‘ନାକ୍‌ଟା ଚିତ୍ରକର ଉପନ୍ୟାସର ଅନ୍ତଃସ୍ଥଳରେ କରୁଣ ରସର ଅଖଣ୍ଡ ସ୍ରୋତ ପ୍ରବାହିତ ହୋଇଥିଲେ ମଧ୍ୟ ଉପରିଭାଗରେ ହାସ୍ୟର କଲ୍ଲୋଳ ସୃଷ୍ଟି ହୋଇଛି । ଫତୁରାନନ୍ଦଙ୍କ ବ୍ୟକ୍ତିତ୍ଵ ହାସ୍ୟମୁଖର । ଏକ ବ୍ୟାପକ ଦୃଷ୍ଟିଭଂଗୀ ନେଇ ସେ ହାସ୍ୟ ଓ ବ୍ୟଙ୍ଗ ସୃଷ୍ଟି କରିଛନ୍ତି । ଏଥିରେ ହାସ୍ୟ ଓ ବ୍ୟଙ୍ଗର ଯେଉଁ ଅପୂର୍ବ ସମନ୍ନୟ ହୋଇଛି, ସେ ଦୃଷ୍ଟିକୋଣରୁ ବିଚାର କଲେ ଫତୁରା ନନ୍ଦଙ୍କ ସୃଷ୍ଟି ସଂପଦ ମଧ୍ୟରେ ଏହା ଏକ ବ୍ୟତିକ୍ରମ ।’ (ଫତୁରାନନ୍ଦଙ୍କ ନାକ୍‌ଟା ଚିତ୍ରକର- ଏକ ଦୃଷ୍ଟିପାତ / ସଂପର୍କ ଓ ସମୀକ୍ଷା / ପୃଷ୍ଠା- ୯୨) । ତାଙ୍କ ନେତୃତ୍ୱରେ ଡଗର ଓ ଡଗର ମାଧ୍ୟମରେ ହାସ୍ୟ-ବ୍ୟଙ୍ଗର ପରିବେଷଣ ଏକ ନୂତନ ବିଭାରେ ବିଭାଷିତ ହୋଇଉଠେ । ପରବର୍ତ୍ତୀ କାଳରେ ପ୍ରକାଶିତ ଦେବ ମହାପାତ୍ରଙ୍କ ‘କୁଙ୍କୁମ’, ଶ୍ୟାମ ସୁନ୍ଦର ମିଶ୍ର ଓ ମୁରାରୀମୋହନ ଜେନାଙ୍କ ମିଳିତ ସଂପାଦନାରେ ପ୍ରକାଶିତ ‘ତେନ୍ତୁଳି ଛାଟ’ ପ୍ରଭୃତି ପତ୍ରିକା ଓଡ଼ିଆ ସାହିତ୍ୟର ଏହି ଦିଗଟିକୁ ଆହୁରି ଚିତ୍ତାକର୍ଷକ ଓ ସମୃଦ୍ଧ କରିବାରେ ସାହାଯ୍ୟ କରିଛନ୍ତି । ମୋଟ ଉପରେ ଦେଖିବାକୁ ଗଲେ ସ୍ଵାଧୀନତାର ପ୍ରାପ୍ତି ପର୍ଯ୍ୟନ୍ତ ଏହିସବୁ ପତ୍ରିକାମାନ ଓ ଉପରୋକ୍ତ ଲେଖକଗଣ ଓଡ଼ିଆ ସାହିତ୍ୟରେ ହାସ୍ୟ-ବ୍ୟଙ୍ଗ ସୃଷ୍ଟି କରି ଯେପରି ଭାବରେ ରସାଣିତ କରିଥିଲେ, ତତୋଧିକ ପରିମାଣର ସମାଜର ପ୍ରତିଟି ଅବ୍ୟବସ୍ଥା, ଅବିଚାରାଦିର ଛଳନାର ମୁଖାକୁ ଖୋଲି ଦେଇ ଅତ୍ୟନ୍ତ ନିର୍ଭିକତାର ପ୍ରମାଣ ମଧ୍ୟ ଦେଇଥିଲା ।

 

(୨) ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗ

ଭାରତ ତାର ଐତିହାସିକ ସ୍ଵାଧୀନତାକୁ ଲାଭ କରେ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ । ଏହି ସ୍ଵାଧୀନତା କିନ୍ତୁ ତା’ର ଇପ୍‌ସିତ ସ୍ଵାଧୀନତା ନଥିଲା । ଜାତିର ପିତା ମହାତ୍ମାଗାନ୍ଧୀ ଯେଉଁ ଅଖଣ୍ଡ ଭାରତର ସ୍ଵପ୍ନ ଦେଖୁଥିଲେ, ତାହା ସେଦିନର ସ୍ଵାଧୀନତା ଦିବସରେ ଖଣ୍ଡ ବିଖଣ୍ଡିତ ହୋଇଉଠିଥିଲା । ସ୍ଵାଧୀନତାର ପ୍ରଥମ ପାହାଚରୁହିଁ ମଣିଷ ଏକପ୍ରକାର ଅଭାବନୀୟ ପ୍ରତାରଣାକୁ ଅନୁଭବ କରିବାକୁ ଲାଗିଲା । ତଥାପି ସାଧାରଣ ମଣିଷଟିଏ ସେହି ଐତିହାସିକ ସ୍ଵାଧୀନତା ମଧ୍ୟରେ ନିଜର ସବୁ ଦୁଃଖକୁ ଭୁଲିଯିବାକୁ ଚେଷ୍ଟା କରୁଥିଲା । ଯେମିତି କରୁଥଲା ଅପର୍ତ୍ତି ‘ସୁଅ ମୁହଁରେ ପତର’ ଗଳ୍ପରେ । କିନ୍ତୁ ଅପର୍ତ୍ତିର ସ୍ଵପ୍ନ କ’ଣ ସାର୍ଥକ ହୁଏ ? ସେ ସ୍ଵାଧୀନତାପରେ ଜାଣିପାରେ ଯେ, ଏହି ଯେଉଁ ସ୍ୱାଧୀନତା ତାକୁ ମିଳିଛି ତାହା କେବଳ ଏକ ମିଥ୍ୟା ପ୍ରତାରଣା ମାତ୍ର । ତେଣୁ ତା’ ଆଖି ଆଗରେ ଜାତୀୟ ପତାକାର ରଂଗ ଫିକା ହୋଇଉଠିବା ସ୍ଵାଭାବିକ୍‌ (ସୁଅ ମୁହଁରେ ପତର / ପ୍ରାଣବଂଧୁ କର ) । କହିବାକୁ ଗଲେ ସେଦିନ ସ୍ଵାଧୀନତାର ଅପବ୍ୟବହାର ହିଁ ଅପର୍ତ୍ତି ପରି ବହୁ ଜନସାଧାରଣଙ୍କୁ ଏକ ପ୍ରହେଳିକାମୟ ଚୌଛକିରେ ଛିଡ଼ା କରାଇଦେଲା । ମଣିଷଠାରେ ହିଁ ପ୍ରମାଣିତ ହେଇଗଲା ଯେ ତାହାଠାରୁ ଆଉ ଆଶ୍ଚର୍ଯ୍ୟଜନକ ବୋଲି କିଛି ବିଶ୍ଵରେ ନାହିଁ । None is more wonderful than man । ତେଣୁ କବି ସାହିତ୍ୟିକ ଏହିଭଳି ସ୍ଥିତିରେ ନିଜ ସୃଷ୍ଟି ମଧ୍ୟରେ ବ୍ୟଙ୍ଗ ସୃଷ୍ଟି ନକରି ଆଉ କ’ଣ ବା କରିପାରିଥାଆନ୍ତେ ? ତେବେ ପ୍ରଗତିବାଦୀ କବି ସାହିତ୍ୟିକଙ୍କ ବ୍ୟଙ୍ଗ ଓ ଆଧୁନିକ କବିର ବ୍ୟଙ୍ଗ ମଧ୍ୟରେ ଏକ ପ୍ରଭେଦ ଅଛି ନିଶ୍ଚୟ । ସମାଲୋଚକ ପ୍ରଫେସର ଡକ୍ଟର ଦାଶରଥି ଦାସ କୁହନ୍ତି, ‘‘ପ୍ରଗତିବାଦୀ କବିତା ସାମାଜିକ ବିଷମତାକୁ ବ୍ୟଙ୍ଗ କରେ । ତାର ବ୍ୟଙ୍ଗ ସଂପୂର୍ଣ୍ଣ ସାମାଜିକ ସ୍ତରର; ଘୋର ବିଦ୍ଵେଷ ଓ ଆପୋଷହୀନ ଆକ୍ରୋଶପୂର୍ଣ୍ଣ । ଆଧୁନିକ କବିତାର ବ୍ୟଙ୍ଗ ଆଧ୍ୟାତ୍ମିକ ସ୍ତରର । ଆଧୁନିକ ବିଶେଷ ସମାଜ ମନସ୍କ ନୁହନ୍ତି ଆତ୍ମ ସଚେତନ । ସେଠାରେ ମଣିଷ ନିଜକୁ ବ୍ୟଙ୍ଗ କରେ, କେବଳ ପ୍ରଚଳିତ ବିଷମ ସାମାଜିକ ବ୍ୟବସ୍ଥାକୁ ନୁହେଁ । ଦୁହେଁ ଭାଗ୍ୟ ଓ ପୁରୋହିତକୁ ଅସ୍ଵୀକାର କରନ୍ତି । କିନ୍ତୁ ଭଗବାନଙ୍କ ପ୍ରଶ୍ନ ଉଠିଲେ ଦୁହିଁଙ୍କର ମତିଗତି ଭିନ୍ନ । ପ୍ରଗତିବାଦୀ କବିତା ଭଗବାନଙ୍କୁ ସଂପୂର୍ଣ୍ଣ ଅସ୍ଵୀକାର କରେ, ଅଯଥା ଭର୍ସନା କରେ ଓ ଧର୍ମକୁ ନିନ୍ଦା କରେ । ଆଧୁନିକ କବିତା ଭଗବତ ପ୍ରେମୀ, ଧର୍ମରେ ମଣିଷର ଆଧ୍ୟାତ୍ମିକ ଉତ୍ତରଣ ଲକ୍ଷ୍ୟ କରେ, ପାପଚେତନାରୁ ଈଶ୍ଵରଙ୍କ କରୁଣା ବିନା ମୁକ୍ତି ଦେଖେ ନାହିଁ ।” (ଆଧୁନିକ କାବ୍ୟ ଜିଜ୍ଞାସା : ଚିତ୍ରକଳ୍ପ/ ଦାଶରଥି ଦାସ / ପୃଷ୍ଠା-୪୦୫) । ଏହି ମର୍ମରେ ଆମେ ଆଧୁନିକ ଓଡ଼ିଆ କବିତାର ପିତୃପୁରୁଷ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଅନେକ କବିତାରେ ହାସ୍ୟ-ବ୍ୟଙ୍ଗର ଅବତାରଣାକୁ ଲକ୍ଷ୍ୟ କରିପାରୁ । ବିଶେଷକରି ତାଙ୍କର “ହସନ୍ତ୍‌’’ କବିତା ଗ୍ରନ୍ଥଟି ଏହି କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଉଦାହରଣ । କେବଳ କବିତା ନୁହେଁ ତାଙ୍କର ଅନେକ ଗଳ୍ପ ଓ ବିଶେଷ କରି ‘ଚିତ୍ରଗ୍ରୀବ’ ଉପନ୍ୟାସଟିରେ ହାସ୍ୟ-ବ୍ୟଙ୍ଗକୁ ସେ ଯେପରି ଉପସ୍ଥାପିତ କରିଛନ୍ତି ତାହା ଆଧୁନିକ ମଣିଷର ଦୟନୀୟ ଜୀବନକୁ ଅତ୍ୟନ୍ତ ମାର୍ମିକ ଭାବରେ ଉପସ୍ଥାପିତ କରିଥାଏ ମାତ୍ର । ସଚିଦାନନ୍ଦଙ୍କ ପଥକୁ ପ୍ରଶସ୍ତ କରି ଯେଉଁ କବିମାନେ ଆଧୁନିକ କବିତାର କର୍ଣ୍ଣଧାର ରୂପେ ପରବର୍ତ୍ତୀ କାଳରେ ପ୍ରତିଷ୍ଠା ଲାଭ କଲେ, ସେମାନଙ୍କ କବିତାରେ ମଧ୍ୟ ହାସ୍ୟ-ବ୍ୟଙ୍ଗର ଧାରା ବଳବତ୍ତର ରହିଲା । ଏହି ମର୍ମରେ ଆମେ ସୀତାକାନ୍ତଙ୍କଠାରୁ ଆରମ୍ଭ କରି ରମାକାନ୍ତ, ସୌଭାଗ୍ୟଙ୍କଠାରୁ ଆରମ୍ଭ କରି ସୌରୀନ୍ଦ୍ର ବା ପ୍ରତିଭାଙ୍କଠାରୁ ଆରମ୍ଭ କରି ବ୍ରହ୍ମୋତ୍ରୀଙ୍କ ପର୍ଯ୍ୟନ୍ତ ଏପରିକି ଯୁବ କବି ପ୍ରମୋଦ ସରଙ୍କଠାରୁ ଆରମ୍ଭ କରି କବି ମନୋଜ ମେହେରଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ କବିତାରେ ଏତାଦୃଶ ହାସ୍ୟ-ବ୍ୟଙ୍ଗକୁ ନିଶ୍ଚିତ ଭାବରେ ଲକ୍ଷ୍ୟ କରିପାରିବା । କେବଳ କବିତା କାହିଁକି, ଆଧୁନିକ ଗଳ୍ପ, ଉପନ୍ୟାସ ଓ ନାଟକ ଇତ୍ୟାଦିରେ ମଧ୍ୟ ଏହି ଶ୍ରେଣୀୟ ହାସ୍ୟ-ବ୍ୟଙ୍ଗର ଧାରା ପ୍ରତୁଳ । ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପଠାରୁ ଆରମ୍ଭ କରି ସତ୍ୟପ୍ରିୟ ମହାଳିକଙ୍କ ଗଳ୍ପ ବିଜୟ ମିଶ୍ରଙ୍କ ନାଟକଠାରୁ ଆରମ୍ଭ କରି ବିଜୟ ଶତପଥିଙ୍କ ନାଟକ ଓ ପ୍ରତିଭା ରାୟଙ୍କ ଉପନ୍ୟାସଠାରୁ ଆରମ୍ଭ କରି ଅକ୍ଷୟ ମହାନ୍ତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସାହିତ୍ୟକୃତିରେ ଏତାଦୃଶ ହାସ୍ୟ-ବ୍ୟଙ୍ଗର ଉପସ୍ଥାପନା ସର୍ବତ୍ର ଲକ୍ଷ୍ୟ କରାଯାଇପାରେ । ତେବେ ଏହି ସାହିତ୍ୟିକଗଣ କିନ୍ତୁ ନିରୋଳା ହାସ୍ୟ-ବ୍ୟଙ୍ଗର ସାଧକ ନୁହନ୍ତି । ନିଜ ସୃଷ୍ଟିକୁ ଆଗେଇ ନେଉନେଉ ସାମାଜିକ ଅସଂଗତିକୁ ବର୍ଣ୍ଣନା କରିବାବେଳେ ସେମାନେ ହାସ୍ୟ-ବ୍ୟଙ୍ଗର ସାହାଯ୍ୟ ମାତ୍ର ଗ୍ରହଣ କରିଛନ୍ତି । ତେବେ ସ୍ଵାଧୀନତା ପରବର୍ରୀ କାଳରେ ଯେଉଁ ପ୍ରଚଣ୍ଡ ପ୍ରତିଭାଧାରୀ ହାସ୍ୟ - ବ୍ୟଙ୍କକାରମାନେ ଓଡ଼ିଆ ସାହିତ୍ୟରେ ହାସ୍ୟ-ବ୍ୟଙ୍ଗର ଧାରାକୁ ଅକ୍ଷୁର୍ଣ୍ଣ ରଖିବା ସଂଗେସଂଗେ ତାର ଅସପତ୍ନ ପ୍ରତିଷ୍ଠାକୁ ସାବ୍ୟସ୍ତ କରାଇପାରିଛନ୍ତି ସେମାନଙ୍କ ମଧ୍ୟରେ ମାଧବ ଚନ୍ଦ୍ର ଶତପଥୀ, ଚୌଧୁରୀ ହେମକାନ୍ତ ମିଶ୍ର, ରାଧୁ ମିଶ୍ର, ଜ୍ଞାନ ହୋତା, ଶ୍ରୀଯୁକ୍ତ ସତ୍ୟାନାଶ, ଗନ୍ତାୟତ ଶିବ ପ୍ରସାଦ, ଚିତାକଟା, କୁଳାଙ୍ଗାର ଓ ନଖିଆ ତିହାଡ଼ି ପ୍ରମୁଖ ନିଶ୍ଚିତ ଭାବରେ ଅଗ୍ରଗଣ୍ୟ । ଅନ୍ୟପକ୍ଷରେ ଅତ୍ୟୁତାନନ୍ଦ କର, ମାଧବଚନ୍ଦ ସ୍ଵାଇଁ, ରାଧୁ ମିଶ୍ର ପ୍ରମୁଖ ସାହିତ୍ୟିକମାନେ ନିଜେ କେବଳ ହାସ୍ୟ-ବ୍ୟଙ୍ଗକୁ ସୃଷ୍ଟି କରନ୍ତି ନାହିଁ, ପ୍ରକାରାନ୍ତରେ ହାସ୍ୟ-ବ୍ୟଙ୍ଗଧର୍ମୀ ପତ୍ରିକାମାନ ସୃଷ୍ଟିକରି ହାସ୍ୟବ୍ୟଙ୍ଗର ନିର୍ମଳ ଧାରାକୁ ବହୁମୁଖୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଅଚ୍ୟୁତାନନ୍ଦ କରଙ୍କ ‘ଦୁର୍ମୁଖ’, ମାଧବ ଚନ୍ଦ୍ର ସ୍ୱାଇଁଙ୍କ ‘ଗୋଳମାଳ’, ଶ୍ରୀଯୁକ୍ତ ସତ୍ୟାନାଶଙ୍କ ‘ବ୍ୟଙ୍ଗବାଣୀ’ ଓ ‘ରାଧୁ ମିଶ୍ରଙ୍କ ହରିବୋଲ’ ପ୍ରଭୃତି ଏହି ଶ୍ରେଣୀୟ ଏକ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ସଂପ୍ରତି ହାସ୍ୟସ୍ରଷ୍ଟା କୁଳାଙ୍ଗାର ମଧ୍ୟ ହାସ୍ୟ-ବ୍ୟଙ୍ଗ ସାହିତ୍ୟ ସୃଷ୍ଟି କରିବା ଛଡ଼ା ଏକଦା ଗୋଦାବରୀଶ ମହାପାତ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ଓ ପ୍ରକାଶିତ ନିଆଁଖୁଣ୍ଟାକୁ ପୁନଃ ପ୍ରତିଷ୍ଠା କରି ଭୁବନେଶ୍ୱରରୁ ପ୍ରକାଶ କରୁଛନ୍ତି ଓ ବର୍ତ୍ତମାନର ଇଣ୍ଟରନେଟ୍‌ ଯୁଗରେ ସେ ହାସ୍ୟ କବି ସମ୍ମିଳନୀ” ନାମରେ ଏକ ଏବେ ପୋର୍ଟାଲ ମଧ୍ୟ ସୃଷ୍ଟି କରାଇଛନ୍ତି । ଏହା ଆମମାନଙ୍କ ପାଇଁ ଅତ୍ୟନ୍ତ ସୌଭାଗ୍ୟର କଥା ନିଶ୍ଚୟ । ତାଙ୍କ ସୃଷ୍ଟିଗୁଡ଼ିକ ମଧ୍ୟରେ ‘ସିଧାକଥା', ‘ବ୍ୟଙ୍କ ଭାଇରସ’, ‘ଗାଁ ଭୂତ’ ଓ ‘ତା କଥା କହନି’ ପ୍ରଭୃତି ଅତ୍ୟନ୍ତ ଉଚ୍ଚଶ୍ରେଣୀୟ । ଏହି ସ୍ରଷ୍ଟାମାନଙ୍କ ସୃଷ୍ଟିକୁ ନିରୀକ୍ଷଣ କଲେ ଜଣାଯାଏ ଯେ, ସମାଜର ପ୍ରତିଟି ଅସଂଗତି, ଅନ୍ୟାୟ, ଦୁର୍ନୀତି ଇତ୍ୟାଦିକୁ ଲକ୍ଷ୍ୟ କରି ସେମାନେ ପ୍ରଥମେ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି । ବଡ଼ପାଟିରେ ନ୍ୟାୟର ସିଂହାସନ ଉପରେ ବସି ଏମାନେ ସାମାଜିକ ଜୀବମାନଙ୍କୁ ଉପଦେଶାତ୍ମକ ରୀତିରେ ନ୍ୟାୟବାଣୀ ଶୁଣାତ୍ତି ନାହିଁ, ବରଂ ଖୁବ୍‌ ବେଶୀ ଆତ୍ମମନସ୍କ ହୋଇ ନିଜକୁ ପ୍ରଥମେ ବିଦୁପ କରନ୍ତି । ଆତ୍ମବ୍ୟଙ୍ଗରେ ଏମାନେ ଆତ୍ମହରା । କାରଣ ଏମାନେ ବୁଝନ୍ତି ଯେ ଆତ୍ମବ୍ୟଙ୍ଗ ମାଧ୍ୟମରେ ହିଁ ପ୍ରଥମେ ନିଜକୁ ଚିହ୍ନିଲେ ଅନ୍ୟଙ୍କୁ ଚିହ୍ନିହେବ ଓ ଅନ୍ୟମାନେ ତାକୁ ଚିହ୍ନିଲେ ତାଙ୍କଠାରେ ନିଜକୁ ଦେଖି ଆତ୍ମସଚେତନ ହେବେ ଓ ନିଜକୁ ମଧ୍ୟ ସୁଧାରିବେ । ଏହି ମର୍ମରେ ନିରଳସ ହାସ୍ୟ-ବ୍ୟଙ୍ଗକାରଙ୍କ କେତୋଟି ଉଲ୍ଲେଖନୀୟ ଦୃଷ୍ଟାନ୍ତକୁ ଉପସ୍ଥାପିତ ମାତ୍ର କରାଯାଇପାରେ । ଯେପରି :

 

“ଆମଘର’’

ଏଇଟି ଆମର ରୋଷେଇଘର

ଘର ଭିତରଟା ଟିକେ ଅନ୍ଧାର

ଏଇଠାରେ ରାଧୀ ପରିବା କାଟେ,

ବେସର ବାଟେ

ଡାଡିଙ୍କୁ ଦେଖିଲେ କୁରୁଳି ଉଠେ

ମମ୍ମି ଦେଖିଲେ ଦାନ୍ତ ରଗଡ଼େ

ଚପଲ କାଢେ

ଘଡ଼ଘଡ଼ି ପରି ବହୃତ ରଡ଼େ

ପିଟିପିଟି ମମ୍ମି ଘରକୁ ତଡ଼େ

ଡାଡିଙ୍କ ପାଇଁ

ରାଧୀ ରହିଥାଏ ଗୋଇଠା ଖାଇ ।

×       ×       ×       ×

ଏଇଟା ଆମର ଏନେସି ନାଳ

ଡ୍ରେ’ନରେ ପଡ଼େ ପତର ଡାଳ

ଘର ଅଳିଆ

ଏଇଠାରେ ଆଣି ପକାନ୍ତି ମାଆ

ଆମେବି କାଗଜ ଚିରି ପକାଉ

ଟିଫିନ ଖାଉ, ଠୁଙ୍ଗା ପକାଉ

ସୁବିଧା ଦେଖିଲେ ଲାଟିନ ଯାଉ

ହେଲେ ବରଷା

ଏଇଠାରେ ଚାଷ ହୁଅନ୍ତି ମଶା

ଡ୍ରେଏନ ଭିତରେ ପାହାଡ଼ ଥାଏ

ପାଣି ନଯାଏ

ଆହା କି ସୁନ୍ଦର ବାସେନା ହୁଏ ।”

(ଆମଘର / ଶ୍ରୀ ସତ୍ୟାନାଶ / ପୃଷ୍ଠା -୪୬-୪୭)

 

ଏହା କ’ଣ କେବଳ କବିଙ୍କ କଥା ? ଆମମାନଙ୍କ କଥା ନୁହେଁ କି ? ଆମ ସମାଜର କଥା ନୁହେଁକି ? କବି ଯେ ସବୁବେଳେ ଆତ୍ମବ୍ୟଙ୍ଗ କରନ୍ତି ତାହା ନୁହେଁ । ସିଧା ସଳଖ ଭାବରେ ଆମ ସମାଜର ନିଚ୍ଛକ ଛବିକୁ ମଧ୍ୟ କବି ଆଙ୍କନ୍ତି ତାଙ୍କ କବିତାରେ । ଏକ ନମୁନା ଦେଖନ୍ତୁ । ପ୍ରାଥମିକ ଶିକ୍ଷା ସ୍ତରୀୟ ଛବି ବହିର ଗୀତ ପରି କବିଙ୍କ ଛବି ବହି ଗୀତର ଲାଳିକା :

 

‘‘ବାଃ ବାଃ... କେମିତି ମଜା;

ଅଫିସର ନାଚେ ବଜାଇ ବାଜା

ସାମ୍ବାଦିକ ଗୋଟେ ଆସିଲା ପଶି

ଖୁସିରେ ପାଉଣା ପଡ଼ିଲା ଖସି ।

×       ×       ×

ରାଜନୀତିଆ ଧୀର ପବନ

ଛାଡ଼ି ଯିବାକୁ ନହୁଏ ମନ ।

×       ×       ×

ଭୋବନିଶରରେ ଦିନରାତି;

ଗଢ଼ାହୁଏ ଗୁଣ୍ଡା କେତେ ଜାତି ।

ଏଡ଼ସ୍‌ ରୋଗର ମଜା;

ଶହେ କୋଶରୁ ଆଈ ପାଇଁକି

ଆଣି ଦେଇଛି ଅଜା ।

×       ×       ×

ଜନନୀ ଜନମ ମାଟି ମଫସଲ ଗାଆଁ

ଧରୁନାହିଁ ନ ଧରିବି କେବେ ତା’ର ନାଆଁ ।’’

(ଛବି ବହି ଗୀତ ଶ୍ରୀଯୁକ୍ତ ସତ୍ୟାନାଶ/ ପୃ. ୪-୫)

 

ଆଉ ଗୋଟିଏ ଉଦାହରଣ ଦେଖନ୍ତୁ । ଓଡ଼ିଆ ହାସ୍ୟ ବ୍ୟଙ୍ଗ ସାହିତ୍ୟର ଅନ୍ୟତମ ସ୍ରଷ୍ଟା ଶ୍ରୀ ଜ୍ଞାନ ହୋତା ତାଙ୍କର ଗୋଟିଏ କବିତାରେ ଆଜିକାଲି ସବୁକିଛି କିପରି ଚାପରେ ହେଉଛି, ସେ କଥାକୁ ଅତ୍ୟନ୍ତ ମାର୍ମିକ ଭାବରେ ଉପସ୍ଥାପନ କରି କହୁଛନ୍ତି :

 

“ଜିଇଁବାର ଅଛି ତ

ବେପରୁଆ ଜୀବନ ଜିଇଁ

ମୋ’ ବାପରେ ।

ଆଜିକାଲି

ମଣିଷଠୁଁ ଇନ୍ଦ୍ରଯାଏଁ

ସମସ୍ତେ ଚାପରେ ।

ଜୀବନ ଆଉ ଜୀଇଁ ହେଉନି

ଭାଗମାପରେ; / ମୌସୁମୀରେ ବି ବର୍ଷା ହେଉନି

ବର୍ଷା ହେଉଚି ତ

କେବଳ ଲଘୁଚାପରେ ।’’

(ଲେଖାଚାପରେ / ଜ୍ଞାନ ହୋତାଙ୍କ କଥା ଚାଳିଶା)

 

ସେହିଭଳି ମାଧବଚନ୍ଦ୍ର ଶତପଥି ମଧ୍ୟ ତାଙ୍କର ‘ମଡ଼ର୍ଣ୍ଣ ବେତାଳ ପଞ୍ଚବିଂଶତି’ ଗଳ ସଂକଳନରେ ସାଂପ୍ରତିକ ସମାଜର ବିଭତ୍ସ ଚେତନାକୁ ଅତ୍ୟନ୍ତ ମାର୍ମିକ ଭାବରେ ଉପସ୍ଥାପିତ କରିଛନ୍ତି । ସତେ ଯେପରି ଏହି ପୁସ୍ତକଟି ତଥାକଥିତ ସାମାଜିକ, ରାଜନୈତିକ ଓ ପାରିବାରିକ ଜୀବନର ଅବକ୍ଷୟକୁ ସିଧାସଳଖ ଭାବରେ ଆକ୍ଷେପ କରିଛି । ଏହି ପୁସ୍ତକରେ ଥିବା ଅନନ୍ୟ ଗଳ୍ପଗୁଡ଼ିକ ମଧ୍ୟରୁ ବିଶେଷ କରି ‘ସାହିତ୍ୟିକ ମଣ୍ଡୀ’, ‘ଇଏ କୋଉ ଜାତି ?’, ‘ଯମପୁରେ କାଜିଙ୍କ ବିଚାର’, ‘ସ୍ୱର୍ଣ୍ଣ ମୁକୁଟ ଓ ମର୍କଟ କଥା’, ‘ଲାବଣ୍ୟବତୀଙ୍କ ସ୍ଵାମୀ କିଏ ?’ ‘ଅପହର୍ତ୍ତା କିଏ’ ଓ ‘ଆକ୍ରମଣକାରୀ କିଏ ?’ ପ୍ରଭୃତି ଗଳ୍ପମାନ ତଥ୍ୟଭିତ୍ତିକ ଭାବରେ ଉପସ୍ଥାପନ କରାଯାଇଛି ।

ସାହିତ୍ୟରେ ହାସ୍ୟ-ବ୍ୟଙ୍ଗର ପର୍ଯ୍ୟାୟ ଏକ ସ୍ଵତନ୍ତ୍ର ଶ୍ରେଣୀର ନିଶ୍ଚୟ । କିନ୍ତୁ ସଚରାଚରରେ ଜଣାଯାଏ ଯେ ହାସ୍ୟ-ବ୍ୟଙ୍ଗକୁ ସମସ୍ତେ ପ୍ରାଣଭରି ଉପଲବ୍ଧି କରୁଥିଲେ ମଧ୍ୟ ସେହି ସାହିତ୍ୟକୁ ବା ସାହିତ୍ୟିକଙ୍କୁ ସର୍ବ ସମ୍ମୁଖରେ ସମ୍ମାନ ପ୍ରଦାନ କରିବାକୁ କାହାର ଯେପରି ଶ୍ରଦ୍ଧା କି ଆନ୍ତରିକତା ନଥାଏ । ଏ କଥାକୁ ହାସ୍ୟକାର କି ବ୍ୟଙ୍ଗକାରମାନେ ଯେ ନ ବୁଝନ୍ତି, ତାହା ନୁହେଁ ବୁଝନ୍ତି । ଏବଂ ଝୁଲନ୍ତି ବୋଲି ତ ଅତ୍ୟନ୍ତ ସଚେତନ ଭାବରେ ଅତ୍ୟନ୍ତ ଅପ୍ରିୟ ସତକଥାଟିକୁ ପ୍ରକାଶ କରି ଚୌଧୁରୀ ହେମକାନ୍ତ ମିଶ୍ର କୁହନ୍ତି, ‘‘ଯେଉଁମାନେ ହାସ୍ୟକୁ ମର୍ଯ୍ୟାଦା ଦେବାକୁ ନାମଙ୍ଗ ହେଉଛନ୍ତି, ବୋଧହୁଏ ସେମାନେ ଧରି ନେଇଥାନ୍ତି ଯେ, ହାସ୍ୟ ନଥିଲେ କାହାରି କିଛି କ୍ଷତି ହେବ ନାହିଁ । ବୋଧହୁଏ ସେହି ହେତୁରୁ ଆମର ପାଠ୍ୟକ୍ରମ ମଧ୍ୟରେ, ପାଠ୍ୟପୁସ୍ତକ ମଧ୍ୟରେ, ପୁରସ୍କୃତ ବ୍ୟକ୍ତିଙ୍କ ତାଲିକା ମଧ୍ୟରେ ହାସ୍ୟ ଓ ହାସ୍ୟସ୍ରଷ୍ଟାର ଏତେ ଅନୁପସ୍ଥିତି ଦେଖାଯାଉଛି ।” (ହାସ୍ୟବତରଣିକା / ହାସ୍ୟ ବ୍ୟଙ୍ଗ ପସର।/ ପୃଷ୍ଠା- ୩) । ହେମକାନ୍ତଙ୍କ ଏତାଦୃଶ ମନ୍ତବ୍ୟ ଅବଶ୍ୟ ପରବର୍ତ୍ତୀ କାଳରେ ଉଜାଙ୍ଗ ସାହିତ୍ୟସ୍ରଷ୍ଟାଙ୍କ ମରମକୁ ଭେଦ କରିଛି । ସେହି ହେତୁରୁ ସେ ବୋଧହୁଏ ତାଙ୍କର ‘ନିଶିଦ୍ଧ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ଓ ପରବର୍ତ୍ତୀ କାଳରେ ମଧ୍ୟ ତାଙ୍କର ସ୍ଵପ୍ନ ସାକାର ହୋଇଛି ଯେତେବେଳେ ହାସ୍ୟ-ବ୍ୟଙ୍ଗ ଧର୍ମୀ ସାହିତ୍ୟକୁ ପାଠ୍ୟକ୍ରମରେ ସ୍ଥାନ ପ୍ରଦାନ କରାଯାଇଛି । ଦୃଷ୍ଟାନ୍ତ ଭାବରେ ଆମେ ବର୍ତ୍ତମାନ ଚଳିତ ଶିକ୍ଷାବର୍ଷ ୨୦୧୦-୧୨ ପାଠ୍ୟକ୍ରମ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଫତୁରା ନନ୍ଦଙ୍କ ‘ନାକ୍‌ଟା ଚିତ୍ରକର’କୁ ଯୁକ୍ତ ଦୁଇ ବିଜ୍ଞାନ ସ୍ତରୀୟ ପାଠ୍ୟପୁସ୍ତକ ଭାବରେ ନିର୍ଧାରଣ ହୋଇଥିବାର ଦେଖିବାକୁ ପାଉଛୁ ।

 

ଏହିପରି ଭାବରେ ଦେଖିବାକୁ ଗଲେ ସ୍ଵାଧୀନତାର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ପର୍ଯ୍ୟାୟର ଓଡ଼ିଆ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗର ଧାରା ନିରବଚ୍ଛିନ୍ନ ଭାବରେ ଗତି କରି ତା’ର ପଥକୁ କ୍ରମଶଃ ସମୃଦ୍ଧ କରିତୋଳୁଛି । ଯଦିଓ ସାହିତ୍ୟର ଏହି ବିଭାଗଟି ପରିମାଣ ଦୃଷ୍ଟିକୋଣରୁ ବିଶେଷ ଶକ୍ତିଶାଳୀ ନୁହେଁ, ତଥାପି ଗୁଣାତ୍ମକ ଦୃଷ୍ଟିକୋଣରୁ ତା’ର ସ୍ଥାନ ଅତ୍ୟନ୍ତ ଉତ୍ସାହଜନକ ଓ ପ୍ରତିଶ୍ରୁତି ସଂପନ୍ନ । ବିଶେଷକରି ସାଂପ୍ରତିକ ସାହିତ୍ୟର ବିଭିନ୍ନ ବିଭାଗରେ ବୌଦ୍ଧିକତା ତା’ର ପ୍ରଭାବ ବିସ୍ତାର କରୁଥିବାରୁ ଜନସାଧାରଣଙ୍କଠୁ ଆଜି ସାହିତ୍ୟ ଦୂରେଇ ଯାଉଛି ବୋଲି ସଚରାଚରରେ ଯାହା ପ୍ରତୀୟମାନ ହେଉଛି, ଅନ୍ତତଃ ସାହିତ୍ୟର ଏହି ହାସ୍ୟ ବ୍ୟଙ୍ଗ ବିଭାଗଟିକୁ ନିରୀକ୍ଷଣ କଲେ ସେହି ଭାବନା ଅସତ୍ୟ ବୋଲି ମନେହେବ ଓ ସାହିତ୍ୟ ସଂପର୍କରେ ଏକ ଦୃଢ଼ ବିଶ୍ଵାସବୋଧ ଜାତ ହେବ-

 

 

ଅଧ୍ୟାପକ

ଓଡ଼ିଆ ବିଭାଗ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ରଘୁନାଥଜୀଉ ମହାବିଦ୍ୟାଳୟ, କଟକ

 

***

 

Unknown

ସାଂପ୍ରତିକ ଓଡ଼ିଆ ଶିଶୁ କବିତାର ଗତି ଓ ପ୍ରକୃତି

ଡକ୍ଟର ସୁନାମଣି ରାଉତ

 

ସାହିତ୍ୟର ଆଦ୍ୟ ଓଁକାର ଧ୍ଵନି ହେଉଛି କବିତା । କବିତା ହେଉଛି ସ୍ଵତଃସ୍ଫୁର୍ତ୍ତ ଭାବାବେଗର ପରିପ୍ରକାଶ । ସେଥିପାଇଁ ପ୍ରଖ୍ୟାତ ଇଂରାଜୀ କବି Wordsworth କହିଥିଲେ- ‘‘Poetry is the spontanious overflow of powerful feelings recollected in tranquillity. ଏହି ପରିପ୍ରେକ୍ଷୀରେ ଓଡ଼ିଆ ଶିଶୁ କବିତାର ମୂଳଦୁଆ ଖୁବ୍‌ ଶକ୍ତ ଓ ସୁଦୃଢ଼ । ଲୋକ ସାହିତ୍ୟର ଲୋକଗୀତିକା ହେଉଛି ଏହାର ଉତ୍ସ । ଅଝଟ ଶିଶୁକୁ ଖୁଆଇଦେବା ପାଇଁ ଅଥବା ଶୋଇଦେବାପାଇଁ ଓଡ଼ିଆ ଘରର ମା’ ଅଥବା ବୁଢ଼ୀମା’ମାନେ ଯେଉଁ ଢଗଢମାଳି ବା ନାନାବାୟା ଗୀତର ଆଶ୍ରୟ ନେଇଥାନ୍ତି: ତାହା ହେଉଛି ଆମ ଶିଶୁକବିତାର ଭିତ୍ତିଭୂମି । ଏଇ ଯେମିତି-

 

‘‘ଧୋ’ରେ ବାଇଆ ଧୋ’

ଯୋଉ କିଆରିରେ ଗହଳ ମାଣ୍ଡିଆ

ସେଇ କିଆରୀରେ ଶୋ’ ।। ଅଥବା

“ବାଇ ଚଢ଼େଇରେ ବାଇ ଚଢ଼େଇ

ତୋ’ ମା’ ଯାଇଛି ଗାଈ ଚରେଇ ।

ବାଈରୁ ଆଣିବ ପାଚିଲା ବେଲ

ଖୁଆଇ ପିଆଇ କରିବ ଗେଲ । କିମ୍ବା

‘ବାଇଆ ମା’ ଯେ ନଖାଏ କୁଣ୍ଡା

ପୁଅ ଦେଇଅଛି ନଙ୍ଗଳ ମୁଣ୍ଡା ।

ପୁଅକୁ ଶ୍ଵାଇଲା ହିଡ଼ ମୁଣ୍ଡରେ

ପିମ୍ପୁଡ଼ି ଖାଇଲା ନାଇ ମୁଣ୍ଡାରେ ।” ଇତ୍ୟାଦି... ।

 

ଓଡ଼ିଆରେ ଯେମିତି “ନାନାବାୟା ଗୀତ” ରହିଛି, ସେମିତି ଅସମୀୟାରେ ‘ନୀଚୁକାନୀ ଗୀତ’ ବଂଗଳାରେ ‘ଛେଲେ ଭୁଲ ନୋ ଛଡ଼ା, ହିନ୍ଦୀରେ ‘ଲୋରା’, ତେଲୁଗୁରେ ‘ଲାଲୀ ପଟାଲୁ’ ଇଂରାଜୀରେ ‘ନର୍ସରୀ ରାଇମ୍‌’ ପ୍ରାଧାନ୍ୟ ଲାଭ କରିଛି ।

 

ଆଗକାଳରେ ଓଡ଼ିଆ ଘରର ପିଲାଏ ସଂଜବେଳେ ମା’ ଅଥବା ବୁଢୀମା’ଠାରୁ ‘ବୁଢ଼ୀ ଅସୁରୁଣୀ’, ‘ଦୁଇ ସଂଗାତ', ‘ରାଜାପୁଅ ମନ୍ତ୍ରୀପୁଅ କଥା’ ‘କଲୁରୀବେଣ୍ଟ କଥା’ ଶୁଣିବାକୁ ଯେତିକି ଭଲପାଆନ୍ତି, ତା’ଠୁ ବେଶି ଭଲ ପାଆନ୍ତି ଗପ ଭିତରେ ଯୋଡ଼ି ହୋଇଥିବା ଗୀତଟିଏ ଶୁଣିବା ପାଇଁ-। ‘ସେଥିପାଇଁ କଲୁରୀବେଣ୍ଟ’ କଥା ‘କହୁକହୁ ବୁଢ଼ୀମା’ ଟି ଗୀତପଦୁଟିଏ ଯୋଡ଼ିଦିଏ -

 

‘‘ଦେ’ କମାର ଦେ’ ଦାଆ....କାଟେ ଘାସ

ଖାଉ କାଳୀଗାଈ ଦଉ ଦୁଧ

ଖାଉ ମିରିଗ ଦଉ ଶିଙ୍ଗ

ଖୋଳେ ମାଟି, ଗଢ଼ୁ କୁମ୍ଭାର କଳସୀ ଗୋଟି

କାଢ଼େ ପାଣି ଧୁଏ ଥଣ୍ଟ

ଧାଇଁ ଧାଇଁ ଖାଏ କଳୁରୀବେଣ୍ଟ ।’’

 

ଏଇ ଗୀତଟି ମଧ୍ୟ ବଙ୍ଗଳା ଶିଶୁ ସାହିତ୍ୟରେ ପରିଦୃଷ୍ଟ ହୋଇଥାଏ –

 

‘‘ଦେ’ କମାର ଦେ’ କାସ୍ତେ କାଟିବ ଘାସ ଖାବେ ଗରୁ

ଦେବେ ଦୁଧ ଖାବେ ହରିନ୍‍, ଦେବେ ଶିଙ୍ଗ ତୁଲ୍‍ବେ ମାଟି

ଦେବେ କୁମ୍ଭାରକେ ଗଡ଼କେ ଟାଟି, ଗଂଗାଦେବେ ଜଲ ଫଟିକ

କଦମ୍‍ ଗଛେ ବମେ ଖାବେ ଗଡ଼ୁଇ ମାଛେର ମୁଠି ।’’

 

ଯୁଗର ପରିବର୍ତ୍ତନରେ ବିଦଗ୍ଧ କବିତାର ଧାରା ପରିବର୍ତ୍ତିତ ହୋଇଥିବାବେଳେ ଶିଶୁ କବିତା ନିଜର ମୌଳିକ ସ୍ୱଭାବରୁ ବିଚ୍ୟୁତ ହୋଇନାହିଁ । ସାରଳା ଦାସଙ୍କ ସମୟରେ ନ୍ୟାୟ, ନୀତି ଓ ଧର୍ମ, ପଞ୍ଚସଖା ଯୁଗରେ ଶୁନ୍ୟବାଦ ଓ ପିଣ୍ଡବ୍ରହ୍ମାଣ୍ଡବାଦ, ରୀତିଯୁଗରେ ନାୟକନାୟିକାଙ୍କ ପ୍ରେମ, ପ୍ରଣୟ ଓ ପରିଣୟ ତଥା ନାରୀର ରୂପ, ପ୍ରକୃତି ଓ ଋତୁ ବର୍ଣ୍ଣନା, ରାଧାନାଥ ଯୁଗରେ ବାସ୍ତବବାଦୀ ଦୃଷ୍ଟି ଓ ଜୀବନ ପ୍ରତି ଅଙ୍ଗୀକାରବଦ୍ଧତା; ସତ୍ୟବାଦୀ ଯୁଗରେ ଉଗ୍ର ଜାତୀୟବାଦୀ ଚେତନା ଏବଂ ସବୁଜ ଗୋଷ୍ଠୀର ପଳାୟନପନ୍ଥୀ ମନୋଭାବ ଇତ୍ୟାଦିରେ ବିଦଗ୍ଧ କବିତାର ଅଂଗ ଓ ଆତ୍ମା ବିବିଧବର୍ଣ୍ଣରେ ଚିତ୍ରିତ ହୋଇଥିବାବେଳେ ଶିଶୁକବିତା ଏବେ ବି ତା’ର ସେଇ ସରଳତା ଓ ସାବଲ୍ଲୀଳତା ପରି ମୌଳିକ ଉପାଦାନଗୁଡ଼ିକୁ ଅକ୍ଷୁର୍ଣ୍ଣ ରଖିଛି । ସେଦିନର ‘ଧା’ ବାଇଆ ଗୀତ ହେଉ ଅଥବା ଆଜିର ‘କୁନା ପାଇଁ ଅନାବନା ଗୀତ’, ‘ବେଲୁନ୍‍ଗଲା ଉଡ଼ି’, ‘କଥା କି କୁହୁକ’ କିମ୍ୱା ‘ନିଦ ମାଉସୀ’ ହେଉ ସବୁଥିରେ ସେଇ ସରଳ, ତରଳ ଓ ଛଳଛଳ ଭାବଟି ଅତୁଟ ଥିବାପରି ମନେ ହୋଇଥାଏ ।

 

ଉନବିଂଶ ଶତାବ୍ଦୀରେ ନବଜାଗରଣ ଫଳରେ ଭାରତୀୟ ସାହିତ୍ୟରେ ଶିଶୁ ସାହିତ୍ୟକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ମିଳିଲା । ଇଂରାଜୀ ଶିକ୍ଷା ଫଳରେ ଦେଶରେ ଯେଉଁ ପ୍ରଣାଳୀବଦ୍ଧ ଓ ସୋପାନଗତ ଶିକ୍ଷାବ୍ୟବସ୍ଥା ପ୍ରଚଳିତ ହେଲା ତାହାର ଫଳଶ୍ରୁତି ହେଲା ଆଧୁନିକ ଶିଶୁ ସାହିତ୍ୟ-। ଏ କ୍ଷେତ୍ରରେ ଆଧୁନିକ ପାଠ୍ୟପୁସ୍ତକ ହେଉଛି ଆଧୁନିକ ଶିଶୁ ସାହିତ୍ୟିର ଜନ୍ମଦାତା । ୧୮୮୨ ମସିହା ମେ ମାସରେ କଟକରେ ପ୍ରଥମ ଓଡ଼ିଆସ୍କୁଲ ଆରମ୍ଭ ହେଲା ଓ ଖ୍ରୀଷ୍ଟଧର୍ମ ସଂପର୍କୀତ ପୁସ୍ତକ ପାଠ୍ୟପୁସ୍ତକ ରୂପେ ବ୍ୟବହୃତ ହୋଇଥିଲା । ଶିଶୁ କବିତା ସଂପର୍କରେ ମନ୍ତବ୍ୟ ଦେଇ ‘ଉତ୍କଳ ଦୀପିକା’ ଲେଖିଥିଲେ – ‘‘ବାଲ୍ୟକାଳରେ ଗଦ୍ୟପାଠ ଅପେକ୍ଷା ପଦ୍ୟପାଠରେ ବାଳକମାନଙ୍କର ଅଧିକ ଅନୁରାଗ ଥାଏ । ଏମନ୍ତ କି ଅନେକ ବାଳକ ଅତି ଶୈଶବାବସ୍ଥାରୁ ଶ୍ଲୋକ ଓ ଗୀତି କଣ୍ଠସ୍ଥ କରିଥାନ୍ତି । ଏହା ମଧ୍ୟ ସକଳ ଦେଶରେ ଦେଖାଯାଏ । ସୁତରାଂ ଗଦ୍ୟପାଠ ସଂଗେ ସଂଗେ ସୁକୁମାରମତି ବାଳକମାନଙ୍କର ପଦ୍ୟପାଠରେ ମନୋବୃତ୍ତିକୁ ସ୍ଫୁର୍ତ୍ତି କରାଇବାର ଅତି ଆବଶ୍ୟକ ।

 

ପାଠ୍ୟପୁସ୍ତକକୁ ଅଧିକ ମାର୍ଜିତ ଓ ଶିଶୁ ଉପଯୋଗୀ କରିବା ପାଇଁ ଜାତୀୟ ଶିକ୍ଷାଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (NCERT) ଗଠିତ ହେଲା । କେତେକ ବିଜ୍ଞ ଶିକ୍ଷାବିତ୍‌ଙ୍କୁ ନେଇ ଶିଶୁମାନଙ୍କ ପାଇଁ ବିଜ୍ଞାନସମ୍ମତ ଏକ ନିର୍ଦ୍ଧାରିତ ପାଠ୍ୟଖସଡ଼ା ପ୍ରସ୍ତୁତ ହେବା ଦ୍ୱାରା ପାଠ୍ୟପୁସ୍ତକର ଗୁଣାତ୍ମକମାନ ପରିବର୍ଦ୍ଧିତ ହେବା ସହିତ ଶିଶୁ କବିତାର ନୂତନ ଦୃଷ୍ଟିଭଂଗୀ ପ୍ରକାଶ ପାଇଲା । ଏହାଫଳରେ ଶିଶୁ କବିତାରେ ପରିବେଶ ସୁରକ୍ଷା, ଜାତୀୟ ସଂହତି, ଦେଶପ୍ରେମ, ଜୀବେଦୟା, ଭିନ୍ନକ୍ଷମଙ୍କ ପ୍ରତି ସହାନୁଭୂତି, ପୁଅଝିଅଙ୍କ ମଧ୍ୟରେ ଅଭେଦତା ଇତ୍ୟାଦି ବିଷୟ ସନ୍ନିବେଶିତ ହେଲା । ଏଇ ଯେମିତି ଦେଶପ୍ରେମକୁ ଆଧାର କରି ଲେଖାଗଲା-

 

‘‘କୁହୁକ ବୋଳା ସେ କବିତା ଗାଇ

ବାନର ସେନାଏ ହଟିଲେ ନାହିଁ

ବିଦେଶୀ ଜାତି

ଛନକା ପଶିଲା ଛାତିରେ ତାଙ୍କର

ରହି ନପାରିଲେ ଗୋଟିଏ ରାତି ।’’

(ବଟକୃଷ୍ଣ ଓଝା-କବି ବୀରକିଶୋର)

 

ସ୍ୱାଧୀନତା ପରବର୍ତ୍ତୀ କାଳରେ ଓଡ଼ିଆ ଶିଶୁ ପ୍ରତିକାର ଆମ ଶିଶୁ କବିତା ଧାରାକୁ ଆହୁରି ସୁଗମ ଓ ପ୍ରସାରିତ କରିଛି ବୋଲି କହିବାକୁ ହେବ । ଏ କ୍ଷେତ୍ରରେ ‘ମୋ ଦେଶ’ (୧୯୪୨/୪୮) ‘ମୀନାବଜାର’ (୧୯୫୦/୫୨), ସଂସାର (୧୯୫୧), ‘ଶିଶୁ ସଂପଦ’ (୧୯୫୪) ‘ଜହ୍ନମାମୁ’ (୧୯୫୬), ‘ଟୁଆଁଟୁଇଁ’ (୧୯୫୭), ମନପବନ (୧୯୬୩), ‘ଶିଶୁଲେଖା’, ‘ବାରମଜା’ ପ୍ରଭୃତି ପତ୍ରପତ୍ରିକାରେ ଶିଶୁ କବିତାମାନ ପ୍ରକାଶିତ ହୋଇ ଶିଶୁ ମନସ୍ତତ୍ତ୍ୱର ବହୁଦିଗକୁ ସ୍ପର୍ଶ କରିପାରିଛି ।

 

ଏତଦ୍‌ଭିନ୍ନ ଶିଶୁ କବିତାର ପ୍ରଚାର ଓ ପ୍ରସାର ଦିଗରେ ଉଭୟ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମର ଭୂମିକାକୁ ଅସ୍ୱୀକାର କରିହେବ ନାହିଁ । ଆକାଶବାଣୀର ଶିଶୁସଂସାର, କିଶୋରଚକ୍ର, ଚକାଚକା ଭଉଁରୀ ଏବଂ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଶିଶୁ ସାହିତ୍ୟିକମାନଙ୍କ ସଂପୃକ୍ତି ଏ କ୍ଷେତ୍ରରେ ଉଲ୍ଲେଖନୀୟ । ପିଲାମାନଙ୍କ ପାଇଁ ‘ଶିଶୁ–ଶ୍ରୀ’ ଓ ‘କିଶୋର ଦର୍ପଣ’ ନାମରେ ଦୁଇଟି ତ୍ରୈମାସିକ ପତ୍ରିକା ଆକାଶବାଣୀରେ ପ୍ରଚାରିତ ହୋଇ ଅନେକ ନୂତନ ଲେଖକ ସୃଷ୍ଟିରେ ସହାୟକ ହୋଇଥିଲା । ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ‘ଶିଶୁତୋଷ ରାମାୟଣ’, ନଦୀୟା ବିହାରୀ ମହାନ୍ତି (ବଡ଼ଭାଇ)ଙ୍କ ଚାନ୍ଦଦେଶେ କିଏ ସେ ଯିବ ଆସରେ ଆସ ଆସ..., ‘ହସ ବିକି ଆସିଛି ମୁଁ ନାଁ ମୋର ହସୱାଲା... ‘ଏ’ ଚଇତନର ଚୁଟି... ପ୍ରଭୃତି ଅନେକ ସଫଳ ଶିଶୁ କବିତା ସଂଗୀତ ଆକାରରେ ପ୍ରସାରିତ ହୋଇ ଲୋକପ୍ରିୟତା ହାସଲ କରିଛି । ଏଥି ସହିତ ଦୂରଦର୍ଶନ ଓ ସମ୍ୱାଦପତ୍ରରେ ଏକ ନିର୍ଦ୍ଦିଷ୍ଟ ଦିନରେ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୃଷ୍ଠା ପ୍ରକାଶିତ ହେବାଦ୍ୱାରା ଶିଶୁ କବିତାର ବିସ୍ତୃତି ବହୁଗୁଣିତ ହୋଇଛି । ସେଥିମଧ୍ୟରୁ ଦୈନିକ ‘ସମାଜ’ରେ ‘ଶିଶୁରାଇଜ’, ପ୍ରଜାତନ୍ତ୍ରରେ ‘ମୀନାବଜାର’, ସମ୍ୱାଦରେ ‘ଫୁଲଝରି’, ଧରିତ୍ରୀରେ ‘ପିଲାଙ୍କ ଧରିତ୍ରୀ’, ‘ଖବରରେ ପିଲାଙ୍କ ଦୁନିଆଁ ପ୍ରଭୃତି ଉଲ୍ଲେଖନୀୟ ।

 

ସାଂପ୍ରତିକ ଓଡ଼ିଆ ଶିଶୁ କବିତା ମୁଖ୍ୟତଃ ଯେଉଁସବୁ ବିଷୟକୁ ଆଧାର କରି ଲେଖାଯାଉଛି ସେଗୁଡ଼ିକ ହେଲା-(୧) ପରିବେଶ ସଚେତନତା ବା ବୃକ୍ଷରୋପଣ ପ୍ରତି ଗୁରୁତ୍ୱ (୨), ଶିଶୁ ଶ୍ରମିକ ପ୍ରଥା ଅଥବା ଦାରିଦ୍ର୍ୟଜନିତ ଅସହାୟତା (୩) ଶିଶୁ ଉପରେ ପାଠର ବୋଝ ଓ ତଜ୍ଜନିତ ଶିଶୁସୁଲଭ ଗୁଣର ଅବକ୍ଷୟ, (୪) ପୁଅ-ଝିଅ ମଧ୍ୟରେ ବିଭେଦ (୫) ଶିଶୁ ସ୍ତନ୍ୟପାନର ଉପାଦେୟତା ଏପରିକି (୬) ଏଡ଼୍‌ସ ସଚେତନତା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ।

 

(୧)

ପରିବେଶ ସଚେତନତା:- ସଂପ୍ରତି ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏବେ ପ୍ରାୟ ସମସ୍ତ ଶିଶୁ ପତ୍ରପତ୍ରିକାରେ ବୃକ୍ଷରୋପଣ ସଂପର୍କୀତ କବିତାମାନ ପ୍ରକାଶ ପାଉଥିବାର ଲକ୍ଷ୍ୟ କରାଯାଏ । ଏଇ ଯେମିତି ଶ୍ରୀ ଉମାକାନ୍ତ ମହାନ୍ତିଙ୍କ ‘ନିଦ ମାଉସୀ’ ପୁସ୍ତକରେ ଲେଖା ଯାଇଛି-

 

‘‘ବାପା ଶୁଣିଥିଲେ ତାଙ୍କ ବାପାଠାରୁ କହୁଥିଲେ ମତେ ନିଜେ

ଯାହାକର ପଛେ ଗଛ ହାଣିବୁନି ଗଛରେ ଠାକୁର ବିଜେ

ମନେରଖ ପିଲେ ଜୀଅନ୍ତା ଗଛରେ କେବେଟି ନଦେବ ହାତ ।

ଗଛ ଜୀଇଁ ଥିଲେ ନିଶ୍ଚେ ତୁମ ପାଖେ ଆସି ଜୁଟିଯିବ ଭାତ ।।

(ନିଦମାଉସୀ-ପୃ, ୪୮-୫୨)

 

(୨)

ଶିଶୁ ଶ୍ରମିକ ପ୍ରଥା:- ସଂପ୍ରତି ଆମ ଦେଶର ଅର୍ଦ୍ଧାଧିକ ଶିଶୁ ଦାରିଦ୍ର୍ୟ, ଅଶିକ୍ଷା, ଅନାହାର, ରୋଗଯନ୍ତ୍ରଣାରେ ଛଟପଟ ହୋଇ ହୋଟେଲରେ ଚା’ ଦୋକାନରେ, ମଟର ଗ୍ୟାରେଜରେ, ଘରୋଇ ଚାକରଭାବେ ପାଇଟି କରି ପେଟ ପୋଷୁଛନ୍ତି । ଏ ଦିଗରେ ଆଜିର ଶିଶୁ କବିତା ଖୁବ୍ ତତ୍ପର ଓ ପ୍ରତିକ୍ରିୟାଶୀଳ ହୋଇଉଠିଛି ।

 

‘‘ବୋଉଲୋ,

ଏକି କଥା ତୁଇ କହୁଲୋ ?

ଗରିବ ବୋଲି ସେ ପରଘରେ ଖଟେ

ଯାହା ହେଉ ତା’ର ପେଟକୁ ନିଅଣ୍ଟେ

ଧନୀ ହୋଇ ପଦେ ନକହିଲେ ଆହା

ଦୁନିଆରେ ତାକୁ କିଏ ହେବ ସାହା

ଗରୀବ ବୋଲିକି ମଣିଷ ନୁହେଁ ସେ

ମୋ’ ପରି ପିଲାଟେ ସେହୁଲୋ । ବୋଉଲୋ !’’

(ଏକି କଥା ତୁହି କହୁଲୋ-ଡକ୍ଟର ମହେଶ୍ୱର ମହାନ୍ତି)

 

(୩)

ଶିଶୁ ଉପରେ ପାଠର ବୋଝ:- ଆଜିକାଲି ଶିଶୁମାନଙ୍କର ବଡ଼ ସମସ୍ୟା ହେଉଛି ପାଠର ବୋଝ । ଏଥିପାଇଁ ସେମାନଙ୍କ ଶିଶୁସୁଲଭ ଚପଳତା, ମନଖୋଲା ହସ ଓ ଖୁସି ମରିମରି ଯାଉଛି । ଏ ସଂପର୍କୀତ ଅନେକ କବିତା ରଚିତ ହୋଇ ସେମାନଙ୍କ ପ୍ରତି ସହାନୁଭୂତି ଓ ଦରଦଭାବ ଉଦ୍ରେକ କରିବା ସହିତ ଗୁରୁଜନମାନଙ୍କୁ ସଚେତନ କରାଇଛି-

 

‘‘ଆମେ ଆଜି ବନ୍ଦୀ ପାଠ-ବହି ଖାତା ଭିତରେ

ହଜିଛି ଆମର ମନଖୋଲା ହସ ଗୀତରେ ।

ହସୁଅଛ ତମେ ବସି ବାପା-ମା’ ଆସନେ

ପିଲାମନ ଆମ ମରିଯାଏ କଡ଼ା ଶାସନେ ।

ସେଥିପାଇଁ ଆମ ମନଟି ଉଠୁଛି ଝଗଡ଼ି

ରାଗି ତମେ ଆମ କାନକୁ ଦଉଚ ରଗଡ଼ି ।

ବାପା ମା’ ହୋଇ କଷଣ ଆମକୁ ଦିଅନା

ପାଠର ନାଆଁରେ ଆମ ହସ ଲୁଟି ନିଅନା ।’’

(ଆମ ହସ ଲୁଟି ନିଅନା-ଫୁଲଝରି-ସମ୍ୱାଦ-ଡ଼କ୍ଟର ସୁନାମଣି ରାଉତ)

 

ଅଥବା-

‘‘ବୋଉଲୋ ବୋଉ !

ଏତେ ବହି ଏତେ ଖାତାପତର

ସଜାଡ଼ୁ ସଜାଡ଼ୁ ହୁଏ ଉଛୁର

ଦିନକୁ ଦିନ ଏ ବସ୍ତାନୀର ବୋଝ

ପିଠିରେ ବୋହି ମୁଁ ପାରୁନି ଆଉ ।’’

(ବୋଉଲୋ ବୋଉ-ଧନଞ୍ଜୟ ସ୍ୱାଇଁ)

 

(୪)

ପୁଅଝିଅ ମଧ୍ୟରେ ପ୍ରଭେଦ:- ସଂପ୍ରତି ସାମାଜିକ ଜୀବନରେ କନ୍ୟାଭ୍ରୁଣ ହତ୍ୟା, ପୁଅଝିଅ ମଧ୍ୟରେ ପ୍ରଭେଦ ଭାବଟିକୁ ସ୍ପଷ୍ଟ କରିଦେଇଛି । ପୁଅକୁ ଆଦର ଝିଅକୁ ହତାଦର ମନୋଭାବକୁ ଲକ୍ଷ୍ୟକରି ଶିଶୁକବିତା ତା’ର ପ୍ରତିବାଦ କରିଛି-

 

‘‘ଭାଇ’ ଟିଏ ଥିଲେ ‘ଭଉଣୀ’ ନଥିଲେ କିଏ ବାନ୍ଧିଦେବ ରାକ୍ଷୀ

ଦିଅରଟି ଥିଲେ ଭାଉଜ ନଥିଲେ ଥଟ୍ଟା କି ପାରିବ ଚାଖି ।

ସୁନ୍ଦର ଏ ଧରା ଝିଅଟିଏ ପରା ମରତେ ସରଗ ଫୁଲ

ଦୁଃଖକୁ ମୁଞ୍ଚାଅ ଛିଅକୁ ବଞ୍ଚାଅ ସେ ହେବ ଅମୂଲମୂଲ ।’’

(ମଣିମାଣିକ-୨୦୦୮)

 

(୫)

ସ୍ତନ୍ୟପାନ (Breast Feeding) ର ଉପାଦେୟତା:- ଆଜିକାଲି ଆଧୁନିକା ମା’ମାନେ କାର୍ଯ୍ୟବ୍ୟସ୍ତତା କିମ୍ୱା ସୌନ୍ଦର୍ଯ୍ୟ ରକ୍ଷା ପାଇଁ ପିଲାମାନଙ୍କୁ ସ୍ତନ୍ୟପାନ ବଦଳରେ ଡବାକ୍ଷୀର ବା ବୋତଲକ୍ଷୀର ଦେବାକୁ ପସନ୍ଦ ମଣୁଛନ୍ତି । ଏହାର ପ୍ରତିଫଳନ ଓଡ଼ିଆ ଶିଶୁ କବିତାରେ ସ୍ପଷ୍ଟ ହୋଇଉଠିଛି-

 

‘‘ନ ବୁଝେ ଅବୁଝା ଝଗଡ଼ିଆ କାହ୍ନୁ ରୁଚେନା ବୋତଲ କ୍ଷୀର

ଯେତେ ପରକାରେ ବୁଝାଇ କହିଲେ କହ୍ନେଇ ନ ହୁଏ ଧିର ।

ମାଆକ୍ଷୀର ଆହା କି ମଧୁର ସତେ ଜଗତେ କିଏ ତା’ ସରି

ମାଆ କୋଳ ପରି କାହିଁ ଆଉ ଥାନ କିଏ ହେବ ମାଆ ପରି ।’’

(ଅବୁଝାକାହ୍ନୁ-ଡକ୍ଟର ମହେଶ୍ୱର ମହାନ୍ତି)

 

(୬)

ମଣିଷ ପଣିଆଁର ପୁନରୁତ୍ଥାନ:- ସଂପ୍ରତି ସମାଜରେ ହିଂସା, ଦ୍ୱେଷ, ଅନ୍ୟାୟ, ଦୁର୍ନୀତିର କଳାବାଦଲ ମଣିଷ ଭିତରୁ ମଣିଷ ପଣିଆକୁ ଆଚ୍ଛନ୍ନ କରି ରଖିଛି । ଶିଶୁଟିଏ ବି ଏଥିରୁ ବାଦ୍‌ ପଡ଼ୁନାହିଁ । ଶିଶୁ କବିତାରେ ଏହାର ସ୍ୱର ଲକ୍ଷ୍ୟ କରନ୍ତୁ-

 

‘‘ମଣିଷ ଭିତରେ ମଣିଷ ସିଏ, ସଭିଙ୍କ ମଙ୍ଗଳ କରଇ ଯିଏ

ଦେଶର ଜାତିର ସେବା କରିବାକୁ ହସିହସି ନିଜ ଜୀବନ ଦିଏ ।’’

(ଭଲକାମ ମୁଁ କରିବି-ଇଂ ଅଭୟ ସୂତାର)

 

(୭)

ଏଡ଼ସ୍‌ ସଚେତନତା:- ଏଡ଼୍‌ସ (AIDS) ଏକ ଦୁରାରୋଗ୍ୟ ହୋଇଥିବାରୁ ପିଲାମାନଙ୍କୁ ସଚେତନ ହେବା ପାଇଁ ପରାମର୍ଶ ଦିଆଯାଉଛି । ମାତ୍ର ସରଳ ନିରୀହ ଶିଶୁଙ୍କୁ ଏତେ କମ୍ ବୟସରୁ ଯୌନଜୀବନ ସଂପର୍କରେ ସଚେତନ କରିବା ଆଦୌ ସମାଚୀନ ନୁହେଁ, ସୂଚନା ଦେଇ କେବଳ ଏତିକି କହିଲେ ଯଥେଷ୍ଟ ହେବ-

 

‘‘ରୋଗୀର ସେବା କରିବ ହସି ସେନେହ ତାକୁ ଦେବ

ଯେତିକିଦିନ ବଞ୍ଚିବ ସିଏ ସେତିକି ଖୁସି ହେବ ।’’

(ଶରଗଶଶୀ-୨ବ/୧ମସଂ-୨୦୦୮, ପୃ. ୪୩)

 

ପରିବର୍ତ୍ତିତ ପରିସ୍ଥିତିରେ ଉତ୍ତର ଆଧୁନିକ କବିତା ଯେମିତି ଜୀବନଯନ୍ତ୍ରଣା ଓ ବ୍ୟକ୍ତି ସ୍ୱାତନ୍ତ୍ର୍ୟକୁ ନେଇ ଛନ୍ଦହୀନ ହୋଇପଡ଼ିଛି; ସେହିପରି ସାଂପ୍ରତିକ ଶିଶୁକବିତାରେ ମଧ୍ୟ କେତେକ ବିଲକ୍ଷଣ ପରିଦୃଷ୍ଟ ହେଉଛି । ସଂପ୍ରତି ଶିଶୁ କବିତା ଉପଧାମିଳନ ପରି ସୁକୁମାର କଳାଟିକୁ ପରିହାର କରି ନିଜର ଆବୃତ୍ତିଧର୍ମିତାକୁ ହରାଇ ବସିଛି । ଏପରିକି ଶିଶୁ କବିତା ନାଁରେ ଛନ୍ଦହୀନ, କ୍ଳୀଷ୍ଟ ଆଧୁନିକ କବିତାମାନ ଲେଖାଯାଉଛି । କେତେକ ସଂପାଦକ ମଧ୍ୟ ସେସବୁକୁ ଶିଶୁ ପତ୍ରିକାରେ ପ୍ରକାଶ କରି କବିତାର ସ୍ୱଚ୍ଛନ୍ଦ ସାବଲ୍ଲୀଳତାକୁ ଭୁଲିଯାଉଛନ୍ତି । ଏହା ଆମ ଶିଶୁ କବିତା ପାଇଁ ଆଦୌ ଶୁଭଲକ୍ଷଣ ନୁହେଁ ।

 

ଆଜିର ଶିଶୁ ଦାରିଦ୍ର୍ୟର କଷାଘାତରେ ରାସ୍ତାକଡ଼ରୁ ଜରି ସାଉଁଟୁଛି ନହେଲେ ବହିବସ୍ତାନୀର ବୋଝରେ ଅଣନିଃଶ୍ୱାସୀ ହୋଇପଡ଼ୁଛି । ଆଧୁନିକ ବାପାମା’ମାନେ ସେମାନଙ୍କ ସୁନ୍ଦର ଭବିଷ୍ୟତର ସ୍ୱପ୍ନରେ ବିଭୋର ହୋଇ ଦେଖୁଛନ୍ତି ତାଙ୍କ ପିଲାଟି ପାଠପଢ଼ି ଟପ୍ପର ହୋଇଛି, ବଡ଼ ଚାକିରି କରି ଘରକରୁଛି, ଗାଡ଼ି ଚଢ଼ୁଛି, ବିଡ଼ା ବିଡ଼ା ଟଙ୍କାରେ ବ୍ୟାଙ୍କ୍ ବାଲାନ୍ସକୁ ମଜବୁତ୍‌ କରୁଛି । ଅଥଚ ଏଣେ ଶିଶୁଟିର ସ୍ୱାଭାବିକ ସୁକୁମାର ପ୍ରବୃତ୍ତି ନଷ୍ଟ ହୋଇଯାଇଛି । ପାଠବୋଝରେ ପିଲାଟି ଖେଳିପାରୁନି, ମନଖୋଲି ହସିପାରୁନି, ଆକାଶର ଜହ୍ନତାରା, ବଗିଚାର ଫୁଲ ପ୍ରଜାପତି, ବଣର ନେଉଳ, ଠେକୁଆ, ଗାଧୁଆବେଳର ମଜା, ବଣବୁଦାରୁ କୋଳି ଖାଇବା, ଦୋଳି ଖେଳିବା ପରି ସ୍ୱାଧୀନତାକୁ ଆଜି ହରାଇ ବସିଛି । ଏହାର ପରିଣତିରେ ସମାଜରେ ଦେଖାଦେଇଛି ହିଂସା, ଦ୍ୱେଷ, ରାଗ, ଅହଂକାର ଓ ସନ୍ତ୍ରାସବାଦର ବିଭୀଷିକା ।

 

ଏହିପରି ବହୁ ଘଟଣାକୁ ଭିତ୍ତିକରି ସାଂପ୍ରତିକ ଓଡ଼ିଆ ଶିଶୁ କବିତା ନିଜର ଗତିପଥରେ ଚଳଚଞ୍ଚଳ । ସୀମିତ ପରିସର ମଧ୍ୟରେ ସେଇସବୁ ପ୍ରସଂଗ ଓ ବହୁ ପ୍ରବୀଣ ଓ ନୂତନ ସ୍ରଷ୍ଟାଙ୍କୁ ଆଲୋଚନା ପରିସରଭୁକ୍ତ କରି ନହେଲେ ମଧ୍ୟ ମଞ୍ଚସ୍ଥ ନାଟକରେ ପରଦା ଆଢ଼ୁଆଳରେ ଥିବା ନିର୍ଦ୍ଦେଶକ ଓ ସହକର୍ମୀଙ୍କ ଅବଦାନ ପରି ଶିଶୁ କବିତାର ଗତି ଓ ପ୍ରକୃତିରେ ସେମାନଙ୍କ ଅବଦାନକୁ ଅସ୍ୱୀକାର କରିହେବ ନାହିଁ ।

 

ସାଂପ୍ରତିକ ଓଡ଼ିଆ ଶିଶୁ କବିତା ସମାଜର ବହୁବିଧ ସମସ୍ୟା ସହ ପାଠକଙ୍କୁ ସଚେତନ କରାଇ ତା’ର ସମାଧାନ ଦିଗରେ ଯନ୍ନବାନ ହୋଇଛି । ପାରଂପରିକ ରଚନା ଶୈଳୀ ଏବଂ ପୁରାତନ ଭାବଧାରା ସହ ସାଲିସ୍‌ କରି ଏବର ଶିଶୁକବିତା ସମୟୋପଯୋଗୀ ସୃଷ୍ଟିସମ୍ଭାରରେ ଋଦ୍ଧିମନ୍ତ । ଶିଶୁର ମାନସିକ ଓ ଚାରିତ୍ରିକ ବିକାଶ ଦିଗରେ ଶିଶୁ କବିତାର ସୃଜନ-ପରିସର କେବଳ ବିସ୍ତାରିତ ହୋଇନାହିଁ, ଅଧିକନ୍ତୁ ଶିଶୁର ପିତାମାତା, ଗୁରୁଜନ ଓ ସମାଜର ବିଶିଷ୍ଟ ବର୍ଗଙ୍କୁ ସଚେତନ କରାଇବାରେ ସମର୍ଥ ହୋଇଛି । ଗୋଟିଏ ଦୁର୍ନୀତିମୁକ୍ତ, ଶୋଷଣହୀନ, ସୁସ୍ଥସମାଜ ଗଠନ କରିବାର ଚିନ୍ତା ସଂପ୍ରତି ଶିଶୁ କବିତାରେ ଏକ ନୂତନ ମୋଡ଼ ସୃଷ୍ଟି କରିଛି ବୋଲି କହିବାକୁ ହେବ । ଶିକ୍ଷା, ସୂଚନା ଓ ମନୋରଂଜନକୁ ଆଧାର କରି ଏକ ନୂତନ ପୃଥିବୀ ଗଢ଼ିବାର ପ୍ରଚେଷ୍ଟାରେ ସାଂପ୍ରତିକ ଓଡ଼ିଆ ଶିଶୁ କବିତା ଯେ ଖୁବ୍‌ ଆଶାବାଦୀ-ଏହା ନିଃସନ୍ଦେହ । ତେଣୁ ଆମ ପିଲାଙ୍କ ଦୁନିଆକୁ ଆମ ଦୁନିଆଠାରୁ ନୂଆ ରୂପରେ ଗଢ଼ିବା ପାଇଁ ଯେଉଁ ଶିଶୁ ସାହିତ୍ୟ କ୍ରିୟାଶୀଳ, ସେହି ଶିଶୁସାହିତ୍ୟର ବିକାଶ ଓ ପ୍ରସାର ପାଇଁ ପ୍ରତ୍ୟେକ ଥରୁଟିଏ ଚିନ୍ତା କରନ୍ତୁ !!

 

 

ପ୍ରାଧ୍ୟାପକ, ଓଡ଼ିଆ ବିଭାଗ

ବି.ଜେ.ବି ଜୁନିଅର କଲେଜ, ଭୁବନେଶ୍ୱର

 

ସହାୟକ ଗ୍ରନ୍ଥସୂଚୀ

୧.

ଓଡ଼ିଆ ଶିଶୁ ସାହିତ୍ୟର ସାମାଜିକ ପୃଷ୍ଠଭୂମି-ଡ଼କ୍ଟର ମହେଶ୍ୱର ମହାନ୍ତି, କାହାଣୀ ପ୍ରକାଶନୀ, କଟକ-୧୯୮୮

୨.

କୋଣାର୍କ ୯୮ତମ ସଂଖ୍ୟା-ଅକ୍ଟୋବର ୧୯୯୫-ଓଡ଼ିଶା ସାହିତ୍ୟ ଏକାଡେମୀ

୩.

ସ୍ମରଣିକା-୨୦୦୭-ଶିଶୁ ସାହିତ୍ୟ ଲେଖକ ସମ୍ମେଳନ ଓଡ଼ିଶା, କଟକ

୪.

କଥା କି କୁହୁକ-ବଟକୃଷ୍ଣ ଓଝା-ଦିବ୍ୟଦୂତ ପ୍ରକାଶନ-କଟକ-୨୦୦୯

୫.

ନିଦ ମାଉସୀ-ଉମାକାନ୍ତ ମହାନ୍ତି, ପ୍ର-ସୁଚେତା ମହାନ୍ତି-୨୦୧୦

୬.

ଏତଦ୍‌ଭିନ୍ନ କେତେକ ଶିଶୁ କବିତା ପୁସ୍ତକ, ପତ୍ରପତ୍ରିକା ଓ ସମ୍ୱାଦପତ୍ର

 

***

 

ପରିବେଶ ସମାଲୋଚନା ଓ ଚେତନାର ହରିତାୟନ

ଡକ୍ଟର ଚିତ୍ତରଞ୍ଜନ ମିଶ୍ର

 

ସାଂପ୍ରତିକ କାଳରେ ପରିବେଶ ପ୍ରଦୂଷଣ, ସମ୍ବଳର ନିଃଶେଷକରଣ, ପାଣିପାଗର ଅସନ୍ତୁଳନ ସମ୍ବନ୍ଧୀୟ ବିତର୍କ ଓ ବିମର୍ଶ ସାହିତ୍ୟ ତଥା ସାଂସ୍କୃତିକ ଚିନ୍ତନକୁ ପ୍ରଭାବିତ କରିଛି । ପ୍ରକୃତି ବା ସ୍ଥାବରଜଙ୍ଗମର ବିଧ୍ୱଂସ ଜନିତ ସଂକଟ, ପୁଂଜିବାଦର ଚରମ ତଥା ବିଶୃଙ୍ଖଳିତ ପ୍ରଗତି ଧର୍ମ ବିରୋଧରେ ସମଗ୍ର ବିଶ୍ୱରେ ସବୁଜିମାର ସୁରକ୍ଷା ତଥା ଜୈବ ବିବିଧତାର ଗୁରୁତ୍ୱକୁ ଭିତ୍ତିକରି କ୍ରିୟାଶୀଳ ହେଉଛି ଚେତନାର ହରିତାୟନ । ଏହି ହରିତାୟନ ସବୁଜ ରାଜନୀତି (Green Politics) ତଥା ସମାଲୋଚନାର ସବୁଜ ତତ୍ତ୍ୱ (Green Theory)ର ପୃଷ୍ଠଭୂମି ।

 

ତତ୍ତ୍ୱ ବା ଥିଓରି ହେଉଛି ବାସ୍ତବ ଜଗତର ସଂଜ୍ଞା ବା ଅର୍ଥ ନିରୁପଣ ନିମିତ୍ତ ପ୍ରଚଳିତ ବିଚାର ବା ଆଲୋଚନାର ଧାରା । ସାହିତ୍ୟ ବା ଯକୌଣସି କଳାତ୍ମକ କୃତି ଜଗତ ଓ ଜୀବନର ଅର୍ଥ ଉନ୍ମୋଚିତ କରିବାର ସଂକେତ ବହନ କରିଥାଏ । ସାହିତ୍ୟରେ ବ୍ୟବହୃତ ଆଳଙ୍କାରିକତା ଶିକ୍ଷା, ସ୍ୱାସ୍ଥ୍ୟ, ଯୁଦ୍ଧ, ପ୍ରଗତି ଆଦି କ୍ଷେତ୍ରରେ ବ୍ୟବହୃତ ବିମର୍ଶ ଭଳି ଗୋଟିଏ ବିମର୍ଶ ବା ଡିସ୍‌କୋର୍ସ-। ପରିବେଶ ସମାଲୋଚନା ଏ ସମସ୍ତ ବିମର୍ଶ ଭିତରୁ ଶିଳ୍ପାୟନ, ପ୍ରଗତି, ପ୍ରଦୂଷଣ ଭଳି ବାସ୍ତବ ପ୍ରସଙ୍ଗଗୁଡ଼ିକୁ ଗୁରୁତ୍ୱ ଦେଇଥାଏ ।

 

ପରିବେଶ ସମାଲୋଚନା (ଇକୋ-କ୍ରିଟିସିଜିମ୍‌) ସାହିତ୍ୟ ତଥା ସାଂସ୍କୃତିକ କୃତିରେ କିଭଳି ପ୍ରକୃତିର ଉପସ୍ଥାପନା କରାଯାଇଛି ତାହାର ଅନୁଶୀଳନ କରେ । ତତ୍‌ସହିତ ଗୋଟିଏ ଲେଖାର ଆଳଙ୍କାରିକତା ତଥା ଶୈଳୀରେ ପ୍ରକୃତି ପ୍ରତି କେଉଁ ଆଭିମୁଖ୍ୟ ରହିଛି ତାହାର ଉଦ୍‌ଘାଟନ କରିବାକୁ ଚେଷ୍ଟା କରେ । ପରିବେଶ ସମାଲୋଚନା ପରିବେଶ ସୁରକ୍ଷାର ସିଧାସଳଖ ମାଧ୍ୟମ ନୁହେଁ, ଏହା ପ୍ରଦୂଷଣ ସଂକଟ ଏଡ଼ାଇବା ପାଇଁ ନିୟୋଜିତ ନୁହେଁ । ବରଂ ସାହିତ୍ୟ କୃତିରେ ପ୍ରକୃତିକୁ କେଉଁଭଳି ଉପସ୍ଥାପନା କରାଯାଇଛି, ପ୍ରକୃତିର ପ୍ରତିନିଧିତ୍ୱ ପଛରେ କେଉଁ ପ୍ରକାରର ବିକାଶ-ରାଜନୀତି କ୍ରିୟାଶୀଳ ତାହା ଦର୍ଶାଇବା ସହ ଏକ ଚେତନା ଉଦ୍ରେକ କରେ । ପରିବେଶ ସମାଲୋଚନା ଚେତନାର ହରିତାୟନ ପାଇଁ ଅନୁକୂଳ ବାତାବରଣଟିଏ ତିଆରି କରେ ।

 

ପରିବେଶ ସମାଲୋଚନାର ମୁଖ୍ୟ ତତ୍ତ୍ୱ ହେଉଛି ସାହିତ୍ୟ ବା ସଂସ୍କୃତି ପ୍ରକୃତିର ସରଳ ପ୍ରତିଫଳନ ନୁହେଁ । ସାହିତ୍ୟ ହିଁ ପ୍ରକୃତି ସମ୍ବନ୍ଧୀୟ ଧାରଣା ନିର୍ମାଣ କରେ । ସାହିତ୍ୟ ପ୍ରକୃତିକୁ କେବଳ ପ୍ରତିଫଳନ କରେନାହିଁ ବରଂ ଗୋଟିଏ ଯୁଗର ପ୍ରକୃତି ସମ୍ପନ୍ଧୀୟ ମତ ଓ ବିଚାରର ଗଠନ କରେ । ଏହି ଦୃଷ୍ଟିରୁ ପରିବେଶ ସମାଲୋଚନା ‘ନବ ଐତିହାସିକତାବାଦ’ (ନିଉ ହିଷ୍ଟୋରିସିଜିମ୍‌) ଭଳି ଏକ ତତ୍ତ୍ୱ । ନବ ଐତିହାସିକତାବାଦୀ ତତ୍ତ୍ୱରେ ସାହିତ୍ୟକୁ ସାମାଜିକ ସ୍ଥିତିର ପ୍ରତିଫଳନ ଭାବେ ଗ୍ରହଣ କରିବା ପରିବର୍ତ୍ତେ ଉତ୍ସ ବା ନିୟାମକ ଭାବେ ଗ୍ରହଣ କରାଯାଏ ।

 

ପାଶ୍ଚାତ୍ୟ ଜଗତରେ ଏ ପ୍ରକାରର ତାତ୍ତ୍ୱିକ ଦୃଷ୍ଟି ବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ପରିବେଶ ସମାଲୋଚନାକୁ ପୃଷ୍ଠ କରିଛି । ୧୯୭୩ରେ ପ୍ରକାଶିତ ରେମଣ୍ଡ ୱିଲିଅମ୍‌ସ୍‌ଙ୍କ ପୁସ୍ତକ ‘ଦ କନ୍‌ଟ୍ରି ଆଣ୍ଡ ଦି ସିଟି’ ପରିବେଶ ସମାଲୋଚନା ତତ୍ତ୍ୱର ଅୟମାରମ୍ଭ ବୋଲି ଗ୍ରହଣ କରାଯାଏ । ପ୍ରକୃତି, ପଲ୍ଲୀ, ଦାରିଦ୍ର୍ୟ, ଋତୁ ଓ ନଗରୀ ସମ୍ବନ୍ଧୀୟ ଧାରଣାଗୁଡ଼ିକୁ ତିଆରିବାରେ ଇଂରାଜୀ ସାହିତ୍ୟର ଅବଦାନ ସମ୍ବନ୍ଧରେ ଏ ପୁସ୍ତକରେ ଆଲୋଚନା କରାଯାଇଛି । ଅଷ୍ଟାଦଶ ଶତାବ୍ଦୀର ସାହିତ୍ୟରେ ଥିବା ପାରିବେଶିକ ପ୍ରସଙ୍ଗକୁ ନେଇ ଏଥିରେ ପ୍ରକୃତି ଓ ସଂସ୍କୃତି ସମ୍ବନ୍ଧୀୟ ଚିନ୍ତନର ପାରସ୍ପର୍ଯ୍ୟ ଦର୍ଶାଯାଇଛି । ଯଦିଓ ଏ ପୁସ୍ତକ ରଚନା ପୂର୍ବରୁ ଅର୍ଥାତ୍ ବିଂଶ ଶତାବ୍ଦୀର ଆଦ୍ୟଭାଗରେ ପରିବେଶ ସଚେତନତାକୁ ନେଇ ବହୁ ଲେଖା ପ୍ରକାଶିତ ହୋଇଛି ଓ ପରିବେଶବିଦ୍ ଓ ସମାଜସେବୀମାନେ କାର୍ଯ୍ୟତତ୍ପର ହୋଇଛନ୍ତି । ପରିବେଶ ସମାଲୋଚନା ଏକ ତତ୍ତ୍ୱଭାବେ ଶତାବ୍ଦୀର ଅପରାର୍ଦ୍ଧରେ ଆଦୃତ ହୋଇଛି ।

 

ପରିବେଶ ସମାଲୋଚନାର ମୁଖ୍ୟତଃ ଦୁଇଟି ଦିଗ ରହିଛି । ଗୋଟିଏ ହେଲା ପରିବେଶ ସଚେତନତାକୁ ଆଧାର କରି ଲିଖିତ ସୃଜନ ସାହିତ୍ୟର ଅଧ୍ୟୟନ । ଦ୍ୱିତୀୟଟି ହେଉଛି ମାନବ ସାହିତ୍ୟ କୃତିରେ ଥିବା ମାନବୀୟ ଓ ମାନବେତର ଜଗତର ସମ୍ବନ୍ଧ ଉଦ୍‌ଘାଟନ । ଆଧୁନିକ ପାରିବେଶିକ ଚିନ୍ତନର ଶୁଭାରମ୍ଭ ହୋଇଥିଲା ଅଷ୍ଟାଦଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ । ଏହା ୟୁରୋପୀୟ ଜ୍ଞାନୋଦୟ ବା ଏନ୍‌ଲାଇଟେନ୍‌ମେଣ୍ଟର ଅବଧି । ଏ ସମୟରେ ଗଢ଼ିଉଠୁଥିବା ଶିଳ୍ପାୟନର ପ୍ରତିକ୍ରିୟାସ୍ୱରୁପ ପରିବେଶଭିତ୍ତିକ ଚିନ୍ତନର ସୃଷ୍ଟି । ସାହିତ୍ୟରେ ରୋମାଣ୍ଟିସିଜିମ୍ ମଧ୍ୟ ଏହିଭଳି ଏକ ପ୍ରତିକ୍ରିୟା । ପ୍ରକୃତି ଶୋଭା ଓ ସୌନ୍ଦର୍ଯ୍ୟବର୍ଣ୍ଣନା ରୋମାଣ୍ଟିକ କବିତାର ଉପଜୀବ୍ୟ । ଇଂରାଜୀ ଓ ୟୁରୋପୀୟ କବିତା ଓ ଚିତ୍ରକଳାର ପ୍ରକୃତି ଓ ମନୁଷ୍ୟର ସନ୍ତୁଳିତ ସହବସ୍ଥାନ ପ୍ରକଟିତ-। ୱଡସ୍‌ୱର୍ଥଙ୍କ କବିତାରେ ନଗରୀ ବିରୋଧରେ ସ୍ୱର ସୁସ୍ପଷ୍ଟ । ସହରୀ ସଭ୍ୟତାର ଯାନ୍ତ୍ରୀକ ଜୀବନ ଓ ଲାଭଖୋର ଶିଳ୍ପୋଦ୍ୟୋଗୀ ବିରୁଦ୍ଧରେ ପଲ୍ଲୀ ଜୀବନର ପ୍ରକୃତି ଆଶ୍ରୟୀ ଜୀବନଶୈଳୀ ରୋମାଣ୍ଟିକ କବିତାରେ ଗୁରୁତ୍ୱ ଲାଭ କରିଛି । ଓଡ଼ିଆ ସାହିତ୍ୟରେ ମଧ୍ୟ ପ୍ରକୃତିଧର୍ମୀ ରୋମାଣ୍ଟିକ କବିତାକୁ ସବୁଜ କବିତା ଓ ସେହି କବିମାନଙ୍କ ଯୁଗକୁ ସବୁଜ ଯୁଗ କୁହାଯାଏ । ତେବେ ମାନବ ଜୀବନ ସହ ପ୍ରକୃତିର ପ୍ରଗାଢ଼ ସମ୍ପର୍କ, ପ୍ରକୃତିର ସମସ୍ତ ବିଭବରେ ଦେବତ୍ୱର ଆରୋପ, ପ୍ରକୃତି ଏବଂ ସମାଜର ଶାନ୍ତିପୂର୍ଣ୍ଣ ସଂପୃକ୍ତି ଭାରତୀୟ ପାରଂପରିକ ସାହିତ୍ୟର ସାଧାରଣ ବିଷୟବସ୍ତୁ । ପରିବେଶ ସମାଲୋଚନା ଦୃଷ୍ଟିରୁ ଓଡ଼ିଆ ତଥା ଭାରତୀୟ ସାହିତ୍ୟର ପୁନର୍ମୂଲ୍ୟାନ ପାଇଁ ବିସ୍ତୀର୍ଣ୍ଣ କ୍ଷେତ୍ର ରହିଛି ।

 

ୟୁରୋପୀୟ ଜ୍ଞାନୋଦୟ ବା ଏନ୍‌ଲାଇଟେନମେଣ୍ଟ ଜୀବନରେ ଯୌକ୍ତିକତା ବା ହେତୁବାଦକୁ ଗୁରୁତ୍ୱ ଦେଇଥିଲା । ଏହାକୁ ଭିତ୍ତିକରି ବୈଜ୍ଞାନିକ ସିଦ୍ଧାନ୍ତରେ ଜୀବନଶୈଳୀ ଶିଳ୍ପାୟନଆଡ଼କୁ ଉନ୍ମୁଖ ହୋଇଥିଲା । ଶିଳ୍ପାୟନ ତଥା ପ୍ରଗତିର ଯୌକ୍ତିକତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ଚିନ୍ତାନାୟକମାନଙ୍କ ମଧ୍ୟରେ ରୁଷୋ ଅନ୍ୟତମ । ତାଙ୍କ ମତରେ ପ୍ରାକୃତିକ ଜୀବନ ସରଳ ଓ ଅକୃତିମ, କିନ୍ତୁ ସଭ୍ୟ ଜୀବନ କୃତ୍ରିମ ତଥା ଅସାଧୁତାପୂର୍ଣ୍ଣ ।

 

ସଭ୍ୟତାର ବିକାଶକୁ ପୁଷ୍ଟ କରିଥିବା ଦୁଇଟି ଧାରା ହେଉଛି ଉପନିବେଶବାଦ ଓ ପୁଂଜିବାଦ । ମଣିଷଦ୍ୱାରା ପ୍ରକୃତିର ଚରମ ଉପଭୋଗ ପାଇଁ ଏହି ଧାରଦ୍ୱୟ ପଥ ସୁଗମ କରିଥିଲା ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀରେ । ଉପନିବେଶୀମାନେ କବଳିତ କରୁଥିବା ଭୂଖଣ୍ଡର ଅଧିବାସୀଙ୍କୁ ଆଦିମ, ବର୍ବର ଓ ଜଂଗଲୀଭାବେ ଦେଖୁଥିଲେ । ଅର୍ଥାତ୍ ମୂଳ ଅଧିବାସୀମାନେ ଥିଲେ ପ୍ରକୃତିକୁ ସଭ୍ୟ ଚଳଣି ପାଇଁ ଅନୁକୂଳ କରିବା । ଗ୍ରୀକ୍ ସମୟରୁ ଅଦ୍ୟାବଧି ମନୁଷ୍ୟକୁ ପୃଥିବୀର ସମସ୍ତ ସମ୍ବଳର ଅଧିକାରୀ ଓ ସ୍ୱତନ୍ତ୍ର ସତ୍ତାଭାବେ ଚିତ୍ରିତ କରାଯାଇଛି ପାଶ୍ଚାତ୍ୟ ଜଗତରେ । ଆଜି ଯେତେବେଳେ ଭୋଗର ଚରମ ସୋପାନରେ ପୃଥିବୀରେ ସମ୍ବଳର ସଂକଟ ଦେଖାଯାଇଛି, ନବୀକରଣ ବହିର୍ଭୂତ ସମ୍ବଳର ଦ୍ରୁତ କ୍ଷୟ ଘଟୁଛି, ଗ୍ରହ ଉପରର ଜଳବାୟୁ ମଣିଷଦ୍ୱାରା ବିଷାକ୍ତ ହୋଇପଡ଼ିଛି ସେତେବେଳେ ପରିବେଶ ପ୍ରତି ଏକ ସ୍ୱତନ୍ତ୍ର ସଚେତନତା ଗଢ଼ି ଉଠିଛି । ଏ ଦୃଷ୍ଟିରୁ ସାହିତ୍ୟିକ ବା ସାରସତ୍ୱ ଦିଗଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ‘ସବୁଜ ଚେତନା’ର ଅଂଶ ବିଶେଷ ।

 

ଚାର୍ଲସ ଡାରୱିନ୍‌ଙ୍କ ବିବର୍ତ୍ତନ ତତ୍ତ୍ୱ ପାଶ୍ଚାତ୍ୟ ଚିନ୍ତନରେ ମାନବ ଓ ମାନବେତର ଜୀବସତ୍ତାମାନଙ୍କ ଭିତରେ ଥିବା ସଂପର୍କକୁ ନୂତନ ଅର୍ଥ ପ୍ରଦାନ କରିଛି । ମଣିଷକୁ ଏକପ୍ରକାର ପଶୁ ଭାବେ ଗ୍ରହଣ କରି ସେ ମଣିଷର ପ୍ରକୃତି ନିର୍ଭରଶୀଳତାକୁ ବିଶେଷ ତାତ୍ପର୍ଯ୍ୟ ଦେଇଛନ୍ତି । ଅର୍ଥନୀତିଜ୍ଞ ମାଲ୍‌ଥସ୍‌ ତାଙ୍କ ଜନସଂଖ୍ୟା ତତ୍ତ୍ୱ (୧୭୯୮)ରେ ଖାଦ୍ୟ ଉତ୍ପାଦନ ଓ ଜନସଂଖ୍ୟା ବୃଦ୍ଧିର ସମ୍ପର୍କ ଦର୍ଶାଇ ଅର୍ଥନୀତି ଓ ଜୀବତତ୍ତ୍ୱକୁ ସମ୍ପର୍କିତ କରିଛନ୍ତି । ତାଙ୍କ ମତରେ ଖଦ୍ୟ ଉତ୍ପାଦନ ବୃଦ୍ଧି ବା ଅଧିକ ଖାଦ୍ୟ ଗରିବମାନଙ୍କୁ ଅଧିକ ଯୌନ ସମ୍ଭୋଗ ପାଇଁ ପ୍ରଚୋଦିତ କରିବ ଓ ଫଳତଃ ଜନସଂଖ୍ୟା ବୃଦ୍ଧି ପାଇ ପ୍ରଗତିର ପଥରୋଧ କରିବ । ପାଶ୍ଚାତ୍ୟ ସବୁଜଚେତନାର ପ୍ରବର୍ତ୍ତକଙ୍କ ମଧ୍ୟରେ ଜର୍‌ମି ବେନ୍‌ଥାମ୍ ଓ ଜେ.ଏସ୍.ମିଲ୍ ଅଗ୍ରଗଣ୍ୟ । ବେନ୍‌ଥାମ୍ ପଶୁମାନଙ୍କ ପ୍ରତି ନିଷ୍ଠୁରତାର ବିରୋଧ କରିଛନ୍ତି । ବିଂଶ ଶତାବ୍ଦୀରେ ହାବର୍‌ମାସ୍ ପରିବେଶବାଦୀ ଆନ୍ଦୋଳନକୁ ଏକ ‘ନୂତନ ସାମାଜିକ ଆନ୍ଦୋଳନ’ର ମାନ୍ୟତା ଦେଇଛନ୍ତି । ସାଂପ୍ରତିକ ଆନୁଷ୍ଠାନିକ ଶୃଙ୍ଖଳା ବିରୋଧରେ ଗଢ଼ି ଉଠିଥିବା ପରିବେଶ ଆନ୍ଦୋଳନକୁ ସେ ସମକାମୀ ଆନ୍ଦୋଳନ ସହ ସମ୍ପୃକ୍ତ କରିଛନ୍ତି । ସାଂପ୍ରତିକ ସମୟରେ ମଣିଷଦ୍ୱାରା ପ୍ରକୃତିର ନିୟନ୍ତ୍ରଣକୁ ନୈତିକ ଦୃଷ୍ଟିରୁ ବିଚାର କରାଯାଉଛି ।

 

‘ଗଭୀର ପରିବେଶତତ୍ତ୍ୱ’ ବା ‘ଡିପ୍ ଇକୋଲୋଜି’ ସକ୍ରିୟ ପରିବେଶବାଦୀମାନଙ୍କର ଦାର୍ଶନିକ ଆଭିମୁଖ୍ୟର ସାଂପ୍ରତିକ ନାମକରଣ । ମାନବକୈନ୍ଦ୍ରିକ ନହୋଇ ଧରିତ୍ରୀର ସୁରକ୍ଷା ଦୃଷ୍ଟିରୁ ବହୁ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ‘ଡିପ୍ ଇକୋଲୋଜି’ରେ ବିଶ୍ୱାସ ରଖନ୍ତି । ‘ଡିପ୍‌ଇକୋଲୋଜି’ର ପ୍ରମୁଖ ନୀତିଗୁଡ଼ିକ ହେଲା : ମନୁଷ୍ୟ ଜୀବନର ପ୍ରକାରଗୁଡ଼ିକ ପୃଥିବୀର ଆବିଭାଜ୍ୟ ଅଂଗ । ତେଣୁ ମଣିଷର ଜୀବନଚର୍ଯ୍ୟାରେ ଅନ୍ୟ ଜୀବନଗୁଡ଼ିକ ପ୍ରତି ଉନ୍ମୁଖତା ସହୃଦୟତା ଜରୁରୀ । ଏହା ଏକ ଆଧ୍ୟାତ୍ମିକ ଜୀବନଦୃଷ୍ଟି । ମନୁଷ୍ୟର ପ୍ରକୃତି ସହ ସଂପର୍କ ଭାବାବେଗପୂର୍ଣ୍ଣ ହେବା ଉଚିତ । ଏହା କେବଳ ବୌଦ୍ଧିକ ନୁହେଁ । ମାନବ ଓ ମାନବେତର ଜୀବନର ସମସ୍ତ ପ୍ରକାରମାନଙ୍କର ଅନ୍ତରୀଣ ମୂଲ୍ୟ ରହିଛି । ମାନବେତର ଜୀବନର ମୂଲ୍ୟ ମାନବୋପଯୋଗୀ ବ୍ୟବହାର ଭିତ୍ତିରେ ନିର୍ଣ୍ଣିତ ହେବା ଅନୁଚିତ । ମାନବେତର ପ୍ରାଣୀମାନଙ୍କର ଜୀବନରେ ମଣିଷର ଦଖଲ ଆବଶ୍ୟକତା ବହିର୍ଭୂତ ହେବା ଉଚିତ ନୁହେଁ । ତେବେ ତୃତୀୟ ବିଶ୍ୱର ତତ୍ତ୍ୱଦର୍ଶକମାନେ ‘ଗଭୀର ପରିବେଶତତ୍ତ୍ୱ’ରେ ବିଶ୍ୱାସ ରଖନ୍ତି ନାହିଁ । ରାମଚନ୍ଦ୍ର ଗୁହାଙ୍କ ମତରେ ଡିପ୍ ଇକୋଲୋଜି ପାଶ୍ଚାତ୍ୟ ଜଗତରେ କାର୍ଯ୍ୟକାରୀ କରାଯାଇପାରିବ । କାରଣ ସେଠାରେ ଜଂଗଲ ଜମିର ଅଭାବ ନାହିଁ । ସ୍କାଣ୍ଡିନେଭିଆ, କାନାଡ଼ା, ଆମେରିକା ଓ ଅଷ୍ଟ୍ରେଲିଆରେ ବିଶାଳ ଭୂଖଣ୍ଡମାନ ଆଜି ପର୍ଯ୍ୟନ୍ତ ମଧ୍ୟ ମଣିଷଦ୍ୱାରା ପ୍ରଭାବିତ ହୋଇନାହିଁ । କିନ୍ତୁ ତୃତୀୟ ବିଶ୍ୱର ଗରିବ ରାଷ୍ଟ୍ରମାନଙ୍କରେ ଜଳ, ଜମି, ଜଂଗଲରୁ ବିଚ୍ୟୁତକରି ପରିବେଶ ବା ବନ୍ୟ ସମ୍ବଳର ସୁରକ୍ଷା ବିଶେଷ ଅର୍ଥ ରଖେନାହିଁ ।

 

ଦାରିଦ୍ର୍ୟ ସହ ପରିବେଶର ଅବକ୍ଷୟ ବିଶେଷଭାବେ ଜଡ଼ିତ । ଧନୀ ରାଷ୍ଟ୍ରମାନଙ୍କ ବିକାଶ ପ୍ରକଳ୍ପ, ବାଣିଜ୍ୟିକ ରାଜିନାମା, ମୁକ୍ତ ବଜାର ଅର୍ଥନୀତି, ଅନୁଦାନ ନୀତିନିୟମ, ପାଟେଣ୍ଟ ଅଧିକାର ତୃତୀୟ ବିଶ୍ୱର କୃଷି ଓ ସାମାଜିକ ନ୍ୟାୟକୁ ପ୍ରତିହତ କରୁଛି । ତୃତୀୟ ବିଶ୍ୱର ରାଷ୍ଟ୍ର ଭାରତ ପାଶ୍ଚାତ୍ୟ ପ୍ରଗତିର ମୋଡ଼ ଆଦରି ନେଇଥିବାରୁ ପାରଂପରିକ ସାମାଜିକ ଓ ସାଂସ୍କୃତିକ ଧାରା ବ୍ୟାହତ ହେଉଛି । ବନ୍ୟପ୍ରାଣୀ ସଂରକ୍ଷଣ ପ୍ରକଳ୍ପ ନିମନ୍ତେ ଶତାବ୍ଦୀ ଶତାବ୍ଦୀ ଧରି ବାସ କରି ଆସୁଥିବା ଅଧିବାସୀମାନଙ୍କୁ ସେମାନଙ୍କ ଭିଟାମାଟିରୁ ବିସ୍ଥାପିତ କରାଯାଉଛି । ଅମିତାଭ ଘୋଷଙ୍କ ପୁସ୍ତକ ‘ଦ ହଙ୍ଗ୍ ରି ଟାଇଡ଼୍’ ବ୍ୟାଘ୍ର ପ୍ରକଳ୍ପକୁ ନେଇ ଏକ ସାହିତ୍ୟ ରଚନା । ଗରିବ ଦେଶମାନଙ୍କରେ ପରିବେଶବାଦ ସାମାଜିକ ନ୍ୟାୟ, ଜୀବନ ସଂଗ୍ରାମ ଓ ସମ୍ବଳର ବିତରଣର ପ୍ରଶ୍ନରୁ ଅଲଗା କରାଯାଇପାରିବ ନାହିଁ । ଜାଳେଣୀ ପାଇଁ କାଠ ସହ କାଟୁଥିବା ଆଦିବାସୀଙ୍କୁ ଜଂଗଲରକ୍ଷା ଆଳରେ ବିତାଡ଼ିତ କରିବା ସାମାଜିକ ବୈଷମ୍ୟକୁ ଆଖି ବୁଜିଦେବା ସହ ସମାନ । ତେଣୁ ଧନୀକ ରାଷ୍ଟ୍ରର ପରିବେଶବାଦ, ବନ୍ୟ ସୁରକ୍ଷା ଗରିବ ରାଷ୍ଟ୍ରର ଜନଜାତି ଓ ବନଭୂମିର ସଂପର୍କକୁ ବିଚାରକୁ ନିଏ ନାହଁ । ପଶୁ, ପକ୍ଷୀ ଓ ପ୍ରକୃତି ତରଫରୁ ପ୍ରଥମ ବିଶ୍ୱର ତୃତୀୟ ବିଶ୍ୱ ଉପରେ ଦଖଲକୁ ରାମଚନ୍ଦ୍ର ଗୁହାଙ୍କ ଭଳି ଚିନ୍ତାନାୟକମାନେ ପସନ୍ଦ କରନ୍ତି ନାହିଁ ।

 

ମାର୍କସୀୟ ପରିବେଶବିଦ୍‌ମାନେ ପୁଂଜିପତିମାନଙ୍କ ହାତରେ ପ୍ରକୃତି କିଭଳି ପଣ୍ୟରେ ପରିଣତ ହୋଇଛି ତାହାର ଆଲୋଚନା କରିଥାନ୍ତି । ପୁଂଜିବାଦୀ ବ୍ୟବସ୍ଥାରେ ପ୍ରକୃତି ନିରନ୍ତର ଲାଭର ଗୋଟିଏ ଉତ୍ସ । ଡେଭିଡ଼୍ ପେପର୍‌ଙ୍କ ମତରେ ମଣିଷ ଓ ପ୍ରକୃତି ଏକ ଦ୍ୱନ୍ଦାତ୍ମକ ସମ୍ପର୍କରେ ସମ୍ପର୍କିତ । ମଣିଷ ଯେମିତି ପ୍ରକୃତିକୁ ବଦଳାଏ ପ୍ରକୃତି ମଧ୍ୟ ସେମିତି ମନୁଷ୍ୟକୁ ବଦଳାଇଥାଏ । ଜଗତୀକରଣଦ୍ୱାରା ଉତ୍ପାଦନର ସ୍ଥଳୀଗୁଡ଼ିକ ଏବେ ତୃତୀୟ ବିଶ୍ୱକୁ ସ୍ଥାନାନ୍ତରିତ ହୋଇଥିବାରୁ ସେହି ଦେଶର ଶ୍ରମିକ ଓ ପ୍ରକୃତି ଉଭୟ ଶୋଷଣଗ୍ରସ୍ତ । ଧନୀକ ରାଷ୍ଟ୍ରର ବର୍ଜ୍ୟବସ୍ତୁ ତୃତୀୟ ବିଶ୍ୱର ଭୂଖଣ୍ଡରେ ନିଷ୍କାସିତ ହେବା ଏ ଶୋଷଣର ଏକ ଜ୍ୱଳନ୍ତ ଉଦାହରଣ ।

 

ମାର୍କସୀୟ ପରିବେଶବାଦରେ ଶ୍ରମିକ-ପ୍ରକୃତି ସମ୍ପର୍କ ଭଳି ଇକୋ-ଫେମିନିଜିମ୍ ବା ପାରିବେଶିକ ନାରୀବାଦ ନାରୀ ଓ ପ୍ରକୃତିକୁ ସମ୍ପର୍କିତ କରେ । ପିତୃପ୍ରଧାନ ସମାଜରେ ନାରୀ ଓ ପ୍ରକୃତି ଉଭୟ ଶୋଷିତ । ପୁରୁଷପ୍ରଧାନ ଚିନ୍ତନ ନାରୀର ପ୍ରକୃତି ସହ ଥିବା ଅନ୍ତରଂଗତାକୁ ଗୁରୁତ୍ୱ ଦିଏନାହିଁ । ପାଶ୍ଚାତ୍ୟ ଚିନ୍ତନରେ ପ୍ରକୃତିକୁ ମା’ ସହ ତୁଳନା କରାଯାଇଛି । ତେବେ ପ୍ରକୃତି ମାତା (ମଦର୍ ନେଚର୍) ପୁରୁଷ ପ୍ରଧାନ ସମାଜର ଏକ ଚିତ୍ରକଳ୍ପ । ଏ ପ୍ରକାର କଳ୍ପନା ନାରୀକୁ ପ୍ରକୃତି ସହ ସମତୁଲ କରେ ଓ ପ୍ରକୃତିକୁ ସ୍ତ୍ରୀଲିଙ୍ଗ ହିସାବରେ ସୂଚିତ କରେ । ନାରୀର ଶାରିରୀକ ଗଠନ ପ୍ରଜନନ, ପ୍ରସବ ଅନୁକୂଳ । ତେଣୁ ସହନଶୀଳତା ତାର ପ୍ରାକୃତିକ ଗୁଣ । ପ୍ରକୃତି ଭଳି ନାରୀ ମାନବଜାତିର ପାଳନ ଓ ଧାରଣର ଉତ୍ସ । ଏହି ସୀମାକୁ ଭିତ୍ତିକରି ପୁରୁଷ ନାରୀ ତଥା ପ୍ରକୃତିକୁ ଶୋଷଣ କରେ ବୋଲି ଇକୋଫେନିମିଜିମ୍‌ମାନେ ମତ ଦିଅନ୍ତି ।

 

ପରିବେଶ ସମାଲୋଚନା କେବଳ ସାହିତ୍ୟର କଥା ନୁହେଁ, ଏହା ଅର୍ଥନୀତି, ରାଜନୀତି, ପ୍ରଯୁକ୍ତି ଭଳି ବହୁ ଅନୁସଙ୍ଗ ବିଜଡ଼ିତ । ଏହାର ବ୍ୟାପକତା ସମଗ୍ର ବିଶ୍ୱରେ ସବଚଜ ଚେତନା ସୃଷ୍ଟି କରିଛି । ଚେତନାର ହରିତାୟନ ସହ ସୃଜନଶୀଳ ସାହିତ୍ୟରେ ଆଉ ଗୋଟିଏ ବିରୋଧାଭାସ ରୂପ ନେଉଛି-ତାହା ହେଲା ବିଲୟବାଦ । ସାଂପ୍ରତିକ ପାରିବେଶିକ ଚେତନାରେ ଏହି ଅନ୍ତିମ ବିଭୀଷିକାର ରୂପାୟନ ଯେମିତି ପୃଥିବୀର ଅନ୍ତିମ ମୁହୂର୍ତ୍ତ ଅନିବାର୍ଯ୍ୟ । ସାଂପ୍ରତିକ ପାରିବେଶିକ ଚେତନାରେ ଏହି ଅନ୍ତିମ ବିଭୀଷିକାର ଚିତ୍ର ଗୋଟିଏ ଶକ୍ତିଶାଳୀ ମେଟାଫର୍ ବା ଉପମା । ଆଣବିକ ଯୁଦ୍ଧ, ସର୍ବଗ୍ରାସୀ ଜୁଆର, ଜୈବପ୍ରଜୁକ୍ତିର ଭୟାବହତା ଆଦି ବିଷୟକୁ ନେଇ ବହୁ ଚଳଚିତ୍ର ନିର୍ମିତ ହୋଇଛି ତଥା ଲିଖନ ଜାରି ରହିଛି । ଏ ସମସ୍ତ ମଧ୍ୟ ପରିବେଶ-ସମାଲୋଚନାର ପରିସରଭୁକ୍ତ । ପରିବେଶ ସମାଲୋଚନା ସମାଲୋଚକ ତଥା ସୃଜନଶୀଳ ସାହିତ୍ୟିକମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ତଥା ପ୍ରସାରଣଶୀଳ ଚେତନାର କ୍ଷେତ୍ର ।

 

 

ପ୍ରଧ୍ୟାପକ, ଇଂରାଜୀ ବିଭାଗ

ବି.ଜେ.ବି. ସ୍ୱୟଂଶାସିତ ମହାବିଦ୍ୟାଳୟ

ଭୁବନେଶ୍ୱର

 

***

 

ଭାଗବତରେ ଶ୍ରୀଜଗନ୍ନାଥ

ଡକ୍ଟର ଚିନ୍ମୟୀ ମହାପାତ୍ର

 

ପରଦେବତା ରୂପେ ପରିକଳ୍ପିତ ବିଷ୍ଣୁଙ୍କର ନାନା ରୂପ ଓ ନାନା ଅବତାର ମଧ୍ୟରୁ ‘କୃଷ୍ଣ’ ଅନ୍ୟତମ । ସନାତନ-ଧର୍ମ-ପରଂପରା ଓ ସାହିତ୍ୟ କ୍ଷେତ୍ରରେ ଏହି ନାମର ଅଜସ୍ର ଉଲ୍ଲେଖ ପରିଲକ୍ଷିତ ହୁଏ । ଖ୍ରୀ:ପୂ ୪ର୍ଥ ଶତାବ୍ଦୀବେଳକୁ ଶ୍ରୀକୃଷ୍ଣ ପରଂବ୍ରହ୍ମ ରୂପେ ସ୍ୱୀକୃତ ହୋଇସାରିଥିବା ଅନୁମିତ ହୁଏ । (୧) ଖ୍ରୀ:ପୂ : ୨ୟରୁ ଖ୍ରୀଷ୍ଟୀୟ ୨ୟ ଶତାବ୍ଦୀ ମଧ୍ୟରେ ରଚିତ ‘ମହାଭାରତ’ ମହାକାବ୍ୟରେ ଭୂ-ବାଚକ ‘କୃଷିଃ’ ଓ ନିବୃତ୍ତିବାଚକ ‘ଣ’ ସଂଯୋଗରେ ଗଠିତ ‘କୃଷ୍ଣ’ ଶବ୍ଦ ପରଂବ୍ରହ୍ମବାଚକ ବୋଲି ଉଲ୍ଲେଖ ଅଛି । ପଞ୍ଚରାତ୍ର ମତରେ ବାସୁଦେବ କୃଷ୍ଣ ନାରାୟଣ ବା ବିଷ୍ଣୁଙ୍କ ସହ ଏକାତ୍ମ ରୂପେ ଗୃହୀତ ହୋଇଛନ୍ତି । ‘ଶ୍ରୀମଦ୍‌ଭଗବଦ୍‌ଗୀତା’ ନାମକ ମହାଭାରତରେ ବିଶେଷ ଅଂଶଟିରେ ଶ୍ରୀକୃଷ୍ଣ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ନିମିତ୍ତ ଅବତୀର୍ଣ୍ଣ ହୋଇଥିବା ଭଗବାନ୍‌ ରୂପେ ବର୍ଣ୍ଣିତ ହୋଇଛନ୍ତି । ମାତ୍ର କୃଷ୍ଣଭକ୍ତିର ସର୍ବଶ୍ରେଷ୍ଠ ଗ୍ରନ୍ଥ ଭାବରେ ପରିଚିତ ‘ଶ୍ରୀମଦ୍‌ଭାଗବତ’ ଗ୍ରନ୍ଥ ସକଳ ଅବତାରକୁ ପରଂବ୍ରହ୍ମଙ୍କର ଅଂଶ ଓ ଶ୍ରୀକୃଷ୍ଣଙ୍କୁ ଷୋଡ଼ଶକଳାସଂପନ୍ନ ପୂର୍ଣ୍ଣ-ବ୍ରହ୍ମସ୍ୱରୁପ ବୋଲି ସ୍ୱୀକାର କରାଯାଇଛି । ସେ ଅଦୈତ ପରଂବ୍ରହ୍ମ । ସେ ସର୍ବଦା ସର୍ବତ୍ର ବିଦ୍ୟମାନ, ସର୍ବସ୍ୱରୂପ ପୁଣି ସର୍ବାତୀତ । (୨) ମାତ୍ର ଉତ୍କଳୀୟ ବୈଷ୍ଣବଧର୍ମର ଅନୁଗାମୀ ଅଧ୍ୟାତ୍ମବାଦୀଗଣ ଶ୍ରୀଜଗନ୍ନାଥଙ୍କୁ ରାଧାକୃଷ୍ଣଙ୍କର ଅଭିନ୍ନ ପ୍ରେମମୟ ବିଗ୍ରହ ଭାବେ କଳ୍ପନା କରିଛନ୍ତି । (୩) ଶୁଦ୍ଧରାଗାନୁଗା ଭକ୍ତିର ଅନନ୍ୟ ପ୍ରଚାରକ ଶ୍ରୀଚୈତନ୍ୟ ମଧ୍ୟ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ନନ୍ଦନନ୍ଦନ ଶ୍ରୀକଷ୍ଣଙ୍କୁ ଦେଖିଛନ୍ତି ।

 

ଶ୍ରୀଜଗନ୍ନାଥ ଓ ଶ୍ରୀକୃଷ୍ଣ ଏକ ଓ ଅଭିନ୍ନ ବୋଲି ଗୃହୀତ ହୋଇଥିଲେ ମଧ୍ୟ ‘ଶ୍ରୀମଦ୍‌ଭାଗବତ’ ମହାପୁରାଣରେ ଶ୍ରୀଜଗନ୍ନାଥଙ୍କର ଉଲ୍ଲେଖ ନାହିଁ ବୋଲି ଅନେକଙ୍କ ଧାରଣା, ମାତ୍ର ବ୍ୟାସକୃତ ଏହି ଶ୍ରେଷ୍ଠ ବୈଷ୍ଣବଗ୍ରନ୍ଥଟିର ପ୍ରତ୍ୟକ୍ଷ ଅଧ୍ୟୟନ କଲେ ଏଥିରେ ଅନେକ ସ୍ଥଳରେ ଜଗନ୍ନାଥଙ୍କର ଉଲ୍ଲେଖ ଥିବା ପରିଲକ୍ଷିତ ହୁଏ । ରାକ୍ଷସମାନଙ୍କ ଦ୍ୱାରା ନିପୀଡ଼ିତା ଧରଣୀ ସମେତ ଦେବତାମାନଙ୍କୁ ସଂଗରେ ନେଇ ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା କ୍ଷୀରସାଗର ତଟରେ ପରମପୁରୁଷଙ୍କୁ ପୁରୁଷସୂକ୍ତିରେ ସ୍ତୁତି କରିଥିବା କଥା ସଂସ୍କୃତ ଭାଗବତରେ ବର୍ଣ୍ଣିତ ଅଛି । କାଳୀୟନାଗର ଦର୍ପଦଳନ ପରେ ସେ ଶ୍ରୀକୃଷ୍ଣଙ୍କ ଆଦେଶ ଶିରୋଧାର୍ଯ୍ୟ କରି ରମଣକ ଦ୍ୱୀପକୁ ଯିବା ପୂର୍ବରୁ ତାଙ୍କୁ ପୂଜା ଓ ପରିକ୍ରମା କରିବା ପ୍ରସଙ୍ଗରେ କୁହାଯାଇଛି-

 

‘‘ପୂଜୟିତ୍ୱା ଜଗନ୍ନାଥଂ ପ୍ରାସାଦ୍ୟ ଗରୁଡ଼ଧ୍ୱଜମ୍,

ତତଃ ପ୍ରୀତୋଭ୍ୟନୁଜ୍ଞାତ ପରିକ୍ରମାଭିବନ୍ଦ୍ୟତାମ୍ ।।

(ଭାଗବତ ୧୦/୧୬/୬୬)

 

କଂସର ନିର୍ଦ୍ଦେଶକ୍ରମେ ଅକ୍ରୁର କୃଷ୍ଣ ଓ ବଳରାମଙ୍କୁ ନିମନ୍ତ୍ରଣ କରି ଆଣିଥିଲେ । କିନ୍ତୁ ମଥୁରାରେ ପ୍ରବେଶ ପରେ ପ୍ରଥମେ ତାଙ୍କୁ ନିଜ ଆବାସକୁ ନେଇଯାଇଥିଲେ ଓ ସେଠାରେ ଭକ୍ତିଗଦ୍‌ଗଦ୍‌ ହୃଦୟରେ ସ୍ତୁତି କରି କହିଥିଲେ-

 

‘‘ଦେବଦେବ ଜଗନ୍ନାଥ ପୁଣ୍ୟ ଶ୍ରବଣକୀର୍ତ୍ତନେ ।

ଯଦୂତ୍ତମୋତ୍ତମଶ୍ଳୋକ ନାରାୟଣ ନମସ୍ତୁତେ ।’’

(ଭାଗବତ ୧୦/୪୧/୧୬)

 

ସେହିପରି ବ୍ରହ୍ମଶାପରେ ଏଣ୍ଡୁଅ ହୋଇଯାଇଥିବା ସୂର୍ଯ୍ୟବଂଶୀ ମହାରାଜ ନୃଗ ଭଗବାନ୍ ଶ୍ରୀକୃଷ୍ଣଙ୍କ ସ୍ପର୍ଶରେ ମୁକ୍ତି ପାଇ ନିଜ ଶରୀର ଧାରଣ କରିବା ପରେ ପୂର୍ବ ଜନ୍ମର କଥା ମନେପକାଇ ଭକ୍ତିପୂର୍ବକ ସ୍ତୁତି କରିଥିଲେ-

 

‘‘ଦେବଦେବ ଜଗନ୍ନାଥ ଗୋବିନ୍ଦ ପୁରୁଷୋତ୍ତମ,

ନାରାୟଣ ହୃଷୀକେଶ ପୁଣ୍ୟଶ୍ଳୋକାଚ୍ୟୁତାବ୍ୟୟ ।

(ଭାଗବତ ୧୦/୬୪/୨୭)

 

ଏଥିମଧ୍ୟରୁ କୌଣସିଠାରେ ନୀଳାଚଳନିବାସୀ ନିତ୍ୟପରମ ଜଗନ୍ନାଥଙ୍କର ଉଲ୍ଲେଖ ଅବଶ୍ୟ ନାହିଁ । କିନ୍ତୁ ‘ଶ୍ରୀମଦ୍‌ଭାଗବତ’ର ପ୍ରାରମ୍ଭରେ ମଙ୍ଗଳାଚରଣରେ ହିଁ ବ୍ୟାସଦେବ କୃଷ୍ଣଙ୍କର ଜଗନ୍ନାଥତ୍ୱ ବା ପରମପୁରୁଷତ୍ୱକୁ ବ୍ୟଞ୍ଜିତ କରିଛନ୍ତି । (୪)

 

ତେବେ ଜଗନ୍ନାଥଙ୍କୁ ରାଷ୍ଟ୍ରର ଶାସକ ଓ ନେତା ବୋଲି ସ୍ୱୀକାର କରୁଥିବା ଓଡ଼ିଶା ଓ ଓଡ଼ିଆଙ୍କର ମାନସିକତା ଜଗନ୍ନାଥ ଭାବାପ୍ଳୁତ । ତେଣୁ ନୀଳାଚଳବାସୀ ନିତ୍ୟ ପରମାତ୍ମା ଶ୍ରୀଜଗନ୍ନାଥଙ୍କ ମନ୍ଦିରବେଢ଼ା ମଧ୍ୟରେ ଭାଗବତ ଜ୍ଞାନର ଚର୍ଚ୍ଚା ଓ ପରିବେଷଣରେ କାଳାତିପାତ କରିଥିବା ଭକ୍ତକବି ଜଗନ୍ନାଥ ଦାସକୃତ ଓଡ଼ିଆ ଭାଗବତରେ ଜଗନ୍ନାଥଙ୍କର ଉଲ୍ଲେଖ ବାରମ୍ବାର ଓ ସଚେତନ ଭାବରେ କରାଯାଇଛି ।

 

ଏ ପ୍ରସଙ୍ଗରେ ଜଗନ୍ନାଥ ଦାସଙ୍କ ସମସାମୟିକ ତଥା ପୂର୍ବକାଳୀନ ଓଡ଼ିଶାର ଧର୍ମୀୟ ବାତାବରଣ ଉପରେ କିଞ୍ଚିତ୍ ଆଲୋକପାତ କରିବା ଆବଶ୍ୟକ ମନେହୁଏ । ସେ ସମୟକୁ ଶ୍ରୀଚୈତନ୍ୟଙ୍କ ପ୍ରଚାରିତ ଶୁଦ୍ଧାଭକ୍ତିଧର୍ମର ପ୍ଳାବନ ଏ ରାଜ୍ୟର ପ୍ରଜାକୁଳଠାରୁ ଆରମ୍ଭ କରି ରାଜା, ରାଜକର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ନିମଜ୍ଜିତ କରିପକାଇଥିଲା । ସମାଜଜୀବନ ତଥା ସାହିତ୍ୟକ୍ଷେତ୍ରରେ ରାଧା-କୃଷ୍ଣ ତଥା ଗୋପୀ-କୃଷ୍ଣ ପ୍ରେମରେ ଭୂରି ଭୂରି ବର୍ଣ୍ଣନା ତଥା ପରକୀୟା-ପ୍ରେମର ମହିମା କୀର୍ତ୍ତନ ସହିତ କୃଷ୍ଣଙ୍କୁ ଅପ୍ରାକୃତ ପ୍ରେମମୂର୍ତ୍ତି ରୂପେ ଭକ୍ତି ନିବେଦନ ଅଜସ୍ର ଅଜସ୍ର ଧାରାରେ ଲୋକମାନସକୁ ଆପ୍ଳୁତ କରିଥିଲା । ଏହାସତ୍ତ୍ୱେ ଓଡ଼ିଶାର ସୁପ୍ରାଚୀନ ଯୋଗସାଧନ, ପିଣ୍ଡବ୍ରହ୍ମାଣ୍ଡବାଦ, ଶୂନ୍ୟତତ୍ତ୍ୱ ଆଧାରିତ ବ୍ରହ୍ମଜ୍ଞାନଚର୍ଚ୍ଚାର ମହାନ୍ ପରମ୍ପରା ଜ୍ଞାନମିଶ୍ରା ଭକ୍ତିଧର୍ମ ସ୍ୱକୀୟ ମର୍ଯ୍ୟାଦାରେ ଉର୍ଜ୍ଜ୍ୱସ୍ୱଳ ଥିଲା । ସର୍ବୋପରି ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କୁ ଆଶ୍ରୟ କରି ଏ ମାଟିର ସନ୍ଥଶ୍ରେଷ୍ଠ ସିଦ୍ଧପୁରୁଷଗଣ ଏହି ପରମ୍ପରାର ଧାରାପ୍ରବାହକୁ ସ୍ୱକୀୟ ସାହିତ୍ୟ ସୃଷ୍ଟି ମାଧ୍ୟମରେ ପରିବର୍ଦ୍ଧିତ କରିଥିଲେ । ସମକାଳୀନ ରାଧାକୃଷ୍ଣ ପ୍ରବଣତାକୁ ଲକ୍ଷ୍ୟ କରି ସେମାନେ ଏହି ନାମକୁ ନିଜନିଜ ରଚନାରେ ଆଧ୍ୟାତ୍ମିକ ପ୍ରତୀକ ଭାବେ ଗ୍ରହଣ କରିଛନ୍ତି । କେହି ରାଧାଙ୍କୁ ଜୀବାତ୍ମା ଓ କୃଷ୍ଣଙ୍କୁ ପରମାତ୍ମା ରୂପେ ଗ୍ରହଣ କରିଛନ୍ତି (୫) ତ କେହି ସହସ୍ରାର ଚକ୍ରରେ ସହସ୍ର ଗୋପୀ ମଧ୍ୟରେ ରାଧାକୃଷ୍ଣ ନିତ୍ୟରାସଲୀଳା କରୁଥିବାର ବିଶ୍ୱାସ କରିଛନ୍ତି (୬) । ଜଗନ୍ନାଥ ଦାସ ତ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦିବ୍ୟଜ୍ୟୋତି ମଧ୍ୟରେ ରାଧାକୃଷ୍ଣଙ୍କର ପ୍ରେମବିଳାସ ଦେଖିପାରିଛନ୍ତି । (୭) କାରଣ କୃଷ୍ଣକଥାର ପ୍ରତିଷ୍ଠା ପୂର୍ବରୁ ଏ ମାଟିରେ ଜଗନ୍ନାଥକଥାର ପ୍ରତିଷ୍ଠା ହୋଇସାରିଥିଲା । ତେଣୁ ବିଷ୍ଣୁ ବା କୃଷ୍ଣଙ୍କ ଭକ୍ତି-ସନ୍ଦେଶ ବହନ କରି ଏଠାକୁ ଆସିଥିବା ବୈଷ୍ଣବ ଆଚାର୍ଯ୍ୟଗଣ ଜଗନ୍ନାଥଙ୍କୁ ତଡ଼ି କୃଷ୍ଣ ବା ବିଷ୍ଣୁଙ୍କର ଏକକ ପ୍ରତିଷ୍ଠା କରିପାରି ନଥିଲା । କେବଳ କେତୋଟି ସ୍ୱତନ୍ତ୍ର ପୂଜାଚାରକୁ ଜଗନ୍ନାଥ-ମନ୍ଦିରରେ ପ୍ରଚଳିତ କରାଇଥିଲେ । (୮) ତେଣୁ ଭାଗବତର ଓଡ଼ିଆ ଭାଷାନ୍ତର କଲାବେଳେ ଜଗନ୍ନାଥ ଦାସ ଅନେକ ସ୍ଥାନରେ କୃଷ୍ଣ ପରିବର୍ତ୍ତେ ଜଗନ୍ନାଥଙ୍କ ନାମର ସଂଯୋଗ କରିଛନ୍ତି ।

 

ନୈମିଷାରଣ୍ୟରେ ସତ୍ରେଶ୍ୱର ମହାଯଜ୍ଞର ଅନୁଷ୍ଠାନ ପରେ ସମ୍ମିଳିତ ଋଷିଗଣ ସକଳ ପୁରାଣ ଇତିହାସାଦିରେ ବିଶାରଦ ସୂତମୁନିଙ୍କୁ ସାଂସାରିକ ମାୟାର ନିରଶନ ଓ ଜୀବାତ୍ମାର ଉଦ୍ଧାର ନିମିତ୍ତ ଶ୍ରୀହରିଙ୍କ କୃଷ୍ଣାବତାରର ପ୍ରୟୋଜନୀୟତା ସମ୍ପର୍କରେ ଜିଜ୍ଞାସା କରିଛନ୍ତି-

 

‘‘କି ପ୍ରୟୋଜନେ ଜଗନ୍ନାଥ । ଦେବକୀ ଉଦରେ ସମ୍ଭୂତ ।

ସେ ହେତୁ କହ ଶୁଦ୍ଧଚିତ୍ତେ । ଆମ୍ଭେ ପଚାରୁ ଜନହିତେ ।’’

(ଶ୍ରୀମଦ୍‌ଭଗବତ-୧/୧/୧୨)

 

ସେହି ଜଗନ୍ନାଥ ହିଁ ନୃସିଂହ । ସେ ହିଁ ଅନାଦି, ଅଥଚ ସମଗ୍ର ଜଗତର ଆଦି-ମଧ୍ୟ-ଅନ୍ତର କାରଣ । ସେହି ଶ୍ରୀହରିଙ୍କ ଚରିତ ଭାଗବତର ଶ୍ରବଣ ମାତ୍ରେ ହିଁ ‘ଅନାଦି ପ୍ରଭୁ ନାରାୟଣ’ ହୃଦୟରେ ଅଧିଷ୍ଠିତ ହୁଅନ୍ତି, ତ୍ରିତାପର କ୍ଷୟ ହୁଏ ଓ ମୋକ୍ଷ ମିଳିଯାଏ ।

 

‘ଶ୍ରୀମଦ୍‌ ଭାଗବତ’ ଅନୁସାରେ ସେହି ‘ବ୍ରାହ୍ମରାଶି’ ବା ଜଗନ୍ନାଥ ହିଁ ପଞ୍ଚମହାଭୂତ, ପଞ୍ଚଜ୍ଞାନେନ୍ଦ୍ରିୟ, ପଞ୍ଚକର୍ମେନ୍ଦ୍ରିୟ ଓ ମନ ଏହି ଷୋଳକଳାର ଆଧାର । ସେ ହିଁ ବେଦର ସହସ୍ରଶୀର୍ଷା ପୁରୁଷ ବା ‘ବିରାଟପୁରୁଷ’ । ସକଳ ଅବତାରର ମୂଳ ସେହି ମାୟାଧରଙ୍କ ଏକବିଂଶ ଅବତାରର ବର୍ଣ୍ଣନା କରିବା ସହିତ କଳିଯୁଗ ଶେଷରେ ‘ଜଗନ୍ନାଥ’ ମନ ହୁଁ ବେଗ ବଳବନ୍ତ ଅଶ୍ୱ ଆରୋହଣ କରି ନନ୍ଦକ ଖଡ଼୍‌ଗଧାରଣ ପୂର୍ବକ ଦୁଷ୍ଟସଂହାର କରିବେ ବୋଲି ସୂତମୁନି କହିଛନ୍ତି । ଏ ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ମନ୍ଦିରରେ ଅଙ୍କିତ ଦଶାବତାରର ଚିତ୍ର ସ୍ମରଣକୁ ଆସେ । ଅକ୍ରୂର ଶ୍ରୀକୃଷ୍ଣଙ୍କୁ ମଥୁରା ଘେନି ଯିବା କାଳରେ ସେ ଏହିପରି ନାନା ଅବତାର ଧାରଣ କରିଥିବାର ବର୍ଣ୍ଣନା କରିଛନ୍ତି ଓ ତାଙ୍କୁ ‘ଦେବଦେବ ଜଗନ୍ନାଥ’, ‘ଜଗତ୍‌ପାଳକ’ ରୂପେ ସ୍ତୁତି କରିଛନ୍ତି । ଅଶ୍ୱତ୍‌ଥାମାର ବ୍ରହ୍ମଶର ଭୟରେ ଅସମ୍ଭାଳ କେଶବାସରେ ଧାବନରତା ପାଣ୍ଡବକୁଳବଧୂ ଉତ୍ତରା ବିକଳରେ ବେନି କର ତୋଳି ପ୍ରାର୍ଥନା କରିଛି-

 

‘‘ହେ ଦେବେଦେବ ଜଗନ୍ନାଥ । ଭାରା ନିବାରେ ତୁହି ଜାତ ।

ଅନାଥନାଥ ଭାବଗ୍ରାହୀ । ମୋତେ ସଂକଟୁ କର ତ୍ରାହି ।

ତୋ ତହୁଁ ନ ଜାଣଇ ଆନ । ଅଭୟ ସଂକଟଭଞ୍ଜନ ।’’

(ଶ୍ରୀମଦ୍‌ଭାଗବତ-୧/୮/୯)

 

ସେହିପରି ସୃଷ୍ଟିତତ୍ତ୍ୱବର୍ଣ୍ଣନା ପ୍ରସଙ୍ଗରେ ଦେବଗଣ ବ୍ରହ୍ମାଣ୍ଡ ସୃଜିବାରେ ଅସମର୍ଥ ହୋଇ ‘କର ଅଞ୍ଜଳି ଶିରେ ଦେଇ’ ଜଣାଇଛନ୍ତି-

 

‘‘ସେ ପାଦପଦ୍ମ ଜଗନ୍ନାଥ । ନିରତେ ରୁହ ଆମ୍ଭ ଚିତ୍ତ ।’’ (୩/୫/୪୨)

 

କୃଷ୍ଣାବତାର ପୂର୍ବରୁ କଂସର ଅତ୍ୟାଚାରରେ ଉତ୍ପୀଡ଼ିତ ଦେବଗଣ ସ୍ୱପ୍ନରେ ନାରାୟଣଙ୍କ ନିର୍ଦ୍ଦେଶ ପାଇଥିବା ବେଦବର ବ୍ରହ୍ମାଙ୍କୁ ଉତ୍ସୁକତାର ସହିତ ପଚାରିଛନ୍ତି-‘‘x x x କି କି କହିଲେ ଜଗନ୍ନାଥ ।’’ ବ୍ରହ୍ମା ମଧ୍ୟ ‘ଆପଣେ ପ୍ରଭୁ ଜଗନ୍ନାଥ’ ଦେବକୀ ଗର୍ଭରୁ ଜାତ ହେବେ ଓ ଦୁର୍ଗାଙ୍କୁ ଯଶୋଦା କୋଳରେ ଯୋଗବଳରେ ଜାତ କରାଇବେ ବୋଲି ଉତ୍ତର ଦେଇଛନ୍ତି । ଦେବକୀ-ଗର୍ଭସ୍ଥ ଭଗବାନଙ୍କୁ ଗଂଗାଧର ଶିବ, ବେଦବର ବ୍ରହ୍ମାଙ୍କ ସମତେ ଦେବଗଣ ମଧ୍ୟ ‘ଜଗନ୍ନାଥ’ ବୋଲି ସ୍ତୁତି କରିଛନ୍ତି-

 

‘‘ଜଗତେ ତୋର ତହୁଁ ଜାତ ।

ଲୟ ପାଳନ ଜଗନ୍ନାଥ ।’’

(ଶ୍ରୀମଦ୍‌ ଭାଗବତ-୧୦/୩/୨୭)

 

ସକ୍ରାଜିତର ରନ୍ନମଣି-ହରଣ ପ୍ରସଙ୍ଗରେ ‘ପ୍ରଭୁ ଜଗନ୍ନାଥ’ ସକ୍ରାଜିତ ସହ ଆଲୋଚନା କରିବା କଥା କୁହାଯାଇଛି । ନାରକାସୁରବଧ ପରେ ତା’ର ମାତା ଭୂମି ନାରକର ପୁତ୍ରକୁ ସଂଗରେ ଘେନି କୃଷ୍ଣଙ୍କ ପାଦତଳେ ସମର୍ପିତ କରାଇଛନ୍ତି ଓ ‘‘ଏହାକୁ ରଖ ଜଗନ୍ନାଥ । ଶିରେ ନିବେଶି ପଦ୍ମହସ୍ତ ।’’ ବୋଲି ନିବେଦନ କରିଛନ୍ତି । ଜରାସନ୍ଧ ବଧ ପରେ ପାର୍ଥ ଓ ଜଗନ୍ନାଥ ବୃକୋଦରର ହସ୍ତ ଧରି ଜୟ-ଶବଦ କରିବାର ବର୍ଣ୍ଣନା ରହିଛି । ବାସୁଦେବଙ୍କ ଯଜ୍ଞାନୁଷ୍ଠାନ ପ୍ରସଙ୍ଗରେ ମଧ୍ୟ ନାରଦ ତାଙ୍କୁ ପ୍ରଶଂସା କରି କହିଛନ୍ତି-

 

‘‘ପରମ ଭକ୍ତିଭାବ ଭରି । ପୂର୍ବେ ପୂଜିଲୁ ନରହରି ।

ଅନାଦି ପ୍ରଭୁ ଜଗନ୍ନାଥ । ତୋହର ପୁତ୍ର ରୂପେ ଜାତ ।’’

(୧୦/୯୦/୩୯)

 

ସମୁଦ୍ର-ମନ୍ଥନୋଦ୍‌ଭୂତ ଅମୃତକୁ ଅସୁରଙ୍କ ହାତରୁ ଉଦ୍ଧାର କରିବା ପାଇଁ ଦେବଗଣ ନାରାୟଣଙ୍କୁ ସ୍ତୁତି କରିଛନ୍ତି-

 

‘‘ଅମୃତ ଭକ୍ଷିଲେ ଅସୁରେ । ଆମ୍ଭେ କି ଥିବୁ ସ୍ୱର୍ଗପୁରେ ।

ନିଶ୍ଚୟେ ହୋଇଲୁ ଅନାଥ । ଶରଣ ରଖ ଜଗନ୍ନାଥ ।’’

(୮/୮/୩୭)

 

ଜଗନ୍ନାଥ ଦାସଙ୍କ ଭାଗବତ ଅନୁସାରେ ଜଗନ୍ନାଥ ସ୍ୱୟଂ ପରଂବ୍ରହ୍ମ । ସେ ନିତ୍ୟ. ନିର୍ଗୁଣ, ଭଗବାନ; ସେ ନିତ୍ୟଆନନ୍ଦମୟ । ସେ କ୍ଷୟ-ବୃଦ୍ଧି, ଆଧି-ଉପାଧି-ବର୍ଜିତ । ସେ ସୃଷ୍ଟି-ସ୍ଥିତି-ପ୍ରଳୟର କାରଣ । ତାଙ୍କୁ କରଭାଜନ ଋଷି ‘‘ନମସ୍ତେ ପ୍ରଭୁ ଜଗନ୍ନାଥ । ଯାର ଶରୀରରୁ ଏ ଜଗତ ବୋଲି ସ୍ତୁତି କରିଛନ୍ତି । ଶ୍ରୁତିଗଣ ମଧ୍ୟ ଭଗବାନଙ୍କୁ ଅଜିତ, ନିର୍ଲେପ, ପରମାନନ୍ଦ ଆଦି ବିଶେଷଣରେ ବିଶେଷିତ କରିବା ସହିତ ‘‘ଜୟ ମଂଗଳ ଜଗନ୍ନାଥ’’ ଏ ଜୀବ ତୋର ତହୁଁ ଜାତ ।’’ ବୋଲି ସ୍ୱୀକାର କରିଛନ୍ତି ।

 

ଏହି ଜଗନ୍ନାଥ ବିଷ୍ଣୁ, କୃଷ୍ଣ ଓ ନାରାୟଣଙ୍କଠାରୁ ଅଭିନ୍ନ । ପୁଣି ସକଳ ଅବତାରର ମୂଳ ଅବତାରୀ । ଅସୁର ସଂହାର କରି ଭୂଭାର ହରଣ ଓ ସାଧୁଙ୍କୁ ଉଦ୍ଧାର କରିବା ପାଇଁ ସେ ଦେବକୀର ଅଷ୍ଟମ ଗର୍ଭରୁ ଜନ୍ମି ନନ୍ଦ-ଗୋପପୁରରେ ନାନା ଲୀଳା କରିଥିଲେ । ଗୋପପୁରର ମାଧୁର୍ଯ୍ୟଲୀଳା ଓ ଦ୍ୱାରକାପୁରର ଐଶ୍ୱର୍ଯ୍ୟକଳା ପରିସମାପ୍ତିର ସ୍ତରରେ ପହଞ୍ଚିଥିବାରୁ ଦେବଗଣ ତଥା ବ୍ରହ୍ମା କୃଷ୍ଣଙ୍କୁ ସ୍ୱଧାମ ପ୍ରତ୍ୟାବର୍ତ୍ତନ ନିମିତ୍ତ ନିବେଦନ କରିଥିଲେ । ସେହି ଅବକାଶରେ ବ୍ରହ୍ମଙ୍କ ମୁଖରେ କୁହାଯାଇଛି-

 

‘‘ହେ ଦେବଦେବ ଜଗନ୍ନାଥ । ହେ ହୃଶୀକେଶ ପରମାର୍ଥ ।

ଗୋବିନ୍ଦ କୃଷ୍ଣ ଦାମୋଦର । ଖଣ୍ଡିଲ ଅବନୀର ଭାର ।’’

(୧୧/୭/୨୬)

 

ସେ ହୃଷିକେଶ-ଆନନ୍ଦର ଅଧୀଶ୍ୱର । ଉପନିଷଦ ବ୍ରହ୍ମଙ୍କୁ ଆନନ୍ଦ ରୂପେ ଉପାସନା କରିବାକୁ ନିର୍ଦ୍ଦେଶ ଦେଇଛି । (୯) ତାଙ୍କୁ ସତ୍‌, ଚିତ୍‌ ଓ ଆନନ୍ଦ ଭାବରେ ଗ୍ରହଣ କରିଛି । (୧୦) ଏହା ସେହି ଭାବନାର ପୁନରାବୃତ୍ତି ମାତ୍ର ।

 

କେବଳ ଭୂଭାର-ହରଣ ନୁହେଁ, ଅନେକ ଜନ୍ମର ସିଦ୍ଧି ଫଳରେ ଦୁର୍ଲଭ ମାନବ-ଶରୀର ଲାଭ କରିଥିବା ପ୍ରାଣୀର ଅଜ୍ଞାତଜନିତ ମାୟାମୋହ ଦୂରକରି ତାକୁ ମୁକ୍ତି ବା ଭଗବତ୍ ପ୍ରାପ୍ତି ଦିଗରେ ଅଗ୍ରସର କରାଇବାର ଦାୟିତ୍ୱ ମଧ୍ୟ ନିର୍ବାହ କରିଥା’ନ୍ତି । ଏକାଦଶ ସ୍କନ୍ଧର ପଞ୍ଚଦଶ ଅଧ୍ୟାୟରେ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଜ୍ଞାନୋପଦେଶ ଦେବା ପ୍ରସଙ୍ଗରେ ତାଙ୍କୁ ‘ଜଗନ୍ନାଥ’ ରୂପେ ଅଭିହିତ କରାଯାଇଛି । ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଉଦ୍ଧବ କୃଷ୍ଣଙ୍କଠାରୁ ଜ୍ଞାନ ଲାଭ କରିବା ପରେ ତାଙ୍କ ପାଦପଦ୍ମରେ ନମସ୍କାର କରି ଓ ତାଙ୍କୁ ପ୍ରଦକ୍ଷିଣ କରି ତାଙ୍କରି ନିର୍ଦ୍ଦେଶ ଅନୁସାରେ ତାଙ୍କର ପ୍ରିୟ ତୀର୍ଥ ବଦରିକାଶ୍ରମକୁ ଯାତ୍ରା କରିବାର କଥା ବିଦୂରଙ୍କ ନିକଟରେ ପ୍ରକାଶ କରିବାକୁ ଯାଇ କହିଛନ୍ତି-

 

‘‘ସେ ତୀର୍ଥପାଦ ଜଗନ୍ନାଥ ।

ମୋହର ଭାବେ ଆରାଧିତ ।’’

 

ଉଦ୍ଧବ ଶ୍ରୀକୃଷ୍ଣଙ୍କ ସ୍ନେହରେ ରୋମାଞ୍ଚିତ ଗାତ୍ର ଓ ଅଶ୍ରୁପୂର୍ଣ୍ଣ କୁଳନେତ୍ର ହୋଇ ମସ୍ତକରେ ଦୁଇହସ୍ତ ନମସ୍କାରମୁଦ୍ରାରେ ନ୍ୟସ୍ତ କରି ଗଦ୍‌ଗଦ୍ ଭାଷାରେ କହିଛନ୍ତି-

 

‘‘ଭୋ ନାଥ ତୋର ପାଦପଦ୍ମ । ଯେ ପ୍ରାଣୀ ଭଜନ୍ତି ଆନନ୍ଦ ।

ତାଙ୍କୁ ଏ ଅଶେଷ ଜଗତେ । ଧର୍ମାର୍ଥ କାମ ମୋକ୍ଷପଥ ।

ଦୁର୍ଲଭ ନୋହେ ଲଭିବାର । ଏ ନିଶ୍ଚେ ମୋହର ବିଚାର ।’’

(୩/୪/୧୫)

 

କବି ସମ୍ରାଟ ଉପାନ୍ଦ୍ର ଭଞ୍ଜ ‘ଜଗନ୍ନାଥ’ ‘ଚାରିବର୍ଣ୍ଣ ଚଉବର୍ଗ ଦେବାକୁ ସମର୍ଥ’ ବୋଲି ଉଦାତ୍ତ ସ୍ୱରରେ ଘୋଷଣା କରିଯାଇଛନ୍ତି । ପରବର୍ତ୍ତୀ କାଳର ଜନୈକ ଭକ୍ତକବି ମଧ୍ୟ କହିଛନ୍ତି-

 

‘‘ଜଗନ୍ନାଥ ଦରଶନେ କି ଅବା ଦୁର୍ଲ୍ଲଭ,

ଧର୍ମ ଅର୍ଥ କାମ ମୋକ୍ଷ ସବୁ ହୁଏ ଲାଭ ।’’

 

ଭାରତୀୟ ଆର୍ଯ୍ୟ ପରମ୍ପରାରେ ଧର୍ମାର୍ଥକାମମୋକ୍ଷାଦି ଯେଉଁ ପୁରୁଷାର୍ଥଚଚୁଷ୍ଟୟ ବା ଚତୁର୍ବର୍ଗର ନିର୍ଦ୍ଦେଶ କରାଯାଇଛି, ତନ୍ମଧ୍ୟରୁ ମୋକ୍ଷ ବା ମୁକ୍ତି ହିଁ ଶ୍ରେଷ୍ଠ-ପରମପୁରୁଷାର୍ଥ । ମାନବଜୀବନର ଚରମ ଧ୍ୟେୟ ଏହି ମୁକ୍ତି ବା ମୋକ୍ଷକୁ ବ୍ରହ୍ମପ୍ରାପ୍ତି, କୃଷ୍ଣପ୍ରାପ୍ତି ବା ନାରାୟଣ ପ୍ରାପ୍ତି ମଧ୍ୟ କୁହାଯାଏ । ଭାଗବତ ଅନୁସାରେ ବାସୁଦେବ କୃଷ୍ଣ, ଦାଶରଥି, ରାମ, କ୍ଷୀରାବ୍‌ଧଶାୟୀ ନାରାୟଣ ସ୍ୱୟଂ ପରଂବ୍ରହ୍ମ ବା ଜଗନ୍ନାଥଙ୍କଠାରୁ ଅଭିନ୍ନ । ତେଣୁ ମୁକ୍ତି ବା କୈବଲ୍ୟକୁ ଜଗନ୍ନାଥପ୍ରାପ୍ତି ବୋଲି ମଧ୍ୟ କୁହାଯାଇପାରେ । ବସ୍ତୁତଃ ଏହା କୌଣସି ଭୌତିକ ବସ୍ତୁରୁ ପ୍ରାପ୍ତି ନୁହେଁ; ଆତ୍ମାର ମୌଳିକ ସ୍ୱରୁପରେ ଅବସ୍ଥିତି ମାତ୍ର । ଜୀବର ମୂଳସ୍ୱରୂପ ସେହି ପରମାତ୍ମା କୃଷ୍ଣ ବା ଜଗନ୍ନାଥ । ଜଗନ୍ନାଥ ଦାସଙ୍କ ଭାଗବତର ଉକ୍ତି ଅନୁସାରେ-

 

‘‘ଏ ଜୀବଆତ୍ମା ମହେଶ୍ୱର,

ସୂକ୍ଷ୍ମ ନିର୍ମଳ ନିରାକାର ।’’

 

ଚନ୍ଦ୍ରର କ୍ଷୟ-ବୃଦ୍ଧି ଯେପରି ଲୋକ-ଲୋଚନର ଭ୍ରାନ୍ତି, ଜୀବର ଜନ୍ମ-ମରଣ, ଜରା-ବ୍ୟାଧି ମଧ୍ୟ ସେହିପରି ଆଭାସ ମାତ୍ର । ଋଗ୍‌ବେଦୋକ୍ତ ‘ଦ୍ୱାସୁପର୍ଣ୍ଣା’ର ଅନୁରୂପ ଫଳାହାର ଓ ଅନାହାର କରୁଥିବା ଯୁଗଳପକ୍ଷୀର ରୂପକଳ୍ପ ମାଧ୍ୟମରେ ‘ଭାଗବତ’ରେ ସେହି ସତ୍ୟର ପ୍ରତିପାଦନ କରାଯାଇଛି । ପୁଣି ପୁରଞ୍ଜନ ଉପାଖ୍ୟାନରେ ପରବର୍ତ୍ତୀ ଜନ୍ମରେ ବିଦର୍ଭ ରାଜକୁମାରୀ ହୋଇ ମୋହାବେଶରେ ରୋଦନ କରୁଥିବା ପୁରଞ୍ଜନ ଓ ତା’ର ସଖା ମଧ୍ୟ ଜୀବ ଓ ପରମର ପ୍ରତୀକ ରୂପେ ବର୍ଣ୍ଣିତ ହୋଇଛନ୍ତି । ଉଭୟ ବସ୍ତୁତଃ ଏକ ଓ ଅଭିନ୍ନ ହେଲେ ମଧ୍ୟ ଅଜ୍ଞାନରେ ଆବୃତ ଜୀବ ଆତ୍ମାସ୍ୱରୂପକୁ ବିସ୍ମୃତି ହୋଇଯାଇଥାଏ । ହୃଦୟର ଗ୍ରନ୍ଥିମୋଚନ ନ ହେବା ଯାଏ ଜୀବ ମାୟାମୋହରେ ଜଡ଼ିତ ହୋଇ ନାନା ଦୁଃଖ ପାଉଥାଏ । ବିଷୟ-ବାସନା ତୁଟି ହୃଦୟରେ ବୈରାଗ୍ୟ ଓ ଜ୍ଞାନର ଉଦୟ ହେଲେ ଐଶୀ-କୃପା ବଳରେ ଆତ୍ମଦର୍ଶନ ସମ୍ଭବ ହୁଏ । ଜଗନ୍ନାଥ ଦାସ ଭାଗବତରେ ସୁନ୍ଦର ଉପମା ମାଧ୍ୟମରେ ଭଗବାନ୍ ଶ୍ରୀକୃଷ୍ଣଙ୍କ ମୁଖରେ ଏହି ତତ୍ତ୍ୱଟି ବୁଝାଇ ଦେଇଛନ୍ତି-

 

‘‘ସୂର୍ଯ୍ୟ ଉଦୟେ ତମ ନାଶ । ଜଗତ ସ୍ୱରୂପ ପ୍ରକାଶ ।

ନ ଥାଏ କିଛି ତା ବିକାର । କେବଳ ଆକାଶ ମାତର ।

ତେସନେ ମୋର କୃପାଦୃଷ୍ଟି । ଖଣ୍ଡଇ ସକଳ ଅରିଷ୍ଟି ।

ଅଜ୍ଞାନ ତମ ଯାଏ ଦୂର । ଦିଶଇ ଆତ୍ମା ନିର୍ବିକାର ।’’

 

‘ଶ୍ରୀମଦ୍‌ଭଗବଦ୍‌ ଗୀତା’ରେ ଏହି ଅବସ୍ଥାକୁ ବ୍ରାହ୍ମୀସ୍ଥିତି ବୋଲି କୁହାଯାଇଛି । ଏହି ଅବସ୍ଥା ପ୍ରାପ୍ତ ହେଲେ ମାନବର ସକଳ ପ୍ରବୃତ୍ତି ବ୍ରହ୍ମମୟ ହୋଇଯାଏ ।

 

ସନାତନ ଧର୍ମଦର୍ଶନରେ ସାମୀପ୍ୟ, ସାଲୋକ୍ୟ, ସାରୁପ୍ୟ, ସାର୍ଷ୍ଟି ଓ ସାଯୁଜ୍ୟ ଭେଦରେ ପଞ୍ଚବିଧ ମୁକ୍ତିର ଉଲ୍ଲେଖ କରାଯାଇଛି । ଭଗବତ୍‌-ସାନ୍ନିଧ୍ୟ-ଲାଭକୁ ସାମୀପ୍ୟ, ପରମଲୋକ ପ୍ରାପ୍ତିକୁ ସାଲୋକ୍ୟ, ଭଗବାନ୍‌ଙ୍କ ତୁଲ୍ୟ ରୂପତାପ୍ରାପ୍ତିକୁ ସାରୂପ୍ୟ, ଭଗବତ୍‌-ଐଶ୍ୱର୍ଯ୍ୟପ୍ରାପ୍ତିକୁ ସାର୍ଷ୍ଟି ଓ ଭଗବାନଙ୍କ ସହିତ ସମରସ ବା ଏକାକାର ହେବା ହିଁ ସାଯୁଜ୍ୟ ମୁକ୍ତି । ଏହି ସାଯୁଜ୍ୟ ମୁକ୍ତିରେ ଜୀବ-ବ୍ରହ୍ମ, ଭକ୍ତ-ଭଗବାନ୍‌ ବା ଜ୍ଞାତା-ଜ୍ଞେୟ ଭେଦ ରହେ ନାହିଁ । କେବଳ ଅହେତୁକୀ ଭଗବତ୍‌ପ୍ରେମ ଓ ବ୍ରହ୍ମାନନ୍ଦ-ଆସ୍ୱାଦନ ବା କୈବଲ୍ୟର ଉପଲବ୍ଧି ହିଁ ଘଟିଥାଏ । ସାଗର-ସଂଗମ ଲାଭରେ ସ୍ରୋତସ୍ୱତୀର ସ୍ୱତନ୍ତ୍ର ସତ୍ତାଲୋପ ତୁଲ୍ୟ ଏହି ମୁକ୍ତି ପୁଣି ଦ୍ୱିବିଧ : ଅପରା ଓ ପରା । ପରାମୁକ୍ତି ବିଦେହ ମୁକ୍ତି; ମାତ୍ର ପ୍ରାରବ୍‌ଧ କର୍ମ ଶେଷ ନ ହେବା ପର୍ଯ୍ୟନ୍ତ ବ୍ରହ୍ମଦର୍ଶୀ ମଧ୍ୟ ଅପରାମୁକ୍ତି ବା ଜୀବନ୍ନୁକ୍ତ ଅବସ୍ଥାରେ ରହି ନିର୍ବିକାର ନିଃସ୍ପୃହ ଭାବରେ ଦୁଃଖ-ସୁଖ ଭୋଗ କରିଥାଏ ।

 

ଆତ୍ମସ୍ୱରୂପ ପ୍ରାପ୍ତି ପାଇଁ ମନୁଷ୍ୟ କର୍ମଯୋଗ, ଜ୍ଞାନଯୋଗ, ଭକ୍ତିଯୋଗ ଆଦି ନାନା ସାଧନାମାର୍ଗ ଅବଲମ୍ବନ କରିଥାଏ । କାମ୍ୟକର୍ମ ପରିତ୍ୟାଗ କରି କେବଳ ନିତ୍ୟନୈମିତ୍ତିକ କର୍ମ ବା ସ୍ୱଧର୍ମ ଆଚରଣ ଦ୍ୱାରା ହିଁ ମନୁଷ୍ୟ କର୍ମଫଳ ଓ ଗୁଣମୟ ଦେହକୁ ଦହନ କରି କେବଳ ସାତ୍ତ୍ୱିକ ଭାବରେ ରହି କ୍ରମେ ନିର୍ଗୁଣ ଅବସ୍ଥା ପ୍ରାପ୍ତ ହୋଇଥାଏ । କେହି କେହି ଜ୍ଞାନମାର୍ଗକୁ ଆଶ୍ରୟ କରି ଜ୍ଞାନାଗ୍ନି ଦ୍ୱାରା କର୍ମକୁ ଭସ୍ମୀଭୂତ କରିଥାନ୍ତି; ନିର୍ମଳ ଜ୍ଞାନର ପ୍ରକାଶ ଦ୍ୱାରା ଜନ୍ମ-ମୃତ୍ୟର ବନ୍ଧନରୁ ମୁକ୍ତି ହୋଇଥା’ନ୍ତି । ଗୁରୁ-ଉପଦେଶ, ବୈରାଗ୍ୟ, ସଦାଚାର, ଇନ୍ଦ୍ରିୟଜୟ, ଚିତ୍ତନିରୋଧ, ଆତ୍ୱା-ଅନାତ୍ମବିବେକଦ୍ୱାରା ମନ ପ୍ରସନ୍ନ ଓ ଦେହାଭିମାନଶୂନ୍ୟ ହେଲେ ଅଜ୍ଞାନାନ୍ଧକାର ବିଦୂରିତ ହୁଏ ଓ ଜୀବ ଅଖଣ୍ଡ ବ୍ରହ୍ମାନନ୍ଦରେ ବିହାର କରେ । ଧ୍ୟାନଯୋଗ ବା ରାଜଯୋଗଦ୍ୱାରା ମଧ୍ୟ ଚଞ୍ଚଳ ଓ ଦୁର୍ଜୟ ମନକୁ ଜୟକରି ଯୋଗୀ ଅନ୍ତର ମଧ୍ୟରେ ପରମାତ୍ମାଙ୍କୁ ଦର୍ଶନ କରି ତାଙ୍କ ସହିତ ସମରସ ହୋଇ ନିଜର ସ୍ୱତନ୍ତ୍ର ଅସ୍ତିତ୍ୱ ବିସ୍ମୃତ ହୋଇଯାଏ । ଭକ୍ତି ଅର୍ଥାତ୍‌ ପରମାତ୍ମାଙ୍କ ପ୍ରତି ଆବେଗପୂର୍ଣ୍ଣ ଅତ୍ୟନ୍ତ ଅନୁରକ୍ତିଦ୍ୱାରା ମଧ୍ୟ ସ୍ତ୍ରୀ, ଶୂଦ୍ର, ମୁର୍ଖ, ଚାଣ୍ଡାଳାଦି, ନିର୍ବିଶେଷରେ ସକଳ ମନୁଷ୍ୟ ପରମାତ୍ମାସାଯୁଜ୍ୟ ଲାଭ କରିଥା’ନ୍ତି । ‘ଭାଗବତ’ରେ ସକଳ ମାର୍ଗର ଉତ୍କର୍ଷ କଥିତ ହୋଇଛି । ସକଳ ମାର୍ଗର ପରିଣାମ ଇଶ୍ୱର-ପ୍ରାପ୍ତି’ ‘କେବଳ ମାର୍ଗ ମାତ୍ର ଭେଦ’ ବୋଲି କୁହାଯାଇଛି । କିନ୍ତୁ ଉକ୍ତିକୁ ହିଁ ମୋକ୍ଷଲାଭର ସର୍ବୋତ୍ତମ ଉପାୟ ରୂପେ ସ୍ୱୀକାର କରାଯାଇଛି । ଅଧିକନ୍ତୁ ଅନ୍ୟାଭିଳାଷଶୂନ୍ୟ ନିର୍ମଳ ଭଗବତ୍‌ ପ୍ରେମ ନିକଟରେ ମୁକ୍ତି ମଧ୍ୟ ତୁଚ୍ଛ ବୋଲି କୁହାଯାଇଛି । ଏହି ଐକାନ୍ତିକୀ ଭକ୍ତିରେ ହୃଦୟ ଦ୍ରବୀଭୂତ ହେଲେ ବାହ୍ୟଜ୍ଞାନ ଲୁପ୍ତ ହୁଏ । ହୃଦୟାବେଗର ଆତିଶଯ୍ୟରେ ଭକ୍ତ ନୃତ୍ୟ, ଗୀତ,ପ୍ରଳାପ ଆଦି କରେ ଅଥବା ଜଡ଼ ହୋଇଯାଏ । ସମଗ୍ର ଜଗତ ତାକୁ କୃଷ୍ଣ ବା ଜଗନ୍ନାଥମୟ ବୋଧହୁଏ-

 

‘‘ଜଗତ କୃଷ୍ଣ ପ୍ରାୟ ମଣେ । ନମଇ ଜନଙ୍କ ଚରଣେ ।

ତୁଣ୍ଡେ ବୋଲଇ ହରି ହରି । ସେ ଜଗନ୍ନାଥ ଦଇତାରି ।’’

 

ଶ୍ରୀ ଜଗନ୍ନାଥ ଭାବ ଓ ଭକ୍ତିର ବଶ । ‘ଶ୍ରୀମଦ୍‌ଭାଗବତ’ରେ ବର୍ଣ୍ଣିତ ବୃନ୍ଦାବନଧାମର ରାସଲୀଳାରେ ପ୍ରତ୍ୟେକ ଗୋପୀ ପରମପୁରୁଷ କୃଷ୍ଣଙ୍କର ଐକାନ୍ତିକ ସାନ୍ନିଧ୍ୟ ଲାଭ କରି କୃତାର୍ଥ ହେଲାପରି ଗୁପ୍ତ ବୃନ୍ଦାବନରେ କଳାଠାକୁରଙ୍କ ଅପାର କାରୁଣିକତା ଭକ୍ତ ଓ ଭାବୁକମାନଙ୍କୁ କୃତକୃତ୍ୟ କରିଥାଏ । ଭାଗବତର ବର୍ଣ୍ଣନାନୁଯାୟୀ ସେ ସକଳ ପ୍ରାଣୀଙ୍କର ‘ଦେହ ଜୀବନର ଠାକୁର’, ପୁଣି ‘ଅନାଦି ଜ୍ୟୋତି ନିରଞ୍ଜନ’ ସ୍ୱରୂପ । ଶ୍ରୀ ଜଗନ୍ନାଥ କୈବଲ୍ୟଦାତା । ତାଙ୍କର ପ୍ରସାଦ-ମହାପ୍ରସାଦ ମଧ୍ୟ କୈବଲ୍ୟ ରୂପେ ଅଭିହିତ । ମୁକ୍ତିପ୍ରଦାୟକ ମହାପୁରାଣ ‘ଶ୍ରୀମଦ୍‌ଭାଗବତ’ ତାଙ୍କର ସ୍ୱରୂପ ଓ ଲୀଳାର ପରିପ୍ରକାଶ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

‘ସ୍କନ୍ଦପୁରାଣ’ ଅନ୍ତର୍ଗତ ‘ଶ୍ରୀମଦ୍‌ଭାଗବତ ମାହାତ୍ମ୍ୟ’ରେ ଶ୍ରୀ ଭଗବାନ୍‌ ଓ ‘ଶ୍ରୀମଦ୍‌ଭାଗବତ’ର ସ୍ୱରୂପସାମ୍ୟ ସ୍ୱୀକୃତ ହୋଇଛି-

 

‘‘ଶ୍ରୀମଦ୍‌ଭାଗବତସ୍ୟାଥ ଶ୍ରୀମଦ୍‌ ଭଗବତଃ ସଦା ।

ସ୍ୱରୂପମେକମେବାସ୍ତି ସଚ୍ଚିଦାନନ୍ଦଲକ୍ଷଣମ୍‌ ।’’

 

ଏହି ମହାପୁରାଣ ସ୍ୱୟଂ ଭଗବାନ୍‌ଙ୍କର ଶବ୍ଦମୟୀ ମୂର୍ତ୍ତି । ଭଗବାନ୍‌ଶ୍ରୀ ଜଗନ୍ନାଥଙ୍କ ପରି ଏହି ଗ୍ରନ୍ଥର ସେବା, ଶ୍ରବଣ, ପଠନ, ଏପରିକି ଦର୍ଶନ ମଧ୍ୟ ସକଳ ପାପ-ତାପର ବିନାଶକାରୀ ଓ ମୁକ୍ତିପ୍ରଦାୟକ ବୋଲି ବଶ୍ୱାସ ପ୍ରଚଳିତ ରହିଛି ।

 

 

ପ୍ରାଧ୍ୟାପିକା, ଓଡ଼ିଆ ବିଭାଗ

ଜାତୀୟକବି ବୀରକିଶୋର ସରକାରୀ ମହାବିଦ୍ୟାଳୟ, କଟକ

 

ପାଦଟୀକା :

୧.

Bimanbehari Majumdar-Krisna in History and legends.p.55.

୨.

ଶ୍ରୀମଦ୍‌ଭାଗବତ ମହାପୁରାଣମ୍‌, ୨/୯/୩୪

୩.

‘‘ଅଭିନ୍ନ ଅଂଗ ସେ ଅଟଇ । ଶ୍ରୀରାଧାକୃଷ୍ଣ ରୂପ ଦୁଇ ।

 

-ବଳରାମ ଦାସ- ବେଦାନ୍ତସାର ଗୁପ୍ତଗୀତା, ୧୧ଶ ଅଧ୍ୟାୟ ।

୪.

ଜନ୍ମାଦ୍ୟସ୍ୟ ଯତୋଽନ୍ୱୟାଦିତରତଶ୍ଚାତର୍ଥେଷ୍ୱଭିଜ୍ଞା ସ୍ୱରାଟ୍‌ ।

ତେନେ ବ୍ରହ୍ମହୃଦା ଯ ଆଦିକବୟେ ମୁହ୍ୟନ୍ତି ଯତ୍‌ସୁରୟଃ ।

ତେଜୋବାରିମୃଦାଂ ଯଥା ବିନିମୟୋ ଯତ୍ର ତ୍ରିସର୍ଗୋମୃଷା

ଧାମ୍ନା ସ୍ୱେନ ସଦା ନିରସ୍ତକୂହକଂ ସତ୍ୟଂ ପରଂ ଧୀମହି ।।

ଶ୍ରୀମଦ୍‌ଭାଗବତ, ୧/୧/୧

୫.

ଶିଶୁ ଅନନ୍ତ ଦାସ-ହେତୁ ଉଦୟ ଭାଗବତ

୬.

ଅଚ୍ୟୁତାନନ୍ଦ ଦାସ- ରସାମ୍ବୁଜ ସିନ୍ଧୁ

୭.

ଜଗନ୍ନାଥ ଦାସ- ଷୋଳ ଚଉପଦୀ

୮.

ଶ୍ରୀ ଚିତ୍ତରଞ୍ଜନ ଦାସ- ସନ୍ଥ ସାହିତ୍ୟ, ପୃ. ୨୭୧

୯.

ବୃହଦାରଣ୍ୟକ ଉପନିଷଦ, ୪/୧/୬ ।

୧୦.

ତୈତ୍ତରୀୟ ଉପନିଷଦ, ୨/୧ ।

***

 

ଓଡ଼ିଆ ଏକାଙ୍କିକା ସାହିତ୍ୟର ପ୍ରାଣପ୍ରତିଷ୍ଠାତା ପ୍ରାଣବନ୍ଧୁ କର

ଡକ୍ଟର ନାରାୟଣ ସେଠୀ

 

ଭାରତୀୟ ଜୀବନାଦର୍ଶକୁ ଯେଉଁ କେତେଜଣ ସାହିତ୍ୟିକ ଗଳ୍ପ, ନାଟକ ଓ ଏକାଙ୍କିକାରେ ପ୍ରକାଶ କରି ଯଶ୍ୱସୀ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ପ୍ରାଣବନ୍ଧୁ କର ଅନ୍ୟତମ । ୧୯୧୪ ମସିହା ଡିସେମ୍ବର ମାସ ତା ୧ରିଖରେ ସେ କଟକ ଜିଲ୍ଲାର ବାଙ୍କି ନିକଟବର୍ତ୍ତୀ ଡମପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ସାହିତ୍ୟିକ ଜୀବନର ଆରମ୍ଭ ପ୍ରଥମେ ଗଳ୍ପରୁ ହିଁ ହୋଇଥିଲା । ଜଣେ ସଫଳ ଗାଳ୍ପିକ ହିସାବରେ ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ପାଠକ ମହଲରେ ବେଶ୍‌ ପ୍ରଭାବଶାଳୀ । ନାଟ୍ୟ ସାହିତ୍ୟିରୁ ତାଙ୍କ ପ୍ରତିଭାର ଶ୍ରେଷ୍ଠ ପରିଚୟ ମିଳେ । ବିଧିବଦ୍ଧ ଭାବରେ ଆଧୁନିକ ଏକାଙ୍କିକାର ପଥ-ପ୍ରଦର୍ଶକ ଓ ପ୍ରାଣ-ପ୍ରତିଷ୍ଠାତା ହିସାବରେ ପ୍ରାଣବନ୍ଧୁ କରଙ୍କର ନାମ ଅଗ୍ରଗଣ୍ୟ । ଏ ସମ୍ପର୍କରେ ନାଟ୍ୟ-ସମାଲୋଚକ ବୀରକିଶୋର ଦାସଙ୍କ ମନ୍ତବ୍ୟ ହେଉଛି, ‘‘କିନ୍ତୁ ଓଡ଼ିଆ ଏକାଙ୍କିକାର ପ୍ରାରମ୍ଭିକ ଅବସ୍ଥାରେ ଯଦି କିଏ ସେଥିରେ ନୂତନତା ସ୍ପର୍ଶ ଦେଇଥାଏ, ତାହାହେଲେ ସେ ହେଉଛନ୍ତି ପ୍ରାଣବନ୍ଧୁ କର । ନାଟକ ଲେଖିବା ପୂର୍ବରୁ ଓଡ଼ିଆ ସାହିତ୍ୟରେ ଏକାଙ୍କିକା ସୃଷ୍ଟିରେ ତାଙ୍କର ଅବଦାନ ଯଥାର୍ଥ ଅନବଦ୍ୟ ।’’ (୧)

 

‘ପାଗଳ ଜନତାର ବାହାରେ’ ପ୍ରାଣବନ୍ଧୁ କରଙ୍କ ଏକାଙ୍କିକା ସର୍ବପ୍ରଥମେ ୧୯୩୮ ମସିହାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ସଂପାଦନାରେ ପ୍ରକାଶିତ ‘ନବଭାରତ’ ପତ୍ରିକାରେ ଆତ୍ମପ୍ରକାଶ କରିଥିଲା । ଏକ ଗ୍ରାମୀଣ ପରିବେଶ ମଧ୍ୟରେ ଦୁଇଜଣ ତରୁଣ-ତରୁଣୀଙ୍କର ପ୍ରେମ-ପ୍ରୀତିକୁ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ‘ପାଗଳ ଜନତାର ବାହାରେ’ ଏକାଙ୍କିକାରେ ଉପସ୍ଥାପନା କରାଯାଇଛି । ସାମାଜିକ ହୀନମନ୍ୟତା ଓ ପାରିବାରିକ କଳହ ସେମାନଙ୍କ ପ୍ରେମରେ ପ୍ରତିବନ୍ଧକ ହୋଇପାରି ନାହିଁ । କ୍ଷଣିକ ଉତ୍ତେଜନାରେ ପରସ୍ପର ଝଗଡ଼ା କରିଥିଲେ ସୁଦ୍ଧା ସେମାନଙ୍କ ହୃଦୟର ଆକର୍ଷଣ ସମସ୍ତ ପ୍ରକାର ପ୍ରତିବନ୍ଧକକୁ ଏଡ଼ାଇ ଦେଇଛି ।

 

ଦୁଇଟି ପ୍ରେମପୂର୍ଣ୍ଣ ହୃଦୟର ଆକର୍ଷଣକୁ ପଲ୍ଲୀ ପରିବେଶର ଧାନକ୍ଷେତ ପୃଷ୍ଟପଟ୍ଟରେ ପରିବେଷଣ କରାଯାଇଛି । ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲେ ହେଁ ଲକ୍ଷଣିଆର ହାତ କଟିଯିବା ପରେ କମଳୀ ନିଜର ପିନ୍ଧା ଲୁଗା ଚିରି କ୍ଷତ ସ୍ଥାନରେ ବାନ୍ଧିଦେବା, ସେମାନଙ୍କ ନିବିଡ଼ ଭଲ ପାଇବାର ମହନୀୟତା ପ୍ରଦାନ କରେ । ପ୍ରେମ ନିକଟରେ କୌଣସି ଅଭାବନୀୟ ଘଟଣା ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ । ନାଟ୍ୟକାର ଲକ୍ଷଣିଆ ମୁଖରେ ପ୍ରକାଶ କରିଛନ୍ତି-

 

‘‘ସିଏ ନଗେଇବେ କଜିଆ, ସେଥିପାଇଁ ଆମେ ବାହା ହୋଇପାରିବାନି । ତାଙ୍କୁ କହିବା-ଯଦି ରାଜି ନ ହେଲେ ଆମ ବାଟ ଆମେ ଦେଖିବା- ପଳେଇବା ରାତାରାତି । (୨)

 

ଗ୍ରାମ୍ୟ ସାହୁକାରର ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ଲକ୍ଷଣିଆ ସ୍ୱର ଉତ୍ତୋଳନ କରିଛି-। ଲକ୍ଷଣିଆ ଓ କମଳୀର ମାନସିକ ଆବେଗ ବେଶ୍‌ ମନୋମୁଗ୍ଧକର । ଏକାଙ୍କିକାର ସଂଳାପ ବାସ୍ତବ, ଜୀବନ୍ତ, ପାତ୍ରୋପଯୋଗୀ ଓ ସ୍ୱାଭାବିକ । ସାଧାରଣ ନିତିଦିନିଆ ଜୀବନରେ ବ୍ୟବହୃତ ଭାଷା ପରିବେଶକୁ ଜୀବନ୍ତ କରିପାରିଛି ।

 

‘‘ଲକ୍ଷଣିଆ-କିଲୋ, ଆମ ବିଲରେ ପଶୁଥିଲୁ କିଆଁ ?

କ’ଣ ଦିହ ଗଲୁ କରୁଛି ?

x      x      x      x

 

କମଳୀ-କିରେ ଚୂଲିପଶା, ହାଡ଼ ଜିରା, କେତେବେରେ ମୁଁ ତୋ ବିଲକୁ ଗଲି ? ମୁଁ ତ ଏ ବିଲରୁ ସାର ଶାଗ ତୋରୁଚି । ତୋ ଆଖି କ’ଣ ଫୁଟି ଯାଇଚି କିରେ ନିଆଁନଗା ରଇଜରା ।’’ (୩)

 

ନାଟ୍ୟକାର ପ୍ରାଣବନ୍ଧୁ କର ଏକ ସାକ୍ଷାତକାରରେ ବ୍ୟକ୍ତ କରିଛନ୍ତି ଯେ ‘ପାଗଳ ଜନତାର ବାହାରେ’ ଏକାଙ୍କିକାର ନାମକରଣ ପାଇଁ ସେ ଇଂରାଜୀ ଔପନ୍ୟାସିକ Thomas Hardy ଙ୍କ ଉପନ୍ୟାସ ‘Far from the madding crowd’ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଏବଂ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଲକ୍ଷଣିଆ ଓ କମଳୀର ସ୍ୱଗତୋକ୍ତିରେ ଇଉଜିନ୍‌ ଓ ନୀଳଙ୍କର ‘Strange Interlude’ର ସ୍ୱଗତୋକ୍ତି ଦ୍ୱାରା ପ୍ରଭାବିତ । ଏହି ଏକାଙ୍କିକାଟି ଚଉଦଗୋଟି ଭାରତୀୟ ଭାଷାରେ ଅନୁଦିତ ହେବା ସଂଗେ ସଂଗେ ‘National Book Trust’ ଦ୍ୱାରା ସଂକଳିତ ଭାରତୀୟ ବିଭିନ୍ନ ଭାଷାଭାଷୀ ଏକାଙ୍କିକା ସଂକଳନରେ ସ୍ଥାନ ପାଇଛି ।

 

ବିବାହିତ ଜୀବନରେ ପ୍ରେମ-ପ୍ରୀତି କିଭଳି ବିକୃତ ପ୍ରତାରଣା ଓ ପ୍ରତିହିଂସାରେ ପରିଣତ ହୋଇ ଶେଷରେ ପୁନର୍ବାର ଗଭୀର ମମତ୍ୱବୋଧରେ ରୂପାନ୍ତରିତ ହୁଏ, ତାହା ‘ମହ୍ୟା’(୧୯୩୯) ଏକାଙ୍କିକାରେ ଉପସ୍ଥାପନା କରାଯାଇଛି । ମହ୍ୟା ଓ ସୁଲେଇ ବିବାହ ବନ୍ଧନରେ ଆବଦ୍ଧ ହୋଇ ଆନନ୍ଦରେ ରହୁଥିଲେ ହେଁ ଆର୍ଥିକ ଅନାଟନ ସେମାନଙ୍କ ପାରିବାରିକ ଜୀବନରେ ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି କରିଛି । ମହ୍ୟାର ଅନିଚ୍ଛା ସତ୍ତ୍ୱେ ସୁଲେଇ ସହରକୁ ଯାଇ ପତ୍ର ବିକିବା, ମୁସଲମାନ ଯୁବକର ପ୍ରରୋଚନାରେ ପଡ଼ି ତା’ ସହିତ ଚାଲିଯିବା, ବ୍ୟର୍ଥ ହୃଦୟରେ ମହ୍ୟା ରିକ୍ସା ଟାଣିବା ଓ ସୁଲେଇ ଜଣେ ସହରୀ ବାବୁ ସହିତ ରିକ୍ସାରେ ଯିବା ଘଟଣାରେ ମହ୍ୟା ହିଂସ୍ର ହୋଇଉଠିଛି । ବେଶ୍ୟାପଡ଼ାର ବନ୍ଧୁ ଗିରିଆ ଘରେ ସୁଲେଇକୁ ଦେଖି ପ୍ରତିହିଂସା ପରାୟଣ ହୋଇପଡ଼ିଛି ଏବଂ ସୁଲେଇ ମୁହଁରେ ସ୍ପିରିଟ୍‌ ଢାଳି ଦେଇଛି । ସୁଲେଇ ଯନ୍ତ୍ରଣାରେ ଛଟପଟ ହେଲାବେଳେ ମହ୍ୟା ମନରେ ସମ୍ବେଦନା ସୃଷ୍ଟି ହୋଇଛି । ଉଭୟଙ୍କ ହୃଦୟର ପରିବର୍ତ୍ତନ ଘଟିଛି ଏବଂ ପରସ୍ପରକୁ ପାଇ ଦୁହେଁ ଘରସଂସାର କରିବା ପାଇଁ ଆଶାୟୀ ହୋଇଉଠିଛନ୍ତି ।

 

ଗ୍ରାମର ଏକ ପରିବାରର ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଥିବା ପ୍ରେମ, ପ୍ରତାରଣା, ପ୍ରତିହିଂସା ଓ ମାନବିକତାକୁ ବାସ୍ତବ ଦୃଷ୍ଟିକୋଣରୁ ନାଟ୍ୟକାର ଉଦ୍‌ଘାଟନ କରିଛନ୍ତି । ଏକାଙ୍କିକାଟିର ଭାଷା ଜୀବନ୍ତ, ବାସ୍ତବ ଓ ପତ୍ରମୁଖୀ । ସାଧାରଣ ଏକ ଗ୍ରାମୀଣ ପରିବେଶରେ ମହ୍ୟାର ସଂଳାପ ସରଳ ଓ ସ୍ୱାଭାବିକ ହୋଇପାରିଛି । ଏକାଙ୍କିକା ସଂକଳନ ପ୍ରଥମ ଭାଗର ମୁଖବନ୍ଧରେ ନଟ୍ୟକାର ଡକ୍ଟର ଅଦ୍ୱୈତ ଚନ୍ଦ୍ର ମହାନ୍ତି ଉଲ୍ଲେଖ କରିଛନ୍ତି- ‘‘ଆମ କାନକୁ ବେଠିକଣା ଶୁଭୁଥିବା ଭଳି ଶବ୍ଦ ବି ଲେଖାରେ ଅଛି । ହେଲେ ସେ ସବୁକୁ ସେ ଏମିତି ଥାନରେ, ଏମିତି ପାତ୍ରଙ୍କ ମୁହଁରେ କୁହାଇଛନ୍ତି ଯେ, ସେଥିରେ ନାକ ଟେକିବାକୁ ଯେତେ ଇଚ୍ଛା ଥିଲେ ବି ନାକ ଟେକି ହେଉ ନାହିଁ ଜମା ! ତେବେ ଗୋଟିଏ ଜାଗାରେ ଅଛି ‘ତୁ ବେଧ ପକା... ମୋର କ’ଣ ?’ ମୋ ମତରେ ଏତକ ନ ହୋଇଥିଲେ ଚଳିଥାଆନ୍ତା । ମୁଁ ରୁଚି ଦିଗରୁ କହୁ ନାହିଁ, କହୁଚି ନାଟକୀୟ ଭାଷାର ଢଙ୍ଗ ଦୃଷ୍ଟିରୁ ।’’ (୪) ନାଟ୍ୟକାର ପରିବାର, ପରିବେଶ ଓ ପରିସ୍ଥିତିକୁ ଅନୁଧ୍ୟାନ କରି ଏଭଳି ଭାଷା ବ୍ୟବହାର କରିଥିବା ମନେହୁଏ । ନାଟ୍ୟ-ସମାଲୋଚକ ଗିରୀଶ ଚନ୍ଦ୍ର ମିଶ୍ରଙ୍କ ବକ୍ତବ୍ୟ ହେଉଛି, ‘‘ସେମାନଙ୍କ ସଂଳାପ ଯେ କୌଣସି ସାଧାରଣ ବାଉରିର ସଂଳାପ ।’’ (୫) ଏକାଙ୍କିକାଟି ପ୍ରଥମେ ‘ପତରବାଲୀ’ ନାମରେ ଆତ୍ମପ୍ରକାଶ କରିଥିଲା ।

 

ଶିଳ୍ପୀ ବାସ୍ତବ ଜୀବନଠାରୁ ଦୂରରେ ରହି କଳ୍ପନାଶ୍ରୟୀ ହେଲେ ତା’ର ସୃଷ୍ଟିଶୀଳ ପ୍ରତିଭାର କିପରି ମୃତ୍ୟୁ ଘଟେ, ତାହା ‘ଶିଳ୍ପୀର ମୃତ୍ୟୁ’ (୧୯୪୧) ଏକାଙ୍କିକାରେ ଉପସ୍ଥାପନା କରାଯାଇଛି । ବାସ୍ତବ ଜୀବନ ଠାରୁ ଦୂରେଇ ରହି ସାହିତ୍ୟିକ ବିକ୍ରମ ଏକ ଆବଦ୍ଧ କୋଠରୀରେ କାଳ୍ପନିକ ଉପନ୍ୟାସ ନାୟିକାର ଭବିଷ୍ୟତ ରୂପର ଅସ୍ତିତ୍ୱ ସଂପର୍କରେ ତନ୍ମୟ ହୋଇପଡ଼ିଛନ୍ତି । ଏପରିକି ନିଜର ସ୍ତ୍ରୀ ଆସନ୍ନ ପ୍ରସବା ରେଖା ଗର୍ଭ ବେଦନାରେ ଆର୍ତ୍ତଚିତ୍କାର କରୁଥିବାବେଳେ, ସେଥିପ୍ରତି ଦୃଷ୍ଟି ଦେଇନାହାନ୍ତି । ମାତ୍ର କାଳ୍ପନିକ ମୋହଭଙ୍ଗର ମନୋଭାବକୁ ପରିହାର କରି ବାସ୍ତବ ଜୀବନର ପରିଧି ମଧ୍ୟକୁ ଫେରିଆସି ଉପଲବ୍ଧି କରିଛନ୍ତି ଯେ ସେ ଗୋଟିଏ ଶିଶୁ ସନ୍ତାନର ପିତା ଏବଂ ସ୍ତ୍ରୀ ରେଖା ମୁହଁରେ ଦେଖିଛନ୍ତି ମାତୃତ୍ୱର ଅଫୁରନ୍ତ ଆନନ୍ଦ । ବିକ୍ରମ ବାବୁଙ୍କର ସଂବିତ୍‌ ଫେରି ଆସିଛି । ସେ ଅନୁଭବ କରିଛନ୍ତି ବାସ୍ତବ ଜୀବନରେ ସମସ୍ୟା, ସଂଘର୍ଷ, ଦୁଃଖ, ଯନ୍ତ୍ରଣାରୁ ଦୂରେଇ ରହି ଯେଉଁ ପଳାୟନପନ୍ଥୀ ସାହିତ୍ୟ ରଚନା କରାଯାଏ, ତାହା ବାସ୍ତବ ଜୀବନର ସମସ୍ୟା ନିକଟରେ ମୂଲ୍ୟହୀନ ।

 

ସ୍ରଷ୍ଟା କଳ୍ପଲୋକରେ ବିଚରଣ କରି ନିଜ ସୃଷ୍ଟିରେ ପାଏ ଅପାର ଆନନ୍ଦ । ମାତ୍ର ସୃଷ୍ଟିର ଆନନ୍ଦରେ ଆତ୍ମବିଭୋର ହୋଇ ଯଦି ସେ ବାସ୍ତବ ଜୀବନର ସଂଘର୍ଷ ଓ ସମସ୍ୟାଠାରୁ ଦୂରେଇ ଯାଏ, ତା’ ସାହିତ୍ୟରେ ବାସ୍ତବ ଜୀବନରେ କୌଣସି ଅଭିଜ୍ଞତା ସ୍ଥାନ ପାଏ ନାହିଁ । ସମାଜ, ପରିବାର ଓ ପରିବେଶକୁ ଉପେକ୍ଷା କରି ତା’ର ନିଜ ଜୀବନ ବ୍ୟର୍ଥ ହେବାଭଳି କେବଳ ସ୍ୱପ୍ନ ଓ କଳ୍ପନାର ସାହିତ୍ୟ ସୃଷ୍ଟି ତା’ ଜୀବନକୁ ମଧ୍ୟ ବ୍ୟର୍ଥ କରିଦିଏ ।

 

ପ୍ରେମ-ପ୍ରୀତି ଅତିନ୍ଦ୍ରିୟ ଚେତନାର ଭିତ୍ତିଭୂମି ଉପରେ ଗଭୀର ଭଲପାଇବା କେବଳ ମାନସିକ ସ୍ତରରେ ଆବଦ୍ଧ ନ ରହି କିପରି ଶାରୀରିକ କ୍ଷୁଧା ନିକଟରେ ହାରମାନେ, ତାହା ‘ବାସ୍ତବ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ ଉପସ୍ଥାପନା କରିଛନ୍ତି । ରମାକାନ୍ତ ଓ ନିରୁପମା ପରସ୍ପରକୁ ଗଭୀର ଭାବରେ ଭଲ ପାଉଥିଲେ ସୁଦ୍ଧା ସେମାନଙ୍କ ବିବାହରେ ସମାଜ ଓ ଧର୍ମ ବିରାଟ ପ୍ରାଚୀର ସୃଷ୍ଟି କରିଛି । ଉଭୟେ ସାରା ଜୀବନ ଅବିବାହିତ ରହିବାକୁ ଶପଥ ନେଇଥିଲେ ହେଁ ବାସ୍ତବ ଜୀବନରେ ଦେହର କ୍ଷୁଧାକୁ ଏଡ଼ାଇ ନପାରି ପନ୍ଦର ବର୍ଷ ପରେ ସେମାନେ ବିବାହ କରିଛନ୍ତି ।

 

ଭଲ ପାଇବା ନିକଟରେ କୌଣସି ବାଧା ବା ଆଦର୍ଶର ସ୍ଥାନ ନାହିଁ । ହୁଏତ ପୁରୁଷ ତା’ର ବହୁବିଧ କାର୍ଯ୍ୟରେ ଲିପ୍ତ ରହି ଦେହଜ କାମନାକୁ ଅବଦମନ କରିବାକୁ ଚେଷ୍ଟା କରେ; ମାତ୍ର ନାରୀ ପକ୍ଷରେ ତାହା ସମ୍ଭବ ହୁଏ ନାହିଁ । ମାତୃତ୍ୱର ଅନନ୍ତ କ୍ଷୁଧା ଓ ଅସରନ୍ତି ମାତୃରୂପା ନାରୀର ଅନନ୍ତ ଆକାଂକ୍ଷା ତା’କୁ ବ୍ୟଥିତ କରେ । ଏହି ପ୍ରସଂଗରେ ଚାଣକ୍ୟଙ୍କ ଏକ ଶ୍ଳୋକ ଉଲ୍ଲେଖଯୋଗ୍ୟ ।

 

‘‘ଆହାରୋଦ୍ୱିଗୁଣାସ୍ତ୍ରୀଣାଂ ବୁଦ୍ଧି ତେସାଂ ଚତୁର୍ଗୁଣାଃ

ଷଡଗୁଣା ବ୍ୟବସାୟଶ୍ଚ କାମଚଷ୍ଟଗୁଣାଃ ସ୍ମୃତମ୍‌।’’

 

ଡାକ୍ତର ସିଗ୍‌ମଣ୍ଡ ଫ୍ରଏଡ଼ଙ୍କ ଯୌନତାତ୍ତ୍ୱିକ ସୂକ୍ଷ୍ମାତିସୂକ୍ଷ୍ମ ମନୋବିଶ୍ଳେଷଣ ଭଳି ନାଟ୍ୟକାର ରମାକାନ୍ତଙ୍କ ଦେହଜ କ୍ଷୁଧାକୁ ଉପସ୍ଥାପନା କରିଛନ୍ତି । ରମାକାନ୍ତ ନିଜର ଦେହଜ କ୍ଷୁଧାକୁ ପ୍ରକାଶ୍ୟରେ ଅସ୍ୱୀକାର କଲେ ସୁଦ୍ଧା ନିଜ ଓକିଲାତି ବ୍ୟବସାୟରେ ମନ ନ ଦେବା ଏବଂ ଉଲଗ୍ନ ନାରୀ ଫଟୋ ଚିତ୍ର ଦେଖିବା ତାଙ୍କ ମନର ଉଲ୍ଲଙ୍ଗ ଯୌନ ପ୍ରବୃତ୍ତିର ପରିପ୍ରକାଶ । ମଞ୍ଚ ସଫଳତା ଦୃଷ୍ଟିରୁ ଏକାଙ୍କିକାଟିରେ ଦୁଇଟି ଦୃଶ୍ୟର ଯୋଜନା ରହିଛି । ପ୍ରଥମ ଦୃଶ୍ୟରେ ଜହ୍ନରାତ୍ରିରେ ପ୍ରଣୟ ଓ ପ୍ରଣୟିନୀଦ୍ୱୟଙ୍କ ଛାୟାମୂର୍ତ୍ତି ମିଳନ ଭିତରେ ପ୍ରଣୟର ଆଦର୍ଶ ଓ ସାରାଜୀବନ ଉଭୟ ଅନୁରକ୍ତ ରହିବା ସୂଚିତ ହୋଇଛି । ଦ୍ୱିତୀୟ ଦୃଶ୍ୟରେ ଏକ ଆଲୋକିତ କୋଠରୀ ମଧ୍ୟରେ ଅବଶିଷ୍ଟ ଘଟଣା ଅଭିନୀତ ।

 

ରାଜନୀତିକ ପୃଷ୍ଠପଟ୍ଟରେ ପ୍ରେମର ଚିରନ୍ତନ ମୂଲ୍ୟବୋଧକୁ ‘ପ୍ରବୀର ଦାସ’ (୧୯୪୧) ଏକାଙ୍କିକାରେ ଉପସ୍ଥାପନା କରାଯାଇଛି । ପ୍ରାକ୍‌ସ୍ୱାଧୀନତା କାଳରେ ରାଜନୀତିରେ ଥିବା ଦଳଗତ ଶତ୍ରୁତାକୁ ପ୍ରକାଶ କଲାବେଳେ, ନାଟ୍ୟକାର ଦଳମତ ନିର୍ବିଶେଷରେ ପ୍ରତ୍ୟେକ ସଭ୍ୟଙ୍କୁ ଜଣେ ଜଣେ ସାମାଜିକ ପ୍ରାଣୀ ବୋଲି ସାବ୍ୟସ୍ତ କରିଛନ୍ତି । ମହାବିଦ୍ୟାଳୟର ଛାତ୍ରୀ ଥିବା ସମୟରେ ଶାନ୍ତା ଦେଈ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ସ୍କଲାର ପ୍ରବୀର ଦାସଙ୍କୁ ଭଲପାଇ ବସିଥିଲେ; ମାତ୍ର ପ୍ରବୀର ସେଥିପ୍ରତି ଆଗ୍ରହ ପ୍ରକାଶ କରିନଥିଲେ । ସମୟ କ୍ରମେ ରାଜ୍ୟ ବିଧାନସଭାର ଶାସକ ଦଳର ସଭ୍ୟା ହୋଇଛନ୍ତି ଶାନ୍ତା ଦେଈ ଏବଂ ବିରୋଧୀ ଦଳର ଆସନରେ ବସିଛନ୍ତି ପ୍ରବୀର ଦାସ । ବିଧାନ ସଭାରେ ନାରୀ ସ୍ୱାଧୀନତା ସଂପର୍କରେ ଶାନ୍ତା ଦେଈ ଏକ ବିଲ୍‌ ଆଗତ କଲାପରେ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲଛି । ପ୍ରବୀର ଦାସ ଶାନ୍ତା ଦେଈଙ୍କୁ ନାରୀ ସ୍ୱାଧୀନତା ସଂପର୍କରେ ଅନେକ ପ୍ରଶ୍ନ ପଚାରି ବ୍ୟସ୍ତ, ବିବ୍ରତ ଓ ଉତ୍‌କ୍ଷିପ୍ତ କରାଇଛନ୍ତି । ପରଦିନ ବ୍ୟବସ୍ଥାପକ ସଭାଗୃହ ସନ୍ନିକଟ ବିଶ୍ରାମାଗାରରେ ଅନ୍ୟ ସଭ୍ୟମାନଙ୍କର ଅନୁପସ୍ଥିତିର ସୁଯୋଗ ନେଇ ପ୍ରବୀର ଦାସ ଶାନ୍ତା ଦେଈଙ୍କୁ ଆଲିଙ୍ଗନ କରିବା ସହିତ ଚୁମ୍ବନ କରିଛନ୍ତି । ପ୍ରବୀର ଦାସଙ୍କ ଅଭଦ୍ରୋଚିତ ଆଚରଣ ପାଇଁ ବ୍ୟବସ୍ଥାପକ ସଭାରେ ନିବେଦନ କରି ଉଚିତ ନ୍ୟାୟ ନ ପାଇବାରୁ ଶାନ୍ତା ଦେଈ ନିଜ ଭାଇ ସହିତ ପ୍ରବୀର ଦାସଙ୍କ ଘରକୁ ଯାଇ ତାଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି । ମାତ୍ର ପ୍ରବୀର ଦାସଙ୍କ ବ୍ୟକ୍ତିତ୍ୱ ନିକଟରେ ନିଜେ ହାର ମାନି ଅନୁତପ୍ତ ହେବା ସଂଗେସଂଗେ ରାଜନୀତିର ବିରୋଧି ଆଚରଣ ଚ୍ଛିନ୍ନ କରି ନିଜର ନାରୀତ୍ୱର ଅହଂକାରକୁ ପ୍ରବୀର ଦାସଙ୍କ ନିକଟରେ ସମର୍ପଣ କରିଛନ୍ତି । ବ୍ୟଙ୍ଗ ବିଦ୍ରୁପ ମଧ୍ୟ ଦେଇ ରାଜନୀତିକ ବ୍ୟକ୍ତିମାନଙ୍କର ଅସଲ ସ୍ୱରୂପକୁ ଏକାଙ୍କିକାରେ ଉଦ୍‌ଘାଟନ କରାଯାଇଛି ।

 

ଜାତୀୟତା ଓ ଦେଶାତ୍ମବୋଧର ଆଦର୍ଶକୁ ପ୍ରାକୃତିକ ପରିବେଶ ମଧ୍ୟରେ ‘ବାପୁଜୀ’ ଏକାଙ୍କିକାରେ ଉପସ୍ଥାପନା କରାଯାଇଛି । ଭାରତ ମାତାର ମହାନ୍‌ ସନ୍ତାନ ମହାତ୍ମା ଗାନ୍ଧୀ ଆତତାୟୀର ଗୁଳିରେ ନିହତ ହେବା ପରେ ଶୋକାତୁର ଭାରତମାତା ବିଷାଦଗ୍ରସ୍ତା ହୋଇପଡ଼ିଛନ୍ତି-। ସୂର୍ଯ୍ୟଦେବ, ମାରୁତ, ମୃତ୍ତିକା ଓ ହିମାଳୟ ଆସି ଭାରତମାତାଙ୍କୁ ଆଶ୍ୱାସନା ଓ ପ୍ରବୋଧନା ଦେଲେ ହେଁ ଭାରତମାତାଙ୍କର ମୌନଭାବ ଭାଂଗିନାହିଁ । ଶେଷରେ ଗାନ୍ଧୀଙ୍କର ପ୍ରେତାତ୍ମା ଆସି ଭାରତମାତାଙ୍କୁ ଅବଗତ କରାଇଛନ୍ତି ଯେ ଭାରତର ସମସ୍ତ ଜନସାଧାରଣ ଅଧମ ନୁହନ୍ତି । ସେ (ଗାନ୍ଧୀ) ମରିଗଲେ ମଧ୍ୟ ଭାରତର ଜନସାଧାରଣ ତାଙ୍କର ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇ ଦେଶ ଓ ଦଶର ମଂଗଳ ସାଧନାରେ ବ୍ରତୀ ହେବେ । ଗାନ୍ଧୀଙ୍କର ପ୍ରେତାତ୍ମା ଜନସାଧାରଣଙ୍କୁ ଦେଶ ଓ ଜାତିର ଉନ୍ନତି ବିଧାନ ସଂପର୍କରେ ଉଦ୍‌ବୋଧନ ଦେଇ ଅଦୃଶ୍ୟ ହୋଇଯାଇଛନ୍ତି । ଭାରତମାତା ଆଶ୍ୱସ୍ତ ହୋଇଛନ୍ତି ଏବଂ ତାଙ୍କ ମୁଖରେ ହସର ଛାୟା ଖେଳି ଯାଇଛି । ଗୀତାନାଟ୍ୟଧର୍ମୀ ଏହି ଏକାଙ୍କିକାଟିରେ ପ୍ରାକୃତିକ ପରିବେଶ ମଧ୍ୟରେ ଦେବତା, ସୂର୍ଯ୍ୟ, ମାରୁତ, ମୃତ୍ତିକା, ହିମାଳୟ, ଭାରତମାତା ପ୍ରମୁଖ ଚରିତ୍ର ଅବତାରଣା କରି ଜାତୀୟ ଚେତନା ସୃଷ୍ଟି କରାଯାଇଛି ।

 

ପରମ୍ପରାବାଦୀ ଲୋକମାନେ ଚାକିରୀରେ ପ୍ରମୋଶନ ପାଇ ଅଫିସର ହୋଇଗଲା ପରେ ସେମାନଙ୍କ ମାନସିକ ସ୍ତରରେ ଯେଉଁ ଅନୁକରଣ ଭାବ ଦେଖାଯାଏ, ତାକୁ ‘ଦୂରପାହାଡ଼’ ଏକାଙ୍କିକାରେ ଉପସ୍ଥାପନା କରାଯାଇଛି । ପାହାଡ଼ ଦୂରକୁ ସୁନ୍ଦର ଦେଖା ଯିବା ଭଳି ବନ୍ଧୁ ହରେନ୍ଦ୍ରଙ୍କ ସ୍ତ୍ରୀ ସୁମିତ୍ରାର ଚାଲିଚଳନ ଓ ହାବଭାବକୁ ବିମଳବାବୁ ପସନ୍ଦ କରିଛନ୍ତି । ମାତ୍ର ସୁମିତା ଦେବୀଙ୍କର ପ୍ରକୃତ କାର୍ଯ୍ୟକଳାପ ବନ୍ଧୁ ହରେନ୍ଦ୍ର ମୁଖରୁ ଶୁଣିସାରିବା ପରେ ବିମଳବାବୁ ନିଜର ଭ୍ରମ ବୁଝି ପାରିଛନ୍ତି । କିଛି ସମୟ ପୂର୍ବରୁ ସ୍ତ୍ରୀଙ୍କ ପ୍ରତି ସୃଷ୍ଟି ହୋଇଥିବା ବିଦ୍ୱେଷ ଭାବ ଦୂର ହୋଇଛି ଏବଂ କଟ୍‌କଟ୍‌ କରୁଥିବା ପାଦର ଯୋତା ଲେସ୍‌କୁ ନିଜେ ଖୋଲିଛନ୍ତି ।

 

ବିଲୟମୁଖୀ ପୁଞ୍ଜିବାଦର ପରିଣତି ଏବଂ ସାମ୍ୟବାଦର ପଦଧ୍ୱନିକୁ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ‘ଦଶବର୍ଷ ପରେ’ ଏକାଙ୍କିକାରେ ଉପସ୍ଥାପନ କରାଯାଇଛି । ଭାରତ ବର୍ଷର ସ୍ୱାଧୀନତା ପରେ ଉପପ୍ରଧାନମନ୍ତ୍ରୀ ବଲ୍ଲଭଭାଇ ପଟେଲଙ୍କ ନିର୍ଦ୍ଦେଶରେ ଗଡ଼ଜାତ ମିଶ୍ରଣ ସଂପର୍କରେ ଆଇନ ପ୍ରଣୟନ କରାଯାଇଥିଲା । ଗଡ଼ଜାତ ରାଜ୍ୟଗୁଡ଼ିକର ମୋଗଲବନ୍ଦୀ ଅଞ୍ଚଳ ସହିତ ମିଶ୍ରଣ ହେବା ପରେ ରାଜନ୍ୟବର୍ଗ ଓ ଯୁବରାଜମାନେ ଯେ ସାଧାରଣ ନାଗରିକ ହେବେ, ନାଟ୍ୟକାର ତାହା ଦର୍ଶାଇଛନ୍ତି । ସେମାନଙ୍କ ମଧ୍ୟରୁ କିଏ ଟ୍ୟାକ୍‌ସି ଡ୍ରାଇଭର ହେବ ତ, କିଏ ଚିନାବାଦାମ ବିକ୍ରି କରିବ । ଦେଶରୁ ରାଜତନ୍ତ୍ର ଓ ସାମ୍ୟବାଦ ଲୋପ ହେବ । ସ୍ୱାଧୀନତାର ଦୀର୍ଘ ୬୩ ବର୍ଷ ପରେ ନାଟ୍ୟକାର ପ୍ରାଣବନ୍ଧୁ କରଙ୍କର ଏହି ଭବିଶ୍ୟତବାଣୀ ଓ ଆଶା ଆକାଂକ୍ଷା ସତ୍ୟରେ ପରିଣତ ହୋଇଛି । ରାଜାମାନଙ୍କର ରାଜତ୍ୱ ଗଲାପରେ ସେମାନଙ୍କ ପରିବାରର ଲୋକମାନେ ସାଧାରଣ ଜନତା ସହିତ ମିଳିମିଶି ଚଳୁଛନ୍ତି । ମାତ୍ର ନାଟ୍ୟକାରଙ୍କର ସାମ୍ୟବାଦର ସ୍ୱପ୍ନ ସାକାର ହୋଇପାରିନାହିଁ ।

 

ବିଶ୍ୱାସ କିପରି ମଣିଷର ଅବଚେତନ ମନରେ କାର୍ଯ୍ୟ କରେ, ତାହା ‘କିଛି ନାହିଁ ସେଥିରେ’ ଏକାଙ୍କିକାରେ ଉପସ୍ଥାପନ କରାଯାଇଛି । ସ୍ୱାଧିନତା ପରେ ଭାରତର ସାମାଜିକ, ରାଜନୀତିକ, ଅର୍ଥନୀତିକ ଓ ନୈତିକ ସ୍ତରରେ ସ୍ୱେଚ୍ଛାଚାରିତା ବଢ଼ି ଚାଲିଲା । ମହାତ୍ମାଗାନ୍ଧୀଙ୍କ ହତ୍ୟା, କ୍ଷମତା ଯୁଦ୍ଧରେ ରାଜନୀତିକ ଦଳବଦଳ, ଅର୍ଥନୀତିକ ଅସମାନତା ଓ ଦୁର୍ନୀତି ଭବିଷ୍ୟତ ଭାରତର ପ୍ରଗତି ମୂଳରେ କୁଠାରଘାତ କଲା । ଡାକ୍ତର ସୁପ୍ରକାଶ ଦେଶର ଏହିଭଲି ଅଧୋଗତି ଅବସ୍ଥା ଦେଖି ପ୍ରତ୍ୟେକ ସ୍ତରର ଲୋକମାନଙ୍କ ମାନସିକ ଚିକିତ୍ସା କରିବା ପାଇଁ ଏକ ଆଶ୍ଚର୍ଯ୍ୟ ବଟିକା ଉଦ୍ଭାବନ କରିଛନ୍ତି । ଏହି ବଟିକା ଖାଇସାରିବା ପରେ ସମସ୍ତଙ୍କର ବଦ୍ଧଧାରଣାର ପରିବର୍ତ୍ତନ ଘଟିଛି । ରବୀନ୍ଦ୍ର ଓ ଚିତ୍ରା ଏହି ଆଶ୍ଚର୍ଯ୍ୟ ବଟିକାର ଉପାଦାନ ମେଳ ସଂପର୍କରେ ଡକ୍ଟର ସୁପ୍ରକାଶଙ୍କୁ ପଚାରିବାବେଳେ ସେ ଉତ୍ତର ଦେଇଛନ୍ତି, ‘‘x x x ଯେତେବେଳେ ମୋର ଦୃଢ଼ ବିଶ୍ୱାସ ହେଲା ଯେ କୌଣସି ରାସାୟନିକ ଔଷଧର ସାଧ୍ୟ ନାହିଁ ମନୁଷ୍ୟର ବଦ୍ଧ ବିକାରକୁ ନିରାମୟ କରିପାରିବ, ସେତେବେଳେ ମୁଁ ଠିକ୍‌କଲି ଯେ କାବଳ ଫେତ୍‌କିଓର ହିଁ ଏହି ବଦ୍ଧ ବିକାରକୁ ଭଲ କରିପାରିବ-କୌଣସି ଯୁକ୍ତି ବା ତର୍କ ମଧ୍ୟ ଏ ବିକାରର ଠିକ୍‌ ଚିକିତ୍ସା ନୁହେଁ- ବରଂ ତାହା ବିକାରକୁ ବଢ଼ାଇ ଦିଏ.... ମନୁଷ୍ୟ ଯେଉଁ ଧାରଣାକୁ ପରିତ୍ୟାଗ କିମ୍ବା ଗ୍ରହଣ କରିବାକୁ ତାର ଅବଚେତନରେ ବ୍ୟାକୁଳ ହୁଏ, ସେଥିରେ ସାମାନ୍ୟ ବିଶ୍ୱାସ ସଂଯୋଗ କଲେ ହେଁ ଲକ୍ଷ ଲକ୍ଷ ଲୋକଙ୍କ ମନରେ ବିଶ୍ୱାସ ଜାତ କରାଇଥିଲା, ମୋର ବଟିକା ଠିକ୍‌ ସେଇଆ କରିଚି ।’’ (୬) ଡାକ୍ତର ନିଜର ଆଶ୍ଚର୍ଯ୍ୟ ବଟିକାର ଉପାଦାନ ମେଳ ସଂପର୍କରେ କହିଛନ୍ତି ଯେ ସେଥିରେ କେବଳ ଅଛି ସାମାନ୍ୟ ଭାଂଗ । ଯାହାକୁ ଖାଇଲେ ପ୍ରତ୍ୟେକ ଲୋକର ମୁଣ୍ଡ ଝାଙ୍କିବା ଏବଂ ତାର ବିଶ୍ୱାସ ହବ ଯେ ନିଜର ବଦ୍ଧ ଧାରଣାକୁ ପରିବର୍ତ୍ତନ କରିବା ପାଇଁ ସେହି ବଟିକାରେ ବିଶେଷଗୁଣ ଅଛି । ସେହି ବିଶ୍ୱାସ ହିଁ ତାର ଅବଚେତନରେ ପରିବର୍ତ୍ତନ ସଂଘଟନ କରାଇବାରେ ସକ୍ଷମ ହେବ ।

 

ଅତିରିକ୍ତ ସଂଚୟ ଯୋଜନାକୁ ବ୍ୟଙ୍ଗବିଦ୍ରୂପ ମାଧ୍ୟମରେ ‘ସଞ୍ଚୟ ସମସ୍ୟା’ ଏକାଙ୍କିକାରେ ନାଟ୍ୟକାର ଉପସ୍ଥାପନା କରିଛନ୍ତି । ସ୍ୱଳ୍ପ ସଞ୍ଚୟ ଯୋଜନା ଅଧିକାରୀ (Small Savings Scheme Officer) ନିଜ ପରିବାରର ପ୍ରତ୍ୟେକ ସଦସ୍ୟମାନଙ୍କ ପାଇଁ ସ୍ୱଳ୍ପ ସଞ୍ଚୟ ଅଙ୍ଗୀକାର ପତ୍ର (Small Saving Bonds) କିଣିବା; ମାଛ, ମାଂସ, ଦୁଧ, ପୋଟଳ ପ୍ରଭୃତି କିଣିବା ପରିବର୍ତ୍ତେ ଶୁଖୁଆ,ସାରୁ କଖାରୁ, ଜହ୍ନି ପ୍ରଭୃତି ପରିବା କିଣି ଆଣିବା ଘଟଣାକୁ ନାଟ୍ୟକାର ତୀବ୍ର ବ୍ୟଙ୍ଗ କରିଛନ୍ତି । ଅଫିସରଙ୍କ ସ୍ତ୍ରୀ ନିଜ ଛାତିରେ ଅସହ୍ୟ ଯନ୍ତ୍ରଣା ହେଉଥିବା ଅଭିନୟ କରିବା ପରେ ଡାକ୍ତର ବନ୍ଧୁ ଜଣକ ଆସି ତାଙ୍କ ସହିତ ଗୁପ୍ତ ମନ୍ତ୍ରଣା କରିଛନ୍ତି ଏବଂ ତାଙ୍କର (ସ୍ତ୍ରୀଙ୍କର) ହୃଦରୋଗ ହୋଇଛି ବୋଲି ପ୍ରକାଶ କରିଛନ୍ତି । ଅଫିସରଙ୍କର ଭିଟାମିନ୍‌ଯୁକ୍ତ ଶୁଖୁଆ, ସାରୁ ଓ କଖାରୁ ହାସ୍ୟରସ ସୃଷ୍ଟି କରିଛି । ପରିଶେଷରେ ଜଣାପଡ଼ିଛି ଯେ ଅଫିସରଙ୍କର ଅତିରିକ୍ତ ସଞ୍ଚୟ ଯୋଜନାରୁ ମୁକ୍ତି ତାଙ୍କ ସ୍ତ୍ରୀ ଡାକ୍ତର ବନ୍ଧୁଙ୍କ ସହିତ ସାଲିସ୍‌କରି ହୃଦ୍‌ରୋଗ ହେବାର ଅଭିନୟ କରୁଥିଲେ ।

 

ସ୍ୱାଧୀନତା ପରେ ଭାରତରେ ପ୍ରାଦେଶିକ ଭେଦଭାବ ଯୋଗୁ ଚାକିରୀ ପାଇଁ ସାକ୍ଷାତକାର (Interview) ଦେବାକୁ ଆସିଥିବା ଯୁବକମାନେ କିପରି ହୀନସ୍ତା ହେଉଥିଲେ, ତାହାର ଏକ ବ୍ୟଙ୍ଗାତ୍ମକ ଉପସ୍ଥାପନା ହେଉଛି ‘ରାମଚନ୍ଦ୍ରର ସାଧନା’ ଏକାଙ୍କିକା । ଉଚ୍ଚଶିକ୍ଷିତ ଯୁବକ ରାମଚନ୍ଦ୍ର ଚାକିରୀ ସଂସ୍ଥାନ ପାଇଁ ଭିନ୍ନ ଭିନ୍ନ ପ୍ରାଦେଶିକ ପୋଷାକ ପିନ୍ଧି ଭିନ୍ନ ଭିନ୍ନ ପ୍ରାଦେଶିକ ଅଫିସରଙ୍କ ଦପ୍ତରରେ ସାକ୍ଷାତକାର ଦେବା ଏବଂ ଶେଷରେ କ୍ଷୀଣକାୟ ମାଣ୍ଟିଙ୍କ କନ୍ୟା ପେଁଚିକୁ ବିବାହ କରି ଘରଜ୍ୱାଇଁଆ ହେବାକୁ ରାଜି ହେବା ବେଶ୍ ହାସ୍ୟରସ ସୃଷ୍ଟି କରିଛି । ଏପରିକି ରାମଚନ୍ଦ୍ରକୁ ନାରୀର ପୋଷାକ ପିନ୍ଧାଇ ନାଟ୍ୟକାର ତତ୍କାଳୀନ ସରକାରୀ କଳର ହୀନମନ୍ୟତାକୁ ବ୍ୟଙ୍ଗ କରିଛନ୍ତି । କେନ୍ଦ୍ର ସରକାରଙ୍କର ସାଂସ୍କୃତିକ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଯୁବଉତ୍ସବ ୧୯୫୬ ମସିହାରେ ଏହି ଏକାଙ୍କିକାଟି ଦିଲ୍ଳୀରେ ଅଭିନୀତ ହୋଇ ସଫଳତା ଲାଭ କରିଥିଲା ।

 

ଉଗ୍ର ଆଧୁନିକତା ନାମରେ ନାରୀ ସ୍ୱାଧୀନତା କିପରି ପାରିବାରିକ ଜୀବନକୁ ଉତ୍ସୃଙ୍ଖଳିତ କରିଦିଏ, ତାହା ନାଟ୍ୟକାର ‘ଅତ୍ୟାଚାରିତ’ ଏକାଙ୍କିକାରେ ଉପସ୍ଥାପନ କାରଛନ୍ତି । ଡ଼େପୁଟି ମାଜିଷ୍ଟେଟ୍‌ ବ୍ରଜବାବୁଙ୍କର ସରକାରୀ ଗସ୍ତର ସୁଯୋଜ ନେଇ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟ ସାମ୍ୟବାଦ ମନ୍ତ୍ରରେ ଦୀକ୍ଷିତ ହୋଇଛନ୍ତି । ସ୍ୱାମୀ, ସଂଘ, ଛାତ୍ର ସଂଘ ଓ ଚାକର ସଂଘ ଓ ଚାକର ସଂଘର କାର୍ଯ୍ୟକଳାପକୁ ହାସ୍ୟରସ ମାଧ୍ୟମରେ ନାଟ୍ୟକାର ବ୍ୟଙ୍ଗ କରାଯାଇଛି । ନିଜ ପରିବାର ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ନାରୀ କେବେ ଅନ୍ୟ ପରିବାରରେ ଶୃଙ୍ଖଳା ଆଣିପାରିବ ନାହିଁ ବୋଲି ନାଟ୍ୟକାର ସାବ୍ୟସ୍ତ କରିଛନ୍ତି ।

 

ସେହିଭଳି ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ତ୍ୟାଗ କରି ସ୍ୱାଧୀନତା ନାମରେ ନାରୀମାନଙ୍କର ସ୍ୱଚ୍ଛାଚାରିତାକୁ ନାଟ୍ୟକାର ‘କରକା’ ଏକାଙ୍କିକାରେ ଉପସ୍ଥାପନ କରିଛନ୍ତି । ଭାରତୀୟା ନାରୀତ୍ୱର ମହାନ୍ ଆଦର୍ଶ, ସାସ୍କୃତିକ ଜିଜ୍ଞାସା, ସାମାଜିକ ପରମ୍ପରା ଓ ପାରିବାରିକ କର୍ତ୍ତବ୍ୟବୋଧ ପ୍ରତି ସଚେତନ ରହିବାକୁ ନ୍ୟଟ୍ୟକାର ସମଗ୍ର ନାରୀ ସମାଜକୁ ଆହ୍ୱାନ ଜଣାଇଛନ୍ତି-। ପୁରୁଷ ବିନା ନାରୀ ଓ ନାରୀ ବିନା ପୁରୁଷର ସ୍ତ୍ୱତନ୍ତ୍ର ସତ୍ତା କଳ୍ପନା କରାଯାଇପାରିବ ନାହିଁ । ମ୍ୟାଡ଼ାମକ୍ୟୁରୀ, ମଦର ଟେରେସା, ଫେରେନ୍‌ସ ନାଇଟିଙ୍ଗେଲ ଓ ଟେରେସ୍କୋଭାଙ୍କର ଉଚ୍ଚ ପ୍ରଶଂସା କରି, ପାଶ୍ଚାତ୍ୟାନୁକରଣରେ ନାରୀ ସ୍ୱାଧୀନତା ନାମରେ ସିନେମା ଓ ଥିଏଟରରେ ନିଜର ଅର୍ଦ୍ଧନଗ୍ନ ଶରୀରକୁ ପ୍ରଦର୍ଶନ କରିବା ଏବଂ ଦୂରଦର୍ଶନରେ ବିଜ୍ଞାପନ ଦେବା ପାଇଁ ମଡ଼େଲିଂ କରୁଥିବା ନାରୀମାନଙ୍କର କାର୍ଯ୍ୟକଳାପକୁ ନାଟ୍ୟକାର ନାପସନ୍ଦ କରିଛନ୍ତି । ଏହି ଏକାଙ୍କିକାଟି ୧୯୫୭ ମସିହାରେ ବିଶ୍ୱ ନାରୀ ଜାଗରଣ ଦିବସ ଉପଲକ୍ଷେ କଟକ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହୋଇଥିଲା ।

 

ଭାରତୀୟମାନଙ୍କ ମଧ୍ୟରେ ଜାତିଗତ, ଧର୍ମଗତ ଓ ଭାଷାଗତ ବିଭେଦ ସତ୍ତ୍ୱେ ମହାମାନବିକ ଭାରତୀୟ ଆଦର୍ଶ କିଭଳି ସେମାନଙ୍କ ଭିତରେ ଦୃଢ଼ିଭୂତ, ତାହା ‘ଅକିଞ୍ଚନ’ (୧୯୫୫) ଏକାଙ୍କିକାରେ ଉପସ୍ଥାପନା କରାଯାଇଛି । ୟାଂଲୋଇଣ୍ଡିଆନ ମହିଳା ଜଣକ ରେସ୍ତୋରାଁରେ ନିଜର ପର୍ସ ଛାଡ଼ିବା-ଟ୍ରେନ ଭିତରେ ନିଜର ଶିଶୁ ସନ୍ତାନକୁ ଅମର ବାବୁଙ୍କ କୋଳରେ ଦେବା-ଟ୍ରେନ ଛାଡ଼ିଦେବା-ଅମର ବାବୁ ଶିଶୁଟିର ଯତ୍ନ ନେବା- ପରିବର୍ତ୍ତୀ ଷ୍ଟେସନ୍‌ରେ ଶିଶୁ ଚୋରୀ ଅଭିଯୋଗରେ ପୋଲିସି ଅମର ବାବୁଙ୍କୁ ଆରେଷ୍ଟ କରିବାକୁ ଯିବା-ଭଦ୍ରମହିଳା ଜଣକ ପରବର୍ତ୍ତେ ଟ୍ରେନ୍‌ରେ ଆସି ଅମର ବାବୁଙ୍କ ନିକଟରେ କୃତଜ୍ଞତା ଜଣାଇବା ପ୍ରଭୃତି ଘଟଣା ନାଟକୀୟ ଉତ୍କଣ୍ଠାକୁ ତୀବ୍ରତର କରିଛି । ଏକାଙ୍କିକାଟିରେ ବଙ୍ଗୀୟ ଭଦ୍ରବ୍ୟକ୍ତି ମିଷ୍ଟର ସେନ୍‌ଙ୍କର ଅମର ବାବୁଙ୍କୁ ଉଚ୍ଛ୍ୱସିତ ପ୍ରଶଂସା ହୃଦୟସ୍ପର୍ଶୀ । ‘‘ଅମର ବାବୁ, ଆପନାର ପରିଚୟ ପେୟେ ଆଜ ଆମି ଧନ ହଲାମ୍‌-ଆମାର ଜୀବନେ ଏଇ ଘଟନାଟି ଏକ ଶ୍ରେଷ୍ଠ ଘଟନା ହେୟେ ଥାକ୍‌ବେ x x x ଅମର ବାବୁ, ସାରା ପୃଥିବୀ ଏଇ ଘଟନା ଦେଖେ ମାନୁଷେର ଉପର ଆଜ୍‌ ଆମାର ଏକ ନତୁନ୍‌ ଆସ୍ଥା ଓ ବିଶ୍ୱାସ ଜନ୍ମେଛେ । ’’(୭)

 

ସ୍ୱାର୍ଥ ସର୍ବସ ସମାଜର ବ୍ୟକ୍ତିକୈନ୍ଦ୍ରିକତା ଊର୍ଦ୍ଧ୍ୱରେ ମାନବବାଦ ଆଦର୍ଶର ମହନୀୟତା ଭାରତୀୟ ଜୀବନ ଦର୍ଶନକୁ ମହିମାମଣ୍ଡିତ କରି ଗଢ଼ି ତୋଳିଛି ବୋଲି ନାଟ୍ୟକାର ଦର୍ଶାଇଛନ୍ତି । ‘ଅକିଞ୍ଚନ’ ଏକାଙ୍କିକା ଇଂରାଜୀ ନାଟ୍ୟକାର ଓ ଔପନ୍ୟାସିକ ନୋବେଲ ପୁରସ୍କାର ବିଜେତା ଜନ୍‌ ଗଲ୍‌ସୱର୍ଦିଙ୍କର ‘The Little Man’ ଏକାଙ୍କିକା ଛାୟାରେ ରଚିତ । କିନ୍ତୁ ‘ଅକିଞ୍ଚନ’ ଏକାଙ୍କିକାରେ ନାଟ୍ୟକାରଙ୍କର ମୌଳିକ ଚିନ୍ତାଧାରା ସୁସ୍ପଷ୍ଟ । ଗଲ୍‌ସୱର୍ଦିଙ୍କର ଏକାଙ୍କିକାର ଚରିତ୍ରମାନେ ପୃଥିବୀର ଭିନ୍ନ ଭିନ୍ନ ଦେଶର ଅଧିବାସୀ ହୋଇଥିବା ସ୍ଥଳେ ପ୍ରାଣବନ୍ଧୁ କରଙ୍କ ଏକାଙ୍କିକାର ଚରିତ୍ରମାନେ ଭାରତୀୟ ଏବଂ ମହିଳାଜଣକ ୟାଂଲୋଇଣ୍ଡିଆନ୍ । ‘The Little Man’ରେ ଇଂରେଜ ବ୍ୟକ୍ତି ଜଣକ ଟ୍ରେନ୍‌ରେ ଶିଶୁଟିକୁ ସମ୍ଭାଳିବାରେ ଓ ଯତ୍ନନେବାରେ କିଛି ତ୍ରୁଟି କରିନାହାନ୍ତି । ଅନ୍ୟଦେଶର ଲୋକମାନେ ଇଂରେଜ ଭଦ୍ରବ୍ୟକ୍ତିଙ୍କ ଅସହାୟତା ପ୍ରତି ସହାନୁଭୂତି ପ୍ରଦର୍ଶନ କରିଛନ୍ତି, ମାତ୍ର ଶିଶୁଟିକୁ ମିଳିମିଳା ହୋଇଥିବାରୁ କେହି ତାକୁ ଧରିବାକୁ ଆସି ନାହାନ୍ତି ।

 

ଫ୍ରଏଡ଼ୀୟ ଦର୍ଶନର ମନସ୍ତତ୍ତ୍ୱ ମଧ୍ୟ ଦେଇ ମଣିଷ ମନର ଅବଚେତନରେ ଥିବା ସୂକ୍ଷ୍ମାତିସୂକ୍ଷ୍ମ ରହସ୍ୟକୁ ‘ସ୍ମୃତିବିଭ୍ରାଟ’ ଏକାଙ୍କିକାରେ ଉଦ୍‌ଘାଟନ କରାଯାଇଛି । ଛବିର ସାମୟିକ ଅନ୍ୟ-ମନସ୍କତା, Memory export ପ୍ରବୀରର ସ୍ମୃତିଲୋପ ଅଭିନୟ, ଅବନୀବାବୁ ଓ ଛବି ବୋଉ ବ୍ୟସ୍ତ ବିବ୍ରତ ହେବା ବେଶ୍ ନାଟକୀୟ ଦ୍ୱନ୍ଦ୍ୱ ଓ ଉତ୍କଣ୍ଠାକୁ ତୀବ୍ରତର କରିଛି । ସ୍ମୃତି-ବିଭ୍ରାଟ ବା ସ୍ମୃତିବିଲୋପ କୌଣସି ମାନସିକ ରୋଗ ନୁହେଁ, ବିଶେଷ ପରିସ୍ଥିତିରେ ସାମୟିକ ଅନ୍ୟମନସ୍କତା ବୋଲି ନାଟ୍ୟକାର ସାବ୍ୟସ୍ତ କରିଛନ୍ତି । ଏକମାତ୍ର ଝିଅ ଛବିର ଭବିଷ୍ୟତ ଜୀବନ ସଂପର୍କରେ ଅବନୀବାବୁଙ୍କ ଆଶଙ୍କା ସାବୟିକ ସ୍ମୃତି-ବିଲୋପ ଛଡ଼ା ଅନ୍ୟକିଛି ନୁହେଁ ।

 

ନାଟ୍ୟକାର ଭାରତୀୟ ନାରୀର ଆଦର୍ଶ, ସେବା, ଯତ୍ନ ଓ ଗଭୀର ଦାମ୍ପତ୍ୟ ପ୍ରେମକୁ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ‘ଶ୍ୱେତପଦ୍ମା’ ଏକାଙ୍କିକାରେ ଉପସ୍ଥାପନ କରିଛନ୍ତି-। ବିବାହର ଦଶବର୍ଷ ବିତିଗଲାପରେ ସୁଦ୍ଧା ହେମକାନ୍ତର ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ନ ଘଟିବାରୁ ପ୍ରତି ମୁହୂର୍ତ୍ତରେ ଶ୍ୱେତାର ଅତିରିକ୍ତ ସେବାଯତ୍ନ ତା’ ମନରେ ସନ୍ଦେହ ସୃଷ୍ଟି କରିଛି । ବନ୍ଧୁ ମିତ୍ରାର ସ୍ୱାସ୍ଥ୍ୟବାନ ସ୍ୱାମୀ ବିନୋଦନନ୍ଦ ପ୍ରତି ଶ୍ୱେତାର ଯତ୍ନ ଦେଖି ହେମକାନ୍ତ ମନରେ ଦ୍ୱୈଧଭାବ ସୃଷ୍ଟି ହୋଇଛି । ଶେଷରେ ହେମକାନ୍ତ ଅନୁନୟ ବିନୟ ହୋଇ ତା’ର ମାନସିକ ଅବସାଦ ଦୂର କରିବାକୁ ଶ୍ୱେତାକୁ ଅନୁରୋଧ କରିଛି । ଶ୍ୱେତା ତା’ ବିବାହର ଚଉଠି ରାତିରେ ବନ୍ଧୁମାନଙ୍କର ମନ୍ତବ୍ୟ ସଂପର୍କରେ କହିବାକୁ ଯାଇ ଶୋକାକୁଳ ହୋଇପଡ଼ିଛି । ସ୍ୱାମୀର ବକ୍ଷଦେଶରେ ମୁଣ୍ଡରଖି କଇଁ କଇଁ କ୍ରନ୍ଦନ ମଧ୍ୟରେ ଟି.ବି. ଶବ୍ଦ ଅନୁଚାରିତ ହୋଇ ରହିଯାଇଛି ।

 

ନାଟ୍ୟକାର ପ୍ରାଣବନ୍ଧୁ କର ଭାରତୀୟା ନାରୀର ସେବା, ଯତ୍ନ ଓ ପ୍ରେମ ପ୍ରସଂଗ ଉପସ୍ଥାପନ କରିବା ସଂଗେସଂଗେ ପୁରୁଷର ସଂଶୟ, ଈର୍ଷା ଓ ହୀନମନ୍ୟତାକୁ ବ୍ୟକ୍ତ କରିଛନ୍ତି । ‘ଶ୍ୱେତପଦ୍ମା’ ଏକାଙ୍କିକା ୧୯୫୮ ମସିହାରେ କେନ୍ଦ୍ର ସାଂସ୍କୃତିକ ବିଭାଗ ଆନୁକୂଲ୍ୟରେ ସର୍ବଭାରତୀୟ ବହୁଭାଷୀ ୪୭ ଟି ନାଟକ ପ୍ରତିଯୋଗିତାରେ ‘କଲିକତା ଥିଏଟର ସେଣ୍ଟର’ରେ ପ୍ରଥମେ ମଞ୍ଚସ୍ଥ ହୋଇ ସର୍ବଶ୍ରେଷ୍ଠ ନାଟକ, ନାଟ୍ୟକାର, ନିର୍ଦ୍ଦେଶନା, ପ୍ରଯୋଜନା ଓ ଅଭିନୟ ପାଇଁ ପୁରଷ୍କୃତ ହୋଇଥିଲା । କଲିକତାର ଦର୍ଶକମାନଙ୍କର ମନ୍ତବ୍ୟକୁ ନାଟ୍ୟକାର ଏକାଙ୍କିକାର ମୁଖବନ୍ଧରେ ଉଲ୍ଲେଖ କରିଛନ୍ତି, ‘ମୁଁ ପ୍ରଥମ ଧାଡ଼ିରେ ବସିଥିଲି । ପଛକୁ ଚାହିଁ ଦେଖିଲି ବହୁ ଦର୍ଶକ ରୁମାଲରେ ଆଖିରୁ ଲୁହ ପୋଛୁଛନ୍ତି । ଅଥଚ ଏକାଙ୍କିକାଟି କମେଡ଼ି, ଟ୍ରାଜେଡ଼ି ନୁହେଁ । ନାଟକର ଶେଷରେ ଦର୍ଶକମାନେ ଅଧଘଣ୍ଟା ବିଶ୍ରାମବେଳେ ପଦାକୁ ବାହାରି ଆସିବାବେଳେ କାନରେ ପଡ଼ିଲା ଜଣେ ଦର୍ଶକ କହୁଛନ୍ତି, ‘‘ବାଃ, ଉଡ଼େ ନାଟକଟି ବେଶ୍‌ ହୟେଛେ, ସୁନ୍ଦର ହୟେଛେ-ଏଇଟେଇ ପ୍ରଥମ ହୱା ଉଚିତ୍‌ ।’’ (୮)

 

ଭାରତୀୟ ପରମ୍ପରାରେ ଜୀବନ ଯନ୍ତ୍ରଣାର ପ୍ରକୃତି ରହସ୍ୟକୁ ହୃଦୟଙ୍ଗମ ନ କରି ପାଶ୍ଚାତ୍ୟ ଜୀବନର ହତାଶା, ନୈରାଶ୍ୟ ଓ ବ୍ୟର୍ଥତାକୁ ପାଥେୟ କରି ପଳାୟପନ୍ଥୀ ମନୋବୃତ୍ତି ପୋଷଣ କରୁଥିବା ଯୁବକମାନଙ୍କୁ ଜୀବନଯୁଦ୍ଧର ମୁକାବିଲା କରିବାକୁ ନାଟ୍ୟକାର ‘ହତାଶ ମେଘର ହସ’ ଏକାଙ୍କିକାରେ ଆହ୍ୱାନ ଜଣାଇଛନ୍ତି । ଜୀବନରେ ସମସ୍ୟାର ସମ୍ମୁଖୀନ ହୋଇନପାରି କ୍ଷୁଧା ଓ ଯୌନ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପାଶ୍ଚାତ୍ୟ ଜୀବନର ବ୍ୟର୍ଥତାକୁ ଅନୁକରଣ କରି ହିପ୍କୀ ସାଜି କୋଣାର୍କ ମନ୍ଦିର ପାର୍ଶ୍ୱ ନିର୍ଜନ ବାଲିରେ ଗଞ୍ଜେଇ ଟାଣି ଜ୍ଞାନାତୀତ ଧ୍ୟାନ (Transcedental meditation) କରୁଥିବା ଦୁଇବନ୍ଧୁ ଜଗା ଓ ଦିଲୁକୁ ନାଟ୍ୟକାର ସଂଜିତା ମୁଖରେ ଅଳସୁଆ, ଅପଦାର୍ଥ କହି ତାତ୍ସ୍ଲ୍ୟ କରିଛନ୍ତି- ‘‘x x x ମନର ଭୋକ ମାରୁଚ ନାରୀ ମୂର୍ତ୍ତିକୁ ଲୋଭେଇଲା ଆଖିରେ ଚାହିଁ....ତମେଗୁଡ଼ାକ ଅଳସୁଆ....ଅପଦାର୍ଥ...ଦେଶରେ ତମ ସଂଖ୍ୟା ବଢ଼ିଲେ ଏ ଜାତିଟା ଧ୍ୱଂସ ପାଇଯିବ ।’’(୯)

 

ଯୁଗେ ଯୁଗେ ମନୁଷ୍ୟ ଜୀବନ ସୁଖ-ଦୁଖଃ, ଆନନ୍ଦ ବିଷାଦରେ ପରିପୂର୍ଣ୍ଣ । ଜୀବନରେ ଯନ୍ତ୍ରଣା, ହତାଶା, ବ୍ୟର୍ଥତା ଓ ନୈରାଶ୍ୟ ରହିଛି । ଜଗୁ ସ୍ୱପରେ ମହତ୍ସାଗାନ୍ଧୀ ଓ ହରମ୍ୟାନ୍‌ ହୋସ୍‌ଙ୍କ ବାଣୀ ଶୁଣି କର୍ମମୟ ଜୀବନର ପ୍ରକୃତ ରହସ୍ୟ ବୁଝି ପାରିଛି ସୁବିଧାବାଦୀ ପଳାୟନପନ୍ଥୀ ଜୀବନରେ ମଧ୍ୟ ଯନ୍ତ୍ରଣା ରହିଛି । ଶୁଷ୍କ ମେଘ ଖଣ୍ଡରେ ବର୍ଷାର ସମ୍ଭାବନା ସୃଷ୍ଟିକରି ନାଟ୍ୟକାର ଉଦ୍ଭଟ ଜୀବନରେ ଆନନ୍ଦର ସଂଚାର କରିଛି । ଯେଉଁ ସମୟରେ ଓଡ଼ିଶାର କେତେଜଣ ନାଟ୍ୟକାର ଜୀବନର ଉଦ୍ଭଟତାଙ୍କୁ ଅସଲଗ୍ନଭାବେ ରୂପାୟନ କରିବାରେ ବ୍ୟସ୍ତ, ଠିକ୍‌ ସେତିକିବେଳେ ପ୍ରାଣବନ୍ଧୁ କର ଜୀବନର ବ୍ୟର୍ଥତା ଓ ଉଦ୍ଭଟତା ପରିବର୍ତ୍ତେ ଏକ ସୁନ୍ଦର ଜୀବନ ରହିଛି ବୋଲି ସାବ୍ୟସ୍ତ କରିଛନ୍ତି ।

 

ଜୀବନର ଅନ୍ତିମ ମୁହୂର୍ତ୍ତରେ ଉପନୀତ ହୋଇଥିବା ବୃଦ୍ଧମାନେ ଭବିଷ୍ୟତ ବଂଶଧରମାନଙ୍କ କାର୍ଯ୍ୟକଳାପ ପ୍ରତି କିପରି ସଯତ୍ନ ବିଶ୍ୱାସ ସ୍ଥାପନ କରିଥାନ୍ତି, ତାହା ‘‘ବିବର୍ଣ ସନ୍ଧ୍ୟାର ମୂର୍ଚ୍ଛନା’ ଏକାଙ୍କିକାରେ ଉପସ୍ଥାପନ କରାଯାଇଛି । ବିଦ୍ୟାଳୟରେ ଏକ ହାର ଚୋରୀ ଘଟଣାରେ ବୃଦ୍ଧଙ୍କ ଶିକ୍ଷୟିତ୍ରୀ ଝିଅ ନିଜ ଝିଅ ପ୍ରତି ନିଷ୍ଠୁର ଦଣ୍ଡବିଧାନକୁ ସେ ଗ୍ରହଣ କରିପାରି ନାହାନ୍ତି । ହାରଟି ଅନ୍ୟ ଜଣେ ପିଲାଠାରୁ ମିଳିବା ପରେ ଶିକ୍ଷୟିତ୍ରୀ ଜଣକ ନିଜର ଭୁଲ ବୁଝି ପାରିଛନ୍ତି । ନିଜ ବଂଶର ଅତୀତ ପରମ୍ପରା ଓ ଭବିଷ୍ୟତ ପିଢ଼ି ସଂପର୍କରେ ସଚେତନ ବୃଦ୍ଧ, ନାତୁଣୀ ଯେ ହାର ଚୋରୀ କରି ନାହିଁ; ଏଥିରେ ସ୍ଥିର ନିଶ୍ଚିତ । ଏକାଙ୍କିକାରେ ନାଟ୍ୟକାର କୋମଳମତି ଶିଶୁମାନଙ୍କ ପ୍ରତି କଠୋର ମନୋଭାବ ପୋଷଣ ନ କରିବାକୁ ପରୋକ୍ଷରେ ସୂଚାଇଛନ୍ତି ।

 

ପରସ୍ପରର ଦୁଃଖ, ଯନ୍ତ୍ରଣା, ହତାଶା ପ୍ରତି ସମବେଦନାଶୀଳ ହୋଇ ପଡ଼ିଥିବା ଜଣେ ପଞ୍ଚଷଠି ବର୍ଷର ବୃଦ୍ଧ ଓ ଜଣେ ତିରିଶ ବର୍ଷର ତରୁଣୀର ମାନସିକ ଅବସାଦକୁ ‘ଦୁଃଖାବଲୋକନ’ ଏକାଙ୍କିକାରେ ଉପସ୍ଥାପନା କରାଯାଇଛି । ଅତ୍ୟଧିକ ଚା’ ପାନ କରି ନିଜ ହୃଦୟର ପୁଞ୍ଜିଭୂତ ଦୁଃଖ ଓ ଯନ୍ତ୍ରଣାକୁ ଭୁଲିବାକୁ ଚେଷ୍ଟା କରୁଥିବା ବୃଦ୍ଧ ଶିବକୁମାରଙ୍କର ବୟସ୍କା ତରୁଣୀ ଚମ୍ପା ବେରାଙ୍କ ସହିତ ଘନିଷ୍ଠ ସଂପର୍କ ଗଢ଼ି ଉଠିଛି । ଉଭୟେ ଉଭୟଙ୍କର ଦୁଃଖ ଶୁଣି ସାରିବା ପରେ ବୃଦ୍ଧ ଶିବକୁମାର ଚମ୍ପା ପ୍ରତି ଗଭୀର ସମବେଦନା ପ୍ରକାଶ କରି କହିଛନ୍ତି, ‘‘x x x ରୂପ ଯୌବନ ଥାଇ ବି ତୁ ଉପବାସୀ । ଏ ଭୋକ ତୋର ଅବଚେତନ ମନରେ ସବୁବେଳେ ରହିବ ... ତୋର ଜନ୍ମଦାତା ଜନ୍ମଦାତ୍ରୀଙ୍କୁ ଆଉ ଦେଖିବାକୁ ଯିବୁନି-ଅଥଚ ସେମାନେ ବଞ୍ଚିଛନ୍ତି । x x x ନା ମା’ ଚମ୍ପାକଢ଼ୀ ଆଉ... ପାରିବିନି ତୋ ଦୁଃଖର ବିଶ୍ଳେଷଣ କରି’’ (୧୦) ବୃଦ୍ଧ ଶିବକୁମାର ଓ ତରୁଣୀ ଚମ୍ପା ବେରାର ମାନସିକ ଦ୍ୱନ୍ଦ୍ୱକୁ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଉଦ୍‌ଘାଟନ କରାଯାଇଛି ।

 

ଜଣେ ନିଷ୍ଠାପର ଅଧ୍ୟାପକ ଭାରତୀୟ କୁଳଷିତ ରାଜନୀତିର ଶିକାର ହୋଇ କିଭଳି ଚାକିରୀରୁ ଇସ୍ତଫା ଦେଇଛନ୍ତି, ତାହା ‘ଅଥର୍ବ’ ଏକାଙ୍କିକାରେ ଉପସ୍ଥାପନ କରାଯାଇଛି । ସ୍ୱାର୍ଥନ୍ୱେଷୀ ରାଜନେତାମାନେ ଶସ୍ତା ନାଁ ନେବା ପାଇଁ ଦକ୍ଷ ଓ କର୍ତ୍ତବ୍ୟନିଷ୍ଠ କର୍ମଚାରୀମାନଙ୍କୁ କିପରି ହଇରାଣ କରିଛନ୍ତି, ତାହା ନାଟ୍ୟକାର ଦର୍ଶାଇଛନ୍ତି । ସେହିଭଳି ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଚାଲୁଥିବା ଅନ୍ୟାୟ, ଅନୀତି ଓ ଅସୂୟାକୁ ନାଟ୍ୟକାର ‘ଅପେକ୍ଷା’ ଏକାଙ୍କିକାରେ ଉପସ୍ଥାପନ କରିଛନ୍ତି । ସ୍ୱାଧୀନତା ପରେ ଓଡ଼ିଶାର ଶିକ୍ଷା ବିଭାଗରେ ମନ୍ତ୍ରୀସ୍ତରରୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ ପ୍ରତ୍ୟେକ କିପରି ପ୍ରିୟାପ୍ରିତି ତୋଷଣ ଓ ଦୁର୍ନୀତିରେ ଲିପ୍ତ ରହିଛନ୍ତି, ତାହା ଦର୍ଶାଇଲାବେଳେ ନାଟ୍ୟକାର ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଫିସରମାନଙ୍କ କାର୍ଯ୍ୟକଳାପକୁ ବ୍ୟଙ୍ଗ କରିଛନ୍ତି ।

 

ବୟସ ଗଡ଼ି ଯାଇଥିବା ନାରୀ-ପୁରୁଷ ଏବଂ ସେମାନଙ୍କ ମଧ୍ୟରେ ଯୌତୁକର ପ୍ରଲୋଭନ କିଭଳି ମଧ୍ୟବିତ୍ତ ସମାଜରେ ବିବାହ ପାଇଁ ଅନ୍ତରାୟ ସୃଷ୍ଟିକରେ, ତାହା ‘ସମାହାର ଦ୍ୱନ୍ଦ୍ୱ’ (୧୯୯୨) ଏକାଙ୍କିକାରେ ଉପସ୍ଥାପନ କରାଯାଇଛି । ସୋସିଓଲୋଜର ଛାତ୍ରୀ ଶ୍ରୀମତୀ ସିପ୍ରା ଦାସ ଅବିବାହିତ ସ୍ତ୍ରୀପୁରୁଷମାନଙ୍କର ମାନସିକ ଆର୍ଥିକ ଅବସ୍ଥା ସଂପର୍କରେ ଗବେଷଣା କରିବାକୁ ଯାଇ ଗଣବିବାହ ସଂଯୋଗ ସଂସ୍ଥାର ମୁଖ୍ୟ ହୃଷିକେଶ ବାବୁଙ୍କୁ ସାକ୍ଷାତ କରିଛନ୍ତି । ଶେଷରେ ସେ ଉପଲବ୍ଧି କରିଛନ୍ତି ଯେ ଅତିକ୍ରାନ୍ତି ବୟସରେ ପୁରୁଷ ବା ନାରୀ ମଧ୍ୟରେ ପାରିବାରିକ, ପାରିପାର୍ଶ୍ୱିକ ଅବସ୍ଥା ଉଭୟ ପୁରୁଷ ଓ ନାରୀର ମନସ୍ତତ୍ତ୍ୱ ଓ ଯୌତୁକ ବିବାହ ପାଇଁ ପ୍ରତିବନ୍ଧକ ସୃଷ୍ଟି କରେ ।

 

ବ୍ୟାଧ ଦ୍ୱାରା ଶରାହତ କ୍ରୌଞ୍ଚମିଥୁନ ଯନ୍ତ୍ରଣାରେ ଛଟପଟ ହେଲା ଭଳି ନାରୀର ଆଦ୍ୟ ଯୌବନରେ ଘଟିଯାଇଥିବା ଅଘଟଣ ଜନିତ ମାନସିକ ଦ୍ୱନ୍ଦ୍ୱ ଓ ପୁରୁଷର ମାନସିକ ଅବସାଦକୁ ସୂକ୍ଷ୍ମାତିସୂକ୍ଷ୍ମ ଦୃଷ୍ଟିକୋଣରୁ ନାଟ୍ୟକାର ‘ଶରାହତ କୌଞ୍ଚମିଥୁନ’ ଏକାଙ୍କିକାରେ ଉପସ୍ଥାପନ କରିଛନ୍ତି-। ତନୁଶ୍ରୀ ଓ ସଦାନନ୍ଦ ଉଭୟେ ଉପଲବ୍ଧି କରିଛନ୍ତି ଯେ ବଞ୍ଚିବାର ସାର୍ଥକତା ମଲାପରେ ସରେ ନାହିଁ ।

 

ଯୁଗ ରୁଚିର ପରିବର୍ତ୍ତନ ପ୍ରତି ସଚେତନ ରହି ପ୍ରାଣବନ୍ଧୁ କର ମନସ୍ତତ୍ତ୍ୱଧର୍ମୀ ମନୋରଞ୍ଜନ ଶିଶୁ ଏକାଙ୍କିକାଗୁଡ଼ିକରେ ଉଚ୍ଚକୋଟୀର ଜୀବନ ଜିଜ୍ଞାସା ଓ ମାନବିକ ସମ୍ବେଦନାକୁ ଉଦ୍‌ଘାଟନ କରିଛି । ବାତ୍ସଲ୍ୟ ମମତା ମଧ୍ୟ ଦେଇ ସାମାଜିକ ଭେଦଭାବ ନୈତିକ ମୂଲ୍ୟବୋଧର ତତ୍ତ୍ୱକୁ ‘ପେଟୁ’ ଏକାଙ୍କିକାରେ ଉପସ୍ଥାପନ କରାଯାଇଛି । ପେଟପୁରା ଖାଦ୍ୟ ଖାଇଥିଲେ ସୁଦ୍ଧା ଚେମା ଗଣେଶଙ୍କ ହାତରୁ ରାଶିଲଡ଼ୁ ଚୋରିକରି ଖାଇବା, ଭୋଗ ଥାଳିରୁ ଗଣେଶଙ୍କଭୋଗ ନଡ଼ିଆ ନେଇ ଲୁଚାଇବା, ମିଲି ଟିଣବାକ୍ସରୁ ପଇସା ନେଇ ମାଟିରେ ପୋତିବା, ଯାତ୍ରାରୁ ମିଟୁ ପାଇଁ ମୂର୍ତ୍ତି ଚୋରି କରି ଆଣିବା ଓ ପାଉଁଶ ଖାଇବା ପ୍ରଭୃତି ଘଟଣା ସୀତାକାନ୍ତ ବାବୁଙ୍କୁ ଅତିଷ୍ଠ କରିପକାଇଛି । ପୁତ୍ର ମିଟୁ, ଝିଅ ମିଲି ଓ ସ୍ତ୍ରୀ ପ୍ରତିମାଙ୍କ ଚାକର ଚେମାର ଆପତ୍ତିଜନକ କାର୍ଯ୍ୟକଳାପ ପ୍ରତି ଟିକ୍‌କାଟିପ୍‌ପଣୀକୁ ସୀତାକାନ୍ତ ବାବୁ ପସନ୍ଦ କରିନାହାନ୍ତି । ସମସ୍ତଙ୍କ ଅଭିଯୋଗ କ୍ରମେ ସେ ଚେମାକୁ ବାଡ଼େଇ ଥିଲେ ହେଁ ପରିବର୍ତ୍ତୀ ପରିସ୍ଥିତିରେ ମନସ୍ତାପ ବେଶ୍‌ ହୃଦୟସ୍ପର୍ଶୀ । ଚେମା ଗାଁକୁ ଯିବାକୁ ବାହାରିବାବେଳେ ପ୍ରତିମା ଦେବୀ ତାକୁ ଘସିଘାସି ଗାଧୋଇ ଦେବା, ତା’ର ପ୍ୟାଣ୍ଟରେ ବୋତାମ ଲଗାଇବା, ସୀତାକାନ୍ତ ବାବୁଙ୍କ ଆଖିରେ ଲୁହ ଜକାଇବା, ପ୍ରତିମା ଦେବୀ କାନ୍ଦିବା ଏବଂ ମିଟୁ ଓ ମିଲିର କୋହଭରା ଆବେଦନ ଯେଉଁଭଳି ମାନବୀୟ ଭାବାନୁକୂଳ ସେହିଭଳି ସହାନୁଭୂତିଶୀଳ । ନାଟ୍ୟକାର ଯୁଗଯୁଗଧରି ସମାଜର ବଦ୍ଧ ଧାରଣାରେ ସଦ୍ଭାବନା ସୃଷ୍ଟି କରିଛିନ୍ତି-। ଧନୀ-ଦରିଦ୍ର, ମାଲିକ-ଭୃତ୍ୟ ମଧ୍ୟରେ ଥିବା ସଂଘର୍ଷର ସୁରୁଚିପୂର୍ଣ୍ଣ ପରିଣତି ନିରୂପଣ କଲାବେଳେ ଜୀବନର ଯଥାର୍ଥ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ।

 

ଗୋଟିଏ ମଧ୍ୟବିତ୍ତ ପରିବାର ବୟୋଜ୍ୟେଷ୍ଠ ବିପତ୍ନୀକ ବୃଦ୍ଧଙ୍କର ମାନସିକ ସ୍ଥିତାବସ୍ଥାକୁ ‘ଶିଶୁ’ ଏକାଙ୍କିକାରେ ଉପସ୍ଥାପନା କରାଯାଇଛି । ବୃଦ୍ଧ ହରଗୋବିନ୍ଦଙ୍କ ଦୈନନ୍ଦିନ ଜୀବନ ପରିଚର୍ଯ୍ୟାରେ ବିରକ୍ତଭାବ, ପରିବାର ପ୍ରତି କର୍ତ୍ତବ୍ୟ, ପୁତ୍ର ସୁବ୍ରତ ପ୍ରତି ବିରକ୍ତି ମନୋଭାବ, ସର୍ବୋପରି ନାତିମାନଙ୍କୁ ପାଠ ପଢ଼ାଇଲାବେଳେ ସ୍ୱାଭାବିକ ପ୍ରତିକ୍ରିୟା-ଏକାଙ୍କିକାଟିରେ ପରିବାରର ସମୃଦ୍ଧି ଆଣିଦେଇଛି । ତାଙ୍କର ଶିଶୁ ସୁଲଭ ଉଚ୍ଚକୋଟିର ଗୁଣବତ୍ତା ଭାରତୀୟ ପାରିବାରିକ ଜୀବନର ମୂଳ ଭିତ୍ତି ଉପରେ କେନ୍ଦ୍ରିତ । ନାଟ୍ୟକାର ଜଣେ ବୃଦ୍ଧ ଜୀବନର ବିଚାରଶୀଳତାକୁ ଗଭୀର ଅନୁଭୂତିର ଏକାଗ୍ରତା ମଧ୍ୟରେ ପ୍ରକାଶ କରିବା ସଂଗେ ସଂଗେ ଯଥାର୍ଥ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇ ଉଭୟ ବୃଦ୍ଧ ଓ ଶିଶୁମାନଙ୍କ ସଦ୍‌ଭାବନାକୁ ପ୍ରୋତ୍ସାହିତ କରିଛନ୍ତି । ଅନେକ ସ୍ଥଳରେ ସଂଳାପ ହାସ୍ୟ-ବ୍ୟଙ୍ଗ ସୃଷ୍ଟି କରିଥିଲେ ହେଁ, ରସାସ୍ୱାଦନରେ ସହାୟକ ହୋଇଛି ।

 

ସାଂପ୍ରଦାୟିକ ଭେଦଭାବ ଉର୍ଦ୍ଧ୍ୱରେ ମନୁଷ୍ୟର ଅନ୍ତଃପ୍ରକୃତିର ଅଭିବ୍ୟକ୍ତି ଓ ଶିଶୁ ଜୀବନର ବିଚିତ୍ର ଅନୁଭୂତିକୁ ‘କାବୁଲିବାଲା’ ଏକାଙ୍କିକାରେ ଉପସ୍ଥାପନ କରାଯାଇଛି । ସୁଦୂର କାବୁଲରୁ ଆସି ମୁସଲମାନ ରହମତ୍‌ ବାଦାମ, କିସ୍‌ମିସ୍ ବିକ୍ରୀ କରି ନିଜର ଗୁଜୁରାଣ ମେଣ୍ଟାଉଥିବାବେଳେ ସୁରେଶ ବାବୁଙ୍କ ଝିଅ ମିନିଠାରେ ନିଜ ଝିଅ ଖୁକିର ସମବୟସ ଦେଖି ବାତ୍ସଲ୍ୟ ସ୍ନେହରେ ଅନ୍ଧ ହୋଇଯାଉଛି । ମାତ୍ର ଯେଉଁଦିନ ଗୋଟିଏ ରାମପୁରୀ ଚାଦରକୁ ନେଇ ବିନୟ ସେନ୍ ନାମକ ଦେଣାଦାରକୁ ହତ୍ୟା କରି ରହମତ୍ ହାତକଡ଼ା ପିନ୍ଧି ତାଙ୍କ ଘର ସାମ୍‌ନା ରାସ୍ତାରେ ଯାଇଛି; ସେଦିନ ଶିଶୁ ସୁଲଭ ପ୍ରବୃତ୍ତି ନେଇ ମିନି ରହମତ୍‌କୁ ପ୍ରଶ୍ନକରିଛି, ‘‘ତୁ କ’ଣ ଶ୍ୱଶୁର ଘରକୁ ଯାଉଛୁ ?’’

 

ସାହିତ୍ୟିକ ସୁରେଶ ବନ୍ଧୁତା, ପ୍ରେମ, ସୌହାର୍ଦ୍ଦ୍ୟ ରହମତ ମନରେ ଆତ୍ମବିଶ୍ୱାସର ଦୃଢ଼ ଆଶାବାଦ ସୃଷ୍ଟି କରିଛି । ରହମତ୍ ଜୀବନର ଅଶାନ୍ତ ଓ ଅବ୍ୟବସ୍ଥିତ ସ୍ଥିତିକୁ ସହାନୁଭୂତିର ସ୍ଫୁର୍ତ୍ତିରେ ପରିଚାଳିତ କରି ନାଟ୍ୟକାର ସଂସ୍କାରଶୀଳ ଜୀବନଯାପନ କରିବା ପାଇଁ ଉତ୍ସାହିତ କରିଛନ୍ତି । ପାଞ୍ଚବର୍ଷର ଛୋଟ ଝିଅ ମିନି ମଧ୍ୟ ଦେଇ ରହମତ୍‌ ହୃଦୟର ପିତୃପ୍ରତିମ ମାନବୀୟ ଆବେଦନକୁ ନାଟ୍ୟକାର ସାର୍ବଜନୀନ ସାଂସ୍କୃତିକ ନିଷ୍ଠା ଦ୍ୱାରା ପରିପୂର୍ଣ୍ଣ କରାଇଛନ୍ତି । ବିଶ୍ୱକବି ରବିନ୍ଦ୍ରନାଥ ଠାକୁରଙ୍କ ‘କାବୁଲିୱାଲା’ ଗଳ୍ପର ଛାୟାରେ ଏକାଙ୍କିକାଟି ରଚିତ ହୋଇଥିଲେ ସୁଦ୍ଧା ଗଳ୍ପର ମିନି, ସୁରେଶ ବାବୁ, ସୁମିତ୍ରା ଦେବୀ ଓ ରହମତ୍‌ର ମନସ୍ତତ୍ତ୍ୱକୁ ପରିବେଷଣ କଲାବେଳେ ନାଟ୍ୟକାର ନିଜସ୍ୱ ମୌଳିକତା ଓ କଳାପାଟବତାର ପରିଚୟ ପ୍ରଦାନ କରିଛନ୍ତି ।

 

ଶିଶୁମାନଙ୍କ ମନରେ ଗଭୀର ଜାତୀୟତାବୋଧ ଓ ସ୍ୱାଭିମାନର ଦୃଢ଼ ନୈତିକବଳ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରଭକ୍ତିର ମହାନ୍‌ ଆଦର୍ଶକୁ ‘ଦୀପା’ ଏକାଙ୍କିକାରେ ଉପସ୍ଥାପନ କରାଯାଇଛି । ଭାରତର ପ୍ରତିରକ୍ଷା ବିଭାଗର ଡେପୁଟୀ ସେକ୍ରେଟେରୀଙ୍କ କନ୍ୟା ଦୀପା ନିଜର ବିଦ୍ୟା, ବୁଦ୍ଧି ଓ ଆଚରଣ ଯୋଗୁ ସର୍ବତ୍ର ଆଦର ଲାଭ କରିଛି । ପିତାଙ୍କ କାର୍ଯ୍ୟକଳାପ ଓ ଗୁଣ ଦ୍ୱାରା ଅନୁପ୍ରାଣିତ ଦୀପା ଜାତୀୟ ସହଯୋଗ ପାଇଁ ନିଜକୁ ନିୟୋଜିତ କରି ମା’ ରମାଙ୍କ ବ୍ୟାଗ୍‌ରୁ, ଭଉଣୀ ରଞ୍ଜିତାର ବହିଭିତରୁ, ବାପା ଦୀନବନ୍ଧୁ ଓ ଭାଇ ଧୀରେନ୍ ପକେଟରୁ କିଛି କିଛି ଟଙ୍କା ଚୋରି କରି ନେଇ ଏକଶତ ଟଙ୍କା ପ୍ରତିରକ୍ଷା ପାଣ୍ଠିକୁ ଦାନ କରିଛି । ମାତ୍ର ପରିବାରର ପିତା, ମାତା, ଭାଇ ଓ ଭଉଣୀଙ୍କଠାରୁ ଟଙ୍କାଚୋରୀ କରି ଦେଶର ପ୍ରତିରକ୍ଷା ପାଣ୍ଠିକୁ ଦାନ କରିବା ଗର୍ହିତ ଅପରାଧ । ତା’ହେଲେ ସମସ୍ତେ କ’ଣ ଚୋରୀ କରି ଦେଶର ପ୍ରତିରକ୍ଷା ପାଣ୍ଠିକୁ ଦାନ କରିବା ଆଦର୍ଶ ହେବ ? ନାଟ୍ୟକାର ଦୀପାର ଚୋରି ଘଟଣାକୁ ଆଦର୍ଶରେ ସ୍ଥାନିତ କରିବାକୁ ଯାଇ ପରିବାରର ଆମୋଦ ପ୍ରମୋଦ, ଅପବ୍ୟୟ ଓ ବଦଖର୍ଚ୍ଚ ପରିବର୍ତ୍ତେ ଜାତୀୟ ଗୌରବ ସୃଷ୍ଟି କରିଛନ୍ତି । ଦୀପାର ଜାତୀୟ ପ୍ରତିରକ୍ଷା ପାଣ୍ଠି ବୃଦ୍ଧି ମହତ୍ ଦାନ ନିକଟରେ ସମସ୍ତଙ୍କର ଅପବ୍ୟୟ ଓ ଟଙ୍କାଚୋରୀ ମଳିନ ପଡ଼ିଯାଇଛି । ପରୋକ୍ଷରେ ସରକାରଙ୍କ ସହିତ ସହଯୋଗରେ ଜାତୀୟ ପ୍ରତିରକ୍ଷା ଶକ୍ତି ବୃଦ୍ଧି ହୋଇପାରିବ ବୋଲି ସୂଚିତ ହୋଇଛି ।

 

ନାଟ୍ୟକାର ପ୍ରାଣବନ୍ଧୁ କରଙ୍କର ଶିଶୁ-ଏକାଙ୍କିକାଗୁଡ଼ିକ ମନସ୍ତତ୍ତ୍ୱଧର୍ମୀ ଓ ମାନବିକ ସମ୍ବେଦନଶୀଳ । ଭାରତୀୟ ଗୌରବ ଗାଥାର ରାଷ୍ଟୀୟ ଭାବନା, ସାଂସ୍କୃତିକ ନିଷ୍ଠା ଓ ବିଚାରଶୀଳତାକୁ ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ବିଶ୍ଳେଷଣ କରିଛନ୍ତି । କୌଣସି ଗୋଟିଏ ଏକାଙ୍କିକାର କଥାବସ୍ତୁ ସହିତ ଅନ୍ୟଟିର ସାମ୍ୟ ନାହିଁ । ଏକାଙ୍କିକାର କଥାବସ୍ତୁ ସହିତ ଚରିତ୍ରମାନଙ୍କର ସୁସମ୍ବନ୍ଧ ସଂପର୍କ ନିହିତ । ଅନ୍ତଦ୍ୱର୍ନ୍ଦ୍ୱ ପ୍ରାୟ ସବୁ ଏକାଙ୍କିକାରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ଭିନ୍ନ ଭିନ୍ନ ପରିସ୍ଥିତି ଓ ପରିବେଶରୁ କଥାବସ୍ତୁ ନିର୍ବାଚନ କରି ଜୀବନର ବିବିଧ ବାସ୍ତବ ସମସ୍ୟା, ମଣିଷର ପ୍ରେମ, ପ୍ରତି, ପ୍ରତିହିଂସା, ମାନବିକତା, ଶୋଷଣ, ଅତ୍ୟାଚାର, ସଂଘର୍ଷ, ଦୁଃଖ-ଯନ୍ତ୍ରଣା, କଳୁଷିତ, ରାଜନୀତି, ଜାତୀୟତା ଓ ଦେଶପ୍ରେମ, ବିଲୟମୁଖୀ ପୁଞ୍ଜିବାଦର ପରିଣତି, ସ୍ୱେଚ୍ଛାଚାରିତା, ସ୍ୱଳ୍ପ ସଂଶୟ ଯୋଜନା । ସାହିତ୍ୟିକର ସୃଷ୍ଟିଶୀଳ ଚେତନା, ପ୍ରାଦେଶିକ ଭେଦଭାଦ, ନାରୀ ସ୍ୱାଧୀନତା ନାମରେ ସ୍ୱେଚ୍ଛାଚାରିତା, ନାରୀ ମନର ଅବଚେତନର ଅନୁରାଗ, ମହାଭାରତୀୟ ମାନବିକ ଆଦର୍ଶ, ମଣିଷ ମନର ସୂକ୍ଷ୍ମାତିସୂକ୍ଷ୍ମ ରହସ୍ୟ, ତ୍ୟାଗପୂତ ମହନୀୟ ଜୀବନର ଆଦର୍ଶ, ଯୁବମାନସର ପଳାୟନପନ୍ଥୀ ମନୋଭାବ, ଯୌତୁକ ଜନିତ ଦ୍ୱନ୍ଦ୍ୱ, ଶିକ୍ଷା କ୍ଷେତ୍ରରେ ଥିବା ଦୁର୍ନୀତି ପ୍ରଭୃତି ବିଭିନ୍ନ ଘଟଣାକୁ ନାଟ୍ୟକାର ଉପସ୍ଥାପନା କରିଛନ୍ତି । ଏକାଙ୍କିକାର କଥାବସ୍ତୁକୁ ଆଙ୍ଗିକ ଅନୁସରଣ କରିଛି । ଚରିତ୍ର ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରି ସମାଜର ବିଭିନ୍ନ ଶ୍ରେଣୀରୁ ଚରିତ୍ର ନିର୍ବାଚନ କରିଛନ୍ତି । ପରିବେଶ ଓ ପରିସ୍ଥିତି ଦୃଷ୍ଟିରୁ ଏକାଙ୍କିକାଗୁଡ଼ିକର ସଂଳାପ ଜୀବନ୍ତ, ବାସ୍ତବ, କାବ୍ୟିକ, ବ୍ୟଞ୍ଜନାଧର୍ମୀ, ମନସ୍ତାତ୍ତ୍ୱଧର୍ମୀ, ବ୍ୟଙ୍ଗ ବିଦ୍ରୁପଧର୍ମୀ ଏବଂ ସର୍ବୋପରି ପାତ୍ରୋପଯୋଗୀ । ବିଷୟ ଅନୁକୂଳ ଭାଷା ମାର୍ମିକ, ଭାବାଭିବ୍ୟଞ୍ଜକ, ମନୋରଞ୍ଜକ ଓ ପ୍ରତ୍ତୀବ୍ୟୋତ୍ପାଦକ ହୋଇଛି । ନାଟ୍ୟକାର ସଫଳ ଅଭିବ୍ୟଞ୍ଜନା ମାଧ୍ୟମରେ ଗୋଟିଏ ଦୃଶ୍ୟ ଯୋଜନାରେ ବୁଦ୍ଧିଦୀପ୍ତ କଳ୍ପନା ଓ ପରିପକ୍ୱ ନାଟ୍ୟକଳା-କୌଶଳ ପ୍ରୟୋଗ କରି ସ୍ୱାଭାବିକ ଓ ବାସ୍ତବତାର ଭ୍ରାନ୍ତି ସୃଷ୍ଟି କରିଛନ୍ତି ।

 

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ରାଜଧାନୀ ମହାବିଦ୍ୟାଳୟ, ଭୁବନେଶ୍ୱର

 

ସଂକେତସୂଚୀ:

୧.

ଦାସ ବୀର କିଶୋର-ଯୁଗେ ଯୁଗେ ନାଟ୍ୟ-ସାହିତ୍ୟ-ପୃଷ୍ଠା-୨୭୮

୨.

କର ପ୍ରାଣବନ୍ଧୁ- ପାଗଳ ଜନତାର ବାହାରେ-ଏକାଙ୍କିକା (୧ମ)-ପୃଷ୍ଠା-୫୭ ।

୩.

ତତ୍ରୈବ-ପୃଷ୍ଠା-୫୪ ।

୪.

ମହାନ୍ତି ଡଃ ଅଦ୍ୱୈତ ଚନ୍ଦ୍ର-ସୂଚନା-ଏକାଙ୍କିକା (୧ମ) ପ୍ରାଣବନ୍ଧୁକର-ପୃଷ୍ଠା ୩ ।

୫.

ମିଶ୍ର ଅଧ୍ୟାପକ ଗିରୀଶ ଚନ୍ଦ୍ର-ଏକାଙ୍କିକା: ଧରା ଓ ଧାରା-ପୃଷ୍ଠା-୨୦୫

୬.

କର ପ୍ରାଣବନ୍ଧୁ-କିଛି ନାହିଁ ସେଥିରେ-ଏକାଙ୍କିକା (୧ମ) ପୃଷ୍ଠା-୨୦୫

୭.

କର ପ୍ରାଣବନ୍ଧୁ -ଅକିଞ୍ଚନ- ଏକାଙ୍କିକା (୨ୟ) ପୃଷ୍ଠା-୧୨୮

୮.

କର ପ୍ରାଣବନ୍ଧୁ-ମୁଖବନ୍ଧ- ଶ୍ୱେତପଦ୍ମା-ପୃଷ୍ଠା-୨୩-୨୪

୯.

କର ପ୍ରାଣବନ୍ଧୁ- ହତାଶ ମେଘର ହସ-କୋଣାର୍କ (କବିତା ଏକାଙ୍କିକା ବିଶେଷାଙ୍କ-ପୃଷ୍ଠା-୧୨୭ ।)

୧୦.

କର ପ୍ରାଣବନ୍ଧୁ-ଦୁଃଖାବଲୋକନ-ଜିଗୀଷା-ପୃଷ୍ଠା-୫୬

 

***

 

Unknown

‘ବ୍ରଜ୍ରବାହୁ’ ଉପନ୍ୟାସରେ ସାମ୍ୟବାଦୀ ସଫଳତା

ଡକ୍ଟର ସୁପ୍ରିୟା ପାଲ

 

ଈଶ୍ୱର ସୃଷ୍ଟ ପୃଥିବୀରେ ହେଉଛି ସର୍ବଶ୍ରେଷ୍ଠ ପ୍ରାଣୀ । ନିଜର ଚିନ୍ତାଚେତନା, ବିଚାରବୁଦ୍ଧି, ପ୍ରଜ୍ଞା ନିମିତ୍ତ ସେ ସମସ୍ତଙ୍କ ଆଧିପତ୍ୟ ବିସ୍ତାର କରିଛି । କିନ୍ତୁ ହୃଦୟର ଆଶା ନୈରାଶ୍ୟରେ ପରିଣତ ହେଲେ ଅସ୍ଥିରତା ଓ ଦୁଃଖ ଜୀବନକୁ ଯନ୍ତ୍ରଣାସିକ୍ତ କରିଦିଏ । ମାନବ ଜୀବନରୁ ସମସ୍ତ ଦୁଃଖ, ଯନ୍ତ୍ରଣାକୁ ନିଶ୍ଚିହ୍ନ କରିଦେଇ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ ଜୀବନଯାପନ କରିବାକୁ ସଦାସର୍ବଦା କାମନା କରିଥାଏ । ଫଳତଃ ପର୍ଯ୍ୟାୟକ୍ରମେ ସୁସ୍ଥ ଜୀବନଯାପନ ପାଇଁ ସମାଜର ପରିକଳ୍ପନା କଲା-। ସମାଜ ମଣିଷର ଜୀବନଦର୍ପଣ । ସମୟକ୍ରମେ ସମାଜରେ ଭେଦର ପ୍ରାଚୀର ଗଢ଼ି ଉଠିଲା-। ବସ୍ତୁ ବା ବିତ୍ତ ବ୍ୟବସ୍ଥା ମଣିଷ ଭିତରେ ବୈଷମ୍ୟର ରେଖା ଟାଣିଦେଲା । ପୁଞ୍ଜିବାଦୀ ବ୍ୟବସ୍ଥା ବଳବତ୍ତର କଲା । ଥିଲାଲୋକେ ନଥିଲାଲୋକଙ୍କ ଉପରେ ସବାର ହେଲେ । ଏହା ଚିନ୍ତାନାୟକ କାର୍ଲମାର୍କ୍ସଙ୍କୁ ବ୍ୟତିବ୍ୟସ୍ତ କଲା । ଫଳରେ ଊନବିଂଶ ଶତକରେ କାର୍ଲମାର୍କ୍ସ ଉଦାତ୍ତ ସ୍ୱରରେ ବସ୍ତୁଭିତ୍ତିକ ସାମ୍ୟବାଦୀ ଚିନ୍ତାଧାରାକୁ ବିଶ୍ୱଦରବାରରେ ଉପସ୍ଥାପିତ କଲେ ।

 

ମହାମନୀଷୀ କାର୍ଲମାର୍କ୍ସଙ୍କ ଚିନ୍ତାଧାରା ଓ ଦର୍ଶନରେ ପ୍ରଭାବିତ ହେବାର ବହୁ ଶତାବ୍ଦୀ ପୂର୍ବେ ପ୍ରାଚୀନ ଭାରତବର୍ଷରେ ସାମ୍ୟବାଦୀ ସ୍ୱରୂପକୁ ବିଶ୍ଳେଷଣ କରାଯାଇପାରେ । ବ୍ରାହ୍ମଣ, ଯଜ୍ଞ ବେଦର ପରସ୍ପର ସହ ନିବିଡ଼ ସମ୍ପର୍କ ଥିଲା । ଆର୍ଯ୍ୟମାନଙ୍କର କମ୍ୟୁନ୍‌ ବା ଗୋଷ୍ଠୀଜୀବନ ହେଉଛି ବ୍ରାହ୍ମଣ ଯଜ୍ଞ ହେଲା ସାମୂହିକ ଶ୍ରମ, ସାମୂହିକ ଉତ୍ପାଦନପ୍ରଣାଳୀ, ବନ୍ଦ ହେଉଛି ଉତ୍ପାଦନ ପ୍ରଣାଳୀର ଜ୍ଞାନ ଓ ଗୋଷ୍ଠୀ ଜୀବନର ଧାରା । ପ୍ରାଚୀନ ଗୋଷ୍ଠୀ ସମାଜର ଶ୍ରମ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାରେ କୁହାଯାଇଛି ଯେ ଯଜ୍ଞ ବା ଶ୍ରମରେ ସମସ୍ତେ ଅଂଶଗ୍ରହଣ କରୁଥିଲେ । ବାଛବିଚାର ନଥିଲା, ଶ୍ରମର ବିଭାଗ ନଥିଲା । ଯଜ୍ଞ ଶ୍ରମଫଳକୁ ସମସ୍ତେ ମିଳିତ ଭାବେ ଭୋଗ କରୁଥିଲେ । ଏହି ସମୟରେ ବ୍ୟକ୍ତିଗତ ସଂପତ୍ତି, ଶ୍ରେଣୀ, ରାଷ୍ଟ୍ର ବା ସ୍ୱାଧୀନତାର ପ୍ରଶ୍ନ ନଥିଲା ।

 

ମାତ୍ର ସମୟକ୍ରମେ ମାନବ ସମାଜରେ ଶ୍ରେଣୀ ବିଭାଗ ଶ୍ରେଣୀ ହେବାରୁ ଫଳସ୍ୱରୂପ ସାମୂହିକ ସଂପଦକୁ ନିଜସ୍ୱ କରିବାର ସ୍ୱାର୍ଥପରତା ମନରେ ସୃଷ୍ଟି ହେଲା । ସଂପଦଶାଳୀ ହେବାର ଆକାଂକ୍ଷାରେ ଶ୍ରମକାତର ମାନବ ଅନ୍ୟର ପରିଶ୍ରମକୁ ଅପହରଣ କଲା । ନିଜର ସ୍ୱାର୍ଥ ପାଇଁ ଅନ୍ୟକୁ ବଂଚିତ କଲା । ନିଜ ବ୍ୟକ୍ତଗତ ସ୍ୱାର୍ଥ ପାଇଁ ମାଲିକାନା ଜାହିର କଲା ଏବଂ ଏଥିରୁ ସୃଷ୍ଟି ହେଲା ଆର୍ଥନୀତିକ ବୈଷମ୍ୟ । ଏହି ବୈଷମ୍ୟରୁ ସମାଜରେ ଦେଖାଗଲା ଅତ୍ୟାଚାର, ଶୋଷଣ, ପେଷଣ ଓ ଅନାଚାର । ମାନବ ଭୁଲିଗଲା ଜୀବନର ସତ୍ୟ, ସୁଖ, ଶାନ୍ତି ଓ ମୈତ୍ରୀକୁ । ଏହି ଦୁଃଖ ଯନ୍ତ୍ରଣା, ମାନବର ଦୁର୍ଦ୍ଦଶା ସମାଜରେ ଅସମତାର ଏକ ଅଲଂଘ୍ୟ ପ୍ରାଚୀର ଗଢ଼ି ତୋଳିଲା । ତେଣୁ ଅନେକ ମାନବବାଦୀ ଦାର୍ଶନିକ ସମାଜରେ ସମତା ଆଣିବା ପାଇଁ ସ୍ୱପ୍ନ ଦେଖିଲେ, ଶୋଷଣମୁକ୍ତ ସମାଜର ମଧ୍ୟ ପରିକଳ୍ପନା କଲେ ।

 

କାର୍ଲମାର୍କ୍ସ ଯଦିଓ ସାମ୍ୟବାଦର ପ୍ରବକ୍ତା ତଥାପି ତାଙ୍କ ପୂର୍ବରୁ ବସ୍ତୁବାଦୀ ଦର୍ଶନ ଓ ଚିନ୍ତାଧାରା ରହିଥିଲା । ଲେନିନ୍ ଏହାକୁ ‘ମେଟା ଫିଜିକାଲ’ ବସ୍ତୁବାଦ ଭାବେ ନାମିତ କରିଛନ୍ତି । ପଞ୍ଚଦଶ ଶତାବ୍ଦୀରେ ୟୁରୋପରେ ରେନେସାଁ ଦେଖାଯିବା ସମୟରୁ ସାମ୍ୟବାଦ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଗଲା । ପଞ୍ଚଦଶ ଶତାବ୍ଦୀ ଅପେକ୍ଷା ଷୋଡ଼ଶ ଶତାବ୍ଦୀରେ ଏହି ସାମ୍ୟବାଦୀ ଚିନ୍ତାଧାରା ଅଧିକ ଭାବେ ସୁସଂଗଠିତ ଓ ସ୍ୱତନ୍ତ୍ର ଭାବେ ପ୍ରକାଶିତ ହେଲା । ୧୫୧୬ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ସାର୍ ଥୋମାସ୍ ମୁର ‘ୟୁଟୋପିଆ’ ନାମକ ଏକ ଗ୍ରନ୍ଥ ରଚନା କରିଥିଲେ ଏବଂ ଏଥିରେ ଯେଉଁ ଭୂଖଣ୍ଡର କଥା ବର୍ଣ୍ଣନା ହେଉଛି ତହିଁରେ ଅତ୍ୟାଚାର, ଅନାଚାର, ଶୋଷଣ, କଷଣ, ପେଷଣ ମୁକ୍ତ ଏକ ସ୍ୱାଧୀନ ସମାଜର ଚିତ୍ର ରହିଛି । ପ୍ରତି ସମୟରେ ମାନବ ଅଖଣ୍ଡ ସ୍ୱାଧୀନତା ଓ ଶୋଷଣମୁକ୍ତ ସମାଜର ସ୍ୱପ୍ନ ଦେଖିଆସିଛି । ମୁର୍‌ଙ୍କର ଏହି ରଚନା ଜନମାନସରେ ଗଭୀର ଆଲୋଡ଼ନ ସୃଷ୍ଟି କଲା ଏବଂ ରାଜନୈତିକ ଅସ୍ଥିରତାର ସୂତ୍ରପାତ ହୋଇଥିଲା । ଫଳରେ ସେ ପ୍ରାଣଦଣ୍ଡ ପାଇଥିଲେ ।

 

ଏହାର କେତେବର୍ଷ ପରେ ଇଟାଲୀର ଟମାସ୍‌ କାମ୍ପାନୋଲା ଅନୁରୂପ ଆଦର୍ଶଭରା ସାମାଜର ଚିତ୍ର ତାଙ୍କ ପୁସ୍ତକ ‘ସିଟି ଅପ୍‌ଦି ସନ୍’ରେ ପ୍ରଦାନ କରିଥିଲେ ଓ ଫଳସ୍ୱରୂପ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ଏହାର ପରବର୍ତ୍ତୀ ସମୟରେ ସେଣ୍ଟ୍ ସାଇମନ୍‌, ଚାର୍ଲସ ଫୁରିଲାର୍ ଏବଂ ରବର୍ଟ ଓଏନ୍ ଆଦି ସାମ୍ୟବାଦର ପରିକଳ୍ପନାକୁ ଏକ ରୂପରେଖ ପ୍ରଦାନ କରିବାର ପ୍ରଚେଷ୍ଟାରେ ଯତ୍‌କିଞ୍ଚିତ୍ ସଫଳ ହୋଇପାରିଥିଲେ । ଉକ୍ତ ସମୟରେ ଶିଳ୍ପର ପ୍ରସାର ହେତୁ ସର୍ବହରା ଗୋଷ୍ଠୀର ଆବିର୍ଭାବ ସହ ବୁର୍ଜ୍ଜୁଆ ଗୋଷ୍ଠୀ ସହିତ ତିକ୍ତତା ହିଁ ଆରମ୍ଭ ହେଲା । ଋଷ୍‌ରେ ଊନବିଂଶ ଶତାବ୍ଦୀବେଳକୁ ଆଲେକ୍‌ଜାଣ୍ଡାର ହେରଜେନ୍, ଭିସାଇଲ ବେଲିନସ୍କି, ନିକୋଲାଇ ଚେର୍‌ନିଶୋଭସ୍କି, ନିକୋଲାଇ ଡୋବ୍ୟୋଲ୍ୟୁବୋଭ୍ ପ୍ରମୁଖଙ୍କ ଦ୍ୱାରା ଏକ କାଳ୍ପନିକ ସାମ୍ୟବାଦୀ ଚିନ୍ତାଧାରା ସୁବିକଶିତ ହୋଇଥିଲା । ସେମାନଙ୍କ ମତରେ ଜାରତନ୍ତ୍ର ଓ ଦାସତ୍ୱପ୍ରଥା ଯେପର୍ଯ୍ୟନ୍ତ ଲୋପ ନପାଇଛି, ସେ ପର୍ଯ୍ୟନ୍ତ ସାମ୍ୟବାଦ ପ୍ରତିଷ୍ଠା ହୋଇପାରିବ ନାହିଁ ।

 

କାର୍ଲମାର୍କ୍ସ ସାମ୍ୟବାଦୀ ଚିନ୍ତାଧାରାର ପ୍ରବକ୍ତା । ସାମ୍ୟବାଦ ହେଉଛି ଦର୍ଶନ, ରାଜନୀତି ଓ ଅର୍ଥନୀତିର ସାମଗ୍ରିକ ପରିସରରେ ଆତ୍ମପ୍ରକାଶ କରିଥିବା ଯୁଗାନ୍ତକାରୀ ଚିନ୍ତାଧାରାଚୟର ଏକ ସାର୍ଥକ ସମନ୍ୱୟ । ମାର୍କ୍ସବାଦରେ ଦ୍ୱନ୍ଦ୍ୱାତ୍ମକ ବସ୍ତୁବାଦୀ ଦର୍ଶନ, ରାଜନୈତିକ ଅର୍ଥନୀତି ଓ ବୈଜ୍ଞାନିକ ସମାଜବାଦ ସାମଗ୍ରିକ ଭାବେ ସ୍ଥାନ ପାଇଛି । ବିଶ୍ୱର ଏହି ଶତାବ୍ଦୀରେ ଯେତେବେଳେ ବାଦ ଓ ଦର୍ଶନ ସୃଷ୍ଟି ହୋଇଛି ତନ୍ମଧ୍ୟରୁ ସାମ୍ୟବାଦ ଓ ସାମ୍ୟବଦୀ ଦର୍ଶନ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିବା ସହ ଦର୍ଶନ କ୍ଷେତ୍ରରେ ଅସାଧାରଣ ବିପ୍ଳବ ସୃଷ୍ଟି କରିଛି । ସାମ୍ୟବାଦରେ କ୍ଲାସିକ୍‌ ଜର୍ମାନୀ ଦର୍ଶନ, ବିଲାତର ରାଜନୈତିକ ଅର୍ଥନୀତି ଓ ଫରାସୀ ବିପ୍ଳବର ସାଧାରଣ ନୀତି ସହ କାଳ୍ପନିକ ସମାଜବାଦୀ ଚିନ୍ତାଧାରାର ମିଶ୍ରଣ ହୋଇଛି ।

 

ଶୋଷଣ ସଂପର୍କରେ କାର୍ଲମାର୍କ୍ସ ମତ ଦେଇଛନ୍ତି ଯେ ଏହାର ମୂଳକାରଣ ହେଉଛି ବ୍ୟକ୍ତିଗତ ସଂପତ୍ତି । ବ୍ୟକ୍ତିଗତ ସଂପତ୍ତିର ମାଲିକାନାରୁ ପୁଞ୍ଜି ସଂଚୟର ଲୋଭ ସୃଷ୍ଟି ହୁଏ । ପୁଞ୍ଜିପତି ଶ୍ରମିକକୁ ଶୋଷଣ କରିବା ଦ୍ୱାରା ସର୍ବହରା ଶ୍ରେଣୀର ଜନ୍ମ ହୁଏ । ମାର୍କ୍ସବାଦର ଲକ୍ଷ୍ୟ ହେଉଛି ବ୍ୟକ୍ତିଗତ ସଂପତ୍ତିର ବିଲୋପ ସାଧନ । ବ୍ୟକ୍ତିଗତ ସଂପତ୍ତି କାରଣରୁ ମାନବ ତା’ର ଶ୍ରମଶକ୍ତି ବିକ୍ରୟ କରେ । ପୁଞ୍ଜିପତି ସାମାନ୍ୟ ମୂଲ୍ୟ ଦେଇ ଉଦ୍‌ବୃତ୍ତକୁ ସଂଚୟ କରେ । ଏହା ହେଉଛି ପୁଞ୍ଜିପତି ଶ୍ରେଣୀର ସଂପଦର ଉତ୍ସ ।

 

ସାମନ୍ତବାଦର ପତନ ପରେ ପୁଞ୍ଜିବାଦୀ ସମାଜ ସୃଷ୍ଟି ହୋଇଛି । ସେମାନଙ୍କ ଶୋଷଣ ଜନ୍ମ ଦେଇଛି ସର୍ବହରା ଗୋଷ୍ଠୀକୁ । ମାର୍କ୍ସଙ୍କ ବିଚାରରେ ସର୍ବହରା ଶ୍ରେଣୀ ହିଁ ଏକମାତ୍ର ପ୍ରକୃତ ବିପ୍ଳବୀ ଶ୍ରେଣୀ । ସଂଗ୍ରାମ ଚରମ ସୋପାନରେ ପହଞ୍ଚିଲେ ସର୍ବହରା ଶ୍ରେଣୀର ବିଜୟ ସୁନିଶ୍ଚିତ ଓ ବୁର୍ଜ୍ଜୁଆ ଗୋଷ୍ଠୀର ପତନ ଅନିର୍ବାର୍ଯ୍ୟ । ମାନବ ନିଜେ ନିଜର ଭାଗ୍ୟବିଧାତା, ପ୍ରଚଣ୍ଡ ଶକ୍ତିର ଅଧିକାରୀ । ନିର୍ଯ୍ୟାତିତ ମାନବ ତଥା ସର୍ବହରା ଶ୍ରେଣୀ ସଚେତନ ଭାବେ ସଂଘବଦ୍ଧ ହୋଇ ବର୍ତ୍ତମାନର ସମାଜ ବ୍ୟବସ୍ଥା ବିରୁଦ୍ଧରେ ସଂଗ୍ରାମ କଲେ ସାମ୍ୟବାଦର ପ୍ରତିଷ୍ଠା ସମ୍ଭବ ହେବ, ଏହାହିଁ ମାର୍କ୍ସଙ୍କର ସାମ୍ୟବାଦୀ ଦର୍ଶନର ମୂଳସ୍ୱର । ସର୍ବହରାଗୋଷ୍ଠୀ ଅର୍ଥନୈତିକ କ୍ଷେତ୍ରରେ ସ୍ୱାଧୀନ ହୋଇ ଯଦି ରାଜନୈତିକ କ୍ଷେତ୍ରରେ ନିଜର ଅଧିକାର ସାବ୍ୟସ୍ତ କରିପାରେ, ତେବେ ସାମ୍ୟବାଦ ସଫଳ ହେବ । ସାମାଜିକ ବାସତବତା ଓ ନୈତିକତା ଏହାର ଆଦର୍ଶ । ସାମ୍ୟବାଦର ବିଚାର ଅନୁଯାୟୀ ସମାଜରେ ଥିବା ଧନୀ-ଦରିଦ୍ର, ଥିଲାବାଲା-ନଥିବାବାଲା ମଧ୍ୟରେ ଶ୍ରେଣୀ ବୈଷମ୍ୟ ଓ ଅସମତା ସାମାଜିକ ବିପତ୍ତିର ମୂଳକାରଣ । ଜନସାଧାରଣଙ୍କର ସଂପତ୍ତି ଏକ ହେବ, ବାଧ୍ୟତାମୂଳକ ଭାବେ ସମସ୍ତେ ପରିଶ୍ରମ କରିବେ, ଧନୀକ ଶ୍ରେଣୀର କ୍ଷମତାବିଲୋପ ସହ ଜାତିଭେଦ ଲୋପ ହେବ । ଜନସାଧାରଣ ବିଶେଷ କରି ସମାଜରେ ସର୍ବହରାବର୍ଗର ମୁକ୍ତିର, ସ୍ୱାଧୀନତାର ଓ ସୁସ୍ଥଜୀବନର ଭିତ୍ତି ହେଉଛି ସାମ୍ୟବାଦ । ସାମ୍ୟବାଦୀ ଦର୍ଶନ ମାନବଜାତିର ନୂତନ ଜୀବନର ବାର୍ତ୍ତାବହ । ଏହି ବୈପ୍ଳବିକ ଦୃଷ୍ଟିକୋଣ ମାନବ ସମାଜକୁ ନୂତନ ଦିଗ୍‌ଦର୍ଶନ ଦେବା ସହ ଜୀବନକୁ ସ୍ୱକୀୟ ଶୈଳୀରେ ଦେଖିବାକୁ ପ୍ରେରଣା ଦେଲା । ଏହି ଚିନ୍ତାଧାରା ଦୈନନ୍ଦୀନ ଜୀବନ ସହ ସାରସତ୍ୱ କ୍ଷେତ୍ରକୁ ମଧ୍ୟ ସଂଚରି ଯାଇ ପୃଥିବୀରେ ନୂତନ ଅଧ୍ୟାୟ ସୃଷ୍ଟି କଲା ।

 

ଓଡ଼ିଆ ସାହିତ୍ୟରେ ସାମ୍ୟବାଦୀ ଚିନ୍ତାଧାରାର ପ୍ରକାଶ ୧୯୩୦-୪୦ ମଧ୍ୟରେ ହୋଇଥିଲେ ହେଁ ୧୯୨୦ ମସିହା ବେଳକୁ ସାମ୍ୟବାଦର କ୍ଷେତ୍ର ଓଡ଼ିଶାରେ ପ୍ରସ୍ତୁତ ହୋଇସାରିଥିଲା । ପଣ୍ଡିତ ଗୋପବଂଧୁ ଦାଶ ଯଥାର୍ଥରେ ଥିଲେ ପ୍ରଗତିଶୀଳ ଓ ଆଧୁନିକ ଚିନ୍ତାଚେତନାର ବାର୍ତ୍ତାବହ । ‘ସମାଜ’ରେ ଲେନିନ୍‌ଙ୍କ ମହାପ୍ରୟାଣ ସମ୍ବାଦ ସଂପର୍କରେ ଲେଖିଥିଲେ, ଯହିଁରେ ଲେନିନ୍‌ଙ୍କ ପ୍ରଶଂସା, କାର୍ଯ୍ୟଦକ୍ଷତା, ନୂତନ ସରକାର ଗଠନ ଓ ସର୍ବହରା ଗୋଷ୍ଠୀର ଅଧିକାର ଆଲୋଚିତ ହୋଇଥିଲା । ପଣ୍ଡିତ ଗୋପବଂଧୁ କେବଳ ‘ସମାଜ’ ପ୍ରକାଶ କରୁଥିଲେ, କବି ଥିଲେ, ସମାଜସେବୀ ଥିଲେ, ବରଂ ପ୍ରଥମତଃ ଜଣେ ଦରଜୀ ମଣିଷ ଥିଲେ । ବିଶ୍ୱପ୍ରେମ, ବିଶ୍ୱମୈତ୍ରୀରେ ପରିପୂର୍ଣ୍ଣ ଗୋପବଂଧୁ ଖଟିଖିଆ, ଶ୍ରମିକ, କୃଷକମାନଙ୍କ ପାଇଁ ତାଙ୍କ ହୃଦୟରେ ଯଥେଷ୍ଟ ସହାନୁଭୂତି ଓ ଦରଦ ଥିଲା । ତା ୨.୧.୧୯୨୬ ରିଖ ସାପ୍ତାହିକ ‘ସମାଜ’ର ଅଗ୍ରଲେଖରେ ସେ ଲେଖିଥିଲେ-‘ଭିନ୍ନ ଭିନ୍ନ ଶ୍ରେଣୀର ଲୋକଙ୍କ ମଧ୍ୟରେ ଅବସ୍ଥାର ଏପରି ବିଷମ ଭେଦ ଘୁଞ୍ଚାଇ ସମସ୍ତଙ୍କୁ ସମାନ ସୁଖଶାନ୍ତି ଅଧିକାର ଦେବା କନ୍ୟୁନିଷ୍ଟ ବା କୋଠବାଦୀଙ୍କର ଯଦି ନୀତିହୁଏ, ତାହା ଗରିବ ଲୋକଙ୍କୁ ନିଶ୍ଚୟ ଭଲ ଲାଗିବ । ରାଜା ଏବଂ ମଜୁରିଦାରମାନେ ଏକଥା ଶୁଣି ମୁଣ୍ଡିଆ ମାରିବେ । ମାତ୍ର ଏମାନଙ୍କ ନୀତି ଓ କାର୍ଯ୍ୟ ଯଦି ବିଧାତାଙ୍କ ଇଙ୍ଗିତରେ ଆସିଥାଏ, ତେବେ ଏହାର ପ୍ରଭାବରେ ଦିନେ ସମାଜ ଶାସନର ବ୍ୟବସ୍ଥା ଯେ ନ ବଦଳିବ ତାହା ଦୁଃଖର ସହ କୁହାଯାଇପାରେ ।

 

ଓଡ଼ିଆ ସାହିତ୍ୟରେ ୧୯୩୪ ମସିହାବେଳକୁ ଓଡ଼ିଶା ସହିତ ଭାରତବର୍ଷରେ ବାମପନ୍ଥୀ ଚିନ୍ତାଚେତନାର ପ୍ରସାର ଘଟିଥିଲା । ‘ସାରଥୀ’ ସାପ୍ତାହିକ ପତ୍ରିକାରେ ସାମ୍ୟବାଦୀ ସମ୍ମିଳନୀ ସଂପର୍କରେ ସମ୍ବାଦ ପ୍ରକାଶିତ ହେଉଥିଲେ । ଉତ୍କଳ କଂଗ୍ରେସ ସାମ୍ୟବାଦୀ କର୍ମୀସଂଘ’, ‘କଂଗ୍ରେସ ସୋସାଲିଷ୍ଟ ପାର୍ଟି’ର ଜନ୍ମ ରାଜନୈତିକ, ସାହିତ୍ୟିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ଜନ୍ମ ହେଲା ୧୯୩୬ରେ ଓ ବିଧିବଦ୍ଧ ଭାବେ ସଭ୍ୟ ହେଲେ ଭଗବତୀ ଚରଣ । ୧୯୩୬ରେ ସର୍ବଭାରତୀୟ ସ୍ତରରେ ପ୍ରଗତିଶୀଳ ଲେଖକ, ସାହିତ୍ୟିକ ଓ ଦାର୍ଶନିକମାନଙ୍କର ସହ ମାର୍କ୍ସବାଦୀ ସାହିତ୍ୟିକଙ୍କୁ ନେଇ ଅନୁଷ୍ଠିତ ସମ୍ମିଳନୀରେ ଭାରତବର୍ଷର ନବୀନ ସାହିତ୍ୟରେ ବର୍ତ୍ତମାନ ଜୀବନକୁ ମୂଳ ସମସ୍ୟା କ୍ଷୁଧା, ଦାରିଦ୍ର୍ୟ, ସାମାଜିକ ପରାଙ୍‌ମୁଖତା, ରାଜନୈତିକ ପରାଧୀନତା ସଂପର୍କରେ ଆଲୋଚନା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା ଓ ସାହିତ୍ୟରେ ବୈଜ୍ଞାନିକ, ମୁକ୍ତିବାଦ, ଦୈନନ୍ଦିନ ଜୀବନଚିତ୍ର ଓ ସୁସ୍ଥ, ସମାନତାଭରା ଭବିଷ୍ୟତ କଳ୍ପନାର ଚିତ୍ର ପ୍ରକାଶ କରିବା ଲେଖକଙ୍କର କର୍ତ୍ତବ୍ୟ । ଏହି ସମୟରେ ସମାଜରେ ଶୋଷଣ ମୁକ୍ତ ସାମ୍ୟବାଦୀ ସମାଜଗଠନର ବାସ୍ତବଦିଗ ପ୍ରତି ସାହିତ୍ୟରେ ପ୍ରବଣତା ସୃଷ୍ଟି ହୋଇଛି-। ସମାଜରେ ନିମ୍ନବର୍ଗର ଚିତ୍ର, ଚରିତ୍ର, ସଂଘର୍ଷ ଓ ସ୍ଥିତି ପ୍ରତି ଲେଖକମାନେ ସଚେତନ ହୋଇ ସାମ୍ୟବାଦୀ ତଥା ମାନବବାଦୀ ଉପନ୍ୟାସମାନ ରଚନା କରିଛନ୍ତି । ତନ୍ମଧ୍ୟରେ କାହ୍ନୁଚରଣ ଅନ୍ୟତମ ।

 

ଓଡ଼ିଆ କଥା ସାହିତ୍ୟ କ୍ଷେତ୍ରରେ ଶ୍ରୀଯୁକ୍ତ କାହ୍ନୁଚରଣ ମହାନ୍ତି ଏକ ପ୍ରବାଦ ପୁରୁଷ । ଫକୀରମୋହନଙ୍କ ପରବର୍ତ୍ତୀ ଅବକ୍ଷୟକୁ ଅବରୋଧ କରି ପୁନର୍ବାର ଓଡ଼ିଆ ଉପନ୍ୟାସ ଜଗତକୁ ଶ୍ରୀସମୃଦ୍ଧ କରିଥିବା କତିପୟ ଔପନ୍ୟାସିକଙ୍କ ମଧ୍ୟରେ କାହ୍ନୁଚରଣଙ୍କ ଅବଦାନ ନିଶ୍ଚିତ ଭାବେ ଉଲ୍ଲେଖନୀୟ । ସୁତରାଂ ଫକୀରମୋହନଙ୍କ ସୁଯୋଗ୍ୟ ଦାୟାଦ ଭାବେ କାହ୍ନୁଚରଣଙ୍କୁ ସ୍ମରଣ କରାଯାଇପାରେ । ଫକୀରମୋହନଙ୍କ ଉପନ୍ୟାସର ଭିତ୍ତିଭୂମି ସୁଦୃଢ଼ ହୋଇଛି । କାହ୍ନୁଚରଣ ଅଜସ୍ରସ୍ରାବୀ ଲେଖନୀ ମାଧ୍ୟମରେ ନଗରଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ଅତ୍ୟନ୍ତ ଜନପ୍ରିୟତା ହାସଲ କରିଛନ୍ତି । ଓଡ଼ିଆ ଉପନ୍ୟାସ ତାଙ୍କ ରଚନାସମଗ୍ର ଦ୍ୱାରା ଶ୍ରୀ ଓ ସାଫଲ୍ୟମଣ୍ଡିତ ହୋଇଛି । ତାଙ୍କ ଜୀବନକାଳ ମଧ୍ୟରେ ଷାଠିଏଟି ଉପନ୍ୟାସ ଓ ଗଳ୍ପ ସେ ରଚନା କରିଯାଇଛନ୍ତି । ଉତ୍କଳୀୟ ଜନତାର ଲୁହଲହୁର, ସରଳ ଜୀବନର ଛଳଛଳ କାହାଣୀର ଚିତ୍ର ତାଙ୍କ ଉପନ୍ୟାସର ମୂଳପିଣ୍ଡ । ସମାଜ ଜୀବନର ସମସ୍ତ ଚାରୁଚିତ୍ରକଳାରେ ତାଙ୍କ ଉପନ୍ୟାସ ବର୍ଣ୍ଣିତ ବିଭାରେ ଉଜ୍ଜ୍ୱଳ ଓ ସମାଜର ବିଭିନ୍ନ ଦିଗ ଉନ୍ମୋଚିତ ହୋଇଛି ।

 

ଓଡ଼ିଆ ଉପନ୍ୟାସର ମୁଖ୍ୟ ଚାରଣଭୂମି ହେଉଛି ସମାଜ । ସର୍ବପ୍ରଥମେ ସାମାଜିକ ପୃଷ୍ଠଭୂମି ଉପରେ ବ୍ୟାସକବି ଫକୀରମୋହନ ଉପନ୍ୟାସ ରଚନା କରି ଭାବି ଲେଖକମାନଙ୍କୁ ଅଦମ୍ୟ ପ୍ରେରଣା, ଆଗ୍ରହ ଓ ଉତ୍ସାହ ଦେଇଯାଇଥିଲେ । ତାଙ୍କ ରଚନାରେ କେବଳ ସାମାଜିକ ଜୀବନ ପ୍ରତି ଆମୁଖତା ରହିଛି ଏକଥା ନୁହେଁ, ବରଂ ସେ ଉପନ୍ୟାସ ମାଧ୍ୟମରେ ଆର୍ଥନୀତିକ ସମତା ଆଣିବାକୁ ପରୋକ୍ଷ ପ୍ରୟାସ କରିଥିଲେ । ତାଙ୍କ ଉପନ୍ୟାସରେ ଭୂମିକୈନ୍ଦ୍ରିକ ଆର୍ଥନୀତିକ ଶୋଷଣ ଓ ବୁର୍ଜ୍ଜୁଆର ସ୍ୱାର୍ଥସାଧନ ଇତ୍ୟାଦି ରହିଛି । ଯଦିଓ ସର୍ବହରା ଓ ପୁଞ୍ଜିପତିର ରକ୍ତାକ୍ତ ସଂଘର୍ଷ ନାହିଁ, ତଥାପି ପୁଞ୍ଜିପତି ଦୈବୀକୃତ ଦଣ୍ଡରେ ଦଣ୍ଡିତ ହୋଇଛି । ସମାଜରେ ନୂତନ ଗୋଷ୍ଠୀ ସୃଷ୍ଟିଲାଭ କରି କିଞ୍ଚିତ ପରିମାଣରେ ସାମାଜିକ ସମାନତା ଓ ବାସ୍ତବତା ଆନୟନ ହୋଇପାରିଛି । ଉତ୍ତର ପଚିଶରୁ ୧୯୨୮ ରୁ ୧୯୪୭ ମସିହା ମଧ୍ୟବର୍ତ୍ତୀ ଉପନ୍ୟାସଗୁଡ଼ିକରେ ସମସାମୟିକ ସାମାଜିକ ଚିତ୍ର ଅଙ୍କିତ, ଯହିଁରେ ଭୂମିକୈନ୍ଦ୍ରିକ ଆର୍ଥନୀତିକ ପରୋକ୍ଷ ଓ ପ୍ରତ୍ୟକ୍ଷ ସଂଘର୍ଷ ରହିଛି । ତଥାପି ଏଥିରେ ଜାତୀୟତାର, ସଂସ୍କାରର ଆଦର୍ଶବୋଧ ରହିଛି । ଆହୁରି ମଧ୍ୟ ଜମିଦାରଶୋଷିତ ଜୀବନ ଯନ୍ତ୍ରଣାର ଅବସାନ ଘଟିଛି । ସମାଜରେ ଜାତି, ଧର୍ମ, ବର୍ଣ୍ଣକୁ ଧ୍ୱଂସ କରି ନୁତନ ମଣିଷ ସାମଜର ଅଭ୍ୟୁଦୟ ଘଟିଛି ।

 

ସ୍ୱାଧୀନତା ପ୍ରାପ୍ତି ପରେ ଭାରତୀୟ ଜୀବନ ବହୁ ପରିମାଣରେ ଜଟିଳ ହୋଇଉଠିଛି । ସ୍ୱାଧୀନତା ପୂର୍ବରୁ ସାମାଜିକ ଏକମୁଖୀ ଜୀବନର ପାରଂପରିକ ଆଦର୍ଶ କ୍ଷୁର୍ଣ୍ଣ ହୋଇଥିଲା । ଭୂମିକୈନ୍ଦ୍ରିକ ସାମନ୍ତବାଦୀ ପରମ୍ପରା ଲୋପପାଇ ତା’ ସ୍ଥାନରେ ଉଚ୍ଚ ମଧ୍ୟବିତ୍ତ ଶିକ୍ଷିତ ସମାଜ ଅଧିଷ୍ଠିତ ହୋଇଛି । ଏହି ସମୟରେ ଉପନ୍ୟାସର ଦୁଇଟି ପୃଷ୍ଠଭୂମି ଥିଲା-୧. ସାମାଜିକ, ୨. ରାଜନୈତିକ । ରାଜନୈତିକ ମହାପ୍ରବାହରୁ ସାମାଜିକ ପରିବର୍ତ୍ତନ ଘଟିଛି । ରାଜନୈତିକ ମହାପ୍ରବାହରୁ ସାମାଜିକ ପରିବର୍ତ୍ତନ ଘଟିଛି । ପ୍ରାକ୍‌ ସ୍ୱାଧୀନତାକାଳୀନ ଭାରତୀୟ ଜନଜୀବନରେ ଘୋର ସଚେତନତା ସୃଷ୍ଟି ହୋଇଛି ଓ ଉତ୍ତର ସ୍ୱାଧୀନତାକାଳୀନ ଜୀବନଧାରାରେ ରାଜନୈତିକ ସଚେତନତା ସହ ସାମାଜିକ କ୍ରିୟା, ପ୍ରତିକ୍ରିୟା ତଥା ସମାଜ ଜୀବନର ଛବି ପ୍ରତିବିମ୍ବିତ ହେବାକୁ ଲାଗିଲା ।

 

ସ୍ୱାଧୀନତା ପୂର୍ବବର୍ତ୍ତୀ ଫକୀରମୋହନଙ୍କ ରଚନାରେ ମଣିଷର ପରିବର୍ତ୍ତନ ଅନୁତାପ ଓ ପ୍ରାୟଶ୍ଚିତ ମଧ୍ୟରେ ହେଉଥିଲା । କିନ୍ତୁ ପରବର୍ତ୍ତୀକାଳରେ କାହ୍ନୁଚରଣଙ୍କ ଉପନ୍ୟାସମାନଙ୍କରେ ସ୍ୱାଧୀନତାପୂର୍ବ ଓ ପରବର୍ତ୍ତୀ ସମୟରେ ଏକ ନୂତନ ସମାଜର ନବୋତ୍‌ଥାନ ଘଟିଛି ସାମାଜିକ ବିବର୍ତ୍ତନ ଓ ଚିତ୍ତସଂଘର୍ଷ ମଧ୍ୟରେ । ଯହିଁରେ ରାଜନୈତିକ-ସାମାଜିକଧାରା ଗଂଗାଯମୁନାର ମହାପ୍ରବାହ ପରି ପ୍ରବାହିତ ।

 

କାହ୍ନୁଚରଣ ସମାଜ ସଚେତନ ଶିଳ୍ପୀ କେବଳ ନ ଥିଲେ, ବରଂ ସମାଜ ସଂସ୍କାରକ, ସମାଜ ବିପ୍ଳବୀ ଲେଖକଭାବେ ସାମାଜିକ ପୁନର୍ଗଠନ ପ୍ରୟାସୀ ହୋଇଉଠିଥିଲେ । ଏହି ସାମାଜିକ ପୁନର୍ଗଠନ ଶ୍ରେଣୀବିହୀନ ସମାଜର ଅବିଚ୍ଛେଦ୍ୟ ରୂପରେଖ । ସେ ସାମାଜିକ ପୁର୍ନଗଠନ ପାଇଁ ଗାନ୍ଧୀବାଦୀ ଆଦର୍ଶ ସହ ଶ୍ରେଣୀବିହୀନ ସମାଜ ପାଇଁ ସାମ୍ୟବାଦ ଉପରେ ଦୃଢ଼ବିଶ୍ୱାସ ସ୍ଥାପନ କରିଥିଲେ । ତେଣୁ ଅହିଂସା ନୀତିରେ ସାମ୍ୟବାଦୀ ସମାଜଗଠନ ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରି କେତୋଟି ଉପନ୍ୟାସ ରଚନା କରିଛନ୍ତି । ତାଙ୍କର କତିପୟ ସାମ୍ୟବାଦୀ ଉପନ୍ୟାସ ହେଉଛି ‘ଶାସ୍ତି’, ‘ବଜ୍ରବାହୁ’, ‘ହା-ଅନ୍ନ’, ‘ଝଞ୍ଜା’, ‘ସ୍ୱପ୍ନ ନା ସତ୍ୟ’ । ‘ହା-ଅନ୍ନ’ ଓ ‘ଶାସ୍ତି’ ଉପନ୍ୟାସରେ ସାମ୍ୟବାଦୀ ଲକ୍ଷ୍ୟର ବୀଜରୋପଣ ହେଲାବେଳେ ଅନ୍ୟ ତିନୋଟି ଉପନ୍ୟାସରେ ସାମ୍ୟବାଦ-ସଫଳତା ଲାଭ କରିବା ସହ ସାଧାରଣ ବର୍ଗ, ଶୋଷିତ ଶ୍ରେଣୀ ବିଜୟ ଲାଭ କରିଛି ।

 

୧୯୫୫-୫୭ ମସିହା ମଧ୍ୟରେ ରଚିତ ‘ବଜ୍ରବାହୁ’ ଉପନ୍ୟାସରେ କାହ୍ନୁଚରଣ ନୂତନ ସାମାଜିକ ମୂଲ୍ୟବୋଧର ପରିବର୍ତ୍ତିତ ଅବସ୍ଥା ସହିତ ସାମାଜିକ ସାମ୍ୟବାଦ ଓ ଆର୍ଥନୀତିକ ସାମ୍ୟବାଦକୁ ଉଦାର କଣ୍ଠରେ ଘୋଷଣା କରିଛନ୍ତି । ‘ବଜ୍ରବାହୁ’ ଉପନ୍ୟାସ ପୂର୍ବରୁ ‘ହା-ଅନ୍ନ’ରେ ଦୈବୀକୃତ ସାମ୍ୟବାଦ, ‘ଶାସ୍ତି’ରେ ନୂତନ ସାମାଜିକ ମୂଲ୍ୟବୋଧମିଶ୍ରିତ ଆର୍ଥନୀତିକ ସାମ୍ୟବାଦର ପରୋକ୍ଷ ସଂକେତ, ‘ଝଞ୍ଜା’ରେ ମଧ୍ୟ ଗାନ୍ଧୀବାଦ ଓ ମାର୍କ୍ସବାଦକୁ ଏକତ୍ରିତ କରି ବିଜୟକେତନ ଉଡ଼ାଇବାର ଚେଷ୍ଟା କରିଛନ୍ତି । ‘ଝଞ୍ଜା’ରେ ସର୍ବହରା ବିପ୍ଳବାତ୍ମକ ପନ୍ଥା ଅନୁସରଣ କରିବା ପୂର୍ବରୁ ପରଶୁରାମ ବାବୁ ଜମିଦାରୀ ଟେକି ଦେଇଛନ୍ତି । ହେଲେ ‘ବଜ୍ରବାହୁ’ ଉପନ୍ୟାସରେ ଭୂମିକୈନ୍ଦ୍ରିକ ସଂଘର୍ଷ କିଛି ପରିମାଣରେ ଅଛି ।

 

ଗାନ୍ଧୀବାଦୀ ଦୃଷ୍ଟିଭଂଗୀ ଓ ଦର୍ଶନକୁ କେନ୍ଦ୍ର କରି ଉତ୍କଳୀୟ ସାମାଜିକ ଜୀବନରେ ଯେଉଁ ବିପୁଳ ପରିବର୍ତ୍ତନ ଘଟିଲା, ତାହାକୁ ଉପଜୀବ୍ୟ କରି ‘ବଜ୍ରବାହୁ’ ଉପନ୍ୟାସର ପ୍ରାଣକେନ୍ଦ୍ର ସଂଗଠିତ-। ରଚନାତ୍ମକ କର୍ଯ୍ୟକ୍ରମରେ ଜାତିଗୋତ୍ର, ବର୍ଣ୍ଣବୈଷମ୍ୟକୁ ଜଳାଞ୍ଜଳି ଦେଇ ସମସ୍ତେ ଏକ ହେବେ, ଅସ୍ପୃଶ୍ୟତା ନିବାରଣ, ଗ୍ରାମସେବା ଇତ୍ୟାଦି ବିନୋବା ଭାବେଙ୍କର ରଚନାତ୍ମକ କାର୍ଯ୍ୟକ୍ରମ, ରାଜନୀତିକ ଦର୍ଶନ-ସାମାଜିକ ଦର୍ଶନରେ ପରିବର୍ତ୍ତିତ ହୋଇଯାଇଛି, ଯାହା ‘ବଜ୍ରବାହୁ’ ଉପନ୍ୟାସରେ ଅତ୍ୟନ୍ତ ସୁସ୍ପଷ୍ଟ ।

 

‘ବଜ୍ରବାହୁ’ ଉପନ୍ୟାସରେ ଜମିଦାରୀ ବିଲୋପ ଘଟିଛି । ଜମିଦାରୀ ହରେଇଥିବା ରଣଗଡ଼ର ଜମିଦାର ଅଭିନବ ରଣସିଂହ ମାନସିକ ସ୍ତରରେ ଅତ୍ୟନ୍ତ ସଂକୁଚିତ ହୋଇପଡ଼ିଛନ୍ତି । ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଛନ୍ତି, ଯାହା ତାଙ୍କ ପତ୍ନୀ ମମତା ପସନ୍ଦ କରନ୍ତି ନାହିଁ । ରଣସିଂହଙ୍କ ପରିବାରରେ ପତ୍ନୀ ମମତାଙ୍କ ବ୍ୟତୀତ ଭାଇବୋହୂ ଭାରତୀ, ବଡ଼ଝିଅ ସୁସଂଧ୍ୟା, ରଣସିଂହଙ୍କ ଦୁଇପୁଅ ସୁବ୍ରତ ଓ ସୁରତ ରଣରଙ୍କା, ରଣସିଂହଙ୍କ ମା’ ବାସ କରନ୍ତି । ବଡ଼ପୁଅ ସୁବ୍ରତ ଏମ୍.ଏ.ପାଶ୍ କରିଛି । ଶାନ୍ତ ସୁଧାର । ହେଲେ ସାନ ପୁଅ ସୁରତ ଠିକ୍ ଦାଦା ସ୍ୱର୍ଗତ ନଟବର ଶତୃଶଲ୍ୟଙ୍କ ପରି ନିର୍ଭୀକ, ସ୍ପଷ୍ଟବାଦୀ, କର୍ମଠ ଓ ସ୍ୱାଧୀନଚେତା । ଜମିଦାରୀ ଚାଲିଯିବା ପରେ ସୁରତ ନିଜକୁ ଜମିଦାର ପୁଅ ବୋଲି ଆଦୌ ମନେକରି ନାହିଁ, ବରଂ ନିଜକୁ ରଣଗଡ଼ର ଜଣେ ସାଧରଣ ପୁତ୍ରଭାବେ ମନେକରିଛି ଓ ‘ଧର୍ମବେଠିଆ ସଂଘ’ର ସକ୍ରିୟ ସଦସ୍ୟ ହୋଇଉଠିଛି । ରଣସିଂହଙ୍କ ମନ ମଧ୍ୟରେ ପ୍ରବଳ ଝଡ଼ ପ୍ରବାହିତ ହୋଇଛି । କାରଣ ଜମିଦାରୀ ଉଚ୍ଛେଦ ହୋଇଛି ଖଣ୍ଡିଏ ଆଦେଶପତ୍ର, ସରକାରୀ ଗେଜେଟ୍‌ରେ ଓ ପତ୍ରପତ୍ରିକାରେ ଗୋଟାଏ ବିଜ୍ଞାପନ, ମାଳଶ୍ରୀ ନାମ ଭିତରେ ତାଙ୍କ ଜମିଦାରୀର ନାମଟା ମଧ୍ୟ ସ୍ଥାନ ପାଇଛି । ସେତିକି, ଖଡ଼ଗ, କମାଣ, ବାଣଲୋଡ଼ା ହୋଇନାହିଁ, କେହି କାହାରି ଦେହରେ ଟିପ ଛୁଇଁ ନାହିଁ । ରାଜୁତି ଯାଇଛି । ସେତିକି କୁହୁକ କାଠି ଛୁଇଁଦେଲା ।’ ୧ ।

 

ପାଗଳ ପରି ସେ ଅନୁଭବ କରିଛନ୍ତି-‘x x x ଯୁଆଡ଼େ ଚାହିଁଲେ ଆଖି ଫେରିଆସୁଛି ସମସ୍ତେ ଯେପରି ହସି ଉଠିଛନ୍ତି । ପାଟିକରି କହି ଉଠୁଛନ୍ତି- ‘ହାଁ ହାଁ ଛୁଇଁବୁ, ଘୁଞ୍ଚିଯା । ରଣସିଂହ ଆଜି ଅଚ୍ଛବ ହୋଇଛନ୍ତି, ହେ କଂସଧ୍ୱଂସୀ, ଶୁଣିଲେ କାନରେ ହାତ ଦେବ । ସେ ଆଡ଼େଇ କରି ଛାଲୁଛନ୍ତି । ତଳକୁ ମୁହଁ । ଯେଉଁମାନେ ପଚାଶହାତ ଦୂରରେ କରପତ୍ର ଯୋଡ଼ି ଉଭା ହେଉଥିଲେ, ତୁଣ୍ଡରେ ବଚନ ବାହାରୁ ନଥିଲା, ସେଇମାନେ ଧୂଳି ଉଡ଼େଇ ଦମ୍‌ଦ୍‌ମ୍ ହୋଇ ଚାଲିଯାଉଛନ୍ତି । କି ହସ, କି ପାଟି । ଟିକିଏ ହୋଇ ଖାତିର ଅଛି ?’ ୨। ଜମିଚାରୀ ଚାଲିଯିବା ପରେ ପରିବର୍ତ୍ତନ ନିଶ୍ଚିତ ଭାବେ ଆସିଛି । ହେଲେ ରଣସିଂହଙ୍କୁ କେହି ଅସମ୍ମାନ କରିନାହାନ୍ତି । ବରଂ ଇଏ ସବୁ ରାଜସିଂହଙ୍କର ସଂଗୁପ୍ତ ମନୋଭାବର ସଂକୁଚିତ ଦୃଷ୍ଟିଭଂଗୀ ।

 

ପ୍ରକୃତପକ୍ଷେ ନୂତନ ଯୁଗର କର୍ମୀମାନେ ହୃଦୟର ପରିବର୍ତ୍ତନକୁ ବଡ଼ ବୋଲି ମନେକରିଛନ୍ତି ଓ ‘ଧର୍ମବେଠିଆ ସଂଘ’ର ସଦସ୍ୟମାନେ କିମ୍ବା ରଣଗଡ଼ର ସର୍ବସାଧାରଣ ଜମିଦାରଙ୍କୁ ସାମାନ୍ୟତମ ସମାଲୋଚନା କରିବା ଦୂରର କଥା, ତାଙ୍କ ସମ୍ମାନରେ ଆଞ୍ଚ ଆସିବା ପରି କାମ କରିନାହାନ୍ତି । ଜନସାଧାରଣଙ୍କ ସାମ୍ନାରେ ସୁରତ ଏକ ଆଦର୍ଶ । କାରଣ ପିତା ରଣସିଂହ ସିନା ଏକଦା ଅତ୍ୟାଚାରୀ ଶୋଷଣ ଜମିଦାର ଥିଲେ, ହେଲେ ସୁରତ ପିତାଙ୍କଠାରୁ ସଂପୂର୍ଣ୍ଣ ଭିନ୍ନ । ଗାଁର ସମସ୍ତଙ୍କ ସହିତ ମିଶିଛି, କାମ କରିଛି, ଖାଇଛି ଓ ସମସ୍ତଙ୍କୁ ଆପଣାର ଭାଇବଂଧୁ, କୁଟୁମ୍ବ ପରି ଆପଣେଇ ନେଇଛି । ସୁରତ ଓ ଗାଁ ପୁରୋହିତଙ୍କ ପୁଅ ଧର୍ମାନନ୍ଦ ରଣଗଡ଼ର ସାମାଜିକ ଜୀବନରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି । ରଣସିଂହଙ୍କ ଅତ୍ୟଚାରରେ ଅତିଷ୍ଠ ହୋଇ ଅଭିମାନରେ ସୁରତ ଘରଛାଡ଼ିଛି । ରଣସିଂହଙ୍କ ଆଖିରେ- ଗାଁ ଭେଣ୍ଡିଆ ବାରଜାତିଆ ସଂଗେ ମିଶି ନୂଆ ରାସ୍ତାରେ ମାଟି ପକାଉଛି’ କଥାଟି ଆଦୌ ଯାଇନାହିଁ । କିନ୍ତୁ ସୁରତର ଗୋଟିଏ କଥା ଯେ ସେ ଜମିଦାର ପୁତ୍ର, କିନ୍ତୁ ସେ ଜମିଦାର ହୋଇ ନଥାନ୍ତା କି ମୋହ ମଧ୍ୟ ନାହିଁ । ମଣିଷ ସହିତ ମିଶି ମଣିଷ ପରି କାମ କରିବାକୁ ସେ ପସନ୍ଦ କରିଛି-। ମିଛ ଆଭିଜାତ୍ୟର ଅହଙ୍କାର ତାର ଅସହ୍ୟ ହୋଇଉଠିଛି । ତେଣୁ ଉଆସର ଖରିପୁରି ଅପେକ୍ଷା ନିଜ ପରିଶ୍ରମର ଶାଗ ପଖାଳକୁ ବଡ଼ ମନେକରିଛି । ସୁବ୍ରତ ମଧ୍ୟ ମନେକରିଛି- ‘ମଣିଷ ସାଂଗରେ ମିଶି ଏକାକାର ହେବା ହିଁ ଏକମାତ୍ର ପଥ । ହାତରେ ମାଳ ନଧରି କୋଡ଼ି, ଲଙ୍ଗଳ, ଯନ୍ତ୍ର ଧରିବା ହିଁ ଶ୍ରେଷ୍ଠ ଉପାୟ ।‘୩ । ଏଇଠି ଆସିଛି ନୂତନ ସାମାଜିକ ମୂଲ୍ୟବୋଧ ସହିତ ସାମ୍ୟବାଦ-। କାହ୍ନୁଚରଣ ଏକ ରକ୍ଷଣଶୀଳ ପୁଞ୍ଜିପତି ବୁର୍ଜ୍ଜୁଆର ସନ୍ତାନମାନଙ୍କୁ ଖଟିଖିଆଙ୍କ ସହିତ ଏକାକାର କରିଦେଇ ଆସନ୍ତା ସମୟ ପାଇଁ ଏକ ସାମ୍ୟବାଦ୍ୟ କ୍ଷେତ୍ର ପ୍ରସ୍ତୁତ କରିଦେଇଛନ୍ତି ।

 

ସୁବ୍ରତ ଏମ୍‌.ଏ. ପାଶ୍‌ ପରେ ଋଣସିଂହଙ୍କ ଅନୁରୋଧରେ ଅନେକ ଇଣ୍ଟରଭ୍ୟୁ ଦେଲେ, ହେଲେ ଅକୃତକାର୍ଯ୍ୟ ହୋଇଛି । ମମତା ବାହାଘର ଠିକ୍‌ କରିଛନ୍ତି ହରି ମହାପାତ୍ରଙ୍କ ଝିଅ ଆରତି ସହ । କିନ୍ତୁ ସ୍ୱାମୀସ୍ତ୍ରୀଙ୍କର ବାହାଘର ନେଇ ମନୋମାଳିନ୍ୟ ହୋଇଛି । କାରଣ ହରି ମହାପାତ୍ରଙ୍କ ଜମିଦାରୀ ଖାନ୍‌ଦାନ୍‌ ନାହିଁ । ସୁବ୍ରତ ମଧ୍ୟ ବାହାଘର ନେଇ ବିରକ୍ତ ହୋଇଛି । ରଣଗଡ଼ର ‘ଧର୍ମବେଠିଆ ସଂଘ’ର କାର୍ଯ୍ୟକଳାପ ଓ ସାନଭାଇ ସୁରତର ଆଦର୍ଶ ସୁବ୍ରତ ମନକୁ ଅସ୍ଥିର କରିଛି । ସୁବ୍ରତ ମଧ୍ୟ ବେକାରୀ ଜୀବନର ସମାଧାନର ପ୍ରେରଣା ପାଇଛି- ‘ବିପ୍ଳବ ମାଡ଼ି ଆସୁଛି । ପ୍ରଚଳିତ ନିୟମ, ପ୍ରଥା, ଧାରଣା, ଚଳନ ବଦଳି ଆସିଛି । ସମାଜ ଓ ଦେଶ ବଦଳିବ । ଏହାର ରୂପରେଖ କାଲି କ’ଣ ହେବ କେହି ଜାଣନ୍ତି ନାହିଁ । ବିଭିନ୍ନ ମୁନି ବିଭିନ୍ନ ଆଦର୍ଶ ଥୋଇଛନ୍ତି ଆଗରେ । ଯାହାର ଶକ୍ତି ପ୍ରବଳ, ମାଡ଼ି ଚକଟି ତାହାରି ଆଦର୍ଶ ଆଗେଇ ଚାଲିଛି, କୁହା ହେଉଛି ଦେଶର ଜନତା ଏହା ସମର୍ଥନ କରିଛନ୍ତି, ଗ୍ରହଣ କରିଛନ୍ତି । ଯେଉଁମାନେ ଅନ୍ୟ ଆଦର୍ଶର ଧିଜାଧାରୀ ସେମାନେ ମଧ୍ୟ ଆଗେଇଛନ୍ତି । ଆଶା କରିଛନ୍ତି, ଲୋକଙ୍କର ଭ୍ରମ ଦିନେ ଭାଂଗିବ । ଦିନେ ସେମାନେ ବୁଝିବେ, ସେ ଆଦର୍ଶ ନୂଆ ଦୁନିଆ ପାଇଁ ଉପଯୁକ୍ତ ନୁହେଁ, ଏଇ ଆଦର୍ଶ ଭଲ ।’’ ୪

 

କିନ୍ତୁ ନୂଆ ଦୁନିଆର ଲୋକେ ନୂତନ ଆଦର୍ଶକୁ ଗ୍ରହଣ କରିନେଲେ । ହେଲେ ପରମ୍ପରାଶୀଳ, ରକ୍ଷଣଶୀଳ ସମାଜପତିମାନେ ଏମାନଙ୍କୁ ଧର୍ମଛଡ଼ା ମନେକଲେ । ‘ଧର୍ମବେଠିଆ ସଂଘ’ରୁ ସାମାଜିକ ଜୀବନରେ ନୂତନ ପ୍ରତିଶ୍ରୁତିର ଉଦାତ୍ତ ସ୍ୱର ସଂଚରିତ ହୋଇଛି ଗଗନପବନରେ । ସମସ୍ତେ ଚାହିଁଛନ୍ତି ପ୍ରାଚୀନତାର ନିଗଡ଼ ମଧ୍ୟରୁ ବାହାରି ଆସି ସମାନତାର ଅମୃତ ଆସ୍ୱାଦନ କରିବେ ଓ ସୁସ୍ଥ ସୁନ୍ଦର ଜୀବନ ବିତାଇବେ । ତେଣୁ ନୂତନତାକୁ ଆପଣେଇ ନେଲେ ।

 

ସୁବ୍ରତ ଇଣ୍ଟରଭ୍ୟୁ ଦେବାକୁ କଟକ ଯାଇ ଦିନ କେଇଟାରେ ଜୀବନର ଦୁଃଖ ଓ ଅଭିଜ୍ଞତା ଆଣି ଘରକୁ ଫେରିଛି । ଜାଣିଛି ସବୁ ବଦଳି ଯାଇଛି ଜମିଦାରୀ ଯିବା ସହିତ । ‘ରାଜୁତି ଲୋପ ହୋଇଛି । ଜମିଦାରୀ ଉଠିଛି । ସର୍ବରାକାରୀ ମକଦମା, ଗଉଁତି, ଇନାମଦାରୀ ସବୁ ଯାଇଛି । ଯେଉଁମାନେ ବଡ଼ବଡ଼ ଚାଷୀ ଥିଲେ, ଶହଶହମାଣ ଜମିର ମାଳିକ ଥିଲେ, ସେମାନଙ୍କର ରଇତ-ଚଷାଜମି ରଇତ ପାଇଛି । ଜମି-ଜମିଦାରୀ ସମ୍ବନ୍ଧୀୟ ସବୁ ଆଇନ ବଦଳିଛି । କେତେ ଭୂମିହୀନ ଜମି ପାଇଛନ୍ତି ।’ ୫ । ସୁବ୍ରତ ଠିକ୍‌ କରିଛି ଭବିଷ୍ୟତ ପନ୍ଥା ଓ ଲକ୍ଷ୍ୟ-‘ବାହାରର ରାଜ୍ୟ ଯାଉ । ନିଜର ଭଲପଣିଆଁ, ଆତ୍ମତ୍ୟାଗ ଓ ଦେଶବାସୀଙ୍କର ସମୂହ କଲ୍ୟାଣ କାମନାରେ ନିଜକୁ ନିୟୋଗ କଲେ ମନର ରାଜ୍ୟରେ ସେମାନେ ରାଜତ୍ୱ କରିପାରନ୍ତେ । ଅନ୍ୟ ଆତ୍ମାକୁ ସମ୍ମାନ କରି ନିଜର ଆତ୍ମସମ୍ମାନ କେଡ଼େ ପବିତ୍ର, ସୁନ୍ଦର, ମହତ୍‌ ଓ ବ୍ୟାପକ ସହଜରେ ଅନୁଭବ କରି ସୁଖ, ସ୍ୱଚ୍ଛନ୍ଦ ଓ ଆନନ୍ଦରେ ସମୟ କଟାଇପାରନ୍ତେ ।’ ୬।

 

ସୁବ୍ରତ ମନରେ ସୁରତ ସବୁ କର୍ମ ଯେ ସମାନ ଓ ସମ୍ମାନଜନକ ଏଇ ଆଶା ଜଗାଇ ଦେଇଛି । ‘ମୂଲ ଲାଗି ପେଟ ପୋଷିବାରେ ଲାଜ ନାହିଁ । ସମସ୍ତେ ମୂଲ ଲାଗନ୍ତି, କେବଳ କର୍ମ ଭେଦ ଓ ମୂଲର ପରିମାଣର ଅଯଥା ଭେଦ । ଆପଣା ବି ମୂଲ ଖୋଜିବାକୁ ଯାଇଥିଲେ । ନପାଇ ହତାଶ ହୋଇ ଫେରିଆସିଛନ୍ତି । ମୁଁ ହତାଶ ହେବି ନାହିଁ । କାଲି ଦେଖିବେ ।’ ୭।

 

ସୁବ୍ରତ ଦେଖିବାକୁ ପାଇଛି ସୁରତର ଚରିତ୍ରରେ ସାମ୍ୟବାଦର ମୂଳନୀତି । ମମତା ବିରକ୍ତ ହୁଅନ୍ତି । କାରଣ ସୁରତ ଛୋଟଲୋକଙ୍କ ସଂଗେ ମିଶୁଛି, ଖୈରାତ ଅନ୍ନ ଖାଉଛି, ଖଟପଲଙ୍କ ଛାଡ଼ି ଗାଁ କୋଠାଘରେ ହାଡ଼ି, ପାଣି, ତେଲି, ତାମୁଳିଟୋକାଙ୍କ ପାଖରେ କାନିପାରି ଶୋଉଛି । ମାତ୍ର ସୁରତ ସଚ୍ଚୋଟ କର୍ମୀ । ରଣଗଡ଼ ତା’ର କାର୍ଯ୍ୟକ୍ଷେତ୍ର । ସାରାଦେଶର ଦୁଃଖୀ ଦରିଦ୍ର ତା’କୁ ଜଳଜଳ ହୋଇ ଦିଶିଯାଉଛନ୍ତି । ସୁରତର ଚିନ୍ତାଚେତନାରେ ସାମ୍ୟବାଦ ଛାଇଯାଇଛି । ସେ ଚିନ୍ତା କରିଛି- ‘ତା’ ଗାଁ ଲୋକେ ସମସ୍ତେ ମୁଠିଏ ଭଲ ଖାଇବେ, ଭଲ ଘରେ ରହିବେ, ଭଲକରି ଖଣ୍ତେ ପିନ୍ଧିବେ । କାହାରିକୁ ରୋଗ ବୈରାଗ ହେବ ନାହିଁ, ସମସ୍ତେ ସଦ୍‌ବୁଦ୍ଧି କରିବେ, ପାଠପଢ଼ି ଶିକ୍ଷିତ ହେବେ । ଏମିତି କେତେ ବଡ଼ବଡ଼ ସେ ଭାବୁଛି ।’ ୮ । ସୁରତ ଜାତିଭେଦହୀନ, ଶ୍ରେଣୀହୀନ ସମାଜ ଗଠନର ସ୍ୱପ୍ନରେ ବିଭୋର । ସମସ୍ତଙ୍କୁ ଏକାକାର କରି ଦେଇଛି ସୁରତ । ‘ଧର୍ମବେଠିଆ ସଂଘ’ର ଧର୍ମପୀଠରେ ସମସ୍ତେ ଏକାଠି ହୋଇଛନ୍ତି, ଶୋଇଛନ୍ତି ରଣଗଡ଼ର ଚାଷୀ, କୁମ୍ଭାର, ବଢ଼େଇ, କେଉଟ, ବାଉରି, କଣ୍ତରାଘରର ପୁଅ ।

 

ସୁବ୍ରତ ଚିନ୍ତା କରିଛି ସାମାଜିକ ବୈଷମ୍ୟ ସଂପର୍କରେ- ‘ବିନା ପରିଶ୍ରମରେ ଲବ୍ଧଧନ ଓ ପ୍ରଭୁତ୍ୱର । ଦୁର୍ବଳ ସମାଜରେ ଧନ ଓ ସଂପତ୍ତିର ଅସାମାଞ୍ଜସ୍ୟ ବଣ୍ଟନର ଫଳ ।’୯ । ତେଣୁ ସେ ନିର୍ଦ୍ଧାରଣ କରିଛି ‘ପରିଶ୍ରମ ହିଁ ଜୀବନର ଅମୃତଧାରା । ସେଇ ପରିଶ୍ରମର ପ୍ରକୃତ ମୂଲ୍ୟ ନିରୂପଣ କଲେ, ଅଳସୁଆକୁ ଧନସଂଚୟ କରିବା ବା ବିନାକର୍ମ ଓ ପରିଶ୍ରମରେ ବିଭବ ଲାଭ କରିବା ସୁଯୋଗରୁ ରହିତ କରିପାରିଲେ ସମାଜରେ ବିଭବ ଲାଭର ସମତା ଆସିପାରିବ । ସମସ୍ତେ ରହିବେ ସୁଖରେ, ଆନନ୍ଦରେ । ସ୍ନେହ, ପ୍ରେମ, ଭକ୍ତି ଓ ସମ୍ମାନର ସୁଖଧାରା ରହିବ ସବୁ କୁଟୁମ୍ବରେ, ସମାଜରେ, ଦେଶରେ ଓ ସାରା ଦୁନିଆରେ ।’ (୧୦)

 

ସେ ଆଶା କରିଛି ସତ୍‌ମନରେ ଯେ ମୁହୂର୍ତ୍ତକରେ ଯଦି ଏସବୁ ବଦଳି ଯାଆନ୍ତା, ତେବେ ସୁରତର ସ୍ୱପ୍ନ ସଫଳ ହୁଅନ୍ତା । ସଂସାରକୁ ପ୍ରକୃତ ସୁଖଶାନ୍ତି ଓହ୍ଲାଇ ଆସନ୍ତା । ସମସ୍ତଙ୍କ ସୁଖ ଓ ଆନନ୍ଦ ଦେଖି ସମସ୍ତେ ସୁଖୀ ହୁଅନ୍ତେ । ଅନ୍ୟର ପରିଶ୍ରମର ଫଳ ଦେଖି ମନରେ ଈର୍ଷା ହୁଅନ୍ତା, ଐଶ୍ୱର୍ଯ୍ୟ, ବୈଭବ ପାଇଁ ନୁହେଁ, ବରଂ ନିଜର ଅପାରଗତା ପାଇଁ । ଅପରର ପରିଶ୍ରମକୁ ଚୋରି କରିବା ଅପେକ୍ଷା ନିଜର ବାଦବୁଦିଆ ମନ ଶିଖିବାକୁ ଓ ଶ୍ରମର ସଂପୂର୍ଣ୍ଣ ପ୍ରୟୋଗ କରି ଐଶ୍ୱର୍ଯ୍ୟର ବୃଦ୍ଧି ପାଇ ବ୍ୟାକୁଳତା ସୃଷ୍ଟି ହୁଅନ୍ତା । ଉତ୍ପାଦନୀ ଶକ୍ତି ବୃଦ୍ଧି ପାଆନ୍ତା ।

 

ଯୁଗ ବଦଳି ଯାଇଛି । ସୁରତ ରଣସିଂହଙ୍କୁ ବୁଝାଇ ଦେଇଛି ଯେ ଯେତିକି ଆବାଦ କରି ଫସଲ ଉଠାଇହେବ, ସେତିକି ରଖି ବାକିତକ ଦୁଃଖୀ ମୂଲିଆଙ୍କୁ ଦାନ କରିଦେବା ବାଞ୍ଛନୀୟ । ମାତ୍ର ରଣସିଂହଙ୍କର ଅହଙ୍କାରୀ ମନ ଗର୍ଜି ଉଠିଛି । ସୁବ୍ରତ ପ୍ରତିବାଦ କରିଛି । ସେ ବୁଝାଇଛି ଯେ ଯୁଗ ଚାଲିଯାଇଛି । ଏ ସମୟରେ ଯାହା ଘଟିବା କଥା, ନିଶ୍ଚୟ ଘଟିବ । ସମସ୍ତଙ୍କୁ ସୁଖରେ ରହିବାର ସୁଯୋଗ ଦେଲେ, ସମସ୍ତଙ୍କର କଲ୍ୟାଣକର କାର୍ଯ୍ୟ କରିବାକୁ ସମସ୍ତେ ଆନନ୍ଦରେ ଆଗଭର ହେବେ ।

 

ନିଜର କର୍ମ ଓ ସାମ୍ୟବାଦୀ ଦୃଷ୍ଠିକୋଣ ଯୋଗୁ ସୁରତ ସୁଖୀ ହୋଇଛି । ସବୁ ଦେଇ ସବୁ ପାଇଛି । ସମସ୍ତଙ୍କୁ ସୁଖୀ କରିବାକୁ କୋଡ଼ି ଟାଙ୍ଗିଆ ଧରି ପରିଶ୍ରମ କରିଛି, ଦେହରୁ ଝାଳ ନିଗାଡ଼ିଛି-। ପ୍ରତିବଦଳରେ ସୁଖୀ ହୋଇଛି ଏକଥା ନିଜ ମା’ ମମତାଙ୍କୁ ସୁବ୍ରତ ବୁଝାଇଦେଇ ତାଙ୍କ ମନର ବେଦନାକୁ ଲାଘବ କରିଛି । ସୁରତ ପରି ସୁବ୍ରତ ସାମ୍ୟବାଦୀ ଚିନ୍ତାଚେତନାରେ ଅନୁପ୍ରାଣିତ ହୋଇ ଘର ଛାଡ଼ି ଚାଲିଯାଇଛି । ‘ଦାଗୀ’ ପତ୍ରିକାରେ ତା’ର ଜୀବନଦର୍ଶନ ପ୍ରକାଶ ପାଇଛି ସେ ମୁଣ୍ତଝାଳ ତୁଣ୍ତରେ ମାରି ମୂଲିଆ ହୋଇଛି । ମାତ୍ର ଅଭାବ ମେଣ୍ଟି ନାହିଁ । ଅସମତା ପାଇଁ ମନ ବିଦ୍ରୋହୀ ହୋଇଉଠିଛି । ଦେଖିଛି ପୁଞ୍ଜିପତିର ଉଆସକୁ, ଧନର ପାହାଡ଼କୁ । ମୂଲିଆର ପରିଶ୍ରମକୁ ଶୋଷଣ କରି ସେମାନେ ଧନପତି । ସଂସାରରେ ଯିଏ ଠେଙ୍ଗା ଧରି ନ୍ୟାୟ ମାଗିଲା ସେ ହିଁ ଦାଗୀ ହେଲା ।

 

ସୁବ୍ରତ ତା’ର ନୂତନ ଶ୍ରମିକର ଜୀବନରେ ସମସ୍ତଙ୍କୁ ନୂତନ ମନ୍ତ୍ର ଶିଖାଇବାକୁ ଲାଗିଲା । ମୂଲିଆମାନଙ୍କୁ ଏକାଠି କରି ସେ ଗୋଟିଏ ଶ୍ରମିକ ସମିତି ପ୍ରତିଷ୍ଠା କରିବାକୁ ଚେଷ୍ଟା କଲା । ସମବାୟ ବିଭାଗର କର୍ମଚାରୀ ଆସି ମନପ୍ରାଣଦେଇ ଲାଗିପଡ଼ିଲେ । ଉଦ୍ଦେଶ୍ୟ ହେଲା ଯେ କେତେଗୁଡ଼ିଏ ଛୋଟ ଛୋଟ ସମିତି କରି ସମିତି ନାମରେ କର୍ମର ଦାୟିତ୍ୱ ନେବେ । ତା’ହେଲେ ପରିଶ୍ରମ ପାଇଁ ଉପଯୁକ୍ତ ମଜୁରି ପାଇପାରିବେ । ମଝିରେ ଥିବା ଫାଉମରା ଠିକାଦାରଙ୍କ କବଳରୁ ରକ୍ଷା ମିଳିବ । ସେ ସ୍ୱପ୍ନ ଦେଖିଛି ସମସ୍ତେ ନିଜନିଜର ଉପଯୁକ୍ତ ମୂଲ୍ୟ ପାଉଛନ୍ତି । ସୁଖ, ଆନନ୍ଦ, ନିଶ୍ଚିନ୍ତରେ ସମସ୍ତେ ଅଛନ୍ତି । ହେଲେ ସମାଜରେ ପୁଞ୍ଜିପତିର ଅତ୍ୟାଚାର ଲାଗି ରହିଛି । ତଥାପି ତା’ ମନରେ ଆଶା ସଞ୍ଚାର ହୋଇଛି, ସର୍ବହରାର ଜୟଯାତ୍ରା ସଂପର୍କରେ ମନେମନେ ଭାବିଛି- ଦୁର୍ବଳ ମନରେ ଦିନେ ନା ଦିନେ ଭୀମବିକ୍ରମ ସଞ୍ଚରିତ ହେବ । ବିଦ୍ରୋହର ନିଆଁ ଜଳିବ । ପୁଞ୍ଜିପତିର ଅତ୍ୟାଚାର ଭସ୍ମ ହେବ ବିଦ୍ରୋହର ନିଆଁରେ । ବର୍ତ୍ତମାନକୁ ଅତୀତର ଭସ୍ମରେ ପରିଣତ କରିବ । ସେଇ ଭସ୍ମ ଉପରେ ଗଢ଼ା ହେବ ନୂତନ ଭବିଷ୍ୟତ, ବିସ୍ମରି ଯାଇଥିବା ଅତୀତ, ଉଜ୍ଜ୍ୱଳ ଅତୀତର ଛାଞ୍ଚରେ ।

 

ମାତ୍ର ସୁବ୍ରତ ତା’ ସ୍ୱପ୍ନ ନିକଟରେ ହାର ମାନିଛି । ଠିକାଦାରଙ୍କ କବଳରୁ ସମସ୍ତଙ୍କୁ ରକ୍ଷା କରିପାରିଲା ନାହିଁ । କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ସେ ଶ୍ରମିକ କାମ କରିଛି, ସେତେଦିନଯାଏ ଶ୍ରମିକ ଜୀବନରେ ଉନ୍ନତି ଓ ସମତା ଆଣିବାକୁ ଚେଷ୍ଟା କରିଛି ।

 

କିନ୍ତୁ ସବୁଦିଗରୁ ସଫଳତା ହାସଲ କରିଛି ସୁରତ ଓ ରଣଗଡ଼ର ଧର୍ମବେଠିଆ ସଂଘ । ଏକତା ମାଧ୍ୟମରେ ରଣଗଡ଼ର ସ୍ୱରୂପ ବଦଳାଇ ଦେଇଛନ୍ତି । ଏକତ୍ରିତ ହେଲେ କେବଳ ଗାଁର ନୁହେଁ, ଦେଶ ଓ ଦଶର ମଧ୍ୟ ପରିବର୍ତ୍ତନ ଆସେ ଓ ବୈପ୍ଳବିକ ମୂଲ୍ୟବୋଧର ଉତ୍ତରଣ ଘଟେ, ଏକଥା ସୁରଥ ତ ଧର୍ମବେଠିଆ ସଂଘ ମାଧ୍ୟମରେ ଚିତ୍ରିତ ହୋଇଛି । ସୁରତ ଓ ଗାଁର ଖଟିଖିଆ ମଜୁରିଆମାନେ ହାତଯୋଡ଼ି ଜମିଭିକ୍ଷା କରିବାକୁ ଆସିଥିଲେ ରଣସିଂହଙ୍କ ନିକଟକୁ । ‘ଆମେ ଭୋକରେ ମରୁଛୁ ସାଆନ୍ତେ । ଦିହ ମିହନ୍ତ କରି ପେଟ ପୋଷିବାକୁ ଭୂମି ଆମର ନାହିଁ । ଉଆସ ତଳି ଅନାବାଦୀ ପତର ଜଂଗଲ ଦୁଇଶ ମାଣ ସେମିତି ପଡ଼ିଛି । ସେଗୁଡ଼ା ତୋଟା ବୋଲି ରୟତ ଖାତାରେ ନିଜ ନାମରେ ରଖିଛନ୍ତି । ଜମି ସେମିତି ପଡ଼ିଛି । ସାପ, ଗୋଧି, ବିଲୁଆ, ଗଧିଆଙ୍କ ବସା ହେବା ଛଡ଼ା କେଉଁ ଉପକାରକୁ ସେ ଆସୁନାହିଁ । ସାଆନ୍ତଙ୍କର ଚାଷଜମି, ଭାଗଚାଷ ଜମି ତ କେତେ ଅଛି । ସାଆନ୍ତଙ୍କୁ ଭିକ ମାଗୁଛୁ ଆମେ, ସେଥିରୁ ଦି’ଦି’ ମାଣ ଜମି ଆମକୁ ଦାନ ଦେଉନ୍ତୁ । ଶହେଘର ମୂଲିଆ ଥଇଥାନ ହେବେ । ଚିରଦିନକୁ ନାମ ରହିବ ।’ ୧୧।

 

ସର୍ବହରାଙ୍କ ଭିକ୍ଷାରେ କିମ୍ବା ପୁତ୍ରର ଆକୁଳ ଅନୁରୋଧରେ ରଣସିଂହଙ୍କ ପୁଞ୍ଜିପତି ମନ ତରଳିଲା ନାହିଁ । ସୁରତ ମଧ୍ୟ ରଣସିଂହଙ୍କ ନିକଟରେ ଭିକ୍ଷା ମାଗିଛି ଯେ ଦୁଇଶମାଣ ଯଦି ସେ ଦାନ କରନ୍ତେ, ସେଥିରେ ମୂଲିଆମାନେ ଫସଲ ଫଳେଇ ପାରନ୍ତେ, ଗାଁର ଅଭାବ ରୁହନ୍ତା ନାହିଁ । ମାତ୍ର ସୁରତ ଓ ଖଟିଖିଆମାନେ ରଣସିଂହଙ୍କ ନିଷ୍ଠୁର ପ୍ରତ୍ୟାଖ୍ୟାନ ଶୁଣି ଫେରିଛନ୍ତି । ପୁଞ୍ଜିଭୂତ ଅସନ୍ତୋଷର ତୀବ୍ରତା ସର୍ବହରାର ଅନ୍ତିମ ଲକ୍ଷ୍ୟକୁ ଯେକୌଣସି ଉପାୟରେ ହାସଲ କରିବାର ପ୍ରେରଣା ଦେଇଛି ।

 

ସୁରତ ବିଦ୍ରୋହ କରିଛି । ଠିକ୍‌ କରିଛି ଯେମିତି ହେଉ ଜମି ବାଣ୍ଟିଦେବ । ତେଣୁ ସମସ୍ତେ ଠିକ୍‌ କରିଛନ୍ତି-‘କାହିଁକି, ଜମିଦାରଙ୍କ ଏତେ ଭୂମି ଅନାବାଦୀ ହୋଇପଡ଼ିଛି । ଦେବାକୁ ମନା କରିଦେଲେ । ମଦଖୋଇ ପବନା ପୁଅ ବାବନା କାହିଁକି ଚିତାକାଟି ନେବ, ଆମେ କାହିଁକି ସେ ଜମି ଚାଷ ନ କରିବା ? ଜେଲ୍‌ ଦେବେ ତ ଦେଉନ୍ତୁ । ଉପାସରେ ଛଟପଟ ହୋଇ କାହିଁକି ମରିବା ?’ ୧୨। ସମସ୍ତେ ବିଦ୍ରୋହାତ୍ମକ ପନ୍ଥା ଧାରଣ କରିଛନ୍ତି ଓ ସମସ୍ତଙ୍କର ସହଯୋଗରେ ସୁରତ ଅନାବାଦୀ ଜମିଚାଷ କରିବା ଆରମ୍ଭ କରିଛି ।

 

ରଣଗଡ଼ର ପ୍ରଭୂତ ପରିବର୍ତ୍ତନ ଓ ଉନ୍ନତି ଘଟିଛି । ଦୁଇଚାରିବର୍ଷ ମଧ୍ୟରେ ଅନେକ ଉନ୍ନତିମୂଳକ କାମ ହୋଇସାରିଛି । ସନ୍ତସନ୍ତିଆ ଆବର୍ଜନାପୂର୍ଣ୍ଣ ଗଳିରାସ୍ତା ପରିବର୍ତ୍ତେ ଚଉଡ଼ା ଉଚ୍ଚା ରାସ୍ତା ଅନ୍ୟଗ୍ରାମ ପର୍ଯ୍ୟନ୍ତ ତିଆରି ସରିଛି । ସରକାରୀ ସାହାଯ୍ୟ ଆସିଛି । ଓଭରସିଅର କାମ ବଢ଼େଇ ଦେଇଯାଉଛନ୍ତି । ମାଛଚାଷ ଯାହା ଲୋକଙ୍କର ଆଗ୍ରହ ସୃଷ୍ଟି ହୋଇଛି । ଲୋକମାନେ ଯଥେଷ୍ଟ ସଚେତନ ହେଲେଣି । ଭାଗ୍ୟରେ ଯାହା ଅଛି ଘଟିବ, ଈଶ୍ୱରଙ୍କ ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ- ଏଭଳି କଥାରେ ବିଶ୍ୱାସ କରିବା ଭଳି ମାନସିକତା ଆଉ ନାହିଁ । ବରଂ ପରିଶ୍ରମ ଓ ପାରସ୍ପରିକ ସହଯୋଗର ଶକ୍ତିକୁ ବୁଝିସାରିଲେଣି ।

 

ଔପନ୍ୟାସିକ କାହ୍ନୁଚରଣ ନୂତନ ଚିତ୍ତବୃତ୍ତିରେ ନୂତନତାକୁ ସ୍ୱାଗତ କରିବା ସହ ସମତା ଆନୟନର ଆଦର୍ଶରେ ଅନୁପ୍ରାଣିତ କରିଛନ୍ତି । ସ୍ୱାଧୀନତା ପରବର୍ତ୍ତୀ ସମାଜର ମୂଲ୍ୟବୋଧ ସହିତ ଗ୍ରାମ୍ୟଜୀବନ ନିଷ୍ପେଷିତ ଓ ନିର୍ଯ୍ୟାଚିତ ହୋଇଥିଲା, ତହିଁରୁ ମୂଲ୍ୟବୋଧର ପୁନରୁତ୍‌ଥାନ ପାଇଁ ଯଥେଷ୍ଟ ପ୍ରୟାସ କରିଛନ୍ତି କାହ୍ନୁଚରଣ । ଏଥିପାଇଁ ସେ ନୂତନ ସାମ୍ୟବାଦୀ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ସୁରତ ଓ ଧର୍ମବେଠିଆସଂଘ’ର ପ୍ରତିଟି କର୍ମୀ ରଣଗଡ଼କୁ ସୁଜଳା, ସୁଫଳା, ଶସ୍ୟଶ୍ୟାମଳା କରିଦେଲେଣି । ରଣଗଡ଼ରେ କେବଳ ଶସ୍ୟ ଉତ୍ପାଦନ ନୁହେଁ, ଏକମନ ଏକପ୍ରାଣ ହୋଇ ସ୍ୱାସ୍ଥ୍ୟ, ଶିକ୍ଷା, ସେବା ଇତ୍ୟାଦି ପ୍ରତି ଦୃଷ୍ଟି ଦେଇଛନ୍ତି । ନୈଶ ବିଦ୍ୟାଳୟ ସ୍ଥାପନ କରାଯାଇ ପ୍ରୌଢ଼ମାନଙ୍କୁ ଶିକ୍ଷାଦାନ କରାଯାଉଛି । ପ୍ରତିଟି ପିଲା ମଧ୍ୟ ଶିକ୍ଷାଲାଭ କରୁଛନ୍ତି । ଶିକ୍ଷକମାନେ ସାମ୍ୟ ଓ ମୈତ୍ରୀର ପ୍ରଚାର କରୁଛନ୍ତି । ସମଗ୍ର ଗ୍ରାମରେ ନାରୀଶିକ୍ଷାର ପ୍ରଚଳନ ସହିତ ସେମାନଙ୍କର ଉନ୍ନତି ଓ ପ୍ରଗତି ପାଇଁ ଯଥେଷ୍ଟ ପଦକ୍ଷେପମାନ ଗ୍ରହଣ କରାଗଲାଣି । ସାମାଜିକ ଜୀବନରେ ନାରୀର ସ୍ୱାଧୀନତା ଓ ଗୁରୁତ୍ୱ ନିତାନ୍ତ ଆବଶ୍ୟକ । ପାଶ୍ଚାତ୍ୟ ଦେଶରେ ସର୍ବପ୍ରଥମେ ଜନ୍‌ ଷ୍ଟୁଆର୍ଟ ମିଲ୍‌ ନାରୀମୁକ୍ତି ଆନ୍ଦୋଳନର ପ୍ରଥମ ଅଗ୍ରଦୂତ ଥିଲେ । ‘ଭାରତରେ ଗାନ୍ଧିଜୀ ପ୍ରଥମେ ସଂକୀର୍ଣ୍ଣତାର ଏହି ପ୍ରାଚୀନ ଦୁର୍ଗ ଉପରେ ଆକ୍ରମଣ ଆରମ୍ଭ କଲେ । ତାଙ୍କର ରାଜନୈତିକ ଆନ୍ଦୋଳନରେ ନାରୀମାନଙ୍କୁ ଅବାଧରେ ଯୋଗ ଦେବାକୁ ଆହ୍ୱାନ କରି ନିର୍ଭୟରେ ସେ ଘୋଷଣା କରିଥିଲେ- ‘Subjugation of women is a slur on Indian culture’. 13

 

ଗାନ୍ଧିଜୀଙ୍କ ଆହ୍ୱାନରେ ନାରୀ ଜାଗରଣର ପ୍ରାବଲ୍ୟ ଅନୁଭୂତ ହେଲା ଅଳ୍ପଦିନ ମଧ୍ୟରେ । ପରିବାରର ସମସ୍ତ କୁସଂସ୍କାରରୁ ନିଜକୁ ବିମୁକ୍ତ କରିନେଇ ନିଜର ସ୍ଥିତି ପ୍ରତି ସଚେତନ ହୋଇ ନିଜର ଶକ୍ତି, କର୍ମଦକ୍ଷତା ଓ ଅଧିକାର ନେଇ ବହୁ ପାରମ୍ପାରିକ ସଂସ୍କାରକୁ ଯୁଗୋପଯୋଗୀ କରିନେଲେ ଓ ସମସ୍ତ ସଂକୀର୍ଣ୍ଣତାକୁ ଦୂରେଇ ଦେଇ ସମଗ୍ର ଦେଶକୁ ଏକ ପରିବାର ଓ ସମସ୍ତଙ୍କୁ ଏକ ପରିବାରର ସଦସ୍ୟ ଭାବେ ଗ୍ରହଣ କରିନେଲେ । ଭାରତୀୟ ନାରୀମାନଙ୍କର ଏଇ ସହଯୋଗ ଦେଶକୁ ଉନ୍ନତପଥରେ କେବଳ ଆଗେଇ ନେଲା, ଏକଥା ନୁହେଁ, ବରଂ ଦେଶରେ ଏକ ନୂତନ ଆଦର୍ଶ ମଧ୍ୟ ସ୍ଥାପନ କଲା । କାହ୍ନୁ ଚରଣ ମଧ୍ୟ ନାରୀମୁକ୍ତି ଓ ନାରୀ ସ୍ୱାଧୀନତା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି ଓ ‘ବଜ୍ରବାହୁ’ ଉପନ୍ୟାସରେ ନାରୀର କର୍ମଦକ୍ଷତା ଯେ ସାମାଜିକ ପରିବର୍ତ୍ତନ ଆଣେ- ତାହା ଚିତ୍ରିତ କରିଛନ୍ତି । ଆହୁତି ରଣଗଡ଼ର ନାରୀମାନଙ୍କ ପାଇଁ ଯଥେଷ୍ଟ ପ୍ରେରଣାର ଉତ୍ସ ପାଲଟିଯାଇଛି । ନିଜେ ସେବା କରିବା ସହ ଔଷଧ ବଣ୍ଟନ, ରୋଗ ଚିକିତ୍ସା, ସଫାସୁତରା ରହିବା, ବିଭିନ୍ନ ପ୍ରକାର ସିଲେଇ, ବୁଣାବୁଣି, ଘରସଜ୍ଜା ବିଷୟରେ ତାଲିମ ଦେଇଛି ।

 

ରଣଗଡ଼ରେ ସମାନତା ଆସିଯାଇଛି । ସମସ୍ତେ କର୍ମପାଗଳ କର୍ମୀ । ପ୍ରବାସୀ ସୁବ୍ରତ ନିକଟକୁ ଧର୍ମାନନ୍ଦ ଚିଠି ଲେଖିଛି- ‘ଫେରିଆସ ବଜ୍ରବାହୁ, ରଣଗଡ଼ ତୁମକୁ ପାଛୋଟି ନେବ । ରଣଗଡ଼ରେ ଯୁବରାଜ ତୁମେ, ମୁଁ ତୁମର ପୁରୋହିତ । ତୁମକୁ ମୁଁ ଅଭିକ୍ଷିକ୍ତ କରିଛି । ସ୍ୱର୍ଣ୍ଣ ସିଂହାସନ ଲୋଡ଼ା ହେବ ନାହିଁ । ବସାଇବି ଇଟାମାଟିର ଆସନରେ । ରତ୍ନଖଚିତ ମୁକୁଟ ମୁଣ୍ତରେ ବାନ୍ଧିବି ନାହିଁ, ବାନ୍ଧିବି ଧାନଗହମର କେଣ୍ତା, କପାଳରେ ସିନ୍ଦୁର ଚନ୍ଦନର ଟୋପା ଲଗାଇବି ନାହିଁ, ଲଗାଇବି କର୍ମଭଗୀରଥର ସ୍ୱେଦ- ଜାହ୍ନବୀସକ୍ତ ମୃତ୍ତିକାର ଟୀକା । ହାତରେ ସ୍ୱର୍ଣ୍ଣଦଣ୍ତ କି ତରବାରି ଦେବି ନାହିଁ, ଦେବି ଦାଆ କି ଶାବଳ । ପୁରୋହିତ ମୁଁ ମନ୍ତ୍ର ଉଚ୍ଚାରଣ କରିବି-

 

‘‘ଶରୀର ବା ପାତୟେତ୍‌

କର୍ମଂ ବା ସାଧୟେତ୍‌ ।’ ୧୪

 

ସୁବ୍ରତ ଫେରି ଆସିଛି କଟକ । ନିଜକୁ ମଧ୍ୟ କର୍ମୀ ଭାବେ ସଜାଇଛି ଓ କର୍ମୀର ଆଦର୍ଶରେ ନିଜକୁ ଏକୀଭୂତ କରିଛି । ଜାତି ଧର୍ମ ଓ କର୍ମର ଭେଦରେ ସେ ଚିରଦିନ ପାଇଁ ସବୁ ଜାତି, ସବୁଧର୍ମ ବତ ବିସ୍ମରି ଯାଇଛି । ସବୁ କର୍ମ ତା’ ପାଖରେ ସମାନ । ସବୁକଥା ବଡ଼, ସମସ୍ତେ ମଧ୍ୟ ବଡ଼ ତା’ ନିକଟରେ । ରଣଗଡ଼ରେ ସବୁ ସମସ୍ତଙ୍କର ଆଉ ସମସ୍ତେ ସମସ୍ତଙ୍କର । ଭେଦାଭେଦ କିମ୍ବା ବ୍ୟକ୍ତିଗତ ଅଧିକାର ନାହିଁ ।

 

‘ବଜ୍ରବାହୁ’ ଉପନ୍ୟାସରେ କାହ୍ନୁଚରଣ କେବଳ ଅର୍ଥନୈତିକ ସାମ୍ୟବାଦର କ୍ଷୀଣଛାୟାଟିଏ ଆଙ୍କି ନାହାନ୍ତି, ବରଂ ସାମାଜିକ ସାମ୍ୟବାଦର ସଂପୂର୍ଣ୍ଣ ନିଗ୍ରହଟିଏ ସ୍ଥାପନ କରିଛନ୍ତି-। ସର୍ବହରାକୁ ଏକଦା ବିରୋଧ କରୁଥିବା, ସୁରତର କର୍ମକୁ ଘୃଣା କରୁଥିବା ବୁର୍ଜ୍ଜୁଆ ଗୋଷ୍ଠୀର ରକ୍ଷଣଶୀଳ ପ୍ରତିନିଧି ରଣଗଡ଼ର ପୂର୍ବତନ ଜମିଦାର ଅଭିନବ ରଣସିଂହଙ୍କର ଶୋଷକ ମନରେ ଯୋର ପରିବର୍ତ୍ତନ ଆସିଛି । ସାମାଜିକ ଓ ଆର୍ଥନୀତିକ ସାମ୍ୟବାଦ ଯେଉଁ ସୁରତ ଆଣିଦେଇଛି, ସେଥିପାଇଁ ରଣସିଂହ ଖୁସି ହୋଇ ଗର୍ବ ଅନୁଭବ କରିଛନ୍ତି । ସ୍ମରଣ କରିଛନ୍ତି ତାଙ୍କର ପୂର୍ବପୁରୁଷମାନେ ବେତଧରି ଶାସନ କରୁଥିଲେ । କିନ୍ତୁ ସ୍ନେହ, ମମତାର ବେଡ଼ିରେ ସଭିଙ୍କୁ ସୁରତ ବାନ୍ଧି ପକାଇଛି । ସେ ସୁରା ଓ ସାକୀରେ ଧନ ଓ ଜୀବନକୁ ନଷ୍ଟ କରିଦେଇଛନ୍ତି, କିନ୍ତୁ ସୁରତ ପିତୃଋଣକୁ ଓ ଅନ୍ୟାୟକୁ ନିଜର ଝାଳରକ୍ତ ଏବଂ ପରିଶ୍ରମ ଦ୍ୱାରା ଶୁଝେଇବାକୁ ଚେଷ୍ଟା କରିଛି । ଗ୍ରାମର ସାର୍ବଜନୀନ ମଂଗଳ ପାଇଁ ନିଜକୁ ପୂର୍ଣ୍ଣ ପ୍ରାଣରେ ଉତ୍ସର୍ଗ କରିଦେଇଛି । ରଣସିଂହଙ୍କର ମନରେ ପରିବର୍ତ୍ତନ ଆସିଛି ଓ ଦଳିତ ଖଟିଖିଆ ସର୍ବହରାର ଦାବିକୁ ମାନିନେଇ ନିଜକୁ ମଧ୍ୟ ସେମାନଙ୍କ ମଧ୍ୟରେ ସାମିଲ୍‌ କରିଦେଇଛନ୍ତି । ସମାଜରେ ସମାନତା ଆସିଯାଇଛି । ସୁବ୍ରତ ମଧ୍ୟ ଗାଁକୁ ଫେରିଆସିଛି । ସାମ୍ୟବାଦୀ ଝଙ୍କାର ସମସ୍ତଙ୍କ କାନରେ ବାଜିଛି, ମନରେ ଭେଦିଛି, ଗତି କରିଛି ହୃଦୟ ଆଡ଼କୁ । ଏ ବିଚାର ଦିନେ ହୃଦୟଜୟ କରିବ । ଶ୍ରେଣୀ, ଗୋଷ୍ଠୀ ଓ ଅନ୍ୟାନ୍ୟ ସବୁ ଭେଦହୀନ ମଣିଷ-ସମାଜ ସୃଷ୍ଟି କରିବ ।

 

ଏ ସ୍ୱପ୍ନ ସଫଳ ହୋଇଛି ରଣଗଡ଼ରେ । ସମାଜରେ ସାମ୍ୟବାଦୀ ସମାନତା ପ୍ରତି ସମସ୍ତେ ଆମୁଖତା ପ୍ରଦର୍ଶନ କରିଛନ୍ତି । ଲୋକେ ଚାହିଁଛନ୍ତି ଭାରତବର୍ଷର ଧନୀକ-ସର୍ବହରାର ଭେଦଭାବ ଦୂର ହେଉ । ଛୁଆଁଅଛୁଆଁ ପ୍ରଥା ଲୋପ ପାଉ । ସମସ୍ତେ ସୁଖରେ, ଆନନ୍ଦରେ ରୁହନ୍ତୁ । ଋଷୀୟ ସାମ୍ୟବାଦ ନୀତିର ପ୍ରଭାବ ଏଠାରେ ଅତ୍ୟନ୍ତ ସୁ୍ସ୍ପଷ୍ଟ ହୋଇଉଠିଛି । ସମସ୍ତେ ମହାଭାରତୀୟ ଏକତାରେ ଉଦ୍‌ବୁଦ୍ଧ ହୋଇଉଠିଛନ୍ତି । ଜାତିଭେଦବିହୀନ ସମାଜ ଗଠନରେ ବିଭୋର ହୋଇ ସ୍ୱପ୍ନ ଦେଖିଛନ୍ତି ଯେ ଅସ୍ପୃଶ୍ୟତା ଦୂର ହୋଇଛି । ସମଗ୍ର ଭାରତବର୍ଷରେ ଆଦିବାସୀ ଓ ଅଣଆଦିବାସୀର ବିଭେଦ ତଥାପି ନାହିଁ । ଜାତି ରହିଛି, କିନ୍ତୁ ଜାତିଭେଦ ଦୂରେଇ ଯାଇଛି । ସବୁ ଜାତି ସମାନ ଓ ବଡ଼ ମଧ୍ୟ । କେବଳ ସେତିକି ନୁହେଁ, ସବୁ ମଣିଷ ସମାନ, ସବୁ ଧର୍ମର ମୂଳନୀତି ସମାନ । ବର୍ଣ୍ଣ, ଧର୍ମ, ଜାତି ନିର୍ବିଶେଷରେ ଭାରତ, ସ୍ୱାଧୀନ ଭାରତର ପ୍ରତ୍ୟେକ ନାଗରିକ ସ୍ୱାଧୀନ । ଅଜ୍ଞତା, ଅନ୍ଧତ୍ୱ, ଅଶିକ୍ଷା, କୁଶିକ୍ଷା, କୁସଂସ୍କାର ପୋଡ଼ିଜଳି ଧ୍ୱଂସ ହୋଇଛି ରଣଗଡ଼ର ପ୍ରଚଣ୍ତ ସାମ୍ୟବାଦର ମନ୍ତ୍ରପୂତ ପୀଠରେ । ନୂତନ ଜୀବନ, ନୂତନ ଆଦର୍ଶ ସାମାଜିକ ସମତାରେ ପରିପୂର୍ଣ୍ଣ ହୋଇଯାଇଛି । ନୂତନ ଦୁନିଆ ମୁଣ୍ତ ଟେକିଛି ସମସ୍ତଙ୍କ ସ୍ନେହ ଓ ସହଯୋଗରେ । ନୂତନ ଯୁଗର କଥା ପୁରୋହିତ ଧର୍ମାନନ୍ଦ ବଜ୍ରଗମ୍ଭୀର ସ୍ୱରରେ ମନ୍ତ୍ର ଉଚ୍ଛାରଣ କରିଛି-

 

‘‘ଭାଷାଭେଦ, ଧର୍ମଭେଦ, ବର୍ଣ୍ଣଭେଦ ସ୍ୱାହା

ସ୍ପୃଶ୍ୟାସ୍ପୃଶ୍ୟଭେଦ, ଜାତିଭେଦ, ଶ୍ରେଣୀଭେଦ ସ୍ୱାହା,

ଅଶିକ୍ଷା, କୁଶିକ୍ଷା, କୁସଂସ୍କାର ସ୍ୱାହା

ଆମୋଦ, ଆଳସ୍ୟ, ଆତ୍ମାଭିମାନ ସ୍ୱାହା,

ଭୟ, ସଂକୋଚ ସନ୍ଦେହ ସ୍ୱାହା,

ଦାରିଦ୍ର୍ୟ, ଅସମତା ସ୍ୱାହା,

ସ୍ନେହ, ସମତା, ଭ୍ରାତୃଭାବ ଅତ୍ରାଗଚ୍ଛ;

ସମଭାବ, ସହନଶୀଳତା ଅତ୍ରାଗଚ୍ଛ,

ଓଁ, ସର୍ବେ ସୁଖୀନୋ ଭବନ୍ତୁ ।’ ୧୫

 

ଏ ମନ୍ତ୍ର ପରଂପରା ରହିତ ମନ୍ତ୍ର । ‘ବଜ୍ରବାହୁ’ ଉପନ୍ୟାସରେ ପୁରାତନ ପରଂପରା ଉପରେ କବର ଦେଇ ନୂତନ ସାମ୍ୟବାଦୀ ପରଂପରାର ଉତ୍ତୁଙ୍ଗ ଦେବାଳୟ ଗଢ଼ି ଦେଇଛନ୍ତି ସୁରତ, ଧର୍ମାନନ୍ଦ, ‘ଧର୍ମବେଠିଆସଂଘର କର୍ମୀଗଣ, ଗ୍ରାମବାସୀ ଓ ପରିଶେଷରେ ଅଭିନବ ରଣସିଂହ ଯୋଗ ଦେଇ ସାମ୍ୟବାଦର ଯଜ୍ଞରେ ପୂର୍ଣ୍ଣାହୂତି ଦେଇଛନ୍ତି । କାହ୍ନୁଚରଣ ‘ବଜ୍ରବାହୁ’ ଉପନ୍ୟାସର ଦିଗ୍‌ବଳୟରେ ଏକ ନୂତନ ଦିଗନ୍ତ ଉନ୍ମୋଚିତ କରି ସେଥିରେ ନୂତନ ଆଶା ଓ ସାମ୍ୟବାଦର ଆଲୋକ ବିଚ୍ଛରିତ କରିଦେଇଛନ୍ତି ।

 

କାହ୍ନୁଚରଣ ‘ବଜ୍ରବାହୁ’ ଉପନ୍ୟାସରେ ସାମ୍ୟବାଦ ନୀତିର ସଫଳତା, ପରିପୂର୍ଣ୍ଣତା ଆଣିବା ପାଇଁ ସୁରତ, ସୁବ୍ରତକୁ ମାଧ୍ୟମ ରୂପେ ଗ୍ରହଣ କରିଛନ୍ତି । ସୁବ୍ରତ ଜମିଦାରର ଉତ୍ତରାଧିକାରୀ ହେଲେ ମଧ୍ୟ ମାଟିର ମଣିଷକୁ ଯଥେଷ୍ଟ ଭଲ ପାଉଥିଲା, ସହାନୁଭୂତି ପ୍ରଦର୍ଶନ କରୁଥିଲା । ଭେଦଭାବ, ଜାତିଗୋତ୍ର, ଧନୀ ଦରିଦ୍ରା ଫରକ୍‌କୁ ଘର ଛାଡ଼ିବା ପରେ ବିସର୍ଜି ଦେଇଛି-। ସମାଜରେ ସମସ୍ତେ ଏକ, ଖଟିବେ ଖାଇବେ, ପରିଶ୍ରମର ଉପଯୁକ୍ତ ଫଳ ପାଇବେ । ସୁବ୍ରତ ଯେଉଁ ଶୋଷଣହୀନ, ଶ୍ରେଣୀହୀନ ସମାଜର ସ୍ୱପ୍ନ ଦେଖିଥିଲା, ତାକୁ ସାକାର ରୂପ ଦେଇଛି ସୁରତ-। ରାଜାପ୍ରଜାର ସେ ସଂପର୍କ ତୁଟାଇ ମାନବିକ ସଂପର୍କରେ ବାନ୍ଧି ହୋଇଛି ଓ ସମାଜର ସର୍ବାଙ୍ଗୀନ ଉନ୍ନତି କରାଇଛି । ପ୍ରାଚୀନ ପରଂପରାରେ ଆଣିଛି ସୁସ୍ଥତା । କୁସଂସ୍କାର ଲୋପ କରି ସାମାଜିକ ପ୍ରଗତି ସହିତ ସମସ୍ତଙ୍କୁ ପାଦମିଳାଇ ଚାଲିବାର କୌଶଳ ଶିଖାଇ ଦେଇଛି । ନିଜର ସ୍ୱପ୍ନକୁ ସାକାର ଓ ସାର୍ଥକ କରିଛି ।

 

‘ବଜ୍ରବାହୁ’ ଉପନ୍ୟାସରେ ଆର୍ଥନୀତିକ ସାମ୍ୟବାଦ ସହ ସାମାଜିକ ସମାନତା ଆଣାଯାଇଛି । ‘ଶାସ୍ତି’ ଉପନ୍ୟାସରେ କାହ୍ନୁଚରଣଙ୍କ ଯେଉଁ ଆଦର୍ଶ ସ୍ୱପ୍ନ ପରି ଥିଲା ‘ଝଞ୍ଜା’ରେ କିଞ୍ଚିତ୍‌ ପରିମାଣରେ ରୂପ ନେଇଛି ଏବଂ ‘ବଜ୍ରବାହୁ’ରେ ସଫଳ ରୂପ ସାକାର ହୋଇଛି । ‘ଝଞ୍ଜା’ରେ ବୁର୍ଜ୍ଜୁଆ-ପ୍ରୋଲେଟୋରିଏଟ୍‌ ମଧ୍ୟରେ ବିନା ସଂଘର୍ଷରେ ସାମ୍ୟବାଦ ପ୍ରତିଷ୍ଠିତ । କିନ୍ତୁ ‘ସ୍ୱପ୍ନ ନା ସତ୍ୟ’ ଉପନ୍ୟାସର ନିଷ୍ଠୁର ଓ ରକ୍ତାକ୍ତ ସଂଘର୍ଷ ପରି ‘ବଜ୍ରବାହୁ’ରେ ଯଦିଓ ଏତେ ପରିମାଣରେ ବିଦ୍ରୋହ ଓ ସଂଘର୍ଷ ନାହିଁ, ତଥାପି ସୁରତ ଓ ‘ଧର୍ମବେଠିଆ ସଂଘ’ ଦ୍ୱାରା ସାମ୍ୟବାଦ ପ୍ରତିଷ୍ଠା ପାଇଛି ଏକ କ୍ରାନ୍ତିକାରୀ ବିପ୍ଳବ ଦ୍ୱାରା । ମାର୍କ୍ସଙ୍କ ଦୃଷ୍ଟିରେ ସମାଜରେ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିବା ଏକ କ୍ରମବିବର୍ତ୍ତନ ଧାରାରେ ସମ୍ଭବ ନୁହେଁ, ପରନ୍ତୁ ଏକ ବିପ୍ଳବ ଦ୍ୱାରା ସମ୍ଭବ । ସୁରତ ଓ ‘ଧର୍ମବେଠିଆ ସଂଘ’ ସାମାଜିକ ବିବର୍ତ୍ତନରେ ଏତେଟା ଆସ୍ଥା ସ୍ଥାପନ କରିପାରିନାହାନ୍ତି, ବରଂ ମାର୍କ୍ସୀୟ ଚିନ୍ତାଚେତନାକୁ ଆଦର୍ଶ ଭାବେ ଗ୍ରହଣ କରି ଅନ୍ତିମ ଲକ୍ଷ୍ୟ ହାସଲ ପାଇଁ ଯେକୌଣସି ଉପାୟ ଅବଲମ୍ବନ କରିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ହିଂସାତ୍ମକ ପନ୍ଥା ଅବଲମ୍ବନ କରି ନଥିଲେ । କାହ୍ନୁଚରଣଙ୍କ ମନ ମଧ୍ୟରେ ଥିବା ‘ଶାସ୍ତି’ ଓ ‘ଝଞ୍ଜା’ର ଅସଂପୂର୍ଣ୍ଣତା ‘ବଜ୍ରବାହୁ’ ଉପନ୍ୟାସରେ ନୈତିକ ଆଦର୍ଶ ଓ ସାମ୍ୟବାଦୀ ଚିନ୍ତାଚେତନା, ଆଦର୍ଶ, ନୀତିନିୟମକୁ ଯଥାର୍ଥ ଓ ସଂପୂର୍ଣ୍ଣ ଭାବେ ରୂପାୟିତ କରିଛନ୍ତି । ସାମ୍ୟବାଦୀ ଚେତନା ପରିପୁଷ୍ଟ ଏକ ସଫଳ ଉପନ୍ୟାସ ଭାବେ ‘ବଜ୍ରବାହୁ’କୁ ସ୍ୱୀକାର କରାଯାଇପାରେ ।

 

ପଞ୍ଚାୟତ ସମିତି ମହାବିଦ୍ୟାଳୟ

ବଡ଼ଗାଁ, ସୁନ୍ଦରଗଡ଼-୭୭୦୦୧୬

 

ପାଦଟୀକା :

୧.

ମହାନ୍ତି କାହ୍ନୁଚରଣ-‘ବଜ୍ରବାହୁ’-ପୃଷ୍ଟା-୧୫, ଚତୁର୍ଥ ସଂସ୍କରଣ-୧୯୯୩

୨.

ତତ୍ରୈବ-ପୃଷ୍ଠା-୧୬

୩.

ତତ୍ରୈବ-ପୃଷ୍ଠା-୧୪

୪.

ତତ୍ରୈବ-ପୃଷ୍ଠା୬୪

୫.

ତତ୍ରୈବ-ପୃଷ୍ଠା-୮୯-୯୦

୬.

ତତ୍ରୈବ-ପୃଷ୍ଠା-୯୧

୭.

ତତ୍ରୈବ-ପୃଷ୍ଠା-୯୭

୮.

ତତ୍ରୈବ-ପୃଷ୍ଠା-୯୮

୯.

ତତ୍ରୈବ-ପୃଷ୍ଠା-୧୦୭

୧୦.

ତତ୍ରୈବ-ପୃଷ୍ଠା- ୧୦୮

୧୧.

ତତ୍ରୈବ-ପୃଷ୍ଠା-୧୪୬

୧୨.

ତତ୍ରୈବ-ପୃଷ୍ଠା-୧୪୭

୧୩.

ପଟ୍ଟନାୟକ କଇଳାଶ- ଓଡ଼ିଆ ଉପନ୍ୟାସର ସମାଜତତ୍ତ୍ୱ- ପୃ- ୯୪

୧୪.

ମହାନ୍ତି କାହ୍ନଚରଣ-ବଜ୍ରବାହୁ-ପୃଷ୍ଠା-୧୭୮

୧୫.

ତତ୍ରୈବ-ପୃଷ୍ଠା-୩୪୪

 

***

 

ଓଡ଼ିଆ ନବଜାଗରଣ ଓ ମଧୁସୂଦନ

ଡକ୍ଟର ଦେବଯାନୀ ସିହ୍ନା

 

ଓଡ଼ିଆ ଜାତୀୟତାର ପୂର୍ଣ୍ଣ ବିକାଶରେ ମଧୁସୂଦନଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ସେ ଥିଲେ ଓଡ଼ିଆ ଜାତିର କର୍ଣ୍ଣଧାର । ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମଧୁବାବୁଙ୍କ ନେତୃତ୍ୱ ଥିଲା ଏକ ଆଲୋକସ୍ତମ୍ଭ ସଦୃଶ । ନିର୍ଭୀକ ଭାବରେ ବୈପ୍ଳବିକ ମନୋବୃତ୍ତି ନେଇ ଆରମ୍ଭ କଲେ ଏକ ନବଜାଗରଣ । ସେହି ଜାଗରଣ ହିଁ ସୃଷ୍ଟି କଲା ‘ଉତ୍କଳ ସମ୍ମିଳନୀ’ କାରଣ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟ ଆନ୍ଦୋଳନର ପ୍ରମୁଖ ଦିଗ୍‌ଦ୍ରଷ୍ଟା । ‘‘ଓଡ଼ିଆ ଜାତୀୟତାର ପୂର୍ଣ୍ଣ ବିକାଶ ଦିଗରେ ମଧୁସୂଦନଙ୍କର ସର୍ବଶ୍ରେଷ୍ଠ ଅବଦାନ ଥିଲା ଉତ୍କଳ ସମ୍ମିଳନୀ । ପ୍ରଥମେ ସେ ଭାରତୀୟ ଜାତୀୟ କଂଗ୍ରେସର ଅନୁରକ୍ତ ଥିଲେ x x x । ବଙ୍ଗ ପ୍ରଦେଶର ଅଂଶବିଶେଷ ଭାବରେ ଓଡ଼ିଶା ଓ ଓଡ଼ିଆ ପ୍ରତିନିଧିମାନଙ୍କୁ କଂଗ୍ରେସ ଅଧିବେଶନରେ କେହି ଖାତିର କରୁନଥିଲେ । ଓଡ଼ିଶାର ସମସ୍ୟା ଥିଲା ବିଚାର କରିବା ଦୂରୁହ କଥା । ଫଳରେ ୧୯୦୩ ସାଲ ଡିସେମ୍ବର ମାସରେ ସାନ୍ଦ୍ରାଜଠାରେ ଆୟୋଜିତ କଂଗ୍ରେସ ଅଧିବେଶନରେ ତେଲୁଗୁ ପ୍ରତିନିଧିମାନେ ଓଡ଼ିଶା ଡିଭିଜନ ଭାବେ ଗଞ୍ଜାମ ଅଂଚଳର ମିଶ୍ରଣ ବିରୋଧରେ ପ୍ରସ୍ତାବ ପାଶ୍‌କରିବା ପୂର୍ବରୁ ମଧୁସୂଦନ ଉତ୍କଳ ସମ୍ମିଳନୀ ନାମକ ଏକ ବଳିଷ୍ଠ ପ୍ରାଦେଶିକ ସଂଗଠନ ଗଢ଼ିବାର ପ୍ରୟାସ କରିଥିଲେ । ଏହି ଅନୁଷ୍ଠାନର ଅନ୍ୟ ପୁରୋଧାମାନେ ଥିଲେ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେବ, ଖଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେଓ ଆଦି ପ୍ରାତଃ ସ୍ମରଣୀୟ ବ୍ୟକ୍ତିମାନେ । ୧୯୦୩ ସାଲ ଡିସେମ୍ବର ମାସରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅତି ଆଡ଼ମ୍ବର ସହକାରେ କଟକଠାରେ ଅନୁଷ୍ଠିତ ହୋଇଥିଲା । ଉତ୍କଳ ସମ୍ମିଳନୀ ପ୍ରାଙ୍ଗଣରେ ମଧୁସୂଦନ ଓଡ଼ିଆ ଭାଷୀ ଅଞ୍ଚଳମାନଙ୍କର ଶାସକ, ଶାସିତ ସାମନ୍ତ ଓ ପ୍ରଜାମାନଙ୍କୁ ଏକତ୍ର କରିପାରିଲେ । ଓଡ଼ିଆ ଜାତିର ଅଭାବ, ଅସୁବିଧା ଆଲୋଚିତ ହେଲା ଏବଂ ଓଡ଼ିଆ ଜାତିକୁ ଏକତାବଦ୍ଧ ହେବାର ଏକ ସୁବର୍ଣ୍ଣ ସୁଯୋଗ ମିଳିଲା ।’’ (୧)

 

ଓଡ଼ିଆ ଜାତୀୟ ଜୀବନର ବିକାଶରେ ମଧୁସୂଦନଙ୍କ ନେତୃତ୍ୱର ତୁଳନା ନାହିଁ । ‘‘ଭାରତର ଇଂରେଜ ଶାସକଗଣଙ୍କ ଚିନ୍ତାଧାରାରେ, ମଧୁସୂଦନଙ୍କ ପ୍ରଯତ୍ନ ଫଳରେ ଯେଉଁ ଚେତନାର ଉଦୟ ଘଟିଥିଲା, ତାହାର ପରିଣାମ ସ୍ୱରୂପ ଭାଷା ଓ ସଂସ୍କୃତି ଭିତ୍ତିରେ ଭାରତର ବିଭିନ୍ନ ପ୍ରଦେଶଗୁଡ଼ିକର ପୁନର୍ଗଠିତ କରିବାର ସିଦ୍ଧାନ୍ତ ଗୃହୀତ ହୋଇଥିଲା । ଏ ସଂପର୍କରେ ୧୯୧୮ ମସିହାରେ ମଧୁସୂଦନ ‘ଦି ଓଡ଼ିଆ’ ସାପ୍ତାହିକ ପତ୍ରିକାର ସ୍ତମ୍ଭରେ ଲେଖିଥିଲେ, ‘‘ବ୍ରିଟିଶ ଶାସନାଧୀନ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଇତିହାସ ଯଦି କୌଣସି ଆମେରିକୀୟ ଐତିହାସିକ କେବେ ଲେଖନ୍ତି, ତେବେ ବ୍ରିଟିଶ ଶାସନରେ ରହିବା ଫଳରେ ଏହି ଅଞ୍ଚଳର ଯେଉଁ ଦୂରବସ୍ଥା ଘଟିଅଛି, ବ୍ରିଟିଶ ଶାସନ କର୍ତ୍ତୃପକ୍ଷ ଏକ ଭାଷାଭାଷୀ ଗୋଟିଏ ଜାତିର ଲୋକମାନଙ୍କୁ ପରସ୍ପରଠାରୁ ଦୂରେଇ ରଖି ଯେପରି ଅଲଗା ଅଲଗା କରିଦେଇଛି ଏବଂ ଏହା ଫଳରେ ସେମାନଙ୍କର ଜାତୀୟ ଚେତନାକୁ ଯେପରି ଉଦ୍ଦେଶ୍ୟମୂଳକ ଭାବରେ ପ୍ରତିହତ କରାଯାଇଛି । ସେ ବିଷୟରେ ବହୁ ତଥ୍ୟ ପାଇପାରିବେ ଏବଂ ଗୋଟାଏ ବଳିଷ୍ଠ ଜାତିକୁ ଭାଗ କରି ଦୁର୍ବଳ କରିଦେବା ପରେ ସେମାନଙ୍କ ଉପରେ ମନୋମୁଖୀ ଶାସନ ଚଳାଇବାର ବ୍ରିଟିଶ ଅଭିସନ୍ଧି ବିଷୟରେ ସଂପୂର୍ଣ୍ଣ ଧାରଣା ମଧ୍ୟ କରିପାରିବେ । x x x କିନ୍ତୁ ବାସ୍ତବ କ୍ଷେତ୍ରରେ ଓଡ଼ିଆ ଭାଷାଭାଷୀ ଲୋକମାନଙ୍କୁ ଏକ ଶାସନାଧୀନରେ ରଖିବା ନିମନ୍ତେ ଯେତେବେଳେ ସେହି ଲୋକଙ୍କ ପକ୍ଷରୁ ଦାବି ହେଉଛି, ସରକାର ସେହି ଦାବି ପୂରଣ ଦିଗରେ ବାରମ୍ବାର ପ୍ରତିବନ୍ଧକ ସୃଷ୍ଟି କରି ସେମାନଙ୍କ ଜାତୀୟ ଚେତନାକୁ ପ୍ରତିହତ ଓ ବିଧ୍ୱସ୍ତ କରିବାକୁ ଚେଷ୍ଟା କରୁଅଛନ୍ତି । ତେଣୁ ଯେଉଁ ବୈଦେଶିକ ଐତିହାସିକ ବ୍ରିଟିଶ ଶାସନର ଇତିହାସ ଲେଖିବାକୁ ଚେଷ୍ଟା କରୁଅଛନ୍ତି । ତେଣୁ ଯେଉଁ ବୈଦେଶିକ ଐତିହାସିକ ବ୍ରିଟିଶ ଶାସନର ଇତିହାସ ଲେଖିବାକୁ ଚେଷ୍ଟା କରିବେ, ସେ ବ୍ରିଟିଶ୍‌ ଶାସକବର୍ଗଙ୍କର କଥା ଓ କାମ ଭିତରେ ରହୁଥିବା ଏହି ବିକଟ ବୈଷମ୍ୟ ବିଷୟରେ ସହଜରେ ଅବଗତ ହୋଇପାରିବେ ।’’ (୨) ବାସ୍ତବିକ ମଧୁସୂଦନଙ୍କ ଏପରି ଖୋଲା ଖୋଲି ଆହ୍ୱାନ ତାଙ୍କ ଜାତୀୟ ମନୋଭାବର ଏକ ଦୃଢ଼ ଅଭିବ୍ୟକ୍ତି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ମଧୁସୂଦନଙ୍କ ଉତ୍କଳପ୍ରୀତି ଥିଲା ଅନନ୍ୟ । ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା ଜନନୀ ଜନ୍ମଭୂମିର ସେବାରେ ନିଜକୁ ନିୟୋଜିତ କରିବା । ଏହି ଲକ୍ଷ୍ୟର ସାଧନା ନିମିତ୍ତ ମଧ୍ୟ୍ୟ ସେ ବହୁ କାର୍ଯ୍ୟ କରିଥିଲେ । ଜାତୀୟତାର ବହ୍ନିକୁ ପ୍ରତିଟି ଓଡ଼ିଆ ମନରେ ପ୍ରଜ୍ଜ୍ୱଳିତ କରିବାରେ ସେ ଅଶେଷ ସଫଳତା ଲାଭ କରିଥିଲେ । ମଧୁସୂଦନଙ୍କ ଏହିପରି ବିରଳ କୃତିତ୍ୱ ସଂପର୍କରେ ତାଙ୍କ ଜୀବନୀ ଲେଖକ ଶ୍ରୀଯୁକ୍ତ ନବକିଶୋର ଦାସ ଅତି ସୁନ୍ଦର ଭାବରେ ଆଲୋଚନା କରିଛନ୍ତି- ‘‘ମଧୁସୂଦନଙ୍କ ,ଏହି ଉତ୍କଳ ପ୍ରୀତି ସହ ଆମ୍ଭମାନଙ୍କୁ ତାହାଙ୍କ ସ୍ୱଦେଶ ବତ୍ସଳତା ନୀତିପ୍ରତି ଦୃଷ୍ଟିପାତ କରିବାକୁ ପଡ଼ିବ । ସ୍ୱଦେଶର ଶିଳ୍ପ, ବ୍ୟବସାୟ, ସାହିତ୍ୟ ଓ ଶିକ୍ଷା ସ୍ଥୂଳତଃ ଦେଶର ସର୍ବବିଧ କଲ୍ୟାଣ ସାଧନ ପାଇଁ ସେ ସର୍ବଦା ଆଗ୍ରହ ପ୍ରକାଶ କରୁଥିଲେ । ‘‘ମୋର ଶରୀରର ପ୍ରତ୍ୟେକ ରେଣୁ, ମୋର ମାନସିକ ଚିନ୍ତାର ପ୍ରତ୍ୟେକ ଚିନ୍ତା ସେହି ଜାତୀୟ ଜୀବନର ଏକ ଏକ ଅଂଶ ।’’ କଲିକତାରେ ଥିବା ଇଂରେଜୀ ଜୋତା ଦୋକାନରେ ଜଣେ ସାହେବ ପହଞ୍ଚି ଦେଖିଲେ ଯେ ବିଦେଶୀୟ ଜିନିଷ ଶସ୍ତା, ସ୍ୱଦେଶୀୟ ଜିନିଷ ମହଙ୍ଗା, କିନ୍ତୁ ଇଂରେଜ ବିଦେଶୀୟ ଜୋତା କିଣିବେ ନାହିଁ । ମୁଁ ଦଶବର୍ଷ ପୂର୍ବେ ମନେ କରିଥିଲି ଇଂରାଜୀ ଜୋତା ମୋ ଭାଗ୍ୟରେ ନପଡ଼ୁ । ଆମର ପ୍ରତିଜ୍ଞା ଏହି ଯେ ବିଦେଶୀୟ ଦ୍ରବ୍ୟ କିଣିବା ପୂର୍ବରୁ ଚିନ୍ତା କରିବା ।’’

 

ମଧୁସୂଦନଙ୍କ ବ୍ୟକ୍ତିତ୍ୱ ମୂଳରେ ଏହି ସ୍ୱଦେଶ ପ୍ରୀତି ବା ବତ୍ସଳତା ସର୍ବଦା ରହି ତାହାଙ୍କୁ ଜାତୀୟ କାର୍ଯ୍ୟ କରିବାକୁ ପ୍ରେରଣା ଦେଉଥିଲା ।’’ (୩)

 

ଉତ୍କଳ ସମ୍ମିଳନୀରେ ଜାତିର ମିଳନ

ଉତ୍କଳ ସମ୍ମିଳନୀ ଥିଲା ଓଡ଼ିଆ ଜାତିର ପୂଜାମଣ୍ତପ । ଉତ୍କଳ ସମ୍ମିଳନୀ ଉତ୍କଳ ଜାତୀୟ ଚେତନାର ଏକ ସ୍ପର୍ଦ୍ଧତ ସ୍ୱର । ‘‘ଉତ୍କଳ ସମ୍ମିଳନୀ ବିଷୟରେ ୧୯୧୩ ମସିହାରେ ସେହି ସମ୍ମିଳନୀରେ ପ୍ରଦତ୍ତ ସଭାପତି ଅଭିଭାଷଣରେ ମଧୁସୂଦନ କହିଛନ୍ତି-‘‘ସମ୍ମିଳନୀ ଜାତିର ସମ୍ମିଳନ ନିମନ୍ତେ ସମଗ୍ର ଉତ୍କଳବାସୀଙ୍କ ହୃଦୟରେ ଜାତୀୟ ଜୀବନ ସଂଚାର କରିବା ନିମନ୍ତେ ସ୍ଥାପିତ ହୋଇଅଛି । ଏ ସମ୍ମିଳନୀ କୌଣସି ଏକ ସମ୍ପ୍ରଦାୟସ୍ଥ ବ୍ୟକ୍ତିମାନଙ୍କର ଉନ୍ନତି ସାଧନ ନିମନ୍ତେ ହୋଇନାହିଁ । ଯାହାଦ୍ୱାରା ସମସ୍ତ ଉତ୍କଳବାସୀଙ୍କର ଉନ୍ନତି ହେବ । ସେହି ପ୍ରକାର ସବୁ ଆଲୋଚନା କରିବା ନିମନ୍ତେ ଏ ସମ୍ମିଳନୀର ସୃଷ୍ଟି ।’’ (୪) ପୁନଶ୍ଚ ୧୯୧୮ ମସିହାରେ ମଧୁସୂଦନ ସମ୍ମିଳନୀ ସଂପର୍କରେ କହିଥିଲେ- ‘‘ଉତ୍କଳ ସମ୍ମିଳନୀର ଉଦ୍ଦେଶ୍ୟ ଓଡ଼ିଆ ଜାତିକୁ ଉଠାଇବା, ତେଣୁ ଉତ୍କଳ ସମ୍ମିଳନୀ ‘‘ଉତ୍କଳବାସୀଙ୍କ ସମ୍ମିଳନୀ- ଜନନୀ ଜନ୍ମଭୂମିଙ୍କ ପୂଜା ମଣ୍ତପ-।’’ (୫)

 

ଉତ୍କଳ ଜାତିର ଉନ୍ନତି ସର୍ବୋପରି ଓଡ଼ିଆ ଜାତିର ସଂଗଠିତ ଅଗ୍ରଗତି ପାଇଁ ସଂକଳ୍ପ ନେଇଥିଲା ‘ଉତ୍କଳ ସମ୍ମିଳନୀ’ । ରାଜାଠାରୁ ପ୍ରଜା ପର୍ଯ୍ୟନ୍ତ ସମସ୍ତଙ୍କୁ ଏକତ୍ରିତ କରାଇ ପାରିଥିଲା ଏହି ଜାତୀୟ ମଞ୍ଚଟି । ‘‘ଏକ ଜାତିର ଉନ୍ନତି ଅପର ଜାତିର ସଙ୍ଗ ଆବଶ୍ୟକ ଏବଂ ପ୍ରସ୍ତାବିକ ଉତ୍କଳୀୟ ସାର୍ବଜନୀନ ସଭା ସେହି ନୀତି ଅନୁସାରେ ପ୍ରତିଷ୍ଠିତ ହେବା ଉଚିତ । ଉକ୍ତ ମହାସଭାରେ ଓଡ଼ିଆ ଜାତି ଓ ସେଥିସଂଗେ ଏକୀଭୂତ ଉତ୍କଳୀୟମାନେ ନିମନ୍ତ୍ରଣକାରୀ ଓ ଶିକ୍ଷାର୍ଥୀର ସ୍ଥଳାଭିଷିକ୍ତ ହେବେ । ବର୍ତ୍ତମାନ ଅବସ୍ଥାରେ ଦୋଷାଦୋଷ ବିଚାର ଅପେକ୍ଷା ଆତ୍ମନିର୍ଭର ସହ ଉଦ୍‌ଯୋଗ ଅଧିକ ଶ୍ରେୟସ୍କର । ଏହା ଜାଣି ଶାସକ ତନ୍ତ୍ରର ସମାଲୋଚନା ଓ ଧର୍ମବିଷୟକ ତର୍କାଦି ସଂପୂର୍ଣ୍ଣ ରୂପେ ବର୍ଜନ କରିବା ଉଚିତ । ଉତ୍କଳ ସମ୍ମିଳନୀ ଗଠନ କରିବାବେଳେ ମଧୁବାବୁଙ୍କ ଲକ୍ଷ୍ୟ ଅଲଗା ଥିଲା । ଉତ୍କଳର ସାମାଜିକ, ବୈଷୟିକ ଓ ଆର୍ଥିକ ଉନ୍ନତି କରିବା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା-। ଉତ୍କଳ ସମ୍ମିଳନୀ ତାହାର ଜୀବନକାଳ ମଧ୍ୟରେ ଦେଶରେ କିପରି ଓଡ଼ିଆ ଆନ୍ଦୋଳନ ଚଳାଇବା ସଂଗେ ସଂଗେ ନାନା ଦେଶହିତକର କାର୍ଯ୍ୟ କରିବାକୁ ଚେଷ୍ଟା କରିଛି ।’’ (୬) ଉତ୍କଳ ସମ୍ମିଳନୀ କେବଳ ରାଜ୍ୟ ଗଠନ ପାଇଁ ଅଭିପ୍ରେତ ଥିଲା, ତାହା ନୁହେଁ ବରଂ ଉତ୍କଳର ସର୍ବବିଧ ବିକାଶ ହିଁ ଥିଲା ଏହାର ଲକ୍ଷ୍ୟ ।

 

ଉତ୍କଳ ଜନନୀ ଭାରତ ଜନନୀଠାରୁ ବିଚ୍ଛିନ୍ନ ନୁହେଁ

ଉଗ୍ର ଜାତୀୟତାବାଦରୁ ଉତ୍କଳ ସମ୍ମିଳନୀ ଜନ୍ମ ନେଇଥିଲା । ଜାତି ପ୍ରୀତି ଏହାର ଭିତ୍ତି ହୋଇଥିଲେ ମଧ୍ୟ ଜାତୀୟତା ଥିଲା ଏହାର ପ୍ରାଣସତ୍ତା । ଉତ୍କଳ ସମ୍ମିଳନୀ ଭାଷାଭିତ୍ତିକ ପ୍ରଦେଶ ଗଠନ କରିବା ସହିତ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା, କିନ୍ତୁ ସାମୂହିକ ଜାତୀୟ ପ୍ରଗତିରୁ ଏହା ଭିନ୍ନ ନଥିଲା । ଓଡ଼ିଶାର କଲ୍ୟାଣ ସହିତ ଭାରତର ବିକାଶରୁ ଏହି ଅନୁଷ୍ଠାନ ଅଲଗା ହୋଇ ନଥିଲା । ଭାରତୀୟ ଜାତୀୟତାରେ ଉଦ୍‌ବୁଦ୍ଧ ହୋଇ ଓଡ଼ିଶାକୁ ସଂଗଠିତ କରିବା ଥିଲା ଏହି ଜାଗରଣର ମୂଳ ଲକ୍ଷ୍ୟ । ମଧୁସୂଦନ ଏ ସଂପର୍କରେ ସ୍ପଷ୍ଟ ଭାବେ କହିଥିଲେ ଯେ ‘ଉତ୍କଳ ଜନନୀ ଭାରତ ଜନନୀ’ ଠାରୁ ବିଚ୍ଛିନ୍ନ ନୁହେଁ । ‘‘ଉତ୍କଳ ସମ୍ମିଳନୀ ମଣ୍ତପରୁ ମଧୁସୂଦନ ଯେତେ ଯେତେ ବକ୍ତୃତା ଦେଉଥିଲେ, ଯେତେ ଯେତେ ବାଣୀ ଜନତାକୁ ଶୁଣାଉଥିଲେ ସେ ସବୁଥିରେ ସବୁବେଳେ ଲୋକମାନଙ୍କୁ ବୁଝାଉଥିଲେ ଯେ ଭାରତକୁ ବାଦ୍‌ଦେଇ ଯେପରି ଓଡ଼ିଶା ବିଷୟ କଳ୍ପନା କରାଯାଇପାରେ ନାହିଁ, ସେହିପରି ଓଡ଼ିଶାକୁ ବାଦ୍‌ଦେଇ ଭାରତ ବିଷୟ ମଧ୍ୟ ଚିନ୍ତା କରାଯାଇପାରେ ନାହିଁ । ସାମୂହିକ ଜାତୀୟ ପ୍ରଗତି ଲାଗି ଭାରତ ଓ ଓଡ଼ିଶା ଉଭୟ ହେଉଛି ଅପରିହାର୍ଯ୍ୟ ଓ ପରସ୍ପରର ଅନୁପୂରକ କିନ୍ତୁ ଓଡ଼ିଶା ଯେତେବେଳେ ମଧ୍ୟସ୍ୱତ୍ତ୍ୱାଧିକାରୀମାନଙ୍କର ଚରାଭୂଇଁରେ ପରିଣତ ହୋଇ ପଡ଼ି ରହିଥିଲା ଓ ଏହାର ପ୍ରଗତି ସର୍ବତୋଭାବେ ପ୍ରତିହତ ହୋଇ ରହିଥିଲା, ସେ ସମୟରେ ମଧୁସୂଦନ ସର୍ବଭାରତୀୟ ଜାତୀୟ ପ୍ରଗତି ଅବା ରାଜନୈତିକ ସ୍ୱାଧୀନତା ପ୍ରାପ୍ତି ଆଦି ବିଷୟରେ ମନ ନଦେଇ ସର୍ବପ୍ରଥମେ ଓଡ଼ିଶାର ଆଞ୍ଚଳିକ ସମସ୍ୟାଗୁଡ଼ିକର ଦୂରୀକରଣ ଦିଗରେ ଦୃଷ୍ଟି ଦେଇଥିଲେ ।’’ (୭) ମଧୁସୂଦନ ନିଜେ ଉତ୍କଳ ସମ୍ମିଳନୀର ପ୍ରୟୋଜନ ସଂପର୍କରେ ଆଲୋଚନା କରିବାକୁ ଯାଇ ଜାତୀୟତା ସଂପର୍କରେ ଏକ ଚମତ୍କାର ମନ୍ତବ୍ୟ ଦେଇଥିଲେ । ‘‘ଇଉରୋପରେ ନେଶନ ଅର୍ଥାତ୍‌ ଜାତି ଶବ୍ଦ ଗୋଟିଏ ରାଷ୍ଟ୍ର ବା ଦେଶର ଲୋକ ସମୂହକୁ ବୁଝାଏ । ଇଉରୋପୀୟ ଜାତିସମୂହ ପରସ୍ପରଠାରୁ ଯେଉଁ ପରିମାଣରେ ଭିନ୍ନ, ଭାରତବର୍ଷର ପ୍ରାଦେଶିକ ଲୋକସମୂହ ସେହିପରି ନାନା ବିଷୟରେ ପରସ୍ପରଠାରୁ ଯେଉଁ ପରିମାଣରେ ଭିନ୍ନ, ଭାରତବର୍ଷର ପ୍ରାଦେଶିକ ଲୋକସମୂହ ସେହିପରି ନାନା ବିଷୟରେ ପରସ୍ପରାଠାରୁ ସେହି ପରିମାଣରେ ବିଭିନ୍ନ । ଏହି ହେତୁରୁ ଭାରତବର୍ଷର ଜାତୀୟତା ଏହି ଶବ୍ଦ ଗୋଟିଏ ବିଶେଷ ଅର୍ଥରେ ବ୍ୟବହୃତ ହେବାର ଦେଖାଯାଏ ।’’ (୮)

 

ଉତ୍କଳ ଜନନୀ ଭାରତ ଜନନୀଠାରୁ ବିଚ୍ଛିନ୍ନ ନୁହେଁ, ଏହାକୁ ମଧୁସୂଦନ ଅତି ସୁନ୍ଦର ଭାବରେ ବୁଝାଇଥିଲେ-‘‘ଉତ୍କଳ ଜନନୀ ଭାରତ ଜନନୀଙ୍କଠାରୁ ବିଚ୍ଛିନ୍ନ ନୁହନ୍ତି । ସେ ଭାରତ ଜନନୀଙ୍କ ସପତ୍ନୀ କିମ୍ବା ଶତ୍ରୁ ନୁହନ୍ତି ।’’ ପୁଣି ଅନ୍ୟତ୍ର ସେ କହିଥିଲେ-‘‘ଉତ୍କଳ ଜନନୀ ଓ ଭାରତ ଜନନୀଙ୍କର କିଛି ପ୍ରଭେଦ ନାହିଁ । ଶରୀରର କୌଣସି ଅଂଶରେ ପୀଡ଼ା ହେଲେ ସେହି ଅଂଶର ଚିକିତ୍ସା କରିବାକୁ ହେବ, କିନ୍ତୁ ଏହି ଅଂଶବିଶେଷର ଚିକିତ୍ସା ଦ୍ୱାରା ସମସ୍ତ ଶରୀରର ଉନ୍ନତି ହେବ । ଉତ୍କଳ ଚିକିତ୍ସାର ଉଦ୍ଦେଶ୍ୟ ଭାରତର ଉନ୍ନତି ।’’ (୯)

 

ମଧୁବାବୁଙ୍କ ବ୍ୟକ୍ତିତ୍ୱ ଥିଲା ଏକ ଜାତୀୟ ବ୍ୟକ୍ତିତ୍ୱ, ତାଙ୍କ ବକ୍ତବ୍ୟରେ ଏହା ଅତ୍ୟନ୍ତ ଆବେଗିକ ଭାବରେ ଆତ୍ମପ୍ରକାଶ କରିଛି । ଜାତୀୟ ଜୀବନର ସ୍ୱରୂପ ଉନ୍ମୋଚନ କରି ମଧୁସୂଦନ ସ୍ପଷ୍ଟ ଭାବେ କହିଥିଲେ, ‘‘ବଡ଼ ଦେଉଳ ବାଲିରେ ପୋତି ହୋଇଯାଇଥିଲା । ରଜାଙ୍କ ଘୋଡ଼ାଟାପୁ ବାଜିବାରୁ ରାଜା ତାକୁ ପୁନରୁଦ୍ଧାର କରିଥିଲେ । ‘‘ଏହି ସ୍ଥାନରେ ବଡ଼ ଦେଉଳକୁ ଚାହିଁ ଓ ଜାତିର ପୁନରୁଦ୍ଧାର କର’’ ଏହା ଆମ୍ଭମାନଙ୍କର ବୀଜମନ୍ତ୍ର ହେବା ଆବଶ୍ୟକ । ଜାତୀୟ ଜୀବନରେ ଏହି କଥାକୁ ବୀଜମନ୍ତ୍ର କରି ଜପ । ଯେଉଁ ପୂର୍ବପୁରୁଷମାନେ ଏହି କୀର୍ତ୍ତି କରିଥିଲେ, ସେହିମାନଙ୍କର ରକ୍ତ ମୋ ଶରୀରରେ ଅଛି କିନ୍ତୁ ତଦନୁସାରେ ମୁଁ କାର୍ଯ୍ୟ କରୁଅଛି କି ନା ଏହା ସମସ୍ତେ ଭାବିବା ଉଚିତ । ଭାଇ ! ଏଠାରେ ମୁଁ ଗୋଟିଏ ଦୃଷ୍ଟାନ୍ତ ଦେଉଅଛି । ଗୋଟିଏ ଭଲ ଜାତିର ଡାହାଳ କୁକୁର ଛୁଆକୁ ଆଣ । ଗୋଟିଏ ବାଘକୁ ତାକୁ ଦେଖାଇ ଦିଅ । ତା’ର ବାଘକୁ ମାରିପାରିବାର ବଳ ଥାଉ ବା ନଥାଉ ସେ ବାଘକୁ କାମୁଡ଼ିବାକୁ ଦଉଡ଼ିଯିବ । ଭାଇ ! ତାକୁ ପଚାର, ‘‘ତୁ ତ ପିଲାଟିଏ, ବାଘକୁ ମାରି ପାରିବୁ ବୋଲି ଦଉଡୁଛୁ ?’’ ସେ ଉତ୍ତର ଦେବେ, ‘ମୁଁ ଜାଣିଛି ଯେ ମୁଁ ବାଘକୁ କାମୁଡ଼ି ପାରିବି ନାହିଁ କିନ୍ତୁ ମୁଁ ମୋ ଜାତିର ନାମ ବୁଡ଼ାଇବି ନାହିଁ ।’’ ଯେଉଁ ଜାତି ବଡ଼ ଦେଉଳ, ଭୁବନେଶ୍ୱର ଓ ଅନ୍ୟାନ୍ୟ ଶିଳ୍ପ କାର୍ଯ୍ୟମାନ କରିଥିଲେ, ସେହି ଜାତିର ରକ୍ତ ଆମ୍ଭ ଦେହରେ ଅଛି କି ? ବିଦ୍ୟାରମ୍ଭ ସମୟରେ ଏହି କଥା ଭାବ, ନିଜ ଜାତୀୟ ଜୀବନ ଆପଣା ଦେହରେ ଅଛି କି ନାହିଁ ? ଯେବେ ନଥାଏ, ସେ କିପରି ହେବ ଚେଷ୍ଟାକର । ଜାତୀୟ ଜୀବନ ବ୍ୟକ୍ତିଗତ ଜୀବନରୁ ପୃଥକ । ‘‘ଜାତି ପାଇଁ ବାଟରେ ଭିକ୍ଷାକରି ମରିବି’’ ଏହିପରି ପଣ ନ କରିବା ପର୍ଯ୍ୟନ୍ତ ଜାତୀୟ ଜୀବନର ସଞ୍ଚାର ହେବ ନାହିଁ । ବ୍ୟକ୍ତିଗତ ଜୀବନ ସ୍ୱାର୍ଥପର । ସ୍ୱାର୍ଥପରତା ଯେତେ ବୃଦ୍ଧି ହେବ, ଜାତୀୟ ଜୀବନ ସେତିକି କମିବ । ସ୍ୱାର୍ଥପରତା ଯେତିକି କମିଯିବ, ଜାତୀୟ ଜୀବନ ସେତିକି ବୃଦ୍ଧି ହେବ ।’’ (୧୦)

 

ମଧୁସୂଦନଙ୍କ ବ୍ୟକ୍ତିତ୍ୱ ଥିଲା ବିଶାଳ । ସଂକୀର୍ଣ୍ଣ ଚିନ୍ତାଧାରାରୁ ସେ ଥିଲେ ବହୁ ଊର୍ଦ୍ଧ୍ୱରେ । ଦେଶ ଚିନ୍ତା ତାଙ୍କୁ ଉଦବେଳିତ କରୁଥିଲା । ତେଣୁ ସେ କହିଥିଲେ-‘‘ସମସ୍ତେ ଭାରତ ସନ୍ତାନ । ସମସ୍ତେ ଏକ ରକ୍ତ ମାଂସ ସମ୍ଭୂତ । ଯେତେବେଳେ ଏ ଜ୍ଞାନ ହେବ, ସେତେବେଳେ ଜାତୀୟ ଜୀବନର ଅଭାବ ରହିବ ନାହିଁ । ଉତ୍କଳର ଅସ୍ତମିତ ଗୌରବର ବିଷୟ ଥରେ ଚିନ୍ତାକର । ଯେତେବେଳେ ଶିଶୁ ସ୍ତନ୍ୟପାନ କରୁଥାଏ, ସେତେବେଳେ ବିଶ୍ୱାସପୂର୍ଣ୍ଣ ନୟନରେ ମାତାର ମୁଖ ପ୍ରତି ଦୃଷ୍ଟି କରିଥାଏ । ଏହିଠାରେ ଆମ୍ଭେମାନେ ଉତ୍କଳ ଜନନୀ ତଥା ଭାରତ-ଜନନୀର କ୍ରୋଡ଼ରେ ବସିଥାଇଁ । ସମସ୍ତେ ଏହିକଥା ଭାବ ଓ ପ୍ରତିଜ୍ଞା କର ଯେ, ଯେଉଁ ଉତ୍କଳ ଜନନୀ ମୋତେ ଜନ୍ମ ଦେଇଅଛନ୍ତି, ତା’ ସକାଶେ ଏହି ସଭାରେ ଦୃଢ଼ ପ୍ରତିଜ୍ଞା କରୁଅଛି ଯେ, ‘‘ମୁଁ ପ୍ରତିଦିନ ପାଞ୍ଚମିନିଟ୍‌ ସମୟ ଦେଶର କଥା ଭାବିବି ଏବଂ ସମ୍ମିଳନୀ ସକାଶେ ଉତ୍କଳ ନିମନ୍ତେ ଓ ଭାରତ ନିମନ୍ତେ ଅନ୍ତତଃ ପାଞ୍ଚମିନିଟ୍‌ ସମୟ ବ୍ୟୟ କରିବି ।’’ (୧୧)

 

ଜାତୀୟ ଚରିତ୍ର ବିକାଶ ପାଇଁ ମଧୁସୂଦନଙ୍କ ପ୍ରେରଣା

ମଧୁସୂଦନ ଓଡ଼ିଆ ଜାତୀୟ ବିକାଶ ପାଇଁ ଯେଉଁ ପ୍ରେରଣା ପ୍ରଦାନ କରିଥିଲେ ତା’ ଅବିସ୍ମରଣୀୟ । ଜାତୀୟ ଜୀବନ ଓ ଜାତୀୟ ଚରିତ୍ରର ଗଠନ ପାଇଁ ସେ ଗୁରୁତ୍ୱାରୋପ କରୁଥିଲେ-। ‘‘ସ୍ୱଦେଶ ପ୍ରେମ ସହିତ ମଧୁସୂଦନ ଜାତୀୟ ଜୀବନ ଉପରେ ବିଶେଷ ଗୁରୁତ୍ୱାରୋପ କରୁଥିଲେ-। ସେ କହୁଥିଲେ ଯେ ପ୍ରତ୍ୟେକ ମନୁଷ୍ୟର ଦୁଇଗୋଟି ଜୀବନ ଅଛି । ଗୋଟିଏ ହେଉଛି ମନୁଷ୍ୟର ବ୍ୟକ୍ତିଗତ ଜୀବନ ଏବଂ ଅନ୍ୟଟି ହେଉଛି ଜାତୀୟ ଜୀବନ । ବ୍ୟକ୍ତିଗତ ଜୀବନର ଶେଷ ଅଛି, କିନ୍ତୁ ଜାତୀୟ ଜୀବନର ଶେଷ ନାହିଁ । ମୁଁ ଖାଇବି, ମୁଁ ପିନ୍ଧିବି, ମୁଁ ରୋଜଗାର କରିବି, ମୁଁ ମୋର ପିଲାମାନଙ୍କୁ ମଣିଷ କରିବି-ଏହା ବ୍ୟକ୍ତିଗତ ଜୀବନ । ପଶୁର ଜୀବନ ମଧ୍ୟ ଠିକ୍‌ ଏହିପରି କିନ୍ତୁ ପଶୁଠାରୁ ମନୁଷ୍ୟ ଶ୍ରେଷ୍ଠଜୀବ । ପଶୁ କେବଳ ନିଜେ ଜୀଇଁ ରହିବା ଓ ନିଜର ସନ୍ତାନମାନଙ୍କୁ ଜୀଆଇ ରଖିବା କାର୍ଯ୍ୟରେ ବ୍ୟସ୍ତ ଥାଏ କିନ୍ତୁ ମନୁଷ୍ୟ ଏହାର ଉପରକୁ ଉଠି ଅନ୍ୟର ସୁଖଦୁଃଖରେ ଭାଗୀଦାର ହୋଇଥାଏ । ଅନ୍ୟର ଦୁଃଖ ଦେଖିଲେ ତା’ର ଆଖିରୁ ଲୁହ ଝରିବା ଏବଂ ସେ ନିଜକୁ ବିପନ୍ନ କରି ଅନ୍ୟକୁ ସାହାଯ୍ୟ କରିବାକୁ ଆଗେଇ ଆସିବା, ଏହି ଭାବର ବିକାଶ ହେଲେ ବ୍ୟକ୍ତି ନିଜକୁ ଦେଶବାସୀଙ୍କ ସହିତ ଏକାକାର କରିଦେଇଥାଏ । ସେମାନଙ୍କର ସୁଖକୁ ନିଜର ସୁଖ ଓ ସେମାନଙ୍କର ଦୁଃଖକୁ ସେ ନିଜର ଦୁଃଖ ବୋଲି ମନେକରିଥାଏ । ଏହାହିଁ ଦେଶପ୍ରେମ, ଏହା ହିଁ ଜାତୀୟ ଭାବ । ଜାତୀୟଭାବର ବିକାଶ ଉପରେ ହିଁ ଦେଶର ଉନ୍ନତି ନିର୍ଭର କରେ । ଯେଉଁ ଦେଶର ଲୋକଙ୍କ ଭିତରେ ଜାତୀୟଭାବେ ଯେତେ ଅଧିକ ସେହି ଦେଶ ସେତେ ଉନ୍ନତ ।’’ (୧୨)

 

ପୁନଶ୍ଚ ଜାତୀୟ ଜୀବନ ଓ ବ୍ୟକ୍ତିଗତ ସଂପର୍କ ବିଷୟରେ ସେ ଚମତ୍କାର ଉଦାହରଣ ଦେଇ କହିଥିଲେ-‘‘ମାଳତୀ ଲତା ଆମ୍ଭଗଛରେ ଉଠେ, ମୋଟ ହୁଏ, ଶେଷରେ ଆମ୍ବଗଛକୁ ମାରିପକାଏ । ଆମ୍ଭଗଛର ଫଳ କମ୍‌ ଲୋକ ଖାଉଥିଲେ । ଏହା ତୁଳନାରେ ମାଳତୀ ପୁଷ୍ପର ସୁଗନ୍ଧ ସହସ୍ର ଲୋକଙ୍କୁ ମୋହିତ କରୁଛି । ଜାତୀୟ ଜୀବନ ଯେତେବେଳେ ବ୍ୟକ୍ତିକୁ ମାଳତୀ ଲତାପରି ବେଢ଼ି ଧରିବ, ସେତେବେଳେ ସେ ଆମ୍ବଗଛ ପରି ମରିବ, କିନ୍ତୁ ମାଳତୀର ସୁଗନ୍ଧ ପରି ଚାରିଆଡ଼େ ମହକିବ । ନିଜ ସକାଶେ ଜୀବନ ଧାରଣ କରିବା ମନୁଷ୍ୟ ଜୀବନର କଦାପି ଉଦ୍ଦେଶ୍ୟ ନୁହେଁ । ଈଶ୍ୱର ଏ ଉଦ୍ଦେଶ୍ୟରେ କାହାକୁ ସୃଷ୍ଟିକରି ନାହାନ୍ତି । ପଶୁ ଓ ମନୁଷ୍ୟର ପ୍ରଭେଦ କ’ଣ ? ପଶୁ ତାହାର ନିଜର ନିଜ ପାଇଁ ସବୁ କରେ । ବ୍ୟକ୍ତିଗତ ଜୀବନ ନ ମଲେ ଜାତୀୟ ଜୀବନ ହେବ ନାହିଁ । ମଞ୍ଜିରୁ ଗଛ ହେବା ଉଦାହରଣ ଦେଇ ସେ କହିଲେ, ମଞ୍ଜି ବା ଟାକୁଆ ପୋତିଲା ପରେ ଆଗେ ଟାକୁଆ ପଚିଲେ, ପଛେ ଗଛ ଉଠିବ, ନ ପଚିବା ପର୍ଯ୍ୟନ୍ତ ଗଛ ଉଠିବ ନାହିଁ । ସେହିପରି ଯହିଁରୁ ଜାତୀୟ ଜୀବନ ଉଠିବ, ସେ ମରିବ, ସେ ପଚିବ । ଗୋଟିଏ ଟାକୁଆ ମଲେ ଲକ୍ଷେ ଆମ୍ବ ଫଳିବ । ଆମ୍ବର ଜାତି ରକ୍ଷା ହେଲା, କିନ୍ତୁ ପ୍ରଥମେ ଟାକୁଆ ମଲା ।’’ (୧୩)

 

ଜାତିପ୍ରାଣ ନେତା ମଧୁସୂଦନଙ୍କ ଏହି ଜ୍ୱଳାନ୍ତକ ତଥା ଭାବଗର୍ଭକ କଥାଗୁଡ଼ିକ ବାସ୍ତବିକ୍‌ସାଧାରଣ ମନରେ ଜାତୀୟ ଭାବନା ସୃଷ୍ଟି କରିବାରେ ସମର୍ଥ ହୋଇପାରିଥିଲା ।

 

ଓଡ଼ିଆ ଭାଷା ବିକାଶ ପାଇଁ ପ୍ରଚେଷ୍ଟା

ମଧୁସୂଦନ ଓଡ଼ିଆ ଜାତୀୟତାର ଅଭିବୃଦ୍ଧି ପାଇଁ ଓଡ଼ିଆ ଭାଷା ଉପରେ ଦୃଷ୍ଟି ନିକ୍ଷେପ କରିଥିଲେ । ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ଭିନ୍ନ ଭିନ୍ନ ଚିନ୍ତା କରିଥିଲେ । ନିଜେ ଜାତୀୟ ଆବେଗମୟୀ କବିତା ରଚନା କରିବା ସହିତ ଜାତୀୟ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’ ଗଠନରେ ଯଥାର୍ଥ ନେତୃତ୍ୱ ନେଇଥିଲେ । ଭାଷା ଥିଲା ତାଙ୍କ ହୃଦୟର ସ୍ପନ୍ଦନ । ‘‘ଗଞ୍ଜାମ ସମ୍ମିଳନୀରୁ ମିଷ୍ଟର ଦାସଙ୍କ ନେତୃତ୍ୟରେ ‘ଉତ୍କଳ ସମ୍ମିଳନୀ’ର ପ୍ରତିଷ୍ଠା ଓ ମୟୁରଭଞ୍ଜର ମହାରାଜା ଦେଶବତ୍ସଳ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପୃଷ୍ଠପୋଷକତା ଏ ଜାତିର ପ୍ରାଣରେ ଯେଉଁ ଉନ୍ମାଦନା ସୃଷ୍ଟି କରିଥିଲା ତାହାର ଭାବମୟ ଆବେଗପୂର୍ଣ୍ଣ ପଦାଙ୍କ ସାହିତ୍ୟ-ରାଜ୍ୟରେ ଅଙ୍କିତ ହେଲା । ମିଷ୍ଟର ଦାସ ନିଜେ ଜଣେ ସାହିତ୍ୟ ଶିଳ୍ପୀ ନଥିଲେ । ତଥାପି ଦେଶ ମିଶ୍ରଣ କାର୍ଯ୍ୟରେ ଓଡ଼ିଆ ଜାତୀୟତା ସଂଗଠନ ଲାଗି ପ୍ରାଣର ଗଭୀର ଆବେଗରେ ସେ ଯେଉଁ କେତେକ ଆବେଗମୟୀ କବିତା ରଚନା କରିଅଛନ୍ତି, ତାହା ତାଙ୍କର ସାହିତ୍ୟିକ ରୁଚିର ପରିଚୟ ଦେବା ସଂଗେ ସଂଗେ ଜାତୀୟ ଭାବଧାରାର ଗଭୀର ଦ୍ୟୋତନାରେ ପ୍ରାଣବନ୍ତ ହୋଇଅଛି । ଉତ୍କଳ ସମ୍ମିଳନୀର ଜାତୀୟସ୍ତରରେ ବ୍ୟାପକ ଉନ୍ମାଦନା ସୃଷ୍ଟି ସହିତ ସାହିତ୍ୟ ସୃଷ୍ଟି ଓ ସଂଗଠନର ଉନ୍ମାଦନା ଗଙ୍ଗା-ଯମୁନାର ମିଳନ ଭଳି ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଦେଖା ଦେଇଥିଲା ‘ଉତ୍କଳ ସାହିତ୍ୟ ସମାଜ’ ପ୍ରତିଷ୍ଠାରେ । ‘ଉତ୍କଳ ସମ୍ମିଳନୀ’ ଓ ‘ଉତ୍କଳ ସାହିତ୍ୟ ସମାଜ’ (୧୯୦୩) ଏକ ସମୟରେ ପ୍ରତିଷ୍ଠିତ ହୋଇ ଏ ଦେଶର ଜାତୀୟତା ଓ ସାହିତ୍ୟ-ସୃଷ୍ଟିକର୍ମର ସାଂଗଠନିକ ଉନ୍ମାଦନାକୁ ଯେପରି ସୁନିୟନ୍ତ୍ରିତ କରିଥିଲେ, ତାହା ଫଳରେ ଓଡ଼ିଆ ସାହିତ୍ୟ-ସୃଷ୍ଟିକର୍ମର ସାଂଗଠନିକ ଉନ୍ମାଦନାକୁ ଯେପରି ସୁନିୟନ୍ତ୍ରିତ କରିଥିଲେ, ତାହା ଫଳରେ ଓଡ଼ିଆ ସାହିତ୍ୟରେ ଏକ ନୂତନ ଚେତନାର ପ୍ରେରଣାମୟ ଓ ଆବେଗମୟ ଭାବ-ବନ୍ୟା ପ୍ରବାହିତ ହୋଇଥିଲା ଏବଂ ସାହିତ୍ୟ-ଶିଳ୍ପରେ ଏହି ନୂତନ ସାଂଗଠନିକ ଉନ୍ମାଦନାର ଶୈଳ୍ପିକ ପରିପ୍ରକାଶ ନିର୍ଦ୍ଦିଷ୍ଟ ରୂପ ଲାଭ କଲା ପରବର୍ତ୍ତୀ ସତ୍ୟବାଦୀ ଯୁଗସାହିତ୍ୟ ସାଧନାରେ ।’’ (୧୪)

 

ମାତୃଭୂମିର ଏକାନ୍ତ ପୂଜାରୀ ମଧୁସୂଦନ ମାତୃଭାଷାର ଉନ୍ନତି ପାଇଁ ସବୁ ମତେ ଚେଷ୍ଟା କରିଥିଲେ । ସେ ଭଲଭାବରେ ଜାଣିଥିଲେ ଯେ ଭାଷା ହିଁ ଜାତିର ପରିଚାୟକ ଅଟେ । ସେଥିପାଇଁ ସେ ଭାଷାର ବିକାଶ ନିମନ୍ତେ ନିଜକୁ ନିୟୋଜିତ କରିବା ସହିତ ସମସ୍ତଙ୍କୁ ଏଥିପାଇଁ ପ୍ରେରିତ କରୁଥିଲେ ।

 

ଓଡ଼ିଶାର ଅର୍ଥନୀତିକ ଉନ୍ନତି ଓ ମଧୁସୂଦନ

ମଧୁସୂଦନ ଦାସ ଓଡ଼ିଶାର ଭୌଗୋଳିକ ସୀମାରେଖାର ନିର୍ଦ୍ଧାରଣ ଓ ସୁରକ୍ଷା ପାଇଁ ଯେତିକି ଚିନ୍ତିତ ଥିଲେ, ସେହିପରି ଓଡ଼ିଶାର ଅର୍ଥନୀତିକ ବିକାଶ ପାଇଁ ନୂତନ ଯୋଜନାମାନ ପ୍ରସ୍ତୁତ କରିଥିଲେ । କାରଣ ଅର୍ଥନୀତିର ଉନ୍ନତି ନ ହେଲେ ରାଜ୍ୟ ସମୃଦ୍ଧ ହୋଇପାରିବ ନାହିଁ । ସେଥିପାଇଁ ସେ ଅର୍ଥନୀତିକ ବିକାଶ ଉପରେ ପ୍ରାଧାନ୍ୟ ଦେଇଥିଲେ ଏବଂ ଓଡ଼ିଶାକୁ କରିବା ସହ କୃଷିର ବିକାଶ କରିବା ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ । ଏକ ସମୃଦ୍ଧ ଉତ୍କଳ ଗଠନ ହିଁ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା । ‘‘ଅର୍ଥନୈତିକ ଦୃଷ୍ଟିରୁ ଅନ୍ତଃସାରଶୂନ୍ୟ, ଦୁର୍ଭିକ୍ଷର କରାଳ ଗ୍ରାସର କଙ୍କାଳ ସାର ଓଡ଼ିଶାର ଜନଗୋଷ୍ଠୀ ମଧ୍ୟରୁ ୧୮୮୧ରେ ମଧୁସୂଦନ ଫେରିଲା ପରେ, ଏ ରାଜ୍ୟର ଦାରୁଣ ଦୁର୍ଗତି ତଥା ମର୍ମନ୍ତୁଦ ଅବସ୍ଥା ତାହାଙ୍କୁ ଆକ୍ରାନ୍ତ ଆଉ ଆଚ୍ଛନ୍ନ କରି ରଖିଥିଲା । ୧୧.୨.୧୮୮୮ ରେ ଲବଣକର ବୃଦ୍ଧି ବିରୋଧରେ କଟକର ବିରାଟ ଜନସଭାରେ ତାହାଙ୍କର ଜ୍ୱଳାମୟୀ ଭାଷଣ, ବ୍ରିଟିଶ୍‌ ଉପନିବେଶବାଦର ତୀବ୍ର ନିଷ୍ପେଷଣକୁ ସୂଚିତ କରୁଥିଲା, ଯାହାର ପ୍ରଚଣ୍ତ ଆଘାତରେ ସମସ୍ତ ଗ୍ରାମ୍ୟ ଶିଳ୍ପ ବିଧ୍ୱସ୍ତ ହୋଇଯାଇଥିଲା । କିଛିବର୍ଷକାଳ ଗଭୀର ଅନ୍ତର୍ଦାହର ତୀବ୍ର ଜ୍ୱାଳାରେ ଜର୍ଜରିତ ହୋଇ, ୧୮୯୨ରେ ମଧୁସ୍ମୃତିକୁ ଆସିଲା ପରେ ତାହାଙ୍କର ସମ୍ମୁଖରେ ସମାଧାନର ସୀମାହୀନ ଦିଗନ୍ତ ଉନ୍ମୋଚିତ ହୋଇଯାଇଥିଲା । ହଁ ସେହି ସମାଧାନର ଚକ୍ରବାଳରେ ଉଦିତ ହୋଇଥିଲେ ସ୍ୱଦେଶୀ ଶିଳ୍ପାୟନ ରୂପୀ ମୁକ୍ତିର ସୂର୍ଯ୍ୟ । ସ୍ୱଦେଶୀ ଶିଳ୍ପାୟନ ଓ ସ୍ୱାବଲମ୍ବନ ଗୋଟିଏ ମୁଦ୍ରାର ଦୁଇଟି ପାଖ ଥିଲେ । ସମସ୍ତ ସମାଜକୁ ଏହି ମୁକ୍ତିମନ୍ତ୍ରରେ ଦୀକ୍ଷିତ କରିବା ପୂର୍ବରୁ ଏହାର ପରୀକ୍ଷା ଓ ନିରୀକ୍ଷା ନିଜଠାରୁ ହିଁ ଆରମ୍ଭ କରିଥିଲେ । ତାହାଙ୍କର ସମସ୍ତ ବସ୍ତୁ ସ୍ୱଦେଶୀ ହେବା ପଛରେ, ପ୍ରଥମେ ପାଦରେ ପିନ୍ଧୁଥିବା ଜୋତାକୁ ହିଁ ଚିହ୍ନିତ କରିଥିଲେ । ଏହାର ସର୍ବୋତ୍ତମ ଉତ୍ପାଦନର ସୂତ୍ରର ଅନ୍ୱେଷଣରେ ସେ ପରିବ୍ରାଜକ ରୂପେ ଘୂରି ବୁଲୁଥିଲେ ଚମତ୍କାର ଅଧ୍ୟୁଷିତ ବସ୍ତିସବୁ । ଆଉ ଚାରୋଟି ଚର୍ମକାରଙ୍କୁ ନିଜ ପରିବାରରେ ଅଙ୍ଗୀଭୂତ କରି, ମଧୁସ୍କୃତିରେ ବସତି ପ୍ରଦାନ କରିଥିଲେ । ୧୮୯୨ରୁ ଆରମ୍ଭ ହୋଇଥିବା ଅବାରିତ ଯାତ୍ରା ଲମ୍ବି ଯାଇଥିଲା ୧୯୦୨ ସାଲ ଯାଏଁ, ଯେଉଁ ବର୍ଷ ତାହାଙ୍କର ବ୍ୟବହୃତ ସମସ୍ତ ବସ୍ତୁ ସ୍ୱଦେଶୀରେ ପରିଣତ ହୋଇଥିଲା । କ୍ରାନ୍ତିକାରୀ ଏହି ଯାତ୍ରା ପଥରେ ୧୯୦୦ ସାଲରେ ଉନ୍ମତ ଚରଖାର ଉଦ୍ଭାବନ ଆଉ ୧୯୦୧ରେ ଫ୍ଲାଇ ସଟଲତନ୍ତ ସାହାଯ୍ୟରେ ତ୍ୱରିତ ବୟନ ପ୍ରଣାଳୀର ଉପସ୍ଥାପନ ମାଧ୍ୟମରେ ନିଜର ଅଭିଳାଷକୁ ପୂର୍ଣ୍ଣ କରିପାରିଥିଲେ । ବ୍ୟବହାର ପାଇଁ ଗ୍ରାମୀଣ କାରିଗରଙ୍କ ମାଧ୍ୟମରେ ସମସ୍ତ ସ୍ୱଦେଶୀ ବସ୍ତୁ ଉପଲବ୍ଧି କରି ସାରିଲା ପରେ ବିଦେଶୀ ବର୍ଜନ ଆଉ ସ୍ୱଦେଶୀ ଉତ୍ପାଦନ ଓ ବ୍ୟବହାରର ସଂକଳ୍ପବଦ୍ଧ ଶପଥ ଗ୍ରହଣ ପାଇଁ ସେ ଗ୍ରାମ ଆଉ ଜନପଦରେ ଘୂରି ବୁଲିଥିଲେ । ଏ ସମସ୍ତ ଥିଲା ବ୍ରିଟିଶ ଉପନିବେଶବାଦର ନିଷ୍ପେଷଣ ବିରୋଧରେ ଏକ ଅଘୋଷିତ ମୁକ୍ତି ସଂଗ୍ରାମ । ସ୍ୱାବଲମ୍ବନ ଥିଲା ଏହାର ମୂଳ ଭିତ୍ତିଭୂମି । ମଧୁସୂଦନଙ୍କ ଭାଷାରେ ଯେଉଁ ହାତରେ ଜଣେ ରୁଟି ଖାଏ, ସେହି ହାତରେ ହିଁ ତାହାକୁ ରୁଟିର ଉପାର୍ଜନ କରିବାକୁ ପଡ଼ିବ ।’’ (୧୫)

 

କୃଷି ଭିତ୍ତିକ ରାଜ୍ୟ ଓଡ଼ିଶାର ଦାରିଦ୍ର୍ୟ ଓ ହୀନମନ୍ୟତାକୁ ଦୂର କରିବା ପାଇଁ ମଧୁସୂଦନ, ଓଡ଼ିଶାର ଅର୍ଥନୀତିକ ଉନ୍ନତି ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । ଉତ୍କଳ ଟ୍ୟାନେରୀଠାରୁ ଆରମ୍ଭ କରି ତାରକସି କାମ ପର୍ଯ୍ୟନ୍ତ ତାଙ୍କ ଜାତୀୟ ଅର୍ଥନୀତିକ ଚିନ୍ତାଧାରାର ସଫଳ ରୂପାୟନ ଥିଲା । ସେ ଜାଣିଥିଲେ କେବଳ ବଡ଼ବଡ଼ ଶିଳ୍ପ କାରଖାନାର ପ୍ରତିଷ୍ଠା ସମାଜରୁ ଅର୍ଥନୈତିକ ବୈଷମ୍ୟ ଦୂର କରିପାରିବ ନାହିଁ । ସେଥିପାଇଁ ସେ ସ୍ୱଦେଶୀ ଶିଳ୍ପ ଉପରେ ଗୁରୁତ୍ୱାରୋପ କରିଥିଲେ । ଏତତ୍‌ ସହିତ କୃଷିଭିତ୍ତିକ ଅର୍ଥନୀତି ପ୍ରତିଷ୍ଠା ଦ୍ୱାରା ଉତ୍କଳୀୟମାନେ ନିଜ ଗୋଡ଼ରେ ନିଜ ଠିଆ ହୋଇପାରିବେ ବୋଲି ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା ଏବଂ କୃଷିର ଉନ୍ନତି ପାଇଁ ମଧ୍ୟ ସେ ଅନେକ କାର୍ଯ୍ୟ କରିଥିଲେ । ତେଣୁ ଅର୍ଥନୈତିକ କ୍ଷେତ୍ରର ଓଡ଼ିଶାକୁ ସୁଦୃଢ଼ କରିବା ସହିତ, ଓଡ଼ିଆମାନଙ୍କୁ ଏକ ମହାଜାତିରେ ପରିଣତ କରିବା ନିମନ୍ତେ ସେ ଦୃଢ଼ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିଥିଲେ ।

 

ଅର୍ଥନୀତି ଓ ଜାତୀୟ ବିକାଶ

ଓଡ଼ିଶାରେ ନବଜାଗରଣର ଭଗୀରଥ ଥିଲେ ମଧୁସୂଦନ । ତାଙ୍କ ଜାତୀୟ ପ୍ରେମ, ସ୍ୱାଭିମାନ ଓ ପୂରୋଦୃଷ୍ଟି ବଳରେ ଗୋଟିଏ ନିର୍ବାକ ସ୍ଥାଣୁ ଜାତିର ମୁହଁରେ ସ୍ୱାଧୀକାରର ଭାଷା ଫୁଟାଇ ପାରିଥିଲେ । ଜାତୀୟ ଜୀବନକୁ ଉତ୍‌ଥିତ ଓ ପ୍ରଗତି ପଥରେ ଆଗେଇ ନେବା ପାଇଁ ତାଙ୍କ ଅଙ୍ଗୀକାରବଦ୍ଧ ଚେଷ୍ଟା ହିଁ ଓଡ଼ିଆ ଜାତିକୁ ହୀନମନ୍ୟତାରୁ ଉଦ୍ଧାର କରିଥିଲା । ସମ୍ମାନର ସହିତ ସ୍ୱାଭିମାନକୁ ନେଇ ବଞ୍ଚିବାକୁ ହେଲେ ପ୍ରଥମେ ଅର୍ଥନୈତିକ ଦିଗକୁ ସୁଦୃଢ଼ କରିବାକୁ ହେବ, ଏହାକୁ ସେ ମର୍ମେ ମର୍ମେ ଉପଲବ୍ଧି କରିଥିଲେ । ଅର୍ଥନୀତିର ବିକାଶରେ ହିଁ ଜାତିର ବିକାଶ ସମ୍ଭବପର । ଓଡ଼ିଶାକୁ ଏକ ଅର୍ଥନୈତିକ ସମୃଦ୍ଧ ରାଷ୍ଟ୍ର ରୂପେ ପ୍ରତିଷ୍ଠିତ କରାଇବାର ଲକ୍ଷ୍ୟ ନେଇ ମଧୁସୂଦନ ଓଡ଼ିଶାର ଶିଳ୍ପ, କୃଷି ଓ ରେଳବାଇର ପ୍ରସାର ପାଇଁ ଗୁରୁତ୍ୱାରୋପ କରିଥିଲେ । ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ବିକାଶ କରିବାକୁ ଯାଇ ପ୍ରଥମେ ସେ କୃଷି ଓ ଜଳ ସେଚନ ଉପରେ ଗୁରୁତ୍ୱ ଦେଇଥିଲେ । ଓଡ଼ିଶା ପରି-ଏକ କୃଷି ପ୍ରାଧାନ୍ୟ ରାଜ୍ୟରେ କୃଷିର ଉନ୍ନତି ପାଇଁ ଜଳସେଚନର ଯଥାଯଥ ବ୍ୟବସ୍ଥା ଉପରେ ପ୍ରାଧାନ୍ୟ ଦେଇଥିଲେ । ଜଳସେଚନ ହିଁ କୃଷି ଉତ୍ପାଦନର ସ୍ଥିରତା ଓ ଅଭିବୃଦ୍ଧି ଦେଇପାରିବ । ତାଙ୍କୁ ମତାନୁଯାୟୀ ଓଡ଼ିଶାର ବଡ଼ ବଡ଼ ନଦୀରେ ଆନିକଟ ନିର୍ମାଣ କରାଯାଇ, କେନାଲ ନିର୍ମାଣ ଦ୍ୱାରା ହିଁ କୃଷିର ଉନ୍ନତ ପଥ ଉନ୍ମୁକ୍ତ ହୋଇପାରିବ । କୃଷି ସହିତ ପ୍ରାକୃତିକ ସଂପଦର ଉପଯୁକ୍ତ ବିନିଯୋଗ ଦ୍ୱାରା ଶିଳ୍ପର ବିକାଶ ପାଇଁ ସେ ଉଦ୍ୟମ କରିଥିଲେ । ଓଡ଼ିଶାର ଅର୍ଥନୈତିକ ଅବସ୍ଥାକୁ ଆଖି ଆଗରେ ରଖି ସେ ଓଡ଼ିଶାର ପରମ୍ପରିକ ଯଥା- ତାରକସି, ଶିଙ୍ଗ, ଚମଡ଼ା ଓ ହସ୍ତତନ୍ତ ପ୍ରମୁଖ ଶିଳ୍ପର ପ୍ରତିଷ୍ଠା ଓ ପ୍ରଗତି ପାଇଁ ଚେଷ୍ଟିତ ଥିଲେ । ‘‘ମଧୁସୂଦନ ଜାଣିଥିଲେ ଯେ ଶିଳ୍ପର ବିକାଶ ବିନା କେବଳ କୃଷି ଦ୍ୱାରା ଉତ୍କଳର ଉତ୍କଟ ଦାରିଦ୍ର୍ୟ ଦୂର ହେବ ନାହିଁ । ଅତୀତରେ ଉତ୍କଳ ତାର କୁଟୀର ଶିଳ୍ପ ପାଇଁ ପ୍ରସିଦ୍ଧ ଲାଭ କରିଥିଲା । ଉତ୍କଳର ତନ୍ତବାୟମାନଙ୍କ ଦ୍ୱାରା ପ୍ରସ୍ତୁତ ଝୀନ ବସ୍ତ୍ର ଭାରତ ବାହାରେ ବିଶେଷ ଆଦୃତ ହେଉଥିଲା । ସୁନାରୂପାରେ ତିଆରି ସୂକ୍ଷ୍ମ ତାରକସି କାମ ସମଗ୍ର ଭାରତର ପ୍ରସିଦ୍ଧି ଲାଭ କରିଥିଲା । ଶିଙ୍ଗ ଓ ହାତୀଦାନ୍ତର କାରୁକାର୍ଯ୍ୟ ମଧ୍ୟ ଉଚ୍ଚମାନର ଥିଲା, କିନ୍ତୁ କାଳକ୍ରମେ ଉତ୍ସାହ ଓ ଆଦର ଅଭାବରୁ ଏସବୁ ଶିଳ୍ପ ଲୋପ ପାଇବାକୁ ଆରମ୍ଭ କଲା । ଉତ୍କଳର ଦକ୍ଷ ଶିଳ୍ପିକୁଳ ପେଟ ପୋଷିବା ପାଇଁ କଲିକତାରେ କୁଲିକାମ କରିବାକୁ ବାଧ୍ୟ ହେଲେ । ଦେଶପ୍ରାଣ ମଧୁସୂଦନ ସେଥିପାଇଁ ଉତ୍କଳର ଆର୍ଥିକ ପୁନର୍ଗଠନ ଉଦ୍ଦେଶ୍ୟରେ କୁଟୀର ଶିଳ୍ପର ପୁନରୁଦ୍ଧାର ପ୍ରତି ଧ୍ୟାନ ଦେଲେ ।’’ (୧୬) ନିଜର ଚିନ୍ତାଧାରକୁ ବାସ୍ତବ ରୂପ ଦେବାକୁ ଯାଇ ମଧୁସୂଦନ ସଂପୂର୍ଣ୍ଣ ରୂପେ ନିଜସ୍ୱ ପ୍ରଚେଷ୍ଟା ଓ ସମ୍ବଳରେ ପ୍ରତିଷ୍ଠା କରିଥିଲେ ତାରକସି ଶିଳ୍ପ, ଚମଡ଼ା ଶିଳ୍ପ, ଶିଙ୍ଗ ଶିଳ୍ପ, ହସ୍ତତନ୍ତ ଶିଳ୍ପ । ଏହି କୁଟୀର ଶିଳ୍ପ ମାଧ୍ୟମରେ ସୁଦୂର ବିଲାତରେ ମଧ୍ୟ ଓଡ଼ିଶାବାସୀଙ୍କ ନିର୍ମାଣ କୌଶଳ ଓ କଳାନୈପୁଣ୍ୟତାକୁ ଦର୍ଶାଇ ପାରିଥିଲେ । ଏତତ୍‌ ବ୍ୟତୀତ ଓଡ଼ିଶାର ଅର୍ଥନୈତିକ ପ୍ରଗତି ପାଇଁ ରେଳପଥର ବିସ୍ତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ହଦୟରୋପ କରିଥିଲେ । ସେ ହୃଦୟଙ୍ଗମ କରିପାରିଥିଲେ ଯେ ରେଳ ପରିବହନ ଓ ଗମନାଗମନ ବ୍ୟବସ୍ଥା ଦେଶୀୟ ଅର୍ଥନୀତିକୁ ବାହ୍ୟ ଅର୍ଥନୀତି ସହ ସଂଯୋଗ କରିବାରେ ସହାୟକ ହୁଏ, ବଜାର ବ୍ୟବସ୍ଥାକୁ ସୁଦୃଢ଼ କରେ । ଶିଳ୍ପର ବିକାଶ ପାଇଁ ରେଳ ପରିବହନର ବିକାଶ ଅପରିହାର୍ଯ୍ୟ ଅଟେ । ସେଥିପାଇଁ ମଧୁସୂଦନ ବାରମ୍ବାର ବ୍ରିଟିଶ୍‌ ସରକାରଙ୍କ ନିକଟରେ ଏ ସଂପର୍କରେ ଦାବି ଉପସ୍ଥାପିତ କରୁଥିଲେ ।

 

ପ୍ରକୃତରେ କୃଷିଭିତ୍ତିକ ଓଡ଼ିଶାର ଅର୍ଥନୀତିକୁ ଯଥାଯଥ ଭାବେ ନିରୀକ୍ଷଣ କରି ମଧୁସୂଦନ ଯେଉଁ ସବୁ ପଦକ୍ଷେପ ନେଇଥିଲେ ତାହା ଅତୁଳନୀୟ ଅଟେ । ଜାତୀୟ ଜୀବନର ବିକାଶ ପାଇଁ ଅର୍ଥନୈତିକ ସୁଦୃଢ଼ତା ଯେ ନିହାତି ଆବଶ୍ୟକ ଏହା ମଧୁସୂଦନ ନିଜର କାର୍ଯ୍ୟାବଳୀରେ ପ୍ରମାଣିତ କରିପାରିଥିଲେ ।

 

ଓଡ଼ିଶାର କୃଷି କୃଷକ ପ୍ରତି ମଧୁସୂଦନ

ମଧୁସୂଦନ ଥିଲେ କର୍ମବୀର । ଭାଷାଭିତ୍ତିରେ କେବଳ ଏକ ଭୌଗୋଳିକ ରାଜ୍ୟ ଗଠନ ତାଙ୍କର ଏକମାତ୍ର ଲକ୍ଷ୍ୟ ନଥିଲା ବରଂ ଓଡ଼ିଶାକୁ ଏକ ସମୃଦ୍ଧ ଅର୍ଥନୈତିକ ରାଜ୍ୟ ରୂପେ ପ୍ରତିଷ୍ଠିତ କରାଇବା ତାଙ୍କର ଅନ୍ୟତମ ଲକ୍ଷ୍ୟ ଥିଲା । ସେ ଥିଲେ ଦୂରଦ୍ରଷ୍ଟା । ସେଥିପାଇଁ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ଗଠନ ପୂର୍ବରୁ ଉତ୍କଳର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରଚେଷ୍ଟା କରିଥିଲେ । ସେ ଭଲ ଭାବରେ ଜାଣିଥିଲେ ଯେ ଜାତିର ସାମୂହିକ ଉନ୍ନତି ତା’ର ଅର୍ଥନୈତିକ ବିକାଶ ଉପରେ ହିଁ ନିର୍ଭର କରିଥାଏ । ସେଥିପାଇଁ ପ୍ରାରମ୍ଭରୁ ହିଁ ମଧୁସୂଦନ ଓଡ଼ିଶାର ଅର୍ଥନୈତିକ ବିକାଶ ପାଇଁ ସ୍ଵତନ୍ତ୍ର ଧ୍ୟାନ ଦେଇଥିଲେ ଏବଂ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ସେ ଯଥାସମ୍ଭବ ଚେଷ୍ଟା କରିଥିଲେ । ପ୍ରଥମେ ସେ କୃଷି ଉପରେ ଗୁରୁତ୍ୱାରୋପ କରିଥିଲେ । କାରଣ ଉତ୍କଳ ଭଳି ଏକ କୃଷି ପ୍ରଧାନ ରାଜ୍ୟରେ କୃଷିର ବିକାଶ ଦ୍ଵାରା ହିଁ ରାଜ୍ୟର ସମୃଦ୍ଧି ହୋଇପାରିବ । ସେଥିପାଇଁ ମଧୁସୂଦନ କୃଷି ଓ କୃଷକର ଉନ୍ନତି ନିମିତ୍ତ ସତତ ଆଗ୍ରହୀ ଓ ଚେଷ୍ଟିତ ହୋଇଥିଲେ । ସମ୍ଭ୍ରାନ୍ତ ଜମିଦାର ବଂଶରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଓଡ଼ିଶାର କୃଷି ଓ କୃଷକ କୁଳର ମଂଗଳ ପାଇଁ ସେ ସର୍ବଦା ଚିନ୍ତା କରୁଥିଲେ । ମଧୁବାବୁଙ୍କ ଏହିପରି ଚିନ୍ତାଧାରାକୁ ଲକ୍ଷ୍ୟ କରି ତତ୍କାଳୀନ ବିହାର ଓଡ଼ିଶାର କାର୍ଯ୍ୟକାରୀ ଗଭର୍ଣ୍ଣର ସାର୍‌ ହଗ୍‌ମାକ୍‌ ଫରସନ କହିଥିଲେ ଯେ- ‘‘ମିଃ ଏମ୍‌ : ଏସ୍‌ : ଦାସଙ୍କର ଅନ୍ତରରେ ଯେଉଁ ଦୁଇଟି ବିଷୟ ପ୍ରତି ବିଶେଷ ଆଗ୍ରହ ଥିଲା ସେଥିରୁ ଗୋଟିଏ ହେଲା କୃଷିକାରୀ ରୟତମାନଙ୍କ ଅବସ୍ଥାର ଉନ୍ନତିସାଧନ ଓ ଅନ୍ୟଟି ହେଲା ସ୍ଵାଧୀନ (ସ୍ଵତନ୍ତ୍ର) ଓଡ଼ିଶା ପ୍ରଦେଶ ଗଠନ ।’’ (୧୭)

 

ଓଡ଼ିଶାରେ ପ୍ରଚଳିତ ବିଶେଷତଃ ମଧ୍ୟ ସ୍ଵତ୍ଵାଧିକାରୀ ବ୍ୟବସ୍ଥା କୃଷିର ସ୍ଥିତିକୁ ଦୋହଲାଇ ଦେଇଥିଲା । ଏତତ୍‌ ସହିତ ଓଡ଼ିଶାରେ ଜଳସେଚନର ଅଭାବ, ବନ୍ୟା ଏବଂ ମରୁଡ଼ିର ପ୍ରକୋପ ଓଡ଼ିଶାର କୃଷି ଅର୍ଥନୀତିକୁ ଅନଗ୍ରସର ଓ ଅନିଶ୍ଚିତ କରିପକାଇଥିଲା । ଏସବୁ ପାଇଁ ଏକ ସୁଦୃଢ଼ ପ୍ରତିକାରର ଆବଶ୍ୟକତା ସ୍ପଷ୍ଟ ରୂପେ ଅନୁଭୂତ ହେଉଥିଲା । ସେଥିପାଇଁ ମଧୁସୂଦନ ଏଥିପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏହାର ପ୍ରତିକାର ପାଇଁ ବିଭିନ୍ନ ସଭା ମାଧ୍ୟମରେ ଦୃଢ଼ ଦାବି ମଧ୍ୟ ଉପସ୍ଥାପିତ କରୁଥିଲେ । କୃଷି ପାଇଁ ପ୍ରଥମ ଏବଂ ପ୍ରଧାନ ଆବଶ୍ୟକତା ହେଉଛି ‘ଜଳ’ । ଜମିରେ ଯଥେଷ୍ଟ ପରିମାଣରେ ଜଳ ଯୋଗାଇବା ସହିତ ବନ୍ୟା ଓ ଦୁର୍ଭିକ୍ଷ କବଳରୁ ସୁରକ୍ଷା ପାଇଁ ମଧୁସୂଦନ କେନାଲର ସୁନିର୍ଦ୍ଦିଷ୍ଟ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ । ‘‘ତିରୋଟ ସମୟରେ ଜମିକୁ ଜଳ ଯୋଗାଇବା ଏବଂ ବନ୍ୟା ଓ ଦୁର୍ଭିକ୍ଷର ପ୍ରତିକାର ଉଦ୍ଦେଶ୍ୟରେ କେନାଲ ବ୍ୟବସ୍ଥାର ସମ୍ପ୍ରସାରଣ ଉପରେ ବିଶେଷ ଗୁରୁତ୍ୱାରୋପ କରୁଥିଲେ । ଉତ୍କଳ ସଭା ମାଧ୍ୟମରେ ସେ ଏଥିପାଇଁ ସରକାରଙ୍କଠାରେ ବାରମ୍ବାର ଦାବି ଉପସ୍ଥାପନ କରିଥିଲେ । ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ସେ ସରକାରଙ୍କଠାରେ ଦୃଢ଼ ଯୁକ୍ତି ବାଢ଼ିଥିଲେ ।’’ (୧୮) ଓଡ଼ିଶାରେ କୃଷିର ସଫଳତା ନିର୍ଭର କରେ ପ୍ରକୃତିର ଉଦାରତା ଏବଂ ମୌସୁମୀ ବାୟୁର ଅନୁକୂଳତା ଉପରେ । ତେଣୁ କୃଷିର ଏହି ଅନିଶ୍ଚିତତାକୁ ନିୟନ୍ତ୍ରଣ କରିବାରେ ଏକମାତ୍ର ଉପାୟ ହେଉଛି ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ-। ସେଥିପାଇଁ ମଧୁସୂଦନ ଓଡ଼ିଶାର ପର୍ଯ୍ୟାପ୍ତ ଜଳସମ୍ପଦର ଉପଯୁକ୍ତ ବିନିଯୋଗ ଉପରେ ପ୍ରାଧାନ୍ୟ ଦେଇଥିଲେ । ଓଡ଼ିଶାର ବଡ଼ ବଡ଼ ନଦୀରେ ଆନିକଟ ନିର୍ମାଣପୂର୍ବକ ବନ୍ୟାଜଳର ସୁନିୟନ୍ତ୍ରଣ ଦ୍ଵାରା ହିଁ କୃଷିର ଉନ୍ନତି ସମ୍ଭବପର ହୋଇପାରିବ ବୋଲି ସେ ମତପୋଷଣ କରିଥିଲେ । ଏହିପରି ଭାବରେ ଅବହେଳିତ କୃଷିକ୍ଷେତ୍ରର ଉନ୍ନତି ପରିକଳ୍ପେ ମଧୁସୂଦନ ଚିନ୍ତା ପ୍ରକାଶ କରୁଥିଲେ ।

 

ଏତଦ୍‌ ବ୍ୟତୀତ କୃଷିକୁ କେବଳ ଧାନ ଚାଷ ମଧ୍ୟରେ ଆବଦ୍ଧିତ ନରଖି ଜମିରେ ଏକାଧିକ ଅର୍ଥକାରୀ ଫସଲର ଉତ୍ପାଦନ ପାଇଁ ମଧୁସୂଦନ କୃଷକମାନଙ୍କୁ ଉଦ୍‌ବୋଧିତ କରୁଥିଲେ । ବିଭିନ୍ନ କୃଷକ ସଭା ଓ ପ୍ରଜା ସମିତି ମାଧ୍ୟମରେ ଏ ସଂପର୍କରେ ଚାଷୀମାନଙ୍କୁ ଅବଗତ କରାଇ କୃଷିର ଉନ୍ନତି ପାଇଁ ପ୍ରବର୍ତ୍ତାଇ ଥିଲେ । ‘‘କୃଷିର ଉତ୍ପାଦନ ବଢ଼ିଲେ ହିଁ କୃଷକର ଦାରିଦ୍ର୍ୟ ଘୁଞ୍ଚିବ । ସାଧାରଣ ଚାଷୀ ଜମିରୁ ଗୋଟିଏ ମାତ୍ର ଫସଲ ଉତ୍ପାଦନ କରି ଅନ୍ୟ ସମୟରେ ନିଷ୍କର୍ମା ହୋଇ ବସିରହେ । ତେଣୁ ମଧୁସୂଦନ କୃଷକ ସଭା ଓ ପ୍ରଜାସମିତିମାନଙ୍କରେ ଜମିରୁ ଏକାଧିକ ଫସଲ ଉତ୍ପନ୍ନ କରିବା ପାଇଁ ଆଖୁ, ତୈଳବୀଜ, ଝୋଟ ଓ ଧୂଆଁପତ୍ର ଆଦି ଅର୍ଥକାରୀ ଫସଲ ଚାଷ ଉପରେ ଜୋର୍‌ ଦେବା ପାଇଁ ଉଦ୍‌ବୋଧନ ଦେଇଥିଲେ । ଉନ୍ନତ କୃଷିପ୍ରଣାଳୀ ଅବଲମ୍ବନ କରି ଜମିର ଉତ୍ପାଦିକା ଶକ୍ତି ବଢ଼ାଇବା ପାଇଁ ସେ କୃଷକମାନଙ୍କୁ ପରାମର୍ଶ ଦେଉଥିଲେ । ପ୍ରାଥମିକ ବିଦ୍ୟାଳୟର ପାଠ୍ୟକ୍ରମରେ କୃଷିକୁ ସ୍ଥାନ ଦେବା ପାଇଁ ମଧ୍ୟ ସେ ବ୍ୟବସ୍ଥାପକ ସଭାରେ ଯୁକ୍ତି ବାଢ଼ୁଥିଲେ ।’’ (୧୯) କୃଷି ଓ କୃଷି କ୍ଷେତ୍ରର ବିକାଶ ପାଇଁ ମଧୁସୂଦନ ଯେପରି ଚିନ୍ତିତ ଥିଲେ ସେହିପରି କୃଷକର ଅଧିକାର ସାବ୍ୟସ୍ତ ପାଇଁ ସେ ପ୍ରୟାସ କରିଥିଲେ । ସେଥିପାଇଁ ଦେଶରୁ ଜମିଦାରୀ ପ୍ରଥାର ବିଲୋପ କରିବା ଲାଗି ସେ ଆହ୍ଵାନ ଜଣାଇଥିଲେ । ସେ ସ୍ପଷ୍ଟ ରୂପେ ଅନୁଭବ କରିଥିଲେ ଯେ ଜମି ଉପରେ ଚାଷୀର ମାଲିକାନାକୁ ଦୃଢ଼ କରିବା ପାଇଁ ଜମିଦାରୀ ପ୍ରଥାର ଉଚ୍ଛେଦ ହିଁ ଏକମାତ୍ର ମାଧ୍ୟମ । ‘‘ବଙ୍ଗଳା କାଉନ୍‌ସିଲରେ ଏଣେ ଓଡ଼ିଶା ଟେନାସୀ ବିଲ୍‌ ଆଲୋଚିତ ହେଉଥିବା ସମୟରେ ଓଡ଼ିଶାର କୃଷକମାନଙ୍କ ତରଫରୁ ବଙ୍ଗଳାର ଲେଫ୍‌ଟାଣ୍ଟ ଗଭର୍ଣ୍ଣର ସାର୍‌ ଉଇଲିଅମ ଡିଉକ୍‌ଙ୍କ ପାଖରେ ଏକ ସ୍କାରକପତ୍ର ଦାଖଲ କରି ମଧୁସୂଦନ ତହିଁରେ ଓଡ଼ିଶାରେ ଜମିଦାରୀ ପ୍ରଥାର ଅଭ୍ୟୁଦୟ ସମ୍ବନ୍ଧରେ ବିଶେଷ ଆଲୋଚନା କରିଥିଲେ । ତହିଁରେ ସେ ନାନାଦି ପ୍ରମାଣ ଓ ଯୁକ୍ତି ଉପସ୍ଥାପିତ କରି ନିଃସନ୍ଦେହ ଭାବରେ ପ୍ରମାଣିତ କରିଦେଇଥିଲେ ଯେ, ମୋଗଲ ରାଜାମାନଙ୍କ ଶାସନ କାଳରେ ହିଁ ଓଡ଼ିଶାରେ ପ୍ରଥମେ ଏହି ପ୍ରଥାର ପ୍ରଚଳନ ହେଲା । ଏହା ମୂଳତଃ ମୋଗଲ ଶାସକମାନଙ୍କର ସୃଷ୍ଟ ଥିଲା ଏବଂ ସେମାନଙ୍କ ପୂର୍ବରୁ ସାରା ଭାରତ ବର୍ଷରେ ଏ ପ୍ରଥାର ପ୍ରଚଳନ ଆଦୌ ଦେଖିବାକୁ ମିଳି ନଥିଲା । ଏ ଦେଶରେ ଯୁଗେ ଯୁଗେ କୃଷି ଉପଯୋଗୀ ଭୂମି ଉପରେ କୃଷକର ପୂର୍ଣ୍ଣ ଦାବି ଓ ଅଧିକାର ଅବିସମ୍ବାଦି ସତ୍ୟରୂପେ ଗୃହୀତ ହୋଇଆସିଅଛି ଏବଂ କୃଷକ ତାହାର ଏହି ଭୂମି ଲାଗି ରାଜା ବା ଶାସକଙ୍କୁ ନିୟମିତ ଭାବରେ କର ଦେଉଥିବା ପର୍ଯ୍ୟନ୍ତ ତାହାର ଏହି ସ୍ୱାର୍ଥରେ କେବେହେଲେ ବାଧା ସୃଷ୍ଟି ହେଉ ନଥିଲା । ଏ ସମ୍ବନ୍ଧରେ ମଧୁସୂଦନ ଆମ ଦେଶର ପ୍ରାଚୀନ ସ୍ମୃତି ଶାସ୍ତ୍ରରୁ ଗୋଟିଏ ପଂଙ୍‌କ୍ତି ଉଦ୍ଧାର କରିଥିଲେ । ତାହା ହେଲା- “ସ୍ଥାଣୁଚ୍ଛେଦସ୍ୟ କେଦାରମାହୁ ଶଲ୍ୟବତୋ ମୃଗଃ × × × ଏହାର ଅର୍ଥ, ଶିକାର ଉପରେ ଶିକାରୀର ଅଧିକାର ଯେପରି ଅବିସମ୍ବାଦିତ, ସେହିପରି କୃଷକ ଯେଉଁ କୃଷିକ୍ଷେତ୍ରକୁ କର୍ଷଣ କରି ଫସଲ ଉପୁଜାଇଥାଏ ସେହି କ୍ଷେତ୍ର ଓ ସେଥିରେ ଉତ୍ପାଦିତ ହୋଇଥିବା ଶସ୍ୟ ଉପରେ ତାର ଅଧିକାର ମଧ୍ୟ ନିଶ୍ଚିତ ଓ ଅବିସମ୍ବାଦିତ ।’’ (୨୦) ଇଂରେଜ ସରକାରଙ୍କ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଚଳନ ଦ୍ଵାରା କୃଷକ ନିଜ ଜମି ଉପରେ ଥିବା ଅଧିକାରକୁ ହରାଇ ବସିଥିଲେ । ଜମିକୁ ନିଜର ସୁବିଧା ଅନୁସାରେ ବ୍ୟବହାର କରିବା ସେମାନଙ୍କ ପକ୍ଷରେ ଆଉ ସମ୍ଭବପର ହୋଇ ନଥିଲା । ଓଡ଼ିଶାର ଦରିଦ୍ର ଚାଷୀକୁଳଠାରୁ ଜମିର ଖର୍ଦ୍ଦି ଓ ବିକ୍ରି କରିବାର କ୍ଷମତାକୁ କାଢ଼ିନିଆ ଯାଇଥିଲା । ୧୯୧୧ ମସିହାରେ ବିଧାନସଭାରେ ‘ଓଡ଼ିଶା ଟେନାସୀବିଲ୍‌ଟି ଗୃହୀତ ହେବାପରେ ଓଡ଼ିଆ କୃଷକ ବା ରୟତମାନେ ତଳିତଳାନ୍ତ ହୋଇଯାଇଥିଲେ । ତେଣୁ ଏହି ପ୍ରକାର କୃଷକ ମାରଣାତ୍ମକ ବିଲ୍‌ ବିରୁଦ୍ଧରେ ମଧୁସୂଦନ ସ୍ଵର ଉତ୍ତୋଳିତ କରିଥିଲେ ଏବଂ ଷ୍ଟେଟସ୍‌ମାନ ପତ୍ରିକାରେ ନିଜସ୍ଵ ଅଭିମତକୁ ପ୍ରକାଶ କରିଥିଲେ । ‘‘ବଙ୍ଗଳା ଡିଭିଜନର ଅର୍ଥନୈତିକ ଓ କୃଷି ସମ୍ପର୍କୀୟ ଇତିହାସରେ ଓଡ଼ିଶାର ସ୍ଥାନ ହେଉଛି ସବୁଠାରୁ ସ୍ଵତନ୍ତ୍ର । ଏଠାରେ ପରିସ୍ଥିତି ସାର ବଙ୍ଗଳା ଡିଭିଜନର ପରିସ୍ଥିତିଠାରୁ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର । ବଙ୍ଗଳାର ନିଜସ୍ଵ ରୟତି ଆଇନ ଖୋଦ୍‌ ବଙ୍ଗଦେଶରେ ପ୍ରଚଳିତ ହେବାରେ ଅନୁପଯୁକ୍ତ ବୋଲି ବିବେଚିତ ହୋଇଥିଲେ ମଧ୍ୟ ଆଶ୍ଚର୍ଯ୍ୟର ବିଷୟ ସେହି ଆଇନର ଅନୁକରଣରେ ଓଡ଼ିଶାର ଭୂ-ରାଜସ୍ଵ ଆଇନ ଗଢ଼ା ଯାଇଥିଲା । ତେଣୁ ଏହା ନିତାନ୍ତ ପରିଷ୍କାର କଥା ଯେ ଏପରି ଏକ ଦୋଷଦୃଷ୍ଟ ବାହାରିଆ ଆଇନ ଓଡ଼ିଶାରେ ପ୍ରୟୋଗ କରାଗଲେ, କୃଷି ସମ୍ପର୍କୀୟ ବ୍ୟାପାରମାନଙ୍କରେ ପୂର୍ବରୁ ଯେଉଁ ସମସ୍ତ ଯୋଗ ସମ୍ପର୍କ ବା ରୀତିନୀତି ରହି ଆସିଛନ୍ତି, ସେ ସବୁ ବିଗିଡ଼ି ଯିବ ଓ ଏକ ବିରାଟ ବିଶୃଙ୍ଖଳାର ସୃଷ୍ଟି ହେବ । ତେଣୁ ଗୋଟାଏ ବେନିୟମ କାମକୁ ନିୟମାନୁମୋଦିତ କରିବାକୁ ଚେଷ୍ଟା କରିବା ଯାହା, ଏ ବିଲ୍‌କୁ ଗ୍ରହଣ କରିବା ତାହା ।’’ (୨୧) ବିଭିନ୍ନ ସମ୍ବାଦପତ୍ର ମାଧ୍ୟମରେ ଏବଂ ବଙ୍ଗ କାଉନ୍‌ସିଲ୍‌ରେ ମଧ୍ୟ ମଧୁସୂଦନ ଏହି ବିଲ୍‌ ବିରୋଧରେ ଦୃଢ଼ ଦାବି ଉପସ୍ଥାପିତ କରିଥିଲେ । ଫଳସ୍ୱରୂପ ‘ଓଡ଼ିଶା ରୟତ ଆଇନ ସଂପର୍କିତ ବିଲ୍‌ ସ୍ଥଗିତ ରହିଥିଲା । ମଧୁସୂଦନଙ୍କ ଦୀର୍ଘଦିନର ଉଦ୍ୟମ ଫଳରେ ଓଡ଼ିଶାର ରୟତମାନଙ୍କର ସ୍ଵାର୍ଥରକ୍ଷା ହୋଇପାରିଥିଲା ।

 

କୃଷିକୁ କୃଷକର ହସ୍ତଶିଳ୍ପ ବୋଲି ମଧୁସୂଦନ କହୁଥିଲେ । କୃଷିର ଉନ୍ନତିରେ ହିଁ ଜାତିର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରିବ ବୋଲି ସେ ବିଶ୍ଵାସ କରୁଥିଲେ । ଓଡ଼ିଶା ପରି ଏକ କୃଷି ପ୍ରଧାନ ରାଜ୍ୟ ପାଇଁ ମଧୁସୂଦନଙ୍କ ବିସ୍ତୃତ ଚିନ୍ତାଧାରା ଏବଂ କାର୍ଯ୍ୟାବଳୀ ଦ୍ଵାରା ଚାଷୀକୁଳରେ ତ୍ରାଣକର୍ତ୍ତା ରୂପେ ସେ ପରିଚିତ ହୋଇପାରିଥିଲେ । କୃଷିଭିତ୍ତିକ ଅର୍ଥନୀତି ପ୍ରତିଷ୍ଠା ଦ୍ଵାରା ଉତ୍କଳବାସୀଙ୍କ ଉନ୍ନତି ହୋଇପାରିବ ବୋଲି ମଧୁସୂଦନଙ୍କ ଗଭୀର ବିଶ୍ଵାସ ଥିଲା ।

 

ଶିଳ୍ପର ବିକାଶ

ଉତ୍କୃଷ୍ଟ କଳାର ରାଜ୍ୟ ବୋଲି ନାଁ ତା’ର ଉତ୍କଳ, କିନ୍ତୁ ସମୟର ବକ୍ରଗତି ଫଳରେ ବିଶ୍ଵପ୍ରସିଦ୍ଧ ଏହି କଳାର ଜାତି ଭୂଲୁଣ୍ଠିତ ହୋଇପଡ଼ିଥିଲା । ଓଡ଼ିଆ ଜାତିର ଏହିପରି ଦୁର୍ଦ୍ଦିନରେ ଆବିର୍ଭାବ ଘଟିଥିଲା ମହାନାୟକ ମଧୁସୂଦନଙ୍କର । ଏକ ସମୃଦ୍ଧ ଉତ୍କଳ ଗଠନ ପାଇଁ ବାସ୍ତବିକ୍‌ ତାଙ୍କ ଉଦ୍ୟମ ଥିଲା ଅପରିମିତ ଓ ଅପ୍ରତିହତ । ସେ ଭଲ ଭାବରେ ହୃଦୟଙ୍ଗମ କରିଥିଲେ ଯେ ଉତ୍କଳରେ ଲାଗି ରହିଥିବା ଦାରିଦ୍ର୍ୟର ଦୂରୀକରଣ ପାଇଁ ଶିଳ୍ପର ଭୂୟୋସୀ ବିକାଶର ଆବଶ୍ୟକତା ରହିଛି । ତାଙ୍କର ଗଭୀର ଭାବରେ ବିଶ୍ଵାସ ଥିଲା ଯେ ଶିଳ୍ପର ଉନ୍ନତି ବିନା ରାଜ୍ୟର ପ୍ରଗତି ସମ୍ଭବପର ନୁହେଁ । ମଧୁସୂଦନ ଭଲ ଭାବରେ ଜାଣିଥିଲେ ଯେ ଓଡ଼ିଶା ବିଭିନ୍ନ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ । ଓଡ଼ିଶାର ଖଣିଜ ସଂପଦ, ବନ୍ୟସଂପଦ, ଜଳ ସଂପଦ ଏବଂ ଅନ୍ୟାନ୍ୟ ପ୍ରାକୃତିକ ସଂପଦର ଯଦି ଉପଯୁକ୍ତ ବିନିଯୋଗ ହୋଇପାରନ୍ତା ତେବେ ଓଡ଼ିଶାର ପ୍ରଗତି ସମ୍ଭବପର ହୁଅନ୍ତା । ସେ ବିଶ୍ଵାସ କରୁଥିଲେ ଯେ ଓଡ଼ିଆମାନେ ଦରିଦ୍ର ହୋଇପାରନ୍ତି କିନ୍ତୁ ଓଡ଼ିଶା ନୁହେଁ । ସେଥିପାଇଁ ସେ ଓଡ଼ିଶାର ପ୍ରାକୃତିକ ସଂପଦଗୁଡ଼ିକର ସଦୁପଯୋଗ କରିବା ପାଇଁ ଶିଳ୍ପର ବିକାଶ ପ୍ରତି ପ୍ରାଧାନ୍ୟ ଦେଇଥିଲେ । ବିଶେଷତଃ ଓଡ଼ିଶାର ପାରଂପରିକ ଶିଳ୍ପର ପୁନର୍ବିନ୍ୟାସ ପାଇଁ ସେ ଚେଷ୍ଟା କରିଥିଲେ । ଓଡ଼ିଶାର ଅର୍ଥନୀତିକୁ ଲକ୍ଷ୍ୟରେ ରଖି ସେ କୁଟୀର ଶିଳ୍ପର ଉତ୍‌ଥାନ ପାଇଁ ପ୍ରୟାସ କରିଥିଲେ । ଯାହାର ଫଳସ୍ୱରୂପ ଦେଶ, ବିଦେଶରେ ଓଡ଼ିଆ ପୁଅର ଖ୍ୟାତି ଓ କଳା କୃତିର ଆଦର ବଢ଼ିଯାଇଥିଲା । ‘‘ଶିଳ୍ପ ପ୍ରେମିକ ମଧୁସୂଦନ ସ୍ୱଦେଶ ଶିଳ୍ପ ସଂଗଠନ ପାଇଁ ପ୍ରଥମରୁ ମନ ଦେଇଥିଲେ । ଏପରିକି ସେ ଦେଶମିଶ୍ରଣ ବାଣୀରେ ଦେଶକୁ ଉଦବୋଧନ କରିବା ପୂର୍ବରୁ କଟକର ତାରକସି କାମ ଓ ଚର୍ମ ଶିଳ୍ପର ଉନ୍ନତି ପାଇଁ ଉଦ୍ୟମ କରିଥିଲେ କାରଣ ସେ ଉତ୍ତମ ରୂପେ ଜାଣିଥିଲେ ଯେ ଜାତି କେବଳ ସ୍ପନ୍ଦନରେ ବଞ୍ଚେ ନାହିଁ । ଏଥିପାଇଁ ସେ ଜାତିର ଛିନ୍ନ ବିଚ୍ଛିନ୍ନ ଅଙ୍ଗର ଏକତ୍ରୀକରଣ କରିବା ପାଇଁ ଆନ୍ଦୋଳନ କରିବା ସଂଗେ ସଂଗେ ଦେଶର ଅର୍ଥନୀତିକ ସଂଗଠନ ପାଇଁ ଅଣ୍ଟା ଭିଡ଼ିଥିଲେ ।” (୨୨) ମଧୁସୂଦନଙ୍କ ଦୃଢ଼ ଚିନ୍ତାଧାରାର ଫଳଶ୍ରୁତି ସ୍ୱରୂପ ଓଡ଼ିଶାର କୁଟୀର ଶିଳ୍ପର ପୁନରୁଦ୍ଧାର ହୋଇପାରିଥିଲା । ସଂପୂର୍ଣ୍ଣରୂପେ ନିଜସ୍ଵ ଚେଷ୍ଟା ଏବଂ ସମ୍ବଳର ପୂର୍ଣ୍ଣ ବିନିଯୋଗ କରିବା ଦ୍ଵାରା ତାରକସି ଶିଳ୍ପ, ଚମଡ଼ାଶିଳ୍ପ, ଶିଙ୍ଗଶିଳ୍ପ, ହସ୍ତତନ୍ତ ଶିଳ୍ପର ବିକାଶ ସାଧିତ କରିପାରିଥିଲେ । ମଧୁସୂଦନ ସ୍ଵଦେଶୀ ଶିଳ୍ପର ଭୂୟୋସୀ ଉନ୍ନତି ଏବଂ ସଂଗଠନ ପାଇଁ ବହୁ ଚେଷ୍ଟା କରିଥିଲେ । ୧୮୯୭ ମସିହାରେ ଓଡ଼ିଶା ସୂକ୍ଷ୍ମକଳା- କାରଖାନାର ପ୍ରତିଷ୍ଠା, ୧୯୦୫ ମସିହାରେ ‘ଉତ୍କଳ ଟ୍ୟାନେରୀ’ର ସ୍ଥାପନ ଏବଂ ଜାତୀୟ ମଞ୍ଚ ‘ଉତ୍କଳ ସମ୍ମିଳନୀ’ ମାଧ୍ୟମରେ ଶିଳ୍ପର ବିକାଶ ପାଇଁ ଯଥାଯଥ ଉଦ୍ୟମ ସେ କରିଥିଲେ କାରଣ ସେ ଭଲ ଭାବରେ ଜାଣିଥିଲେ ଯେ ସ୍ଵତନ୍ତ୍ର ପ୍ରଦେଶ ଗଠନ ପାଇଁ ଯେଉଁ ପର୍ଯ୍ୟାପ୍ତ ରାଜସ୍ଵର ଆବଶ୍ୟକତା ରହିଛି, ତାହା କେବଳ ଶିଳ୍ପର ବିକାଶରେ ହିଁ ପରିପୂରଣ ହୋଇପାରିବ, ସେଥିପାଇଁ ଓଡ଼ିଶାରେ ଶିଳ୍ପ ବିକାଶ ଉପରେ ଗୁରୁତ୍ୱାରୋପ କରି ବହୁ କାର୍ଯ୍ୟ କରିଯାଇଥିଲେ ।

 

କୁଟୀର ଶିଳ୍ପ

ଓଡ଼ିଶାର ଅର୍ଥନୈତିକ ଅବସ୍ଥାକୁ ଦୃଷ୍ଟିରେ ରଖି ମଧୁସୂଦନ ଓଡ଼ିଶାର ପାରଂପରିକ କୁଟୀର ଶିଳ୍ପର ପ୍ରତିଷ୍ଠା ଓ ପ୍ରଗତି ପାଇଁ ଗଭୀର ଚେଷ୍ଟା କରିଥିଲେ । ଓଡ଼ିଶାରେ ଶିଳ୍ପର ବିକାଶ ପାଇ ତାଙ୍କ ଦୃଢ଼ ଚିନ୍ତାଧାରାକୁ ସେ ପ୍ରତିଷ୍ଠିତ କରିଥିଲେ ତାରକସି ଶିଳ୍ପ (କଳିଙ୍ଗ ପିଲିଗ୍ରି ଓ୍ୱାର୍କସ), ଚମଡ଼ା ଶିଳ୍ପ (କଳିଙ୍ଗ ଶିଳ୍ପ ଟ୍ୟାନେରୀ), ଶିଙ୍ଗଶିଳ୍ପ ହସ୍ତ ତନ୍ତ ଶିଳ୍ପ ପ୍ରଭୃତି କୁଟୀର ଶିଳ୍ପର ପ୍ରତିଷ୍ଠାନ ମାଧ୍ୟମରେ । ଅତୀତରେ କୁଟୀର ଶିଳ୍ପନ ପାଇଁ ପ୍ରସିଦ୍ଧ ଲାଭ କରିପାରିଥିଲା ଉତ୍କଳ । ଏଠାରେ ନିର୍ମିତ ଝିନବସ୍ତ୍ର, ତାରକସି କାମ, ଶିଙ୍ଗ ଏବଂ ହାତୀଦାନ୍ତର କାରୁକାର୍ଯ୍ୟ କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଯଥେଷ୍ଟ ପ୍ରସିଦ୍ଧି ଲାଭ କରିପାରିଥିଲା, କିନ୍ତୁ କ୍ରମେ ଯତ୍ନର ଅଭାବ ଯୋଗୁଁ ଉକ୍ତ ଶିଳ୍ପଗୁଡ଼ିକର ଅବକ୍ଷୟ ହୋଇଥିଲା । ସେଥିପାଇଁ ଇତିହାସ ପ୍ରସିଦ୍ଧ ଏହି ଜାତିର କଳାଶିଳ୍ପର ପୁନରୁଦ୍ଧାର ପାଇଁ ଏବଂ ଓଡ଼ିଆମାନଙ୍କର ଅର୍ଥନୈତିକ ମାନର ଉନ୍ନତି ପରିକଳ୍ପେ ମଧୁସୂଦନ ଦୃଢ଼ ପ୍ରୟାସ କରିଥିଲେ । ପ୍ରଥମେ ସେ ‘ତାରକସି’ କାମର ଉନ୍ନତି ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ସଂପୂର୍ଣ୍ଣ ରୂପେ ନିଜସ୍ଵ ସମ୍ବଳ ବିନିଯୋଗରେ ସେ “ଓଡ଼ିଶା ସୂକ୍ଷ୍ମ କଳକାରଖାନା’ର ଶୁଭାରମ୍ଭ କରିଥିଲେ । କଟକରେ ପ୍ରତିଷ୍ଠିତ ଏହି କାରଖାନାରେ ପାରମ୍ଫପରିକ ବଣିଆମାନଙ୍କୁ ନେଇ ନୂତନ ବୈଜ୍ଞାନିକ କୌଶଳ ମାଧ୍ୟମରେ ସେ ଏହି କଳାଶିଳ୍ପର ଉନ୍ନତି ପାଇଁ ଚେଷ୍ଟା କରିଥିଲେ । କାରିଗରମାନଙ୍କୁ ସୂକ୍ଷ୍ମ କଳାଶିଳ୍ପର ନିର୍ମାଣ କରିବା କୌଶଳ ଶିକ୍ଷା ଦେବା ପାଇଁ ସେ ଏହି କାରଖାନାର, ନିର୍ମାଣ କରିଥିଲେ । ‘‘୧୮୯୭ ମସିହାରେ ସେ କଟକ ସହରର ପ୍ରସିଦ୍ଧ ତାରକସି କାମରେ ଉନ୍ନତି ଏବଂ ସଂଗଠନ ପାଇଁ ଓଡ଼ିଶା ସୂକ୍ଷ୍ମକଳା କାରଖାନା (Orissa Art Wares) ନିଜର ମୂଳଧନରେ ପ୍ରଥମେ କଟକରେ ଆରମ୍ଭ କରିଥିଲେ । କଟକର ବଣିଆମାନଙ୍କୁ ବୈଜ୍ଞାନିକ ଶିକ୍ଷା ଓ କଳକବ୍‌ଜା ଯୋଗାଇ ସେ ଏହି ସୂକ୍ଷ୍ମକଳାର ଉନ୍ନତି ପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କରିଥିଲେ । ତାହାଙ୍କ ମିଶନରୋଡ଼ ଘର ହତାରେ ଏହି କାରଖାନା ସ୍ଥାପନ କରାଯାଇଥିଲା ଏବଂ ପ୍ରାୟ ଏକଶହ ପଚାଶ ଜଣ ଶିଳ୍ପୀ ପ୍ରତ୍ୟେହ ଏହି ଓଡ଼ିଶା ସୂକ୍ଷ୍ମକଳା କାରଖାନାରେ କାମ କରୁଥିଲେ-। ମଧୁସୂଦନ କଟକରେ ଏତେଗୁଡ଼ିଏ ଶିଳ୍ପୀଙ୍କୁ କାମ ଯୋଗାଇ ଖୋରାକ ଦେଇଥିଲେ ଏବଂ ତାହା ସହିତ କଟକର ଏକ ପ୍ରାଚୀନ ଓ ପ୍ରସିଦ୍ଧ ଶିଳ୍ପକୁ ମୃତ୍ୟୁ ମୁଖରୁ ରକ୍ଷା କରି ପାରିଥିବାରୁ ଆଜି କଟକର ତାରକସି କାମ ପୃଥିବୀ ବିଖ୍ୟାତ ହୋଇପାରିଛି । ମଧୁସୂଦନ ବିଶ୍ୱାସ କରୁଥିଲେ ଯେ, ପୃଥିବୀର ପ୍ରତ୍ୟେକ ଜାତିର କୌଣସି ବିଶିଷ୍ଟ ଗୁଣ ବା ଦକ୍ଷତା ଥାଏ । ସେହି ଜାତି ସେହି ବିଶିଷ୍ଟ ଦକ୍ଷତା ଯୋଗୁଁ ପୃଥିବୀରେ ପ୍ରସିଦ୍ଧ ଲାଭ କରେ । ତେଣୁ ସେ ଅନୁଭବ କରୁଥିଲେ ଯେ, ଓଡ଼ିଆ ଜାତି ବିନ୍ଧାଣୀ ଜାତି, ପୁରୀ, ଭୁବନେଶ୍ୱର, କୋଣାର୍କର ସୂକ୍ଷ୍ମ କାରୁକଳା ଓ କଟକରେ ବଣିଆମାନଙ୍କ ହାତ କାମ ତାହାଙ୍କୁ ଏହି ଆଦର୍ଶରେ ଅନୁପ୍ରାଣିତ କରିଥିଲା ।’’ (୨୩)

 

କଳା ନିପୁଣ ଜାତିର ଅପୂର୍ବ କଳା ପାରଦର୍ଶିତା ମଧୁସୂଦନଙ୍କୁ ଅଭିଭୁତ କରିପାରିଥିଲା । ଏତତ୍‌ ସହିତ ଜାତିର ଉତ୍‌ଥାନ ତାଙ୍କ ଆତ୍ମାକୁ ଗଭୀର ଭାବରେ ଆନ୍ଦୋଳିତ କରିଦେଇଥିଲା । ଯାହାର ପରିଣାମ ସ୍ଵରୂପ ସେ ସ୍ଵଦେଶୀ ଶିଳ୍ପ ଉନ୍ନତିର ପରିକଳ୍ପନା କରିଥିଲେ, ଏବଂ ପ୍ରଥମେ ତାରକସି ଶିଳ୍ପର ପୁନରୁଦ୍ଧାର କରିବା ସହିତ ଏହାକୁ ଦେଶ, ବିଦେଶରେ ଆଦୃତ କରାଇପାରିଥିଲେ-। ତାରକସି କାମ ସହିତ ମଧୁସୂଦନଙ୍କ ଅନନ୍ୟ ଉଦ୍ୟମରେ ଏହି କାରଖାନାରେ ହାତୀଦାନ୍ତ, ଶିଙ୍ଗ, ପିତ୍ତଳ, କାଠ, ପଥର ଓ ଶଙ୍ଖର ବିଭିନ୍ନ କାରୁକାର୍ଯ୍ୟପୂର୍ଣ୍ଣ ସୌଖୀନ ଦ୍ରବ୍ୟ ମଧ୍ୟ ତିଆରି କରାଯାଉଥିଲା । ଏଠାରେ ନିର୍ମିତ ବିଭିନ୍ନ ଦ୍ରବ୍ୟଗୁଡ଼ିକ ଉତ୍କଳୀୟ ଚାରୁ ଶିଳ୍ପକଳାର ବହୁ ଖ୍ୟାତି ବଢ଼ାଇ ପାରିଥିଲା । ତତ୍‌କାଳୀନ ବିଭିନ୍ନ ରାଜା, ମହାରାଜା, ଜମିଦାର, ଉଚ୍ଚ କର୍ମଚାରୀବୃନ୍ଦଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଏବଂ ବିଦେଶୀମାନଙ୍କୁ ଏହି କଳା କୁଶଳତା ଆକୃଷ୍ଟ କରିପାରିଥିଲା-। କାରଖାନା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟଗୁଡ଼ିକର ବ୍ୟବହାର ସେମାନେ କରୁଥିଲେ । ମଧୁସୂଦନଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଉକ୍ତ କାରଖାନାର ଅପୂର୍ବ କାରିଗରୀ କୌଶଳ ସଂପର୍କରେ ପ୍ରଶଂସାର ଶତମୁଖ ହୋଇ ତତ୍‌କାଳୀନ କଟକ ଗେଜେଟିୟରରେ ପ୍ରକାଶିତ ହୋଇଥିଲା ଯେ “ଓଡ଼ିଶା ସୂକ୍ଷ୍ମ କଳା କାର୍ଯ୍ୟାଳୟରେ ଅତି ସୁନ୍ଦର ପଦାର୍ଥ ପ୍ରସ୍ତୁତ ହୋଇଅଛି ଏବଂ ମିଷ୍ଟର ‘‘ଏମ୍‌,ଏସ. ଦାସ. ସି.ଆ.ଇ. ତାହାର ମାଲିକ ଅଟନ୍ତି । ତାହାଙ୍କ ଯତ୍ନରେ ଆଧୁନିକ ଧରଣର କଳ ଅଣାଯାଇ ଦେଶୀୟ ଶିଳ୍ପୀଙ୍କ ବଂଶାନୁଗତ ଶିକ୍ଷା ଓ କୌଶଳକୁ ସାହାଯ୍ୟ କରାଯାଇଅଛି ।’’ (୨୪)

 

ଓଡ଼ିଶାରେ ଶିଳ୍ପ ବିକାଶ ନିମିତ୍ତ ମଧୁବାବୁ କୁଟୀର ଶିଳ୍ପପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ତାରକସି ଶିଳ୍ପ କାରଖାନାର ପ୍ରତିଷ୍ଠା କରି ସେ ଅଶେଷ ସଫଳତା ଲାଭ କରିଥିଲେ ଏବଂ ଦେଶ ବିଦେଶରେ ଓଡ଼ିଆ ପୁଅର କାରିଗରୀ କୌଶଳର ଅନେକ ଖ୍ୟାତି ଆଣିପାରିଥିଲେ । ମାତ୍ର ଏହି ସୂକ୍ଷ୍ମ କଳାଶିଳ୍ପର ଉତ୍କର୍ଷ ପ୍ରତିଷ୍ଠାର ଉଦ୍ୟମ ତାଙ୍କୁ ଋଣଗ୍ରସ୍ତ କରାଇ ଦେଇଥିଲା, ତଥାପି ତାଙ୍କ ଅପରିମିତ ଚେଷ୍ଟାର ତୁଳନା ନଥିଲା । ପ୍ରାୟତଃ ୧୯୨୧ ପର୍ଯ୍ୟନ୍ତ କାରଖାନାଟି ସୁରୁଖୁରୁରେ ଚାଲିବା ପରେ ମଧୁବାବୁ କ୍ରମଶଃ ଚମଡ଼ା ଶିଳ୍ପପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ଫଳସ୍ୱରୂପ ଏହି କାରଖାନାଟିର ପତନ ଘଟିଥିଲା । ତଥାପି ମଧୁସୂଦନଙ୍କ ପ୍ରଥମ ଉଦ୍ୟମର ପରିଣତ ସ୍ୱରୂପ ଆଜି ଓଡ଼ିଶାର ଏହି ସୂକ୍ଷ୍ମକଳା ଶିଳ୍ପ ନିଜର ସ୍ଥିତିକୁ ବଜାୟ ରଖିବାରେ ସମର୍ଥ ହୋଇପାରିଛି ।

 

ଚମଡ଼ା ଶିଳ୍ପ

ଓଡ଼ିଆ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ମଧୁବାବୁଙ୍କ ଅପରିମିତ ଚେଷ୍ଟାର ଅନନ୍ୟ ପଳଶ୍ରୁତି ରୂପେ ‘ଉତ୍କଳ ଟ୍ୟାନେରୀ’ ନାମକ ଚମଡ଼ାଶିଳ୍ପର ଅଭ୍ୟୁଦୟ ହୋଇପାରିଥିଲା । ୧୯୦୫ ମସିହାରେ କଟକଠାରେ ଏହି କାରଖାନା ସ୍ଥାପିତ ହୋଇଥିଲା । ଉକ୍ତ କାରଖାନାରେ ପ୍ରସ୍ତୁତ ଜୋତା ସମଗ୍ର ଭାରତବର୍ଷ ସହିତ ଇଉରୋପ ଓ ଏସିଆର ଉନ୍ନତ ରାଷ୍ଟ୍ରମାନଙ୍କରେ ବିଶେଷ ଭାବରେ ପ୍ରସିଦ୍ଧି ଲାଭ କରିପାରିଥିଲା । କେବଳ ଜୋତା ନୁହେଁ ବରଂ ଚମଡ଼ା ନିର୍ମିତ ସୁଟକେସ୍, ଟ୍ରଙ୍କ ବ୍ୟାଗ ମଧ୍ୟ ଏହି କାରଖାନାରେ ପ୍ରସ୍ତୁତ ହେଉଥିଲା । ଭାରତୀୟ ଡାକ ତାର ବିଭାଗ ଏବଂ ବଂଗଳା ସରକାରଙ୍କ ପୁଲିସ ବିଭାଗକୁ ମଧ୍ୟ ଉକ୍ତ କାରଖାନା ବିଭିନ୍ନ ସାମଗ୍ରୀ ଯୋଗାଇ ଉଚ୍ଚ ପ୍ରଶଂସିତ ହୋଇପାରିଥିଲା । ମଧୁସୂଦନଙ୍କ ନିଷ୍ଠା ଏବଂ ତ୍ୟାଗର ପରିଣତି ସ୍ୱରୂପ ସ୍ୱଦେଶୀ ଶିଳ୍ପର ଭୂୟାସୀ ବିକାଶ ସାଧିତ ହୋଇପାରିଥିଲା । ବହୁ ଦଳିତ ମୋଚି ସଂପ୍ରଦାୟଙ୍କର ମଧ୍ୟ ଆର୍ଥିକ ଉନ୍ନତି ସାଧିତ ହୋଇପାରିଥିଲା । ‘‘ସମୃଦ୍ଧି ଉତ୍କଳ ଗଠନ ପାଇଁ ମଧୁସୂଦନ ଯେଉଁ ସାଧନା କରିଥିଲେ ତା’ ଭିତରୁ ଉତ୍କଳ ଟ୍ୟାନେରୀ ବା ଓଡ଼ିଶା ଜୋତା କାରଖାନାର ନାମ ବିଶେଷ ଉଲ୍ଲେଯୋଗ୍ୟ । ୧୯୦୫ ଖ୍ରୀଷ୍ଟାବ୍ଦରେ ମଧୁସୂଦନ ଏହି ଜୋତା କାରଖାନା ପ୍ରତିଷ୍ଠା କରିଥିଲେ । କଟକର ଚାଉଳିଆଗଞ୍ଜ ଓ ନୂଆବଜାର ଅଞ୍ଚଳରେ ଏହା ସ୍ଥାପିତ ହୋଇଥିଲା । ଏହି ଜୋତା କାରଖାନା ଥିଲା ଉତ୍କଳର ଏକ ଅଭିନବ ଶିଳ୍ପ ଉଦ୍ୟୋଗ । ଏଥିରେ ପ୍ରତ୍ୟହ ୨୫୦ରୁ ଅଧିକ ଲୋକ କାମ କରୁଥିଲେ । ଏହା ସ୍ଥାପିତ ହେବା ଦ୍ୱାରା ଉତ୍କଳର ବହୁ ବେକାର ମୋଚି ଏବଂ ଅନ୍ୟାନ୍ୟ କାରିଗର ନିଯୁକ୍ତି ପାଇଥିଲେ ।’’ (୨୫)

 

ଶିଳ୍ପ ଉନ୍ନତି କ୍ଷେତ୍ରରେ ମଧୁସୂଦନଙ୍କ ଏକ ଶ୍ରେଷ୍ଠ ଉଦ୍ୟମ ଥିଲା ‘ଉତ୍କଳ ଟ୍ୟାନେରୀ’ କାରଖାନାର ପ୍ରତିଷ୍ଠା । ତତ୍‌କାଳୀନ ସମୟରେ ଓଡ଼ିଶାପରି ଏକ ଅନଗ୍ରସର ଅଞ୍ଚଳରେ ଏପରି ଏକ କାରଖାନା ପ୍ରତିଷ୍ଠାର ଚିନ୍ତାଧାରା ମଧୁସୂଦନଙ୍କ ସୁଦୂରଦର୍ଶିତାର ଯଥାର୍ଥ ପରିଚୟ ଅଟେ । ସଂପୂର୍ଣ୍ଣ ରୂପେ ନିଜସ୍ୱ ଉଦ୍ୟମ ଏବଂ ସଂକଳ୍ପ ଦ୍ୱାରା ନିଜ ଜାତି ପାଇଁ ଏପରି ଏକ ଗୌରବ ଆଣିପାରିବାରେ ସଫଳ ହୋଇଥିଲେ । ‘‘ମଧୁସୂଦନଙ୍କ ଏକକ ଉଦ୍ୟମରେ ଏ କାରଖାନାଟି ଗଢ଼ି ଉଠିଥିଲା । ଇଂ ୧୯୦୬ ସାଲ ବେଳକୁ ଏ କାରଖାନାରେ ପ୍ରସ୍ତୁତ ହେଉଥିବା ଚମଡ଼ା, ବୁଟ୍, ଜୋତା, ସୁଟକେଶ ଓ ବାକ୍ସ ପ୍ରଭୃତି କଲିକତାର ଶିଳ୍ପ ପ୍ରଦର୍ଶନୀରେ ଉଚ୍ଚ ପ୍ରଶଂସିତ ହୋଇ ସେଠାରେ ସ୍ୱର୍ଣ୍ଣପଦକ ଲାଭ କରିପାରିଥିଲା ।’’ (୨୬)

 

ଉତ୍କଳ ଟ୍ୟାନେରୀର ସଫଳତା ପାଇଁ ମଧୁସୂଦନ ଆପ୍ରାଣ ଚେଷ୍ଟା କରିଥିଲେ । ସେ ସର୍ବଦା ଟ୍ୟାନେରୀ ପ୍ରସ୍ତୁତ ଦ୍ରବ୍ୟର ମାନର ଉତ୍କର୍ଷତା ପ୍ରତି ଧ୍ୟାନ ଦେଉଥିଲେ । ଏଥିପାଇଁ ସେ ଅନେକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ନିଜ ମାତୃଭୂମିର ମାନ ମହତର ମର୍ଯ୍ୟାଦା ରକ୍ଷା କରୁଥିଲେ । ‘‘ମଧୁସୂଦନ ସବୁବେଳେ ଇଚ୍ଛା କରୁଥିଲେ ଉତ୍କଳ ଟ୍ୟାନେରୀରୁ ଯେଉଁ ଜୋତା ବା ଚମଡ଼ା ବାହାରିବ, ତାହା ଅତି ସୁନ୍ଦର ହେବ ଏବଂ ସେଥିରେ କୌଣସି ପ୍ରକାର ଦୋଷ ରହିବ ନାହିଁ । ସେ ବ୍ୟବସାୟୀ ହିସାବରେ ଜୋତା ବା ଚମଡ଼ା ତିଆରିକୁ ବିଚାର କରୁ ନଥିଲେ, ଓଡ଼ିଶାର ସମ୍ମାନ ଦୃଷ୍ଟିରୁ ଦେଖୁଥିଲେ । ସେ କହୁଥିଲେ ‘ଯଦି ଗୋଟିଏ ଖରାପ ଜୋତା ବା ଚମଡ଼ା ବିଦେଶରେ କାହାରି ହାତରେ ପଡ଼ିବ ସେ କହିବ ଓଡ଼ିଆମାନେ ଠକ । ମୁଁ ମୋ ଜାତି ପାଇଁ ଏପରି ବଦନାମ ଅର୍ଜନ କରିବାକୁ ଚାହେଁ ନା ।’ ତେଣୁ ଦିନେ ଦିନେ କାରଖାନାକୁ ଆସି କୌଣସି ଖରାପ ଜୋତା ବା ଚମଡ଼ା ଦେଖିଲେ ସବୁଗୁଡ଼ିକୁ ପୋଡ଼ି ଦେଉଥିଲେ ।’’ (୨୭)

 

ଓଡ଼ିଶାରେ ସ୍ୱଦେଶୀ ଶିଳ୍ପର ଉଦ୍‌ଗାତା ଥିଲେ ମଧୁସୂଦନ । ଅର୍ଥନୈତକ ସୁଦୃଢ଼ୀକରଣ କ୍ଷେତ୍ରରେ ମଧୁସୂଦନଙ୍କ ଭୂମିକାର ପଟ୍ଟାନ୍ତର ନାହିଁ । ଶିଳ୍ପର ବିକାଶ ପାଇଁ ନିଜକୁ ସେ ସଂପୂର୍ଣ୍ଣ ରୂପେ ଉତ୍ସର୍ଗୀକୃତ କରିଥିଲେ । ‘ଉତ୍କଳଟ୍ୟାନେରୀ’ ଚମଡ଼ା ଶିଳ୍ପ କାରଖାନା ହିଁ ଏହାର ସାର୍ଥକ ନିଦର୍ଶନ ଅଟେ । ମଧୁସୂଦନଙ୍କ ଏହି ଉଦ୍ୟମଟି ତାଙ୍କୁ ଦେଶ ବିଦେଶରେ ଅନେକ ଖ୍ୟାତି ଆଣି ଦେଇଥିଲା । ଏତତ୍‌ସହିତ ଓଡ଼ିଶାର କାରିଗରୀ କୌଶଳର ଖ୍ୟାତିକୁ ମଧ୍ୟ ବଢ଼ାଇ ପାରିଥିଲ । ୧୯୨୧ ମସିହାରେ ଉତ୍କଳ ଟ୍ୟାନେରୀ ସଂପର୍କରେ ବଙ୍ଗଳା ସରକାରଙ୍କ ଡିରେକ୍ଟ-ଅଫ-ଇଣ୍ଟଷ୍ଟ୍ରିଜ୍-ଶ୍ରୀ ବି.ଏମ୍.ଦାସ ଯେଉଁ ରିପୋର୍ଟ ଦେଇଥିଲେ ତାହା ତାଙ୍କ ଉଦ୍ୟମର ସାର୍ଥକ ପ୍ରମାଣ ଅଟେ । ‘‘It is remarkable that long before the wave of swadeshi industrialism and even before the swadeshi movement of bengal in 1905, this idea of Pioneering a new industry was conceived by a man belonging to a provinces. All the more wonder is that Mr. Das, a highly educated man, a busy lawyer at the head of the Local bar should have been attracted to this ‘stinking tade’ which from time immemorial belongs to the depressed classes (the charmars) in India.’’ (28)

 

ଉତ୍କଳ ଟ୍ୟାନେରୀ କାରଖାନାର ପରିଚାଳନା ଏବଂ ସଫଳତା ପାଇଁ ମଧୁସୂଦନ ଅବିରାମ ପରିଶ୍ରମ କରିଥିଲେ, ଏଥିସହିତ ନିଜ ଉପାର୍ଜିତ ସଞ୍ଚିତ ସମସ୍ତ ଅର୍ଥର ବିନିଯୋଗ ଉକ୍ତ କାରଖାନା ପାଇଁ କରିଥିଲେ । ମାତ୍ର ଟ୍ୟାନେରୀର ଆୟ ଅପେକ୍ଷା ବ୍ୟୟ ପରିମାଣ ବଢ଼ି ଚାଲିବାରୁ ମଧୁସୂଦନ ଏହାର ପରିଚାଳନା ପାଇଁ ବିଭିନ୍ନ ସୂତ୍ରରୁ ଋଣ କରିଥିଲେ, ବିଶେଷ କରି କଲିକତାର କକ୍‌ସ ଏଣ୍ଡ୍ କମ୍ପାନୀ ଠାରୁ ବହୁ ପରିମାଣଣେ ଋଣ କରିଥିଲେ । ତଥାପି ଉତ୍କଳ ଟ୍ୟାନେରୀକୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସେ ସବୁ କିଛି ସଫଳ ହୋଇ ନଥିଲା । ୧୯୨୧ ମସିହାରେ ମଧୁସୂଦନ ମନ୍ତ୍ରୀ ହେବା ପରେ ଟ୍ୟାନେରୀ ସହିତ ତାଙ୍କର ସିଧା ସଳଖ ସଂପର୍କ ତୁଟାଇ ଦେଇଥିଲେ । ଫଳ ସ୍ୱରୂପ ଟ୍ୟାନେରୀର ଅବସ୍ଥା ଦିନକୁ ଦିନ ଅତ୍ୟଧିକ ଖରାପ ଆଡ଼କୁ ଗତିକରି ୧୯୨୮ ମସିହାବେଳକୁ ଏହା ପୂରାପୂରି ବନ୍ଦ ହୋଇଯାଇଥିଲା । ସ୍ୱଦେଶୀ ଶିଳ୍ପ ଅନୁଷ୍ଠାନ ପାଇଁ ମଧୁସୂଦନଙ୍କ ପ୍ରଚେଷ୍ଟାର କୌଣସି ତୁଳନା ନାହିଁ । ଶିଳ୍ପ ପ୍ରତିଷ୍ଠା ଦିଗରେ ସେ ସଫଳ ହୋଇପାରି ନଥିଲେ ମଧ୍ୟ ଭବିଷ୍ୟତ ଶିଳ୍ପର ଉନ୍ନତି ପାଇଁ ଯଥେଷ୍ଟ ପ୍ରେରଣା ଯୋଗାଇ ପାରିଥିଲେ । ମଧୁସୂଦନ କୁଟୀର ଶିଳ୍ପର ଉତ୍ଥାନ କରିବାକୁ ଯାଇ ତାରକସି ଶିଳ୍ପ ଏବଂ ଚମଡ଼ା ଶିଳ୍ପର ବିକାଶ କରିବା ସହିତ, ଉତ୍କଳର ଗ୍ରାମାଞ୍ଚଳମାନଙ୍କରେ ସୂତାକଟା ଓ ଲୁଗାବଣା ଅର୍ଥାତ୍ ‘ହସ୍ତତନ୍ତ୍ର ଶିଳ୍ପ’ ବିକାଶ ପାଇଁ ମଧ୍ୟ ଉଦ୍ୟମ କରିଥିଲେ । ମଧୁସୂଦନଙ୍କ ଗଭୀର ବିଶ୍ୱାସ ଥିଲା ଯେ କୁଟୀର ଶିଳ୍ପର ବହୁଳ ପ୍ରସାର ହିଁ ଓଡ଼ିଶା ପରି ଗ୍ରାମ ଭିତ୍ତିକ ରାଜ୍ୟରେ ଅର୍ଥନୈତିକ ପ୍ରଗତି ଆଣିପାରିବ । ତାଙ୍କ ଉତ୍ସାହ ଓ ଉଦ୍ୟମ ଫଳରେ ଉତ୍କଳରେ ‘ଖଦୀଶିଳ୍ପ’ର ଉନ୍ନତି ସମ୍ଭବ ହୋଇଥଲା । ମଧୁସୂଦନଙ୍କ ଏହି ସଫଳତାରେ ଜାତିର ପିତା ମହାତ୍ମାଗାନ୍ଧୀ ଆନନ୍ଦ ପ୍ରକାଶ କରିଥିଲେ । କେବଳ ଖଦୀଶିଳ୍ପ ନୁହେଁ ମଧୁସୂଦନ ନିଜସ୍ୱ ଚେଷ୍ଟାରେ ତାଳରସରୁ ଗୁଡ଼ ତିଆରି କରିବା ପାଇଁ କାରଖାନା ମଧ୍ୟ ବସାଇଥିଲେ । ‘‘ମଧୁବାବୁ ଉତ୍କଳର ଗ୍ରାମାଞ୍ଚଳମାନଙ୍କରେ ସୂତାକଟା ଓ ଲୁଗାବୁଣା ଶିଳ୍ପର ବିକାଶ ପାଇଁ ପ୍ରଗାଢ଼ ଉଦ୍ୟମ କରିଥିଲେ । ଏହି ଶିଳ୍ପରେ ତାଲିମ ଦେବାପାଇଁ ସେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ତାହାଙ୍କ ଉତ୍ସାହରେ ଉତ୍କଳରେ ଖଦୀଶିଳ୍ପର ବିକାଶ ସମ୍ଭବ ହୋଇଥିଲା । ମଧୁବାବୁଙ୍କର ଏହି ସଫଳତାରେ ଖୁସି ହୋଇ ମହାତ୍ମାଗାନ୍ଧି ଉତ୍କଳରେ ଖଦୀ କାର୍ଯ୍ୟର ପ୍ରସାରରେ ତାଙ୍କର ସହଯୋଗିତା କାମନା କରିଥିଲେ । କଟକ ଜିଲ୍ଲାର ସାଲେପୁରଠାରେ ମଧୁସୂଦନ ତାଳଗଛର ରସରୁ ଗୁଡ଼ ତିଆରି କରିବା ପାଇଁ ଏକ କାରଖାନା ବସାଇଥିଲେ । ମଧୁବାବୁ ବିଶ୍ଵାସ କରୁଥିଲେ ଯେ କୁଟୀର ଶିଳ୍ପର ବହୁଳ ପ୍ରସାର ଦ୍ୱାରା ହିଁ ଉତ୍କଳର ଦାରିଦ୍ର୍ୟ ଦୂରକରାଯାଇ ପାରିବ-।’’ (୨୯)

 

ସେହିପରି ଉତ୍କଳର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ‘ଲବଣ ଶିଳ୍ପ’ର ପୁନରୁଦ୍ଧାର ପାଇଁ ମଧୁସୂଦନ ଉଦ୍ୟମ କରିଥିଲେ । ଇଂରେଜ ସରକାରଙ୍କ ଲବଣ କର ନିୟମ ଅନୁଯାୟୀ ଅଧିକ ଟିକସ ଦେବାକୁ ପଡ଼ିବାରୁ ଏହି ଶିଳ୍ପଟି ସଂକୁଚିତ ହୋଇପଡ଼ିଥିଲା । ସାଧାରଣ ଲୋକଙ୍କ ଜୀବିକାର୍ଜନର ଉପାୟ ବନ୍ଦ ହୋଇଯାଇଥିଲା । ସେଥିପାଇଁ ମଧୁସୂଦନ ଏହା ବିରୋଧରେ ତୀବ୍ର ପ୍ରତିବାଦ କରିଥିଲେ । ବଙ୍ଗବ୍ୟବସ୍ଥା ସଭାରେ ସେ ଓଡ଼ିଶାର ଲବଣ ବିଭାଗକୁ ମାନ୍ଦ୍ରାଜ ସରକାର ଅଧୀନରୁ କାଢ଼ିଆଣି ବଙ୍ଗ ସରକାର ଅଧୀନରେ ରଖିବାକୁ ଯୁକ୍ତି ବାଢ଼ିଥିଲେ । ଲବଣକର ସମ୍ପୂର୍ଣ୍ଣ ଉଠାଇ ଦେଇ ଲୋକଙ୍କୁ ସ୍ୱାଧୀନ ଭାବରେ ଲୁଣ ମାରିବା ପାଇଁ ସୁଯୋଗ ଦେବା ନିମନ୍ତେ ସେ ଆନ୍ଦୋଳନ କରିଥିଲେ ।’’ (୩୦)

 

ବଡ଼ ବଡ଼ ଶିଳ୍ପ କାରଖାନା ନୁହେଁ ବରଂ କୁଟୀର ଶିଳ୍ପର ଯଥାର୍ଥ ଉତ୍ଥାନ ଫଳରେ ଓଡ଼ିଶାର ଅର୍ଥନୈତିକ ପ୍ରଗତି ସମ୍ଭବପର ବୋଲି ମଧୁସୂଦନ ଚିନ୍ତା କରିଥିଲେ । ଏକ ସମୃଦ୍ଧ ଉତ୍କଳର ଗଠନ ପାଇଁ ସେ କୁଟୀରଶିଳ୍ପର ବିକାଶ ଉପରେ ପ୍ରାଧାନ୍ୟ ଦେଇଥିଲେ । ଏଥିରୁ ଶିଳ୍ପକ୍ଷେତ୍ରରେ ତାଙ୍କ ଦୂରଦର୍ଶିତାର ପରିଚୟ ସ୍ପଷ୍ଟ ରୂପେ ମିଳିପାରିଥାଏ ।

 

ସ୍ୱଦେଶୀ ଓ ସ୍ୱାବଲମ୍ବନଶୀଳତା

ସ୍ୱାବଲମ୍ବନ ଆଧୁନିକ ସଭ୍ୟତାର ଏକ ସୋପାନ । ସ୍ୱଦେଶୀ ବ୍ୟକ୍ତିର ଏକ ମାର୍ମିକ ପରିଚୟ । ମଧୁସୂଦନ ସ୍ୱଦେଶୀ ଓ ସ୍ୱାବଲମ୍ବନଶୀଳତାକୁ ନିଜ ଜୀବନରେ ପ୍ରାଧାନ୍ୟ ଦେଇଥିଲେ ଏବଂ ତା’ ସହିତ ଜାତିର ବିକାଶ ପାଇଁ ସ୍ୱଦେଶୀ ଓ ସ୍ୱାବଲମ୍ବନଶୀଳତା ଏକାନ୍ତ ଅପରିହାର୍ଯ୍ୟ ବୋଲି ସେ କହୁଥିଲେ । ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଏହାର ପ୍ରୟୋଗ କରିଥିଲେ । ଏହାର ଯଥାର୍ଥ ପ୍ରମାଣ ‘କୃଷିଶିଳ୍ପ’, ‘ଉତ୍କଳଟ୍ୟାନେରୀ’, ‘ଗ୍ରାମଦ୍ୟୋଗ ଯୋଜନା’ ଓ ‘ଲବଣ ଶିଳ୍ପ’ର ପୁନୋରୁଦ୍ଧାର ପରି କାର୍ଯ୍ୟାବଳୀରେ ସ୍ପଷ୍ଟ ରୂପେ ଉପଲବ୍ଧ କରିହୁଏ । ସେ ଥିଲେ ଯଥାର୍ଥରେ ସ୍ୱଦେଶୀ ଆନ୍ଦୋଳନର ଅଗ୍ରଦୂତ । ଦଶପ୍ରେମ ହିଁ ମନୁଷ୍ୟ ଜୀବନର ଶ୍ରେଷ୍ଠ କର୍ତ୍ତବ୍ୟ ବୋଲି ମଧୁସୂଦନ ବିଚାର କରୁଥିଲେ । ନିଜେ ଜଳି ଅନ୍ୟକୁ ଆଲୋକ ଦେଖାଇବା ନିୟମରେ ବିଶ୍ୱାସୀ ମଧୁସୂଦନ ନିଜେ ସ୍ୱଦେଶ ଜାତ ଦ୍ରବ୍ୟକୁ ଯଥାସମ୍ଭବ ବ୍ୟବହାର କରୁଥିଲେ । ସ୍ୱଦେଶୀ ଶିଳ୍ପର ବିକାଶ ନିମନ୍ତେ ସେ ସଂପୂର୍ଣ୍ଣ ରୂପେ ନିଜକୁ ନିୟୋଜିତ କରିଥିଲେ । ସେ ସ୍ୱଦେଶୀ ଶିଳ୍ପର ସଂଗଠନ ପାଇଁ ବହୁ ବ୍ୟଗ୍ରତା ପ୍ରକାଶ କରିଥିଲେ । ତାଙ୍କ ଲିଖିତ ‘ଯୁଦ୍ଧ ହିଁ ବାଣିଜ୍ୟ ଏବଂ ବାଣିଜ୍ୟ ହିଁ ଯୁଦ୍ଧ’ ଶୀର୍ଷକ ପ୍ରବନ୍ଧରେ ତାଙ୍କ ଚିନ୍ତାଧାରା ସଂପର୍କରେ ଜାଣିହୋଇଥାଏ । ସେ ଲେଖିଛନ୍ତି ‘‘ଆମ୍ଭେମାନେ ସ୍ୱରାଜ୍ୟ (Home Rule) ପାଇବାକୁ ଆକାଙ୍‌କ୍ଷା ପ୍ରକାଶ କରୁଅଛୁଁ, କିନ୍ତୁ ଅନ୍ୟ ଜାତିମାନଙ୍କ ଉପରେ ଆମ୍ଭେମାନେ କେତେ ନିର୍ଭର କରୁଛୁଁ, ତାହା ଆମ୍ଭେମାନେ ଭାବୁ ନାହୁଁ । ଯେଉଁ ଜାତି ବା ଦେଶ ଅପର ଦେଶକୁ ଜିନିଷ ଉତ୍ପାଦନ ପାଇଁ କେବଳ କଞ୍ଚାମାଲ ଯୋଗାଏ, ସେ ଦେଶ ଯେ ଶିଳ୍ପ କ୍ଷେତ୍ରରେ ଅତି ନୀଚ ସ୍ତରରେ ଅଛି, ଏହା ବୁଝିବା ଉଚିତ । ଅନ୍ୟଦେଶର ପ୍ରସ୍ତୁତ ଲୁଗା ଦ୍ୱାରା ଆମ୍ଭେମାନଙ୍କ ଲଜ୍ଜା ନିବାରଣ କରୁଁ । ପ୍ରତ୍ୟୟ ଯେଉଁସବୁ ସୌଖୀନ ଓ ବ୍ୟବହାର୍ଯ୍ୟ ପଦାର୍ଥ ଆମର ଦରକାର ତାହା ମଧ୍ୟ ଅପର ଦେଶ ଆମ୍ଭମାନଙ୍କୁ ଯୋଗାଏ, ତଥାପି ଆମ୍ଭେମାନେ ସ୍ୱରାଜ ଚାହୁଁ, ଏପରି ସ୍ୱରାଜର ବ୍ୟାପ୍ତି ଏବଂ ଲକ୍ଷ୍ୟ କ’ଣ ? ଏହା ସ୍ୱଦେଶୀ ବ୍ୟବସାୟକୁ ନିଜ ଅକ୍ତିଆରରେ ରଖିପାରିବ ନାହିଁ । ଲୋକମାନଙ୍କର ବ୍ୟବସାହିକ ସାହସିକତା ବୃଦ୍ଧି ନ ପାଇଲେ, ଦେଶରେ ବାଣିଜ୍ୟର ଅଭିବୃଦ୍ଧି ଅସମ୍ଭବ । x x x (୩୧) ସହଜରେ ଅନୁମାନ କରିହୋଇଥାଏ । ସ୍ୱଦେଶୀ ଶିଳ୍ପର ପୁର୍ନଗଠନ ମାଧ୍ୟମରେ ସ୍ୱାବଲମ୍ବନଶୀଳ ହେବା ପାଇଁ ମଧୁସୂଦନ ପ୍ରେରଣା ଯୋଗାଇଥିଲେ ଏବଂ ନିଜେ ଏ କ୍ଷେତ୍ରରେ ଏକ ଜୀବନ୍ତ ଆଦର୍ଶ ହୋଇପାରିଥିଲେ । ଓଡ଼ିଆ ହାତର ମୂଲ୍ୟକୁ ସେ ବୁଝି ପାରିଥିଲେ । ସେଥିପାଇଁ ନିଜ ଚେଷ୍ଟାରେ ନିର୍ମିତ ବିଭିନ୍ନ କୁଟୀରଶିଳ୍ପ ମାଧ୍ୟମରେ ସେ ଏହି କାରିଗରୀଶିଳ୍ପଙ୍କୁ ପୁନଃ ସ୍ୱାବଲମ୍ବନ କରାଇ ପାରିଥିଲେ । ବାସ୍ତବିକ ପ୍ରଚଣ୍ଡ ସ୍ୱାଭିମାନର ଅଧିକାରୀ ମଧୁସୂଦନଙ୍କ ଚିନ୍ତାଧାରାଗୁଡ଼ିକ ଅତୁଳନୀୟ ଅଟେ ।

 

ମହାତ୍ମା ଗାନ୍ଧୀଙ୍କ ପୂର୍ବରୁ ମଧୁସୂଦନଙ୍କ ସ୍ୱପ୍ନ ଓ ସଂକଳ୍ପ

ମଧୁସୂଦନ କୁଟୀରଶିଳ୍ପର ବିକାଶ ଉପରେ ସଦାସର୍ବତା ଗୁରୁତ୍ୱଆରୋପ କରିଆସୁଥିଲେ-। ସ୍ୱଦେଶୀ ବାର୍ତ୍ତାର ପ୍ରଚାର ତାଙ୍କ ଜୀବନର ଥିଲା ଏକ ଆଭିମୁଖ୍ୟ, କାରଣ ସେ ବୁଝିଥିଲେ ଦେଶୀୟ ଶିଳ୍ପର ବିକାଶ ହେଲେ ଓଡ଼ିଶାର ଯଥାର୍ଥ ବିକାଶ ହୋଇପାରିବ । ସେଥିପାଇଁ ସେ ଦେଶୀୟ ଶିଳ୍ପର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ । ଏପରିକି ଭାରତ ବର୍ଷାର ସ୍ୱଦେଶୀ ଆନ୍ଦୋଳନକୁ ବିକଶିତ କରାଇଥିବା ଓ ଯଥାର୍ଥ ଭାବେ ନେତୃତ୍ୱ ନେଇଥିବା ମହାତ୍ମାଗାନ୍ଧୀଙ୍କ ବହୁତ ପୂର୍ବରୁ ମଧୁସୂଦନ ଏହି କାର୍ଯ୍ୟର ଶୁଭାରମ୍ଭ କରି ଯଥାର୍ଥରେ ଦିଗ୍‌ଦର୍ଶକ ହୋଇପାରିଥିଲେ । ଏ ସଂପର୍କରେ ତାଙ୍କ ଜୀବନୀ ଲେଖକ ଶ୍ରୀଯୁକ୍ତ ନବ ଭାରତରେ ଶୁଣାଯାଇ ନାହିଁ । ହୁଏତ ମହାତ୍ମା ଗାନ୍ଧୀ ସେତେବେଳେ ଦକ୍ଷିଣ ଆଫ୍ରିକାରେ ଟଲଷ୍ଟୟ ଆଦର୍ଶରେ ‘ରସ୍କିନ ଫାର୍ମ’ ତୋଳୁଥିଲେ । ଏପରିକି ଦେଶୀ ଚାଉଳ, ତନ୍ତିବୁଣା ଲୁଗା, ମୋଚି ଜୋତା ଓ ଅନ୍ୟାନ୍ୟ ହାତ କାମରେ ସେ ଉନ୍ନତ ସ୍ୱପ୍ନ ଦେଖିଥିଲେ । ମଧୁସୂଦନଙ୍କ ବହୁବର୍ଷ ପରେ ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ଗ୍ରାମୋଦ୍ୟୋଗ ସଂଘ ସ୍ଥାପିତ ହୋଇ ଏହି କାର୍ଯ୍ୟ ଭାରତରେ ପ୍ରଚାର ଏବଂ ପ୍ରସାର ପାଇଁ ଚେଷ୍ଟା ହେଲା ।’’ (୩୨) ମଧୁସୂଦନ ମର୍ମେ ମର୍ମେ ଉପଲବ୍ଧି କରିଥିଲେ ଯେ ଓଡ଼ିଶାବାସୀଙ୍କ ଜୀବିକା ନିର୍ବାହର ମୁଖ୍ୟ ପନ୍ଥା ଥିଲା ଓଡ଼ିଶାର କୁଟୀରଶିଳ୍ପ । ତେଣୁ କୁଟୀରଶିଳ୍ପର ଧ୍ୱଂସାଭିମୁଖୀ ହେବା ଫଳରେ ଓଡ଼ିଶାବାସୀଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିଲା । ସେଥିପାଇଁ ମଧୁସୂଦନ କୁଟୀର ଶିଳ୍ପର ପୁନରୁଦ୍ଧାର କରି ଓଡ଼ିଆ କାରିଗରଙ୍କୁ ଉଦ୍ଧାର କରିପାରିଥିଲେ । ଯାହାକି ପରବର୍ତ୍ତୀ ସମୟରେ ଅର୍ଥାତ୍ କୋଡ଼ିଏ ବର୍ଷ ପରେ ମହାତ୍ମା ଗାନ୍ଧୀ କଂଗ୍ରେସ କର୍ମୀଙ୍କର ରଚନାତ୍ମକ କାର୍ଯ୍ୟରେ କୁଟୀର ଶିଳ୍ପର ପୁନରୁଦ୍ଧାରକୁ ମୁଖ୍ୟ ସ୍ଥାନ ଦେଇଥିଲେ ତେଣୁ ଓଡ଼ିଶାବାସୀଙ୍କ ସେତେବେଳର ଅବସ୍ଥା ଦେଖି ମଧୁସୂଦନ ଯାହା ଉପଲବ୍ଧି କରିଥିଲେ ତାହା ସମସ୍ତ ଭାରତବର୍ଷ ପାଇଁ ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇପାରିଥିଲା । ମଧୁସୂଦନଙ୍କ ପ୍ରତି ଗାନ୍ଧିଜୀଙ୍କର ଗଭୀର ଶ୍ରଦ୍ଧା ଓ ସମ୍ମାନ ଥିଲା । ସେଥିପାଇଁ ୧୯୨୫ ମସିହାରେ ମଧୁସୂଦନଙ୍କ ନିମନ୍ତ୍ରଣ କ୍ରମେ ଗାନ୍ଧିଜୀ ତାଙ୍କ ପ୍ରତିଷ୍ଠିତ ଜୋତା କାରଖାନା ଦେଖିବା ପାଇଁ ଆସିଥିଲେ । କାରଖାନା ପରିଦର୍ଶନ କରି ସେଠାରେ ସମାଜର ସର୍ବାପେକ୍ଷା ଅବହେଳିତ, ଦଳିତ ଶ୍ରେଣୀର ଲୋକମାନେ କାମକରି ଜୀବିକାର୍ଜନ କରୁଥିବାରୁ ଗାନ୍ଧିଜୀ ଗଭୀର ଆନନ୍ଦ ପ୍ରକାଶ କରିଥିଲେ । ଯେଉଁ ଦଳିତ, ଅବହେଳିତ ଜନତାଙ୍କ ସାମାଜିକ ସ୍ଥିତିର ସୁଦୃଢ଼ତା ପାଇଁ ଗାନ୍ଧିଜୀ ଚିନ୍ତା ପ୍ରକାଶ କରିଥିଲେ, ସେହି ଅଛବମାନଙ୍କୁ ନେଇ ମଧୁସୂଦନ ଉତ୍କଳ ଟ୍ୟାନେରୀରେ ଅନ୍ୟାନ୍ୟ ଉଚ୍ଚବର୍ଗଙ୍କ ସହିତ କାର୍ଯ୍ୟ କରାଇଥିଲେ ଏବଂ ସେମାନଙ୍କୁ ସାମାଜିକ ଘୃଣା ଭାବରୁ ମୁକ୍ତ କରାଇବା ପାଇଁ ଚେଷ୍ଟା କରିଥିଲେ । ବାସ୍ତବିକ୍ ମହାତ୍ମା ଗାନ୍ଧୀଙ୍କ ବହୁ ପୂର୍ବରୁ ମଧୁବାବୁଙ୍କ ଏହିପରି କାର୍ଯ୍ୟଧାରାର ପଟ୍ଟାନ୍ତର ନାହିଁ । ଠିକ୍ ସେହିପରି ଗାନ୍ଧିଜୀଙ୍କ ‘ଅରଟ’ରେ ସୂତ କାଟିବା କଥା କହିବାର ବହୁପୂର୍ବରୁ ମଧୁସୂଦନ ଉତ୍କଳ ସମ୍ମିଳନୀରେ ଅରଟରେ ସୂତା କାଟିବା ପ୍ରସ୍ତାବ ଆଣିଥିଲେ ଏବଂ ନିଜେ ମଧ୍ୟ ଥରେ ସମ୍ମିଳନୀ ମଣ୍ଡପରେ ସୂତାକଟି ଦେଖାଇଥିଲେ । ଏତତ୍‌ସହିତ ସୂତାକଟା ଲୁଗାବୁଣା ଶିକ୍ଷା ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ । ହାତକଟା ସୂତା ବୟନଶିଳ୍ପର ପୁନରୁଦ୍ଧାର ପାଇଁ ମଧୁସୂଦନଙ୍କ ପ୍ରୟାସ ଅତ୍ୟନ୍ତ ଶିକ୍ଷଣୀୟ ହୋଇପାରିଥିଲା ।

 

ସମଗ୍ର ଭାରତବର୍ଷର ଉନ୍ନତି ପରିକଳ୍ପେ ମହାତ୍ମାଗାନ୍ଧୀ ଯେଉଁ ସ୍ୱପ୍ନ ଦେଖିଥିଲେ, ସେସବୁ ସ୍ୱପ୍ନର ସଫଳ ରୂପାୟନ କରିଥିଲେ ମଧୁସୂଦନ ଓଡ଼ିଶା ଭୂଇଁରେ । ଓଡ଼ିଶା ଓ ଓଡ଼ିଆମାନଙ୍କ ପାଇଁ ମଧୁସୂଦନଙ୍କ ସ୍ୱପ୍ନ ଓ ଦୃଢ଼ ସଂକଳ୍ପ ହିଁ ତାଙ୍କ କାର୍ଯ୍ୟଧାରାକୁ ବ୍ୟାପକ ଓ ବିସ୍ତୃତ କରାଇ ପାରିଥିଲା । ମଧୁସୂଦନଙ୍କ ଏହିପରି ସଂକଳ୍ପପୂର୍ଣ୍ଣ କାର୍ଯ୍ୟଧାରା ସଂପର୍କରେ ମହାତ୍ମା ଗାନ୍ଧୀ ଗାନ୍ଧୀ ମଧ୍ୟ ବହୁ ସ୍ଥାନରେ ନିଜର ଲେଖା ମାଧ୍ୟମରେ ସ୍ୱୀକାର କରିଛନ୍ତି । ଯେପରିକି- ‘‘୧୯୩୪ ମସିହା ସେପ୍ଟେମ୍ବର ମାସ ୭ ତାରିଖ ଦିନ ଏକ ଲେଖାରେ ଗାନ୍ଧିଜୀ ଲେଖିଥିଲେ, ‘ଶରୀର ଶ୍ରମ ବୃଦ୍ଧିକୁ ଅଲଗା କରି ଦେବା ଫଳରେ ଆମେ ସବୁଠାରୁ ଅଳ୍ପାୟୁଷ, ସବୁଠାରୁ ସଙ୍ଗତିହୀନ ଓ ସବୁଠୁ ଶୋଷିତ ଜାତି ହୋଇଯାଇଛୁ । ଗାଁ ଗହଳିରେ ଚମଡ଼ା କଷେଇ ଶିଳ୍ପର ଅବସ୍ଥା ଏହାର ସବୁଠୁ ଭଲ ପ୍ରମାଣ ମିଳିବା ସ୍ୱର୍ଗୀୟ ମଧୁସୂଦନ ଦାସ ଏ ବିଷୟରେ ମୋ ଆଖି ଫିଟେଇ ଦେଇଥିଲେ । ସେ ମୋତେ ବୁଝାଇ ଦେଇଥିଲେ ଯେ ଆମେ ସମାଜରେ ଗୋଟିଏ ବଡ଼ଭାଗଙ୍କ ପ୍ରତି ଘୋର ଅନ୍ୟାୟ କରିଛୁ । ସେ ନିଜେ ମଧ୍ୟ ଶିଖାଇବା ଉଦ୍ଦେଶ୍ୟରେ ଏକ ଚମଡ଼ା କାରଖାନା ଖୋଲି ନିଜ ଜୀବନରେ ସେହି ଅନ୍ୟାୟର ପ୍ରାୟଶ୍ଚିତ କରିବାକୁ ଚେଷ୍ଟା କରିଥିଲେ, ତାଙ୍କରି ଉଦ୍ୟମରେ କଟକର ଶହ ଶହ ମୋଚିଙ୍କ ପେଟ ପୋଷିବାର ବାଟ ଫିଟି ଯାଇଥିଲା । ଗାଁରେ ଚାଷବାସ ପରେ ଲୋକେ ଚାରି ଛ’ମାସ ଅଳସୁଆ ହୋଇ ବସୁଛନ୍ତି । ମଧୁବାବୁଙ୍କ ଭାଷାରେ ସେମାନେ ପଶୁ ଅବସ୍ଥାକୁ ଆସିଯିବେ-। ତାଙ୍କ ଦେହ ପାଇଁ, ତାଙ୍କ ମନ ପାଇଁ ଉପଯୁକ୍ତ ଖୋରାକ ମିଳିବ ନାହିଁ । ଫଳରେ ସେମାନେ ନିରାଶ ଓ ନିରାନନ୍ଦରେ ଜୀବନ କଟାଇବେ ।’’ (୩୩)

 

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାକୁ ଯାଇ ମଧୁସୂଦନ ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ଼ କରିଦେଇଥିଲେ । ଏଥିପାଇଁ ସେ ଯେଉଁ ସବୁ ପଥ ଉନ୍ମୋଚିତ କରିଗଲେ ତାହା ତାଙ୍କୁ କେବଳ ଓଡ଼ିଶା ପାଇଁ ନୁହେଁ ସମଗ୍ର ଭାରତ ବର୍ଷର ପ୍ରଥମ ପଥପ୍ରଦର୍ଶକ ରୂପେ ଅଭିଷିକ୍ତ କରାଇଥିଲା । ସ୍ୱତନ୍ତ୍ର ଉତ୍କଳର ନିର୍ମାତା, ଓଡ଼ିଶାର ଶିଳ୍ପ ପିତାମହ ବାସ୍ତବିକ୍ ଅନନ୍ୟ ଏବଂ ଅନତିକ୍ରମ୍ୟ ଅଟନ୍ତି ।

 

 

ଅଧ୍ୟାପିକା, ଓଡ଼ିଆ ବିଭାଗ

ପଞ୍ଚାୟତ ପ୍ରହଲ୍ଲାବ ମହାବିଦ୍ୟାଳୟ

ନିଶ୍ଚିନ୍ତକୋଇଲି, କଟକ

 

ସହାୟକ ଗ୍ରନ୍ଥ :

୧.

ଓଡ଼ିଆ ଜାତୀୟତା ଓ ମଧୁସୂଦନ ଡକ୍ଟର ପି.କେ. ମିଶ୍ର-ପୃଷ୍ଠା-୩

୨.

ମଧୁସୂଦନ ଦାସ-ସୁରେନ୍ଦ୍ର ମହାନ୍ତି, ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଇଣ୍ଡିଆ, ପଞ୍ଚମ ସଂସ୍କରଣ-୧୯୯୨, ପୃଷ୍ଠା-୧୫୯, ୧୬୦

୩.

ବ୍ୟକ୍ତିତ୍ୱ ଓ ନୀତି-ଉତ୍କଳ ଗୌରବ ମଧୁସୂଦନ-ନବକିଶୋର ଦାସ, ପୃଷ୍ଠା-୧୯୭, ୧୯୮

୪.

ଉତ୍କଳ ଗୌରବ ମଧୁସୂଦନ-ନବକିଶୋର ଦାସ, ପୃଷ୍ଠା-୫୭

୫.

ତତ୍ରୈବ-ପୃଷ୍ଠା-୫୭

୬.

କୁଳବୃଦ୍ଧ ମଧୁସୂଦନ-ନବ କିଶୋର ଦାସ, ପ୍ରକାଶକ-ଓଡ଼ିଶା ବୁକ୍‌ଷ୍ଟୋର, ତୃତୀୟ ମୁଦ୍ରଣ, ୧୯୯୦, ପୃଷ୍ଠା-୨୨

୭.

ମଧୁସୂଦନ ଦାସ-ସୁରେନ୍ଦ୍ର ମହାନ୍ତି-ପୃଷ୍ଠା-୮୧, ୮୨

୮.

ଉତ୍କଳ ଗୌରବ ମଧୁସୂଦନ- ନବକିଶୋର ଦାସ, ପୃଷ୍ଠା-୧୯୬

୯.

ଉତ୍କଳ ଗୌରବ ମଧୁସୂଦନ- ନବକିଶୋର ଦାସ, ପୃଷ୍ଠା-୧୯୭

୧୦.

ମଧୁବାବୁଙ୍କ ଓଡ଼ିଆ କବିତା ଓ ବକ୍ତୃତା-ପ୍ରକାଶକ-ମଧୁସ୍ମୃତି କମିଟି, ସତ୍ୟଭାମାପୁର, କଟକ, ୧ମ ସଂସ୍କରଣ-୧୯୯୭, ପୃଷ୍ଠା-୨୨

୧୧.

ତତ୍ରୈବ-ପୃଷ୍ଠା-୭୩

୧୨.

ଉତ୍କଳ ଗୌରବ ମଧୁସୂଦନ-ଅଧ୍ୟାପକ ସର୍ବେଶ୍ୱର ଦାଶ, ପ୍ରକାଶକ-ଗ୍ରନ୍ଥମନ୍ଦିର, କଟକ-୨, ୧୯୯୭, ପୃଷ୍ଠା-୪୫, ୪୬

୧୩.

ଦେଶପ୍ରାଣ ମଧୁସୂଦନ-ପଣ୍ଡିତ ସୂର୍ଯ୍ୟାନାରାୟଣ ଦାଶ, ଗ୍ରନ୍ଥମନ୍ଦିର, କଟକ-୨, ୧୯୮୮, ତୃତୀୟ ସଂସ୍କରଣ, ପୃଷ୍ଠା-୨୬୫

୧୪.

ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ-ଅଧ୍ୟାପକ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ-ପ୍ରକାଶକ-ଗ୍ରନ୍ଥମନ୍ଦିର, କଟକ-୨, ୨ୟ ସଂସ୍କରଣ, ୧୯୭୭, ପୃଷ୍ଠା-୨୨୦

୧୫.

ଶତାବ୍ଦୀ ସଂକଳନ-ଆଦ୍ୟ ସମାଜବାଦୀ, ଅଗ୍ରନାୟକ-ସୁରସିଂହ ପଟ୍ଟନାୟକ, ପ୍ରକାଶକ-ଉତ୍କଳ ସମ୍ମିଳନୀ, (କଟକ ଜିଲ୍ଲା), ପ୍ରକାଶ କାଳ- ୨୦୦୩, ପୃଷ୍ଠା-୩୫୮

୧୬.

ଉତ୍କଳ ଗୌରବ ମଧୁସୂଦନ-ଅଧ୍ୟାପକ ସର୍ବେଶ୍ୱର ଦାଶ, ପ୍ରକାଶକ-ଗ୍ରନ୍ଥମନ୍ଦିର, କଟକ, ୨, ୧୯୯୭, ପୃଷ୍ଠା-୩୧

୧୭.

ମଧୁସୂଦନ ଦାସ-ଓଡ଼ିଆ ଚାଷୀଙ୍କ ପାଇଁ ସଂଗ୍ରାମ-ସୁରେନ୍ଦ ମହାନ୍ତି, ପୃଷ୍ଠା-୯୫

୧୮.

ଉତ୍କଳ ଗୌରବ ମଧୁସୂଦନ-ଅଧ୍ୟାପକ ସର୍ବେଶ୍ୱର ଦାଶ, ପ୍ରକାଶକ-ଗ୍ରନ୍ଥମନ୍ଦିର, କଟକ-୨, ୧୯୯୭, ପୃଷ୍ଠା-୩୦

୧୯.

ତତ୍ରୈବ-ପୃଷ୍ଠା-୩୦

୨୦.

ମଧୁସୂଦନ ଦାସ-ସୁରେନ୍ଦ୍ର ମହାନ୍ତି, ପୃଷ୍ଠା-୯୫-୯୬

୨୧.

ତତ୍ରୈବ- ପୃଷ୍ଠା-୯୮-୯୯

୨୨.

ଉତ୍କଳ ଗୌରବ ମଧୁସୂଦନ-ନବକିଶୋର ଦାସ, ପୃଷ୍ଠା-୭୦

୨୩.

ଉତ୍କଳ ଗୌରବ ମଧୁସୂଦନ-ସ୍ୱଦେଶ ଓ ଶିଳ୍ପ ନବକିଶୋର ଦାସ, ପୃଷ୍ଠା-୭୧-୭୨

୨୪.

ଉତ୍କଳ ଗୌରବ ମଧୁସୂଦନ-ନବକିଶୋର ଦାସ, ପୃଷ୍ଠା-୭୩

୨୫.

ଉତ୍କଳ ଗୌରବ ମଧୁସୂଦନ-ଅଧ୍ୟାପକ ସର୍ବେଶ୍ୱର ଦାଶ, ପ୍ରକାଶକ-ଗ୍ରନ୍ଥମନ୍ଦିର, କଟକ-୨, ୧୯୯୭, ପୃଷ୍ଠା-୩୨

୨୬.

କୁଳବୃଦ୍ଧ-ସୁରେନ୍ଦ୍ର ମହାନ୍ତି-ପ୍ରକାଶକ ଲାର୍କ ବୁକ୍‌ସ-୨ୟ ସଂସ୍କରଣ, ୧୯୯୦, ପୃଷ୍ଠା-୨୫

୨୭.

ଉତ୍କଳ ଗୌରବ ମଧୁସୂଦନ-ନବକିଶୋର ଦାସ, ପୃଷ୍ଠା-୭୬

୨୮.

କୁଳବୃଦ୍ଧ-ସୁରେନ୍ଦ୍ର ମହାନ୍ତି-ପ୍ରକାଶକ ଲାର୍କ ବୁକ୍‌ସ-୨ୟ ସଂସ୍କରଣ, ୧୯୯୦, ପୃଷ୍ଠା-୨୫-୨୬

୨୯.

ଉତ୍କଳ ଗୌରବ ମଧୁସୂଦନ-ଅଧ୍ୟାପକ ସର୍ବେଶ୍ୱର ଦାଶ, ପ୍ରକାଶକ-ଗ୍ରନ୍ଥମନ୍ଦିର, କଟକ-୨, ୧୯୯୭, ପୃଷ୍ଠା-୩୩

୩୦.

ତତ୍ରୈବ-ପୃଷ୍ଠା-୩୪

୩୧.

ଉତ୍କଳ ଗୌରବ ମଧୁସୂଦନ-ନବକିଶୋର ଦାସ, ପୃଷ୍ଠା-୮୮

୩୨.

ଉତ୍କଳ ଗୌରବ ମଧୁସୂଦନ-ନବକିଶୋର ଦାସ, ପୃଷ୍ଠା-୮୨

୩୩.

ଉତ୍କଳ ଗୌରବ ମଧୁସୂଦନ ଓ ମହାତ୍ମା ଗାନ୍ଧୀ-ବଳରାମ ମହାନ୍ତି-ସମୟ, ତା ୨/୧୦/୧୯୯୭, ପୃଷ୍ଠା-୪

 

***

 

Unknown

ପ୍ରାଚୀ-ସରସ୍ୱତୀ ସଭ୍ୟତା ଏକ ସର୍ବେକ୍ଷଣ

ଡକ୍ଟର ଅବ୍‌ଦୁଲ୍ ଓସିଦ୍‌ଖାଁ

 

ପ୍ରାଚୀ ଯେ ଦିନେ ଏକ ପ୍ରାଚୁର୍ଯ୍ୟପୂର୍ଣ୍ଣ ସୁସମୃଦ୍ଧ ସଭ୍ୟତା ଥିଲା; ଏକଥା ସାହସର ସହିତ କେହି କହିପାରୁ ନାହାନ୍ତି । କାରଣ ଆମେ ଏଯାଏଁ ବୈଜ୍ଞାନିକ ପଦ୍ଧତିରେ ତାର ପ୍ରତ୍ନତାତ୍ତ୍ୱିକ, ଭୌଗୋଳିକ ଓ ଐତିହାସିକ ଅନୁସନ୍ଧାନ କରିନାହୁଁ । ଯେହେତୁ ଆମର ପ୍ରତ୍ନତତ୍ତ୍ୱବିତ୍, ଭୂ’ତତ୍ତ୍ୱବିତ୍, ଭୂଗୋଳବିଜ୍ଞାନୀ, ନୃତତ୍ତ୍ୱବିତ୍, ଐତିହାସିକ, ମହାକାଶବିଜ୍ଞାନୀ ତଥା ସମୁଦ୍ରବିଜ୍ଞାନୀ ଆଦି ବିଶେଷଜ୍ଞମାନେ ପ୍ରାଚୀ ସଂପର୍କରେ ଏକରକମ ନିରବ । ପ୍ରାଚୀ ଏକ ନଦୀ ? ଏକ ଅବବାହିକା ? ଏକ ସଭ୍ୟତା ? ଏକ ସଂସ୍କୃତି ? ଏକ ସମାଜ ? ଏକ ଚିନ୍ତା ବା ଚେତନା ? କିମ୍ବା ଏକ ଧର୍ମଶାସ୍ତ୍ର ଓ ପୁରାଣର କାହାଣୀ ବା କିମ୍ବଦନ୍ତୀ, ସେ ସଂପର୍କରେ କୌଣସି ତର୍କ, ବିତର୍କ, ବିଚାର ଓ ସିଦ୍ଧାନ୍ତ ଜନସାଧାରଣଙ୍କ ସମକ୍ଷକୁ ଆସିପାରି ନାହିଁ । କେବଳ କେତୋଟି ଶାସ୍ତ୍ରୀୟ ଉଲ୍ଲେଖ, ତାକୁ ନେଇ ଆଲୋଚନା ଓ ଅନୁମାନ ଓ ତତ୍‌ସମ୍ବନ୍ଧୀୟ ପ୍ରାସଙ୍ଗିକତାକୁ ଆଧାର କରି କେତୋଟି ପୁସ୍ତକ ଓ ପ୍ରବନ୍ଧମାନ ରଚନା କରାଯାଇଛି । ପ୍ରାଚୀର ପ୍ରାକୃତିକ କ୍ଷେତ୍ର (Topography) କିଏ ? ଏହା କେଉଁଠାରୁ କେଉଁପର୍ଯ୍ୟନ୍ତ ? ଏହାର ଦୈର୍ଘ୍ୟ, ପ୍ରସ୍ଥ ଓ ଗଭୀରତା କେତେ ଥିଲା ? ଆଜି ତାରିଖରେ ତା’ର ବୟସ କେତେ ? ଏଇ ସବୁ ପ୍ରଶ୍ନ ଆନ୍ଦୋଳିତ କରିପକାଏ ଗବେଷକ, ପଣ୍ଡିତ ଓ ପର୍ଯ୍ୟବେକ୍ଷକ ବା ପର୍ଯ୍ୟଟକମାନଙ୍କୁ । ଆମେ କେଉଁ ଠୋସ୍ ପ୍ରମାଣ ନେଇ କହିପାରିବା ଯେ-‘ପ୍ରାଚୀ ପ୍ରାଚ୍ୟର ଏକ ମହାନ ସଭ୍ୟତା ଥିଲା ।’ ଆମ ପାଖରେ ଠିଆ ହୋଇ ରହିଛି-ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର । ଜଗତ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ଓ ତଙ୍କର କ୍ଷେତ୍ର ଶ୍ରୀକ୍ଷେତ୍ର-ନୀଳାଚଳ । ଭାରତ ପ୍ରସିଦ୍ଧ ଇତିହାସର ଆଶ୍ଚର୍ଯ୍ୟ ଧଉଳି (ତୋଷାଳୀ), ଖଣ୍ଡଗିରି, ଚଉଷଠୀ ଯୋଗିନୀ (ହୀରାପୁର), ସ୍ୱର୍ଣ୍ଣାଦ୍ରି-ମନ୍ଦିରମାଳିନୀ ନଗରୀ (ଭୁବନେଶ୍ୱର), କେନ୍ଦୁଲୀ (ଜୟଦେବୀ ଜନ୍ମପୀଠ) ସହ ସ୍ୱର୍ଣ୍ଣତ୍ରିଭୁଜ । ବୌଦ୍ଧ, ଜୈନ, ଶୈବ, ଶାକ୍ତ, ବୈଷ୍ଣବ, ସୌର ଆଦି ମହାନ ପରଂପରା ସହିତ ମାତୃ ଉପାସନା (ମଂଗଳା), ତନ୍ତ୍ରସାଧନା (ଚଉରାଶୀ), ସନ୍ଥ ସାଧନା ସହିତ ନାନା ରୀତିନୀତି, ପୂଜାପାର୍ବଣ ଓ ସ୍ଥାନୀୟ ଧର୍ମଧାରା ପରି କ୍ଷୁଦ୍ର ପରଂପରାର ହୋଇଛି ଅପୂର୍ବ ମିଳନ । ଯେଉଁ ନଦୀର ତୀରେ ତୀରେ ଦ୍ୱାଦଶ ମାଧବ, ଦ୍ୱାଦଶ ଶମ୍ଭୁ, ଦ୍ୱାଦଶ ଚଣ୍ଡୀ, ନାନା ତୀର୍ଥ, ମଠ, ପୀଠ, ଗାଦି ଓ ଗଡ଼, ଦୁର୍ଗ ଓ ଗଡ଼ଖାଇ । କେତେ ହାଟ, ପାଟ, ପାଟଣା, ପଡ଼ିଆ । କେତେ ଗଣ୍ଡ, ହ୍ରଦ, ଓ ପୁଷ୍କରିଣୀ; ତାକୁ ନେଇ ଆମେ କ’ଣ କେବେ ଚିନ୍ତା କରିଛେ ?

 

ଆଜି ପ୍ରାଚୀ ଏକ ଅନାମଧ୍ୟେୟ, ଲୋକେ ଆଗୋଚର କ୍ଷୁଦ୍ରଜଳଧାରା । କେହି ହୁଏତ ଟିପ୍‌ପଣୀ ଦେଇପାରନ୍ତି ଯେ-ଏତେ ଛୋଟିଆ ନଈଟିର ଇତିହାସ ଗୋଟେ କଅଣ ? ମିଛକଥା । କପୋଳକଳ୍ପନା । କିନ୍ତୁ ପ୍ରଶ୍ନ ଆସେ ଏତେ ଅଖ୍ୟାନ ସ୍ଥାନରେ ବିଶ୍ୱବିଖ୍ୟାତ ସୌଧମାନେ ମୁଣ୍ଡ ଟେକିଲେ କାହିଁକି ଓ କେମିତି ? ଇତିହାସ ପ୍ରସିଦ୍ଧ ସବୁ ରାଜବଂଶ କାହିଁକି ବାଛିନେଲେ ଏଇ ନଦୀକୂଳରେ ଆସି ଗଡ଼ିଯିବେ ଆପଣା କୀର୍ତ୍ତିମାନ । ମନ୍ଦିରମାଳିନୀ କାହିଁକି ହେଲା ଏ ଅଚଂଳ । ସ୍ଥାପତ୍ୟର ଏ କାହିଁକି ଗନ୍ତାଘର ପାଲଟିଲା ? ନୌବାଣିଜ୍ୟ ପାଇଁ ଏହା ଯେ ଦିନେ ପୃଥିବୀ ପ୍ରସିଦ୍ଧ ଥିଲା; ଆଉ କେତେ ପ୍ରମାଣ ଠୁଳ କଲେ ଆମେ ଜୋର୍ ଦେଇ କହିପାରିବା ଯେ-ଉତ୍କଳୀୟ ସାଧବ ପୁଏ ଆରବସାଗର, ଭାରତ ମହାସାଗର ଓ ବଂଗୋପସାଗର ଉପରେ ନିଜର କର୍ତ୍ତୃତ୍ୱ ଓ ପ୍ରଭୁତ୍ୱ ବଜାୟ ରଖିଥିଲେ ଏଇ ନଦୀ ଜରିଆରେ ? ସମାଜବିଜ୍ଞାନୀ କ’ଣ ଦେଖିପାରୁ ନାହାନ୍ତି, ଭାରତ ବର୍ଷ, ଏପରିକି ସମଗ୍ର ପୃଥିବୀରେ ପ୍ରାଚୀ ସରସ୍ୱତୀ ଅବବାହିକାର ସମାଜ ଥିଲା ସ୍ୱୟଂସ୍ୱତନ୍ତ୍ର ଓ ମାନବ ଜାତି ହିତୈଷୀ ? ବିଶ୍ୱଶାନ୍ତି ଓ ଅହିଂସାର ଥିଲା ବାର୍ତ୍ତାବହ । ଯେଉଁ ସମାଜ ଦିନେ ବିଶ୍ୱକୁ ଗବାନ୍ଧ ସାଜି ଭାଗବତଘର ସମାଜ ବ୍ୟବସ୍ଥାର ଥିଲା ନିୟାମକ । ବସୁଧୈବ କୁଟୁମ୍ବକମ୍ ଭାବନାର ଉପାସକ, ନର ଦେହେ ନାରାୟଣ ତତ୍ତ୍ୱର ପ୍ରଚାରକ, ପରୋପକାର ସ୍ୱର୍ଗୀୟ ଆଦର୍ଶର ଅନୁଗାମୀ, ସେ କ’ଣ ସାଧାରଣ ସମାଜ ଥିଲା ? କେଉଁ ଶକ୍ତି ଏ ଯାଏଁ ଯୁଦ୍ଧ, ହିଂସା, ରକ୍ତପାତ ଓ ସଂଘର୍ଷକୁ ଆଦୌ ପ୍ରଶ୍ରୟ ଦେଇନାହିଁ । ବରଂ ପରାକ୍ରମା, ସାମ୍ରାଜ୍ୟଲିପ୍‌ସୁ, ସ୍ୱାର୍ଥପର, ନୃଶଂସ ଦିଗ୍‌ବିଜୟୀ ଚଣ୍ଡାଶୋକକୁ ଧର୍ମାଶୋକରେ ରୂପାନ୍ତର କରି ଉଚିତ ଶିକ୍ଷା ଦେଇଛି । ପ୍ରାଚୀ ଅବବାହିକାର ଅଶୋକଚକ୍ର ଆଜି ଭାରତୀୟ ଜାତୀୟ ଜୀବନର ପ୍ରତୀକ । ଏ ସମାଜ ଶିଖାଇଥିଲା ମାନବିକତା ସମକ୍ଷରେ ଧର୍ମବିଦ୍ୱେଷ, ସାଂପ୍ରଦାୟିକ ଦଂଗା, ଜାତିଆଣ ଅସୂୟା । ବଡ଼ସାନ ବିଭେଦ ଆଦି ଅସାମାଜିକ ତତ୍ତ୍ୱଗୁଡ଼ିକର ସ୍ଥାନ ନାହିଁ । ଏହାଠାରୁ ବଡ଼ ସହଯୋଗିତା, ସହଭାଗିତା ଓ ସଂହତି । ପ୍ରାଚୀ ପ୍ରାଚୀନ ଓଡ଼ିଶା ତଥା ଭାରତବର୍ଷର ଥିଲା ଏକ ପ୍ରମୁଖ ଅଂଚଳ । ତାର ସାମଗ୍ରିକ ସର୍ବେକ୍ଷଣ ଅତ୍ୟନ୍ତ ଜରୁରୀ । ଉତ୍ତର-ପଶ୍ଚିମ ଭାରତରେ ପବିତ୍ର ସରସ୍ୱତୀ ନଦୀ କ୍ଷେତ୍ରରେ ଯାହା ଘଟିଛି; ତାହାହିଁ ଦେଖିବାକୁ ମିଳୁଛି ପ୍ରାଚୀସ୍ୱରସ୍ୱତୀ ପକ୍ଷରେ । ସିନ୍ଧୁ (ସରସ୍ୱତୀ) ଅବବାହିକାର ପ୍ରାଚୀନ ମେହେରଗଡ଼ ୧ (ଖ୍ରୀ. ପୂ. ୬୫୦୦), ମହେଞ୍ଜୋଦାରୋ ଓ ହର୍‌ରପା (ଖ୍ରୀ. ପୂ ୧୯୦୦) ପରି ପ୍ରାଚୀ ଦିନେ ବିଶ୍ୱ ସମୁଦାୟର ଆଖି ଖୋଲିଦେବ ।

 

ପ୍ରାଚୀ-ସରସ୍ୱତୀ ଏକ ବିତର୍କ :

ବେଦ, ଉପନିଷଦ, ପୁରାଣଶାସ୍ତ୍ର, ଲୋକକାହାଣୀ, କିମ୍ବଦନ୍ତୀରେ ଖ୍ୟାତିଲାଭ କରିଥିବା ଐତିହ୍ୟ, ସଂସ୍କୃତି ଓ ସଭ୍ୟତା ଆମକୁ ଅପସନ୍ଦ, ଅବାସ୍ତବ ଓ କାଳ୍ପନିକ ମନେ ହେଉଥିଲେ ହେଁ ଏହାର ପ୍ରତ୍ନତାତ୍ତ୍ୱିକ ଓ ଐତିହାସିକ ସର୍ବେକ୍ଷଣ ଫଳରେ ତାହା କେତେକାଂଶରେ ସତ୍ୟ ପ୍ରମାଣିତ ହେଲାଣି । ତାର କେତୋଟି ପ୍ରମାଣ ଆମ ଯୁକ୍ତିକୁ ସବଳ କରିପାରିବ । ପ୍ରଥମେ ବିଚାରକୁ ନିଆଯାଉ ଶ୍ରୀକୃଷ୍ଣଙ୍କ ନିଜ ଦେଶ ଦ୍ୱାରକା’ । ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଓସେନୋଗ୍ରାଫି (NIO) ସଂସ୍ଥାର ସାମୁଦ୍ରିକ ପତ୍ନପତ୍ତ୍ୱବିଦ୍‌ଦଳ ୧୯୮୭ ଡିସେମ୍ବର ୧୧ ତରିଖରେ ଗୁଜୁରାଟ ତଟବର୍ତ୍ତୀ ଆରବ ସାଗରକୁ ଲାଗି କୁଚ୍ (କଚ୍ଛ) ଉପସାଗର ମଧ୍ୟରେ ୩୫୦୦ ବର୍ଷ ତଳର ପୁରୁଣା ପୁରାଣ ବର୍ଣ୍ଣିତ (frawley P-365) ଦ୍ୱାରକା ଓ ବେଟ୍‌ ଦ୍ୱାରିଆ ଦ୍ୱୀପର ବନ୍ଦର ପ୍ରାଚୀର ଆବିଷ୍କାର କରିଅଛନ୍ତି । ଏହା ୨୫୦ ମିଟର ଦୀର୍ଘ ଓ ଦ୍ୱାପର ଜୁଆରିଆ ଅଂଚଳରେ ବୁଡ଼ିରହିଛି । ଦଳର ମୁଖ୍ୟ ଡକ୍ଟର ଏସ୍.ଆର. ରାଓ ଏପରି ଏକ ସାମୁଦ୍ରିକ ନିର୍ମାଣ ଉପରେ ମତ ଦେଇ କହନ୍ତି-କୁଶାସ୍ଥଳୀ ନଗରର ଧ୍ୱଂସ ସ୍ତୁପ ଉପରେ ଦ୍ୱାରକାନିର୍ମିତ (frawley P.364) । ଦ୍ୱାରକାର ବର୍ଣ୍ଣନା ଆରଣ୍ୟକ ଗ୍ରନ୍ଥ (Forest Books) ରେ ଦେଖିବାକୁ ମିଳୁଥିବା ହେତୁ ଏହାର କାଳ ପ୍ରାୟ ଖ୍ରୀ. ପୂ. ୧୫୦୦ ।

 

ସେହିପରି ଋଗ୍‌ବେଦ ବର୍ଣ୍ଣିତ ସରସ୍ୱତୀ ନଦୀ ପଶ୍ଚିମ ଆଫଗାନିସ୍ଥାନର ଏକ ମୃତ ତଥା କ୍ଷୀଣ ଜଳଧାରା ଓ ଆଧୁନିକ ପଞ୍ଜାବର ଏକ କ୍ଷୁଦ୍ର ନଦୀ ଘାଘରର ପ୍ରାଚୀନ ନାମ । ୧୯୮୫ ମସିହାରେ ପ୍ରତ୍ନତତ୍ତ୍ୱବିତ୍ ଡଃ ଭି.ଏସ୍ ଓ୍ୱାକାନ୍‌କରଙ୍କ ନେତୃତ୍ୱରେ ଦୀର୍ଘ ୩୫୦୦ କି, ମି., ଆଦି ବଦ୍ରିଠାରୁ ଗୁଜୁରାଟର ସେମାନାଥ ପର୍ଯ୍ୟନ୍ତ ସର୍ବେକ୍ଷଣ କରାଯାଇଥିଲା । ଅନ୍ୟୁନ ୧୫୦ ଗୋଟି ଉଲ୍ଲେଖନୀୟ ଓ ପ୍ରସିଦ୍ଧ ସ୍ଥଳକୁ ନାନା ପ୍ରରୀକ୍ଷା ନିରୀକ୍ଷା କରାଯାଇ ଏକ ସିଦ୍ଧାନ୍ତ ପ୍ରକାଶ କରାଗଲା ଯେ-‘ପ୍ରାଚୀନ ଭାରତରେ ସୁସମୃଦ୍ଧ ତଥା ପ୍ରଗତିଶୀଳ, ସଂସ୍କୃତିସମ୍ପନ୍ନ ଏକ ନଦୀ ଅବବାହିକା ସରସ୍ୱତୀ ନାମରେ ବିରାଜମାନ କରୁଥିଲା ।’ ସେହି ଅଞ୍ଚଳର ବିଭିନ୍ନ ପାଣିନାଳ ଓ ଧାରକୁ ମଲ୍‌ଟିସ୍ପେକ୍‌ଟ୍‌ରାଲ୍ ସ୍କାନର (Mss) ଜରିଆରେ ଅନୁଧ୍ୟାନ କରାଯାଇ ଦେଖାଗଲା ଯେ-ବର୍ତ୍ତମାନ ପାକିସ୍ଥାନରେ ଥିବା ସତ୍‌ଲେଜ୍ (ଶତଦ୍ରୁ) ପଞ୍ଜାବର ଘାଘର (ସରସ୍ୱତୀ) ନଦୀର ମୁଖ୍ୟ ଉପନଦୀ ଥିଲା । ଶତଲେଜ ପ୍ରାକୃତିକ ପରିବର୍ତ୍ତନ ଫଳରେ ଗତିପଥ ବଦଳାଇ ଦେବାରୁ ଘାଘରନଦୀ ଶୁଖିଗଲା (Frawley P-54-55) । ଘାଘରର ଲ୍ୟାଣ୍ଡ ସ୍ୟାଟ୍‌ ଇମେଜରୀରୁ ଜଣାଯାଏ-ଏହା ଛଅରୁ ଆଠ କି.ମି ଅର୍ଥାତ୍ ୪ ରୁ ୫ ମାଇଲ ଓସାର ଥିଲା । ଯାହା ପ୍ରାଚୀ ନଦୀର ଓସାର ସହିତ ସମାନ । ସରସ୍ୱତୀ ଦିନେ ଶିବାଲିକ୍ ପର୍ବତ ସିମଳାଠାରୁ କୁଚ୍‌ର ରାଇନ୍ ଉପକୂଳ ପର୍ଯ୍ୟନ୍ତ ଥିଲା ଓ ତା’ ମଧ୍ୟକୁ ଯମୁନା ଓ ସତ୍‌ଲେଜ୍ ପ୍ରବାହିତ ହେଉଥିଲେ । ଅହମ୍ମଦାବାଦ୍ ମହାକାଶ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଆମେରିକୀୟ ସାଟେଲାଇଟ୍ ଲ୍ୟାଣ୍ଡ ସ୍ୟାଟ୍ ଚିତ୍ରରୁ ଏହାର ଶୁଷ୍କଶଯ୍ୟାକୁ ବିଶ୍ଲେଷଣ କରି ଏକଥା କହିଅଛନ୍ତି । ଅପରନ୍ତୁ ରାଜସ୍ଥାନ ସରକାରଙ୍କର ଜଣେ ଅଫିସର ଶ୍ରୀ ଏନ୍‌. ଏନ୍. ଗୁଡ଼ବୋଲ୍ ସରସ୍ୱତୀ ନଦୀ ଶଯ୍ୟାରେ ଥିବା କୂପମାନଙ୍କ ଜଳର ରାସାୟନିକ ପରୀକ୍ଷା କରି ମଧ୍ୟ କହିଛନ୍ତି-ଏଠାରେ ଏକ ବୃହତ୍ତମ ନଦୀ ଦୀର୍ଘ ବର୍ଷ ଧରି ପ୍ରବାହିତ ହେଉଥିଲା । ପ୍ରାଚୀ ଉପତ୍ୟକାରେ ପୋତି ହୋଇ ପଡ଼ିଥିବା ଓ ଏଯାବତ୍ ଦୃଶ୍ୟମାନ ହେଉଥିବା ଅସଂଖ୍ୟ କୂପମାନଙ୍କୁ (ବିଶେଷକରି ଚୌରାଶୀର ଚଉରାଅଶୀ କୂଅକୁ) ନେଇ ରାସାୟନିକ ପରୀକ୍ଷା କରାଗଲେ ଅନେକ ସତ୍ୟ ଉଦ୍‌ଘାଟିତ ହୋଇପାରନ୍ତା ।

 

ସରସ୍ୱତୀ ନଦୀ ସଂପର୍କରେ ପୁନେର ଡେକାନ୍ କଲେଜ ପୋଷ୍ଟ ଗ୍ରାଜୁଏଟ୍ ରିସର୍ଜ ଇନ୍‌ଷ୍ଟିଚ୍ୟୁଟ୍ (CAZR) ଚମକପ୍ରଦ ତଥ୍ୟ ପ୍ରଦାନ କରିଅଛନ୍ତି । ସେମାନଙ୍କ ମତରେ ସରସ୍ୱତୀ ବୈଦିକ ଯୁଗରେ ସିନ୍ଧୁ ଓ ଗଂଗା ସହିତ ସମତାଳରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା (frawley P-354) । ଖ୍ରୀ. ପୂ ୮୦୦ ରୁ ଖ୍ରୀ. ପୂ. ୧୯୦୦ ହେଉଛି ସିନ୍ଧୁ-ସରସ୍ୱତୀ ସଭ୍ୟତାର ପ୍ରତ୍ନତାତ୍ତ୍ୱିକ କାଳ ଋଗ୍‌ବେଦ (ଖ୍ରୀ. ପୂ. ୩୧୦୦) ରେ ସରସ୍ୱତୀ ନଦୀର ନାମ ବାରମ୍ବାର ଉଚ୍ଚାରିତ । ତାହା ଯେ ପ୍ରାକୃତିକ ପରିବେଶ କାରଣରୁ ସିନ୍ଧୁରୁ ସରସ୍ୱତୀ ହୋଇଛି ତାହା ନୁହେଁ, ଯେ ସିନ୍ଧୁ ସେ ସରସ୍ୱତୀ । ଋଗ୍‌ବେଦର ଏକ ମନ୍ତ୍ର କହେ- ‘ସରସ୍ୱତୀ ତାଙ୍କ ଉଜ୍ଜ୍ୱଳ ରଶ୍ମୀରେ ବିଶାଳ ସିନ୍ଧୁପରି ପ୍ରତୀୟମାନା ହୋଇଥାନ୍ତି । ସିଏ ସମସ୍ତ ଐଶୀ ଶକ୍ତିକୁ ବା ପ୍ରେରଣାକୁ ନିମନ୍ତ୍ରଣ କରନ୍ତି । (ଋଗ୍ ୧/ ୩/ ୧୨) । ଋଗ୍‌ବେଦରେ ଯେଉଁ ୨୭ ଗୋଟି ଜଳ ଉତ୍ସକୁ ସିନ୍ଧୁ ବୋଲି ସମ୍ବୋଧନ କରାଯାଇଛି; ତାହା ବାସ୍ତବରେ ନଦୀ ଅର୍ଥରେ ପ୍ରଯୁକ୍ତ (ନିଘଣ୍ଟୁ, ନିରୁକ୍ତ ନଦୀ, ପୃ.- ୧୩) । ବେଦ ବର୍ଣ୍ଣିତ ସପ୍ତନଦୀ (ସପ୍ତସିନ୍ଧୁଃ) ମଧ୍ୟରୁ ସିନ୍ଧୁନଦୀକୁ ଛାଡ଼ିଦେଲେ କେନ୍ଦ୍ର ଓ ପୂର୍ବଭାରତର ନଦୀମାନଙ୍କୁ ମଧ୍ୟ ସିନ୍ଧୁ କୁହାଯାଉଥିଲା । ପୂର୍ବଭାରତର ଅନେକ ନଦୀ ବୈଦିକ ଯୁଗର ନଦୀମାନଙ୍କ ସମକକ୍ଷ । ବିଭିନ୍ନ ବ୍ରାହ୍ମଣଗ୍ରନ୍ଥ କହେ- ‘ସରସ୍ୱତୀ ସିନ୍ଧୁ ପରି ଏକ ପ୍ରମୁଖ ନଦୀ ନୁହେଁ, ସେ ହେଉଛନ୍ତି ପ୍ରବାହମାନଙ୍କର ଦେବୀ, ଜ୍ଞାନର ଦେବୀ, ବେଦର ଜନନୀ । ବେଦର ସମସ୍ତ ସଂସ୍କାର ଓ ଧର୍ମାଚାର ତାଙ୍କରି କୂଳରୁ ସମ୍ଭୂତ । ତେଣୁ ବୈଦିକ ମୁନୀ ଋଷିଙ୍କ ଦୃଷ୍ଟିରେ ସରସ୍ୱତୀ ହେଉଛନ୍ତି ଆର୍ଯ୍ୟମାନଙ୍କର ମାତୃଦେବୀ ଓ ମାତୃପ୍ରବାହମାନଙ୍କ ମଧ୍ୟରେ ଶ୍ରେଷ୍ଠ । ଅମ୍ବି ତମେ, ନଦୀ ତମେ, ଦେବୀ ତବମେ ସରସ୍ୱତୀ The best mother, the best river, lie best goddes Saraswati (ଋଗ୍‌ବେଦ ୨/୪୧/୧୬) । ଭୂତତ୍ତ୍ୱବିଜ୍ଞାନୀଙ୍କ ମତରେ ଭୂତତ୍ତ୍ୱିଜ୍ଞାନୀଙ୍କ ମତରେ ସରସ୍ୱତୀ ପ୍ରାକୃତିକ ନିୟମରେ ଚାରିଥର ତାର ଗତିପଥ ପରିବର୍ତ୍ତନ କରିଅଛି (feuerstein P-91) । ଏହାଫଳରେ ସରସ୍ୱତୀ ନଦୀ ପଶ୍ଚିମରୁ ପୂର୍ବମୁଖା ବହି ଗଙ୍ଗାନାମରେ ପରିବର୍ତ୍ତିତ ହୋଇଯାଇଅଛି । ଋଗ୍‌ବେଦରେ ଅଛି ସରସ୍ୱତୀ ସ୍ୱର୍ଗରେ ଥିଲେ ଇଚ୍ଛାକରି ମର୍ତ୍ତ୍ୟକୁ ଓହ୍ଳାଇଲେ (ଋଗ୍ ୬/ ୬୧ / ୧୧, ୫/ ୪୩/ ୧୧) । ଗଂଗାନଦୀ ମଧ୍ୟ ସ୍ୱର୍ଗରୁ ଅବତରଣ କରିଥିଲେ ବୋଲି ସଗରବଂଶ ଉଦ୍ଧାର ଓ ଭଗୀରଥ ପ୍ରସଙ୍ଗରେ ପୁରାଣମାନଙ୍କରେ କୁହାଯାଇଅଛି । ଯିଏ ସରସ୍ୱତୀ ସିଏ ଗଂଗା ଏକଥା ପବିତ୍ରତା, ମହତ୍ୱ, ସ୍ୱର୍ଗୀୟଗୁଣ ଓ ଲୋକବିଶ୍ୱାସକୁ ଆଧାର କରି ବେଦ, ଉପନିଷଦ, ପୁରାଣ ଓ ମହାଭାରତ ଆଦି ଗ୍ରନ୍ଥରେ ଉଲ୍ଲେଖ କରାଯାଇଅଛି । (Darian, chap-5, P-59-60)

 

ସରସ୍ୱତୀ ନଦୀ ହରପ୍‌ସା ନଗରୀକରଣ ପରେ ଦ୍ୱିତୀୟ ନଗରୀକରଣ ପୂର୍ବରୁ ଅର୍ଥାତ୍ ଖ୍ରୀ. ପୂ. ୧୦୦୦ ର ସାମାନ୍ୟ ପରେ (ଲୌହଯୁଗ ମଧ୍ୟରେ) ଗଂଗା-ଯମୁନା ଅବବାହିକା ମଧ୍ୟକୁ ପ୍ରବେଶ କରି ଗୁପ୍ତ ରହିଲା । ପ୍ରୟାଗ ଏହାର ଜ୍ୱଳନ୍ତ ଉଦାହରଣ । ପ୍ରତିବର୍ଷ ପବିତ୍ର ତ୍ରିବେଣୀ ଘାଟ ପ୍ରୟାଗ (ଆଧୁନିକ ଆହ୍ଲାବାଦ) ଠାରେ ଲକ୍ଷ ଲକ୍ଷ ଭକ୍ତ ବୁଡ଼ ପକାଇଥାନ୍ତି । ସେମାନଙ୍କ ଦୃଷ୍ଟି ପଥାରୂଢ଼ କରେ ଗଂଗା ଓ ଯମୁନା । ସରସ୍ୱତୀ ଥାନ୍ତି ଗୁପ୍ତ ରୂପରେ, ବିଶ୍ୱାସରେ । ଯେମିତି ବନମାଳୀପୁର ନିଆଳୀ ରାସ୍ତା କଡ଼ରେ ପଇଡ଼ ପାଟଣା ଠାରେ ରହିଛି ଅନ୍ତବେଦୀମଠ । ଏହା ତ୍ରିବେଣୀ ଘାଟ ନାମରେ ଖ୍ୟାତ । ଏଠାରେ ପ୍ରତିବର୍ଷ ମାଘମାସ ଅମାବାସ୍ୟାରେ ତ୍ରିବେଣୀମେଳା ଅନୁଷ୍ଠିତ ହୁଏ । ପ୍ରାଚୀ ଓ ମଣିକର୍ଣ୍ଣିକା ଉପନଦୀକୁ ଛାଡ଼ିଦେଲେ ସରସ୍ୱତୀ ଏଠାରେ ଗୁପ୍ତ ନଦୀ । କଳିଯୁଗର ଗୁପ୍ତ ବାରଣାସୀ-

 

ଯାହାକୁ ବୋଲନ୍ତି ତ୍ରିବେଣୀ-ମଣି କର୍ଣ୍ଣିକା ସେ ଯେ ପୁଣି

କଳିରେ ଗୁପ୍ତ ବାରଣାସୀ ଗୋକର୍ଣ୍ଣେର ପଶେ ଆସି ।

ଜଟାଜୁଟରୁ ଶ୍ରମଝାଳ, ଗଡ଼ିପଡ଼ଇ ପ୍ରାଚୀ ନୀର

ଗଙ୍ଗାଯମୁନା ସରସ୍ୱତୀ-ତ୍ରିବେଣୀ ନାମ ସେ ବହନ୍ତି ।

(ପ୍ରା. ମ. ୫ମ ଅଧ୍ୟାୟ)

 

ଲୋକବିଶ୍ୱାସର ପ୍ରୟାଗ । ଐତିହାସିକ ନୀଳକଣ୍ଠ ଶାସ୍ତ୍ରୀ ଭାଷାତାତ୍ତ୍ୱିକ ପ୍ରମାଣକୁ ଆଧାର କରି କହନ୍ତି-ଭାରତୀୟ ନଦୀମାନଙ୍କର ନାମ ପରିବର୍ତ୍ତନ ଏକ ସାଧାରଣ କଥା, ଅନ୍ୟତ୍ର ଜର୍ଜ ଫ୍ୟୁରେଷ୍ଟିନ୍ ମଧ୍ୟ ସ୍ୱୀକାର କରନ୍ତି- Saraswati recedes more and more into the background and in Ganges gradually, comes to the force (feuerstien P-105) ସିନ୍ଧୁ-ସରସ୍ୱତୀ ସଂସ୍କୃତି କାଳକ୍ରମେ ଗଂଗା-ଯମୁନା-ସରସ୍ୱତୀ ସଂସ୍କୃତିରେ ରୂପାନ୍ତରିତ ହୋଇ ଏକ ବିଶାଳ ସଭ୍ୟତା ନିର୍ମାଣରେ ସହାୟକ ହେଲା । ଏତେସବୁ ଯୁକ୍ତି ପ୍ରମାଣ ଉପସ୍ଥାପନ କରିବାର ଅସଲ ଉଦ୍ଦେଶ୍ୟ ହେଲା-ପ୍ରାଚୀନ ବେଦ ଉପନିଷଦର ସରସ୍ୱତୀ ନଦୀକୁ ଉତ୍ତର-ପଶ୍ଚିମ ଭାରତରୁ ଆଣି ପୂର୍ବର ପ୍ରାଚୀ ନଦୀ ସହିତ ତୁଳନା କରିବା । ପ୍ରାଚୀତି ଗଂଗା ସରସ୍ୱତୀଃ, ବ୍ରହ୍ମପୁରାଣ, ଚତୁର୍ଥ ସର୍ଗରେ ଉଲ୍ଲେଖ ଅଛି-

 

ନଦୀ ତତ୍ର ମହାପୂଣ୍ୟ ବିନ୍ଧ୍ୟପଦ ବିନିର୍ଗତ

ଚିତ୍ରୋତ୍ପଳେତି ବିଖ୍ୟାତ ସର୍ବ ପାପହରେ ଶିବ

ଗଂଗାତୁଲ୍ୟ ମହାସ୍ରୋତ ଦକ୍ଷିଣାର୍ଣ୍ଣବ ଗାମିନୀ

ମହାନଦୀ ନାମ୍ନ ସଃ ପୂଣ୍ୟତୋୟା ସରିତ୍ ବର

(ବ୍ରହ୍ମପୁରାଣ ୪/୪/୫)

 

ପ୍ରାଚୀ (ମହାନଦୀ) ଓଡ଼ିଶାର ଗଂଗା, ସିନ୍ଧୁ, ସରସ୍ୱତୀ ନଦୀ ଥିଲା ଏକଥା କହିବାରେ କେତୋଟି ପ୍ରମାଣ ଆଖି ଆଗକୁ ଆସେ । ଗବେଷକମାନେ କହନ୍ତି ପ୍ରାଚୀନ ପ୍ରସ୍ତର ଓ ନୂତନ ପ୍ରସ୍ତର ଯୁଗର ସଭ୍ୟତା ଓଡ଼ିଶାର ପଶ୍ଚିମଭାଗ ପାର୍ବତ୍ୟ ଅଞ୍ଚଳରେ ସୀମାବଦ୍ଧ ଥିଲା (ସାହୁ, ପୃ. ୩୭-୪୦ ଓ ତ୍ରିପାଠୀ, ପୃ. ୨୭) କାରଣ ଏଇ ତ୍ରିକୋଣ ଭୂମିଅଂଚଳ ସମ୍ଭବତଃ ଥିଲା ଅର୍ବାଚୀନ । ପ୍ରାଚୀ ଉପତ୍ୟକାସ୍ଥ ଗଡ଼ଝିଙ୍କିରିଆ, ଅସୁରଢ଼ପରୁ ବାହାରିଥିବା ବୃହତ ଆକାର ବିଶିଷ୍ଟ କଙ୍କାଳ, ସମଗ୍ର ଉପତ୍ୟକାରେ ଉପାସିତ ‘ମାତୃଦେବୀ’ (Mother Goddess), ବିଶେଷକରି କୁରୁମର ଠାକୁରାଣୀ, ନଈଗୁଆଁର ଗଣେଶ, ଅଡ଼ସପୁର ମାଧବାନନ୍ଦ ମନ୍ଦିର ପ୍ରାଙ୍ଗଣର ଠାକୁରାଣୀ, ଚାରିଛକ ପାଖ ହରିଶଙ୍କର ମନ୍ଦିର ପାର୍ଶ୍ୱରେ ପୂଜିତ ନାରାୟଣୀ, କୁରୁମର ବୌଦ୍ଧ ବିହାର, ପ୍ରାଚୀ ଉପତ୍ୟକାର ମାଟିପାତ୍ର, ଖପୁରୀ, ମୁଦ୍ରା, ପୋଡ଼ାମାଟିର ମୂର୍ତ୍ତି, ନୌବାଣିଜ୍ୟ ସନ୍ତକ ସ୍ୱରୂପ କୁଦ ଓ ପୁଷ୍କରିଣୀ, ପଡ଼ିଆ ଓ ହାଟମାନଙ୍କୁ ଦେଖିଲେ ସିନ୍ଧୁ (ସରସ୍ୱତୀ) ସଭ୍ୟତାର ସାମଞ୍ଜସ୍ୟ ଧରାପଡ଼େ । ସେ ଦିଗରେ ବିଶେଷଜ୍ଞମାନଙ୍କର ବିଶେଷଧ୍ୟାନର ଆବଶ୍ୟକତା ଅଛି । ଅବଶ୍ୟ ପ୍ରାଚୀ ଉପତ୍ୟକା ଉପରେ ୧୯୭୪-୭୫ ମସିହାରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସର୍ବେକ୍ଷଣରେ ଚୌରାଶି ଓ ଚହଟା ଗ୍ରାମରେ ଭୂଖନନ କରାଯାଇ କେତେକ ଧ୍ୱଂସାବଶେଷ ଉଦ୍ଧାର କରାଯାଇଛି । ତାହା ଅତିବେଶୀରେ ଖ୍ରୀ. ଅ ୯ମ ଶତାବ୍ଦୀର ବୋଲି ମତପ୍ରକାଶ ପାଇଛି । ପ୍ରାଚୀ ସଭ୍ୟତାକୁ ଆବିଷ୍କାର କରିବା ପାଇଁ ଆମକୁ ବହୁ କଷ୍ଟ କରିବାକୁ ପଡ଼ିବ ।

 

ସ୍କନ୍ଧ ପୁରାଣରେ ନର୍ମଦା (ରେବା) ମହାତ୍ମ୍ୟ, ବ୍ରହ୍ମପୁରାଣରେ ଗୋଦାବରୀ (ଗୌତମୀ) ମହାତ୍ମ୍ୟ ଓ କ୍ରିୟାଯୋଗ ସାରରେ ଗଙ୍ଗା ମହାତ୍ମ୍ୟର ବର୍ଣ୍ଣନା ଦେଖିବାକୁ ମିଳେ । ‘ଗୟା ଗଂଗାସାଗର ଯେ ପ୍ରୟାସ ସମାନ-ପବିତ୍ର ଦୁର୍ଲ୍ଲଭ ଗଂଗାଦେବୀ ଜଳେ ସ୍ନାନ । ସଂସ୍କୃତ ପଦ୍ମପୁରାଣରେ ଜାହ୍ନବୀ (ଗଙ୍ଗା) ଓ ପ୍ରାଚୀ ମାଧବଙ୍କ ସମ୍ବନ୍ଧରେ ଉଲ୍ଲେଖ ଅଛି-

 

ଜାହ୍ନବୀସା ପୁରା ବିପ୍ରତ୍ରିସ୍ପୃଷା ମାଧବେନତୁ

ପ୍ରାଚୀ ସରସ୍ୱତୀ ତୀରେ କଥିତ ତ୍ୱନୁକମ୍ପୟା

 

ସଂସ୍କୃତ ପଦ୍ମପୁରାଣ ଅନୁସାରେ ସଂସ୍କୃତ ପ୍ରାଚୀ ମହାତ୍ମ୍ୟ ଓ ଓଡ଼ିଆ ପ୍ରାଚୀ ମହାତ୍ମ୍ୟ୧୦ ରଚିତ । ଓଡ଼ିଆ ପୁରାଣ ସାହିତ୍ୟ ମଧ୍ୟରେ ପ୍ରାଚୀ ମହାତ୍ମ୍ୟ ଏକ ଉଲ୍ଲେଖନୀୟ ଓ ସ୍ୱତନ୍ତ୍ର ଉପପୁରାଣ । ଏଥିରେ ଅଛି ସତ୍ୟଯୁଗରେ ବ୍ରହ୍ମାଙ୍କ କମଣ୍ଡଳୁରୁ ପାଣିପଡ଼ିଯିବାରୁ ତଳେ, ସରସ୍ୱତୀ ନଦୀ ଜାତ ହୋଇଗଲା । ଏହା ପଶ୍ଚିମ ଦିଗକୁ ଯାଇ ସମୁଦ୍ର (ଆରବ ସାଗର)ରେ ମିଶିଗଲା ।

 

ସେ ଜଳ ଅଧୋ ଭାଗେ ପଡ଼ି, ପଶ୍ଚିମ ଦିଗେ ଗଲାମାଡ଼ି

ନାମ ହୋଇଲା ସରସ୍ୱତୀ, ସ୍ୱର୍ଗରେ କରନ୍ତି ମୂକତି

(ପ୍ରା.ମା ୧ମ)

 

ଏଇ ସରସ୍ୱତୀର ଅନ୍ୟ ତିନୋଟି ନାମ-ମହାନଦୀ, ଭଦ୍ରା ଓ ଚିତ୍ରୋତ୍ପଳା । ସରସ୍ୱତୀଙ୍କ ବାସସ୍ଥାନ- ‘କନକଗିରି’ । ସେଠାରୁ ସେ ପଶ୍ଚିମମୁଖୀ ହୋଇ ବହିଯାଇଛି । ପାର୍ବତୀମିଳନକାଂକ୍ଷୀ ମହାଦେବଙ୍କ ରଚେସ୍ଖଳିତ ହୋଇ ସମୁଦ୍ରରେ ବାଡ଼ବାନଳ ସୃଷ୍ଟି ହେଲା । ଜଗତର ପ୍ରାଣୀ ସକଳ ଏହା ଫଳରେ ଭୟରେ ଥରହର ହେଲେ । ଏହାଦେଖି ଦେବତାମାନେ ବ୍ରହ୍ମାଙ୍କୁ ଘେନି ଇନ୍ଦ୍ର, ବରୁଣ, ଗଂଗା, ଯମୁନା ଓ ନର୍ମଦା ପ୍ରଭୃତି ଦେବାଦେବୀଙ୍କୁ ପ୍ରାର୍ଥନା କଲେ । କେହି ବାଡ଼ବାନଳ ଲିଭାଇ ପାରିଲେ ନାହିଁ । ପରେ ଦେବୀ ସରସ୍ୱତୀଙ୍କୁ ଦେଖା କରିବାରୁ ସେ ପଶ୍ଚିମ ଦିଗରୁ ପାତାଳପୁର ମାର୍ଗ ଦେଇ ପୂର୍ବାମୁଖୀ ହୋଇଆସିଲେ । ଏଣୁ ସରସ୍ୱତୀଙ୍କ ଅନ୍ୟନାମ ହେଲା ପ୍ରାଚୀ-। ପ୍ରାଚୀ ଶବ୍ଦରଅର୍ଥ ହେଲା ପୂର୍ବଦିଗ । (ପ୍ର+ଅଞ୍ଚ+ହ୍ୱିନ୍‌ଟି-ଡୀପ୍-ପ୍ରାଚୀ) । ଭାରତବର୍ଷର ପୂର୍ବଭାଗର ନାଁ (ମା. ପୁ ୪୮/୪୧-୪୨)

 

ପାତାଳପୁର ମାର୍ଗେ ଯାଇ, ପୂର୍ବଦିଗକୁ ମୁଖ ହୋଇ

ଚଳିଲେ ପ୍ରାଚୀ ସରସ୍ୱତୀ, କିନ୍ନର ବର କରେ ସ୍ତୁତି ।

(ପ୍ରା. ମା- ୩ ଅଧ୍ୟାୟ)

 

କନକଗିରି ଛାଡ଼ି ସରସ୍ୱତୀ ଯେଉଁ ସ୍ଥାନରେ ଆସି ବିଦ୍ୟମାନ ହେଲେ; ସେ ସ୍ଥାନ ଥିଲା କପିଳମୁନୀଙ୍କ ଆଶ୍ରମ । ସିଦ୍ଧବନ, କପିଳ ବ୍ରହ୍ମାଙ୍କ ସକାଶେ ତପଶ୍ଚରଣ କରୁଥିଲେ । ପୂର୍ବାଭିମୁଖୀ ସରସ୍ୱତୀ ସେଠାରେ ଆବିର୍ଭୂତା ହେବାରୁ ବ୍ରହ୍ମା କପିଳଙ୍କୁ କହିଲେ-

 

ବିଶେଷେ ପ୍ରାଚୀ ସରସ୍ୱତୀ, କୂଳେ କରିବ ତୁମ୍ଭେ କୀର୍ତ୍ତି

ସେଠାରେ ହରଙ୍କୁ ସ୍ଥାପିବ, କପିଳେଶ୍ୱର ନାମଦେବ ।’

(ପ୍ରା. ମ. ୩ୟ ଅଧ୍ୟାୟ)

 

ପ୍ରାଚୀ ସରସ୍ୱତୀଙ୍କ ଆବିର୍ଭାବ ସ୍ଥଳକୁ ମଧ୍ୟ ‘ମୁକ୍ତିତୀର୍ଥ’ କୁହାଯାଏ । ପ୍ରାଚୀ ମହାତ୍ମ୍ୟ ଓଡ଼ିଶାର ଅନ୍ୟ ସମସ୍ତ ପୁରାଣରୁ ଭିନ୍ନ କରାଣ ଏଥିରେ ଯେଉଁ ତୀର୍ଥ, ପୀଠ, ମଠ, ମନ୍ଦିର, ଦେବାଦେବୀଙ୍କର ବିବରଣୀ ପ୍ରଦାନ କରାଯାଇଛି, ତାହା କପୋଳକଳ୍ପନା ନୁହେଁ, ବାସ୍ତବରେ ସେଗୁଡ଼ିକ ସ୍ଥାନ ବିଶେଷର ମହତ୍ୱ ନେଇ ବିରାଜମାନ । ପ୍ରାଚୀ ଉପକୂଳର ସ୍ଥାନ ନାମ ଐତିହ୍ୟ ଓ ସଂସ୍କୃତିକୁ ଆଧାର କରି ବିଚାର କଲେ ଏହା ଏକ ଆଧ୍ୟାତ୍ମିକ ପୁରାଣ ଗ୍ରନ୍ଥ ଅପେକ୍ଷା ଏକ ଐତିହାସିକ ଗ୍ରନ୍ଥ ବୋଲି ଅଧିକ ପ୍ରତ୍ୟେୟ ହୁଏ ।

 

ଯେଉଁ ସରସ୍ୱତୀ ନଦୀ ପରବର୍ତ୍ତୀ କାଳରେ ଗଙ୍ଗାନଦୀ ଭାବରେ ପରିଚିତା, ସେଇ ଗଂଗା ଓଡ଼ିଶାର ମହାନଦୀ (ଗୁପ୍ତଗଂଗା) ନାମ ଧାରଣ କରି ବିରାଜିତା । ଏଇଠି, ମନକୁ ଏକ ପ୍ରଶ୍ନ ଆସେ, ଯେ ସରସ୍ୱତୀ ସେ ଗଂଗା, ଯେ ଗଂଗା ସେ ମହାନଦୀ, ଯେ ମହାନଦୀ ସେ ପ୍ରାଚୀ ନ ହେବ କାହିଁକି ? ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ବିଦେହ ମାଥଓ୍ୱା ରାଜାଙ୍କ ପ୍ରସଙ୍ଗରେ କୁହାଯାଇଛି- ସରସ୍ୱତୀ ନଦୀ ଖ୍ରୀ. ପୂ. ୧୯୦୦ ବେଳକୁ ପୂର୍ବାଭିମୁଖୀ ହୋଇ କୋଶଳ ଏବଂ ବିଦେହର ଚତୁଃସୀମାରେ ପ୍ରବାହିତ ହେଲା । ସଂପ୍ରତି ଯାହାର ନାଁ ଗୁଣ୍ଡକ୍ (ସଦାନୀର ବା Clear water) (feuerstein P-95) । ବାୟୁ, ବ୍ରହ୍ମାଣ୍ଡ, ମତ୍ସ୍ୟ, ମାର୍କଣ୍ଡେୟ, ବାମନ, ବିଷ୍ଣୁ, ବ୍ରହ୍ମ, କୁର୍ମ, ଗରୁଡ଼, ବିଷ୍ଣୁଧର୍ମୋତ୍ତର ଓ ପଦ୍ମ ଆଦି ୧୧ଗୋଟି ପୁରାଣରୁ ପ୍ରାଚୀନ ଜନପଦର ତାଲିକା ମିଳେ । ମହାଭାରତ ଭୀଷ୍ମ ପର୍ବରେ ସାତ ଗୋଟି ଜନପଦର ନାଁ ଅଛି । ଯଥା- ମଧ୍ୟଦେଶ, ଉଦୀଚ୍ୟ, ପ୍ରାଚ୍ୟ, ଦକ୍ଷିଣାପଥ, ଅପରାନ୍ତ, ବିନ୍ଧ୍ୟବାସୀନ ଓ ପର୍ବତାଶ୍ରୟୀନ । ୧୧ ମଧ୍ୟଦେଶରେ ୧୮ ଜନପଦ ମଧ୍ୟରୁ କୋଶଳ ଅନ୍ୟତମ । ପ୍ରାଚ୍ୟରେ ୧୯ ଜନପଦ ମଧ୍ୟରେ ବିଦେହ, ତାମ୍ରଲିପ୍ତି, ମଗଧ ଅନ୍ତର୍ଭୁକ୍ତ । ଦକ୍ଷିଣାପଥ ୨୯ ଜନପଦ ମଧ୍ୟରେ ଥିଲା କଳିଙ୍ଗ । ବିନ୍ଧ୍ୟବାସୀନରେ ୨୦ ଜନପଦ ମଧ୍ୟରେ ଥିଲେ ତୋସଳ, କୋଶଳ, ଉତ୍କଳ । ମହାଭାରତ ବନପର୍ବରେ ଯେଉଁ କୋଶଳ ରାଜ୍ୟ ସଂପର୍କରେ ବର୍ଣ୍ଣନା ଅଛି, ତାହା ଓଡ଼ିଶାର ଏକ ଅଂଶ ଦକ୍ଷିଣ କୋଶଳକୁ ବୁଝାଇଥାଏ । ଖ୍ରୀ. ଅ. ୨ୟରେ ଭରତ ମୁନୀ ଲେଖିଥିବା ନାଟ୍ୟଶାସ୍ତ୍ର ଓ ବାୟୁପୁରାଣରେ ଯେଉଁ କୋଶଳର ନାମୋଲ୍ଲେଖ ମିଳେ ତାହା ଦକ୍ଷିଣକୋଶଳ ।୧୨

 

କୋଶଳାସ୍ତୋସଳାଶ୍ଚୈବ କଳିଙ୍ଗା ଯବନାଃ ଖସାଃ । (ନା. ଶାସ୍ତ୍ର)

ତୋଷଳଃ କୋଶଳାଶ୍ଚୈବ ତ୍ରୈପୁରା ବିଦିଶାସ୍ତଥା ।୧୩ (ବା.ପୁ)

 

ଏହ୍ଲାବାଦ ଅଭିଲେଖରେ କଳିଙ୍ଗ-କୋଶଳର ଅତି ଅଙ୍ଗାଙ୍ଗୀ ସଂପର୍କ ଥିଲା ବୋଲି ଉଲ୍ଲେଖ ଅଛି । ଦିଗ୍‌ବିଜୟୀ ପରାକ୍ରମୀ ରାଜାମାନଙ୍କ ପକ୍ଷରେ କଳିଙ୍ଗ ଜୟ କରିବାକୁ ହେଲେ କୋଶଳ ରାଜ୍ୟକୁ ଜୟ କରିବାକୁ ପଡ଼ୁଥିଲା । ସମୁଦ୍ର ଗୁପ୍ତଙ୍କ ଦାକ୍ଷିଣାତ୍ୟ ଅଭିଯାନର ଦ୍ୱାରଦେଶରେ ଥିଲା କୌଶଳ ରାଜ୍ୟ । ଇତିହାସ କହେ-କୋଶଳର ଘାଟକ ଓ କଳିଙ୍ଗ କୋଙ୍ଗଦର ହସ୍ତୀ ବୋଇତରେ ବାହି ବିଭିନ୍ନ ଦରିଆପରି ଦେଶକୁ ନିଆଯାଉଥିଲା । ବୌଦ୍ଧଗ୍ରନ୍ଥ ‘ମହାକର୍ମ ବିଭଙ୍ଗ’ରେ ଅଛି-କଳିଙ୍ଗ କୋଶଳର ବଣିକ ସୁବର୍ଣ୍ଣ ଭୂମିକୁ ଯିବା ନିମନ୍ତେ ତାମ୍ରଲିପ୍ତ ବନ୍ଦରରୁ ବୋଇତ ଭସାଇ ନେଉଥିଲେ (ସାହୁ-୩୮୨) କଳିଙ୍ଗ ଅଞ୍ଚଳରୁ କୌଶଳକୁ କାର୍ପାସ ବସ୍ତ୍ର ଓ ଲବଣ ବହୁ ପରିମାଣରେ ପଠାଯାଉଥିଲା ଏବଂ କୋଶଳରୁ ବିଭିନ୍ନ କ୍ଷୌମବସ୍ତ୍ର ଓ ଜଂଗଲଜାତ ପଦର୍ଥ କଳିଙ୍ଗରୁ ଆସୁଥିଲା (ସାହୁ ପୃ-୩୨୪-୨୫) । ହୀରା ଏବଂ ରତ୍ନପଥର ସମ୍ବଲପୁର-ବଲାଙ୍ଗୀର-କଳାହାଣ୍ଡିରୁ ମହାନଦୀ ଓ ତାର ଶାଖାନଦୀମାନଙ୍କ ମାଧ୍ୟମରେ ଜଳପଥରେ ପୂର୍ବଉପକୂଳରେ ଥିବା ସମାଦ୍ରିକ ବନ୍ଦର ପର୍ଯ୍ୟନ୍ତ ଆସୁଥିଲା (Tripathy-16) ନାସିକା ଗୁମ୍ଫା ଅଭିଲେଖରେ କଳିଙ୍ଗର ମହେନ୍ଦ୍ର ଓ କୋଶଳର ମଳୟଗିରିକୁ ମର୍ତ୍ତ୍ୟ ଲଳନାର ସ୍ତନଯୁଗଳ ରୂପେ ବର୍ଣ୍ଣନା କରାଯାଇଛି । (ସାହୁ ୨୭୩) କୋଶଳର ରାଜା ଦ୍ୱିତୀୟ ଭୀମସେନଙ୍କ ରାଜଧାନୀ ଥିଲା ସୁବର୍ଣ୍ଣପୁରା । ଏହା ମହାନଦୀର ମଧ୍ୟ ଅବବାହିକାରେ ଅବସ୍ଥିତ । ଭୀମସେନଙ୍କ ଆରଙ୍ଗ ତାମ୍ରଶାସନ ମହାନଦୀର ଉପର ଅବବାହିକାରୁ ପ୍ରାପ୍ତ ହୋଇଥିଲେ ହେଁ ଏହା ସୁବର୍ଣ୍ଣପୁର ଠାରୁ ପ୍ରକାଶିତ ହୋଇଥିଲା । ତେଲ ଓ ମହାନଦୀର ସଂଗମସ୍ଥଳ ସୁବର୍ଣ୍ଣପୁର ବା ସୋନପୁର । ସୋନପୁରଠାରେ ମହାନଦୀରେ ମିଳିତ ହେବା ପାଇଁ ତେଲନଦୀ ପୂର୍ବକୁ ପ୍ରବାହିତ ହେଉଥିବା ହେତୁ, ଏହାକୁ ପ୍ରାଚୀନଦୀ କହିବା ଅଧିକ ଯଥାର୍ଥ ବୋଲି ନାରାୟଣ ବହିଦାର ଏକ ପ୍ରବନ୍ଧରେ ଯୁକ୍ତି ଦର୍ଶାଇ ଅଛନ୍ତି । ୧୪ ପାଣିନିଙ୍କ ଅଷ୍ଟାଧ୍ୟାୟୀରେ ଯେଉଁ ୪୯ ରାଜ୍ୟର ନାମୋଲ୍ଲେଖ ଅଛି ତନ୍ମଧ୍ୟରୁ ୨୨ ତମ ରାଜ୍ୟ କୋଶଳ, ୨୪ ତମ ରାଜ୍ୟ ମଗଧ ଓ ୨୬ ତମ ରାଜ୍ୟ କଳିଙ୍ଗ ଲଗାଲଗି ହୋଇଥିଲେ । ଏହା ବାସଚ୍ୟୁତ ସୈନ୍ଧବଜାତି ସମେତ ପ୍ରସ୍ତରଯୁଗୀୟ ଆଦିବାସୀମାନଙ୍କର ବାସଭୂମି ଥିଲା । ଏହି ରାଜ୍ୟମାନଙ୍କୁ ମହାନଦୀ ଦ୍ୱାରା ଜଳ ଯୋଗାଣ ଓ ଯାତାୟତ କରାଯାଉଥିଲା ।୧୫ ଦକ୍ଷିଣ କୋଶଳ ଦେଶର ମହାସମୁଦ (ସମୁଦ୍ର)କୁ ଘେରି-ମହାକାନ୍ତାର, ମହାରାଷ୍ଟ୍ର, ମହାଭୋଜ, ମହାବିନାୟକ ଓ ମହେନ୍ଦ୍ର ଆଦି ସ୍ଥାନମାନ ରହିଥିବାରୁ ଏହାକୁ କେହି କେହି ମହାକୋଶଳ କହିଥାନ୍ତି । ‘ମହା’ ସେହି ଦେଶର ନଦୀ ସହିତ ଯୁକ୍ତ ହୋଇଥିବାରୁ ଏହା ‘ମହାନଦୀ’ ନାମ ବହନ କରିବା ଅଧିକ ଯୁକ୍ତିସଂଗତ । ମାର୍କଣ୍ଡେୟ ପୁରାଣରେ ବିନ୍ଧ୍ୟପର୍ବତରୁ ବାହାରିଥିବା ମହାନଦୀକୁ ମହାନନ୍ଦା କୁହାଯାଇଛି । ଅଗ୍ନି ପୁରାଣରେ ମଧ୍ୟ ମହାନନ୍ଦା ନାମରେ ପରିଚିତ କରାଯାଇଛି । କପିଳ ସଂହିତା ଦ୍ୱିତୀୟ ଅଧ୍ୟାୟରେ ମହାନଦୀକୁ ଗଂଗା ନାମରେ ବର୍ଣ୍ଣନା କରାଯାଇଅଛି । ଋଷି ଭରଦ୍ୱାଜ ମୁନୀମାନଙ୍କ ସମ୍ମୁଖରେ ଉଡ଼୍ରଦେଶ ମହାତ୍ମ୍ୟକଥନ ପ୍ରସଙ୍ଗରେ ମହାନଦୀର ଉତ୍ପତ୍ତି କଥା ଉତ୍‌ଥାପନ କରିଅଛନ୍ତି । ପୁଲହ ପୁତ୍ର ସୁକାନ୍ତି ଋଷିଙ୍କ ମହାତପ ଫଳରେ ଗଂଗା ପୂର୍ବସାଗର ଗାମିନୀ ମହାନଦୀ ନାମରେ ପରିଚିତା ହେବେ ବୋଲି ଉଲ୍ଲେଖ ଅଛି ।

 

ମହାନଦୀ ମହାପୂଣ୍ୟା ମହାଦେବ ପ୍ରିୟ ଶୁଭ୍ରା

ଦ୍ୱିତୀୟ ବିଗ୍ରହଂ କୃତ୍ୱା ଆସ୍ତେ ଗଂଗାତୁ ମାୟୟା ।

(କ.ସଂ. ୨/୩/୬)

 

ଏଥିରେ କୁହାଯାଇଛି ମହାନଦୀର ଏକ ଶାଖାନଦୀ ଚିତ୍ରୋତ୍ପଳା ଯିଏ ସର୍ବ ପାପହର ଏବଂ ଗଂଗାଫଳ ପ୍ରଦାୟୀ ।୧୬ ମହାନଦୀ ପ୍ରାଚ୍ୟ (ପୂର୍ବର) ବଡ଼ନଦୀ । ଯେ ପ୍ରାଚୀ, ସେ ମହାନଦୀ ବା ଯେ ମହାନଦୀ, ସେ ପ୍ରାଚୀ ।

 

ମହାନଦୀରେ ହେଲେ ଖ୍ୟାତ-ସେଠାରୁ ଗନ୍ଧବତୀ ଶ୍ରୁତ

ସୁବର୍ଣ୍ଣବଳି ମେରୁ ଭେଦି-ବହନ୍ତି ପଥ ମହୋଦଧି ।

(ପ୍ରା.ମା. ୧ମ ଅଧ୍ୟାୟ)

 

ମହାନଦୀ ଓ ପ୍ରାଚୀର ଭୌଗୋଳିକ ଓ ସାଂସ୍କୃତିକ ତୁଳନା କଲେ ଉଭୟ ମଧ୍ୟରେ ନିଗୁଢ଼ ସମ୍ବନ୍ଧ ଓ ଅପୂର୍ବ ସାମଞ୍ଜସ୍ୟ ଥିବାର ଲକ୍ଷ୍ୟ କରାଯାଏ । ଖ୍ରୀ. ଅ ୧୮୬୬ ମସିହାରେ ଉଇଲିୟମ୍ ହଣ୍ଟର୍ ପ୍ରାଚୀନଦୀର ହାରାହାରି ଗଭୀରତା ୧୦୪୩ ଫୁଟ ଓ ପ୍ରବାହିତ ଜଳରାଶିର ପରିମାଣ ସେକେଣ୍ଡ ପ୍ରତି ୯୫୮୦ ଘନଫୁଟ ବୋଲି ରିପୋର୍ଟ ପ୍ରଦାନ କରିଥିଲେ । ୧୭ ମହାନଦୀ ଉପର ମୁଣ୍ଡରେ ଯେତିକି ଓସାର ପ୍ରାଚୀ ସମତଳ ଅଂଚଳରେ ତା’ଠାରୁ ଅଧିକ ଓସାର । ଏହା ନିଆଳିଠାରୁ ଅଭୟମୁଖୀ ଯାଏ ୫ ମାଇଲ୍ ଓ କାକଟପୁରଠାରେ ଉତ୍ତରରେ ନୀଳକଣ୍ଠପୁରଠାରୁ ଦକ୍ଷିଣରେ ସୁହାନପୁର ଯା, ୫ ମାଇଲ । ମହାନଦୀର ଉତ୍ତରକୁ ଉତ୍ତରକୋଶଳ ଓ ଦକ୍ଷିଣଭାଗ ପ୍ରାଚୀ ଉପତ୍ୟକାକୁ ଦକ୍ଷିଣକୋଶଳ କୁହାଯାଏ । ଉତ୍ତର ଓ ଦକ୍ଷିଣ କୋଶଳର କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ମୂର୍ତ୍ତିଗଠନ ଶୈଳୀ, ମନ୍ଦିର ଗଢ଼ଣ କଳା ଓ ସ୍ଥାନ ବିଶେଷର ନାମକରଣରେ ଅଭେଦ ସଂପର୍କ ଥିବାର ପରିଲକ୍ଷିତ ହୁଏ । ଇବ୍‌ଓ ତେଲ ନଦୀ ଉପତ୍ୟକାର ନୃସିଂହନାଥ, ହରିଶଙ୍କର, ସୋନପୁରର କୋଶଳେଶ୍ୱର ମନ୍ଦିର, ରାଣୀପୁର ଝରିଆଲ୍‌ର ସୋମେଶ୍ୱର ଓ ଚଉଷଠୀ ଯୋଗିନୀ, ବିଷ୍ଣୁମନ୍ଦିର, ପ୍ରାଚୀକୂଳସ୍ଥ ମନ୍ଦିରମାନଙ୍କ ନିର୍ମାଣଶୈଳୀ ପରି ଏକା ପ୍ରକାରର । କଣ୍ଟିଲୋ ନୀଳମାଧବ, ନିଆଳୀମାଧବ ଓ ବାଙ୍କି, ଆଠଗଡ଼, ବଡ଼ମ୍ବା ଆଦିର ପ୍ରସିଦ୍ଧ ଇଷ୍ଟକ ନିର୍ମାଣ ପ୍ରାଚୀ ମନ୍ଦିରମାନଙ୍କଠାରେ ମଧ୍ୟ ପରିଦୃଷ୍ଟ । ଚୌଦ୍ୱାରରେ ବୌଦ୍ଧ ସହଜିଆ ଧର୍ମ ପ୍ରଭାବଶାଳୀ ଥିଲା; ସେହିପରି ପ୍ରାଚୀ ଉପତ୍ୟକାରେ ବୌଦ୍ଧ ସିଦ୍ଧାଚାର୍ଯ୍ୟମାନଙ୍କର ଚୌରାଶୀ ଗାଁ ରହଣୀସ୍ଥଳ ଥିଲା । ଅତଏବ ଏହା ନିଃସନ୍ଦେହ ଯେ-ସରସ୍ୱତୀ ହିଁ ଗଙ୍ଗା, ଗଙ୍ଗା ହିଁ ମହାନଦୀ, ଓ ମହାନଦୀ ହିଁ ପ୍ରାଚୀ ନାମଧାରଣ କରି ପୂର୍ବଭାରତରେ ପ୍ରସିଦ୍ଧି ଲାଭ କରିଥିଲା । ପ୍ରବନ୍ଧରେ କଳେବର ବୃଦ୍ଧି ଆଶଙ୍କାରେ ଆମେ ତାର ସାଂସ୍କୃତିକ ବିକାଶ ଆଲୋଚନା ଛାଡ଼ି କେବଳ ଭୌଗୋଳିକ ଚିତ୍ର ପ୍ରଦାନ କରିଅଛୁ ।

 

ଭାରତର ପୂର୍ବ ଉପକୂଳରେ ଯେଉଁ ଏକ ସମୃଦ୍ଧ ଅଂଚଳ ୯୦ . ୩୦ ଉତ୍ତର ଅକ୍ଷାଂଶରୁ ଆରମ୍ଭ କରି ୨୦ .୦ ଉତ୍ତର ଅକ୍ଷାଂଶ ମଧ୍ୟରେ ଏବଂ ୬୫ .୩୦ ପୂର୍ବ ଦ୍ରାଘିମା ରେଖାରୁ ଆରମ୍ଭ କରି ୮୫ .୦ ପୂର୍ବ ଦ୍ରାଘିମା ରେଖା ମଧ୍ୟରେ ଅବସ୍ଥିତ, ଯାହାର ପରିସୀମା ଉତ୍ତରରେ ବ୍ରାହ୍ମଣୀ ବୈତରଣୀ ମିଳନ ସ୍ଥଳୀ, ମୁହାଣ ମୁହଁ, ଧାମରାଠାରୁ ପଶ୍ଚିମରେ ମହାନଦୀର ପ୍ରଥମ ବିଭାଜନସ୍ଥଳ, ନରାଜ ପର୍ଯ୍ୟନ୍ତ ବିସ୍ତୃତ୧୮; ସେଇ ବିଶାଳ ଭୂଖଣ୍ଡ ଅନ୍ୟ କେହି ନୁହେଁ, ମହାନଦୀ ତ୍ରିକୋଣ ଭୂମିର ପ୍ରାଚୀ-ସରସ୍ୱତୀ ସଭ୍ୟତା । ନିରାଜର ଠିକ ପଶ୍ଚିମକୁ ସିଦ୍ଧେଶ୍ୱର ପାହାଡ଼ର ପାଦଦେଶରେ, ମହାନଦୀ ଯେଉଁଠି ପ୍ରଥମେ ପ୍ରବେଶ କରିଛି ସମତଳଭୂମିରେ; ସେଇଠି ହୋଇଛି ଦି’ ଆର ଯୁକତ୍-ମହାନଦୀ ଓ ପ୍ରାଚୀ । ନରାଜର ଠିକ୍ ତଳକୁ ପୁନର୍ବାର ହୋଇଛି ଦି’ଧାର ଯୁକ୍ତ-ମହାନଦୀ ଓ କାଠଯୋଡ଼ି । ଅପର ପାର୍ଶ୍ୱରେ ଚୌଦ୍ୱାର ନିମ୍ନକୁ ହୋଇଛି ଦି’ଧାର ଯୁକ୍ତ ମହାନଦୀ ଓ ବିରୂପା । ବିରୂପା ଶାଖା ପ୍ରଶାଖା ମେଲି ଯାଇ ମିଶିଛି ବ୍ରାହ୍ମଣୀ ସହିତ । ବ୍ରାହ୍ମଣୀ ପୂର୍ବକୁ ବହିଯାଇ ମିଶିଛି ଖରସ୍ରୋତା ଓ ଯାଇ ମିଶିଛି ବ୍ରାହ୍ମଣୀ ସହିତ । ବ୍ରାହ୍ମଣୀ ପୂର୍ବକୁ ବହିଯାଇ ମିଶିଛି ଖରସ୍ରୋତା ଓ ବୈତରଣୀ ସହିତ । ବ୍ରାହ୍ମଣୀ ଓ ବୈତରଣୀ ମିଶିଛନ୍ତି ସମୁଦ୍ରରେ, ଧାମରାଠାରେ । ମହାନଦୀର ଅନ୍ୟଏକ ଧାର ଲୁଣା, ଚିତ୍ରୋତ୍ପଳା ନାମଧାରଣ କରି ଜମ୍ବୁଠାରେ ମିଶିଛି ବଂଗୋପସାଗରରେ । କଟକର ଦକ୍ଷିର ପାର୍ଶ୍ୱରେ ମହାନଦୀର ମୁଖ୍ୟଶାଖା କାଂଜିପାଟଣାଠାରେ ହୋଇଛି ଦି’ଧାର- କାଠଯୋଡ଼ି ଓ କୂଆଖାଇ । କାଠଯୋଡ଼ିର ଅନ୍ୟଏକ ଧାର ଦେବୀନଦୀ ନାମଧାରଣ କରି ବହିଯାଇଛି ଅସ୍ତରଂଗର ପୂର୍ବ ପାର୍ଶ୍ୱରେ ସମୁଦ୍ର ପର୍ଯ୍ୟନ୍ତ । ମୁଖ୍ୟଧାର ମହାନଦୀ ପାରାଦ୍ୱୀପଠାରେ ମିଶିଛି ସମୁଦ୍ରରେ । କୂଆଖାଇ ଫୁଲନଖରା ପାର୍ ହୋଇ ଗୋବିନ୍ଦରାମ ପାଟଣାଠାରେ ହୋଇଛି ଦି’ଧାର-କୁଆଖାଇ ଓ କୁଶଭଦ୍ରା । କୁଶଭଦ୍ରା ଏହିଠାରେ ଗମ୍ଭାରୀଗଣ୍ଡ ମଧ୍ୟ ଦେଇ ମିଶିଥିଲା ପ୍ରାଚୀ ସହିତ । କୁଶଭଦ୍ରାର ଅନ୍ୟଏକ ଧାର ଧନୁଆ ନାମ ଧାରଣ କରିଯାଇ ମିଶିଛି ସେଇ କୁଶଭଦ୍ରାରେ ଗୋପଠାରେ । କୁଶଭଦ୍ରା ମିଶିଛି ସମୁଦ୍ରରେ ରାମଚଣ୍ଡୀଠାରେ । କୁଶଭଦ୍ରାର ଏକ ମୃତଧାର ଗୋପ ଥାନା ଅଂଚଳରୁ ବାହାରି ବୟାଳିଶବାଟି ଦେଇ ଯାଇ ମିଶିଛି ଚନ୍ଦ୍ରଭାଗା ସହିତ ଯାହାର ନାଁ ପଥର ବୁହା ଓ ବା ପଥରପକା ନଈ । ଚନ୍ଦ୍ରଭାଗା ପ୍ରାଚୀର ଏକ ଶାଖା । ପ୍ରାଚୀ ଅନ୍ତର୍ବେଦୀ ମଠ ଠାରେ ମଣିକର୍ଣ୍ଣିକା ନଦୀ ସହିତ ମିଶି ସୃଷ୍ଟି କରିଛି ପବିତ୍ର ତ୍ରିବେଣୀ ସଂଗମ । ଏଠାରେ ସରସ୍ୱତୀ ରହିଛି ଗୁପ୍ତ ଭାବରେ । ପ୍ରାଚୀଧାରା ନାନା ଶାଖା ପ୍ରଶାଖା ମେଲି କାକଟପୁର ଦେଇ ଯାଇ ମିଶିଛି କେଉଟ ଜଂଗା ମୁଣ୍ଡିଆମରାଠାରେ ବଂଗୋପସାଗରରେ । ଏପଟେ କୁଆଖାଇର ଅନ୍ୟ ଦୁଇଟି ଧାର ଭାର୍ଗବୀ ଓ ଦୟା ନାମ ଧାରଣ କରି ବହିଯାଇଛି ସମୁଦ୍ର (ଚିଲିକା) ପର୍ଯ୍ୟନ୍ତ । ତେବେ ଏତେସବୁ ଧାର ମହାନଦୀ (ପ୍ରାଚୀ)ର ହିଁ ଜଳବାହିକା ଭାବରେ ପରିଚିତ । କୁହାଯାଏ ମହାନଦୀ ଓ ତାର ଶାଖାନଦୀମାନଙ୍କରେ ଯେତେ ଜଳ ପ୍ରବାହିତ ହୁଏ ତାହା ଭାରତୀୟ ନଦୀମାନଙ୍କ ମିଳିତ ଜଳ ପରିମାଣର ଏକ ଦଶମାଂଶ । ପ୍ରାଚୀ ଉପକୂଳରେ କେବଳ ଭାରତବର୍ଷର ଏକ ତୃତୀୟାଂଶ ମନ୍ଦିର ଅଛି । ପ୍ରାଚୀ ଯେଉଁ ଯେଉଁ ସମୁଦ୍ର ସହିତ ମିଶିଛି ତାହା ପ୍ରାଚୀନ ଭାରତର ପ୍ରମୁଖ ବନ୍ଦର ସହରମାନ ଥିଲା । ପବିତ୍ରତା ଦୃଷ୍ଟିରୁ ପୁରୀ ଶ୍ରୀକ୍ଷେତ୍ର ନୀଳାଚଳ, କାକଟପୁର ମଂଗଳାକ୍ଷେତ୍ର କର୍କଟାଚଳ, ସୌରକ୍ଷେତ୍ର କୋଣାର୍କ, ଶୈବକ୍ଷେତ୍ର ଏକାମ୍ର କାନନ ବା ସ୍ୱର୍ଣ୍ଣାଦ୍ରି । ପୁରୀ ନିଳାଦ୍ରି ଶଂଖ କ୍ଷେତ୍ର ଓ କୋଣାର୍କ ପଦ୍ମକ୍ଷେତ୍ରର ମହତ୍ୱ ନାନା ପୁରାଣ ଶାସ୍ତ୍ରରେ ଉଲ୍ଲିଖିତ । ପ୍ରାଚୀ କୂଳେକୂଳେ ଗଢ଼ି ଉଠିଥିବା ବନ୍ଦର ସହର (ପାଟଣା)ମାନଙ୍କୁ ନେଇ ଓ ଏକ ନିର୍ଦ୍ଦିଷ୍ଟ ବ୍ୟବସାୟୀ ବା ବଣିକ ଥୋଡ଼ିଆ ଜାତି ବୈଶ୍ୟମାନଙ୍କର ବହୁଳତାକୁ ବିଚାରକରି କୁହାଯାଇପାରେ ପ୍ରାଚୀ ଏକ ପ୍ରାଚୁର୍ଯ୍ୟ ପୂର୍ଣ୍ଣ ଅଞ୍ଚଳ ଥିଲା । ପ୍ରାଚୀକୂଳର ସାଧବ ପୁଅର ବୋଇତ ବଣିଜ କଥା ମନେପକାଇ ଦିଏ ‘ସାଧବ ଝିଅ ତଅପୋଈ’ କାହାଣୀ ଓ ମଂଗଳା ମନ୍ଦିରର ଇତିକଥା । ଐତିହାସିକ ଚମତ୍କାରିତାରେ ପ୍ରାଚୀ ଅବବାହିକା ପରିପୂର୍ଣ୍ଣ । ପ୍ରାଚୀ ହିଁ ଥିଲା ନନ୍ଦବର୍ଦ୍ଧନଙ୍କର ଖ୍ରୀ. ପୂ. ୩୭୦ ପରର ଖୋଳାନାଳ । ପ୍ରାଚୀ ହିଁ ଥିଲା ଖାରବେଳଙ୍କ ତନଶୁଲିଆ ଓ୍ୱାଟା । ପ୍ରାଚୀ ହିଁ ଥିଲା ଖାରବେଳଙ୍କ ମହାବିଜୟ ପ୍ରସାଦ’- (ପ୍ରାଚୀ ଉଭୟ ତଟେ ମହାବିଜୟ ପ୍ରସାଦ କାରୟତିର ଉପଯୁକ୍ତ ସ୍ଥଳ । ପ୍ରାଚୀ ତୋଷାଳୀର ପ୍ରାଣକେନ୍ଦ୍ର । କି ସଂସ୍କୃତି, କି ଧର୍ମ, କି ସ୍ଥାପତ୍ୟ, କି ବାଣିଜ୍ୟ, କି ପ୍ରଜାଶାସନ ଓ କି ସମାଜ ବ୍ୟବସ୍ଥା-ମାନବ ଇତିହାସର ପରିପୂର୍ଣ୍ଣ ସ୍ୱାକ୍ଷର ମିଳେ ପ୍ରାଚୀ ଅବବାହିକାରୁ । ସେ ଦିଗରେ ଆମେ ପ୍ରତ୍ୟେକ ଯତ୍ନବାନ ହେଲେ-ବିଶ୍ୱଦିନେ ଚମତ୍କୃତ ହେବ, ଏହା ନିଃସନ୍ଦେହ ।

 

 

ପ୍ରାଧ୍ୟାପକ ଓଡ଼ିଆ ବିଭାଗ

ନିମାପଡ଼ା ମହାବିଦ୍ୟାଳୟ, ନିମାପଡ଼ା, ପୁରୀ

 

ପାଦଟୀକା :

୧.

Feuerstein, Kak & frawley-In serach of the Cradle of civilization, Delhi, Motilal Banarasi Das Pvt Ltd, 2005, Chap-8, P-143

୨.

Oldham, R.D-On the problechange in the geography of the Punjab and its rivers.

 

ଋଗ୍‌ବେଦ- ୨/ ୪୧/୧୬.୭/ ୯୫/ ୧-୨,୬/ ୬୧/ ୧୧-୧୨, ୩/୨୩/, ୧/ ୩୧/ ୧୧,୮/୨୧/୧୮,

Frawley, David-Gods, sages and kings, Delhi, Motilal Banarsi Dass Publishers Private Limited, 1999, P-364

(i)

ବିଷ୍ଣୁପୁରାଣ ୪/ ୨୪/ ୩୨-ଶ୍ରୀକୃଷ୍ଣ ଖ୍ରୀ. ପୂ. ୩୧୦୨ ପୂର୍ବରୁ ଆସିଥିଲେ । ତାହା ଖ୍ରୀ. ପୂ ୧୪୦୦ ରୁ ଖ୍ରୀ. ପୂ ୩୧୦୦: ଦ୍ୱାରକାରକାଳ କୃଷ୍ଣଙ୍କ କାଳ ଖ୍ରୀ. ପୂ. ୧୪୦୦

(ii)

ମହାଭାରତରେ ଦ୍ୱାକରା ବୁଡ଼ି ରହିଥିବା ଉଲ୍ଲେଖ ଅଛି ।

 

OHRJ special volume 1982, ବାୟୁପୁରାଣରେ କୁଶାସ୍ଥଳୀବ’ କୁଶାବତୀ ବିନ୍ଧ୍ୟାପର୍ବତମାଳା ତଳେ ତେଲନଦୀ କୂଳରେ

୩.

Tripathy, S.S- Buddhism and other Religious cults of south East India, Delhi-1988, Sundeep Prakashan, P-34.

 

Orldham. C.F.- The Saraswati and the lost river of Indian desert JRAS 25 (1893) P- 49-76

Keith, A.B. and Macdonell. AA-Vedic Index, Delhi, 1912, Vol-P-435ff

ଶତପତ-୫/୨/୨୧୩, ଐତ ଆରଣ୍ୟକ-୧୧୧/୧୬, ମହାଭାରତ ଶଲ୍ୟ-୩୫

୪.

Dariam, steven. G- The Gonges in Myth and History, Delhi, Motilal Banarsidass Publishers Pvt.Ltd, 2001

୫.

ପଟ୍ଟନାୟକ, ଡଃ ତ୍ରିନାଥ-ସଂପାଦନା-ପ୍ରାଚୀ ମହାତ୍ମା (ଓଡ଼ିଆ), ଧର୍ମଗ୍ରନ୍ଥ ଷ୍ଟୋର, କଟକ-୨୦୦୪

୬.

Shastri, Dr. Nilakantha-Cultural contacts between Aryan and Dravidi-yans (Bombay 1967) P-35

୭.

ସାହୁ, ଡକ୍ଟର ନବୀନ କୁମାର-ଓଡ଼ିଆ ଜାତିର ଇତିହାସ, ଭୁବନେଶ୍ୱର, ୧୯୭୭, ପୃ. ୨୮, ୩୬

୮.

Ray, Sri P.K,-Edited-Parchi Valley, Orissa state Archaeology, Bhubaneswar 1975, P.3

୯.

ଦାସ, ନୀଳାମ୍ବର, ପଦ୍ମପୁରାଣ (କ୍ରିୟାଯୋଗସାର), କଟକ-୨, ଧର୍ମଗ୍ରନ୍ଥଷ୍ଟୋର, ପୃ.୮

୧୦.

ସାହୁ, ହଂସନାଥ, ସଂପାଦନା-ପ୍ରାଚୀ ମହାତ୍ମ୍ୟ, ପ୍ରାଚୀ ସାଂସ୍କୃତିକ ଗବେଷଣାକେନ୍ଦ୍ର, ତୁଳସୀପୁର, ପୁରୀ-୨୦୦୨

୧୧.

Sing.M.R.-Geographical Data in the Early Puran-A Critical Study-Punthi Pusthak-Cal-1972 P-11

୧୨.

କୋଶଳ-ସମ୍ବଲପୁର-ପୃ.୪୦

୧୩.

ଦାଶ, ଶିବ ପ୍ରସାଦ-ସମ୍ବଲପୁର ଇତିହାସ, ଦ୍ୱିତୀୟମୁଦ୍ରାଣ, 1969, ପୃ-୧୯

୧୪.

ସହକାର, ୧୩ ଭାଗ ୭ମ ସଂଖ୍ୟା, ପୃ-୬୨୯-୬୩୧

୧୫.

Ganguly, Dillip kumar, Cal 1975, Historical Geography and dynastic Hist of Orissa P-75

୧୬.

କ.ସଂ-କେଦାରନାଥ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର, ଗ୍ରନ୍ଥମନ୍ଦିର, ୨୦୦୦ ପୃ. ୩୨

୧୭.

ଓଡ଼ିଶା ଭଲ୍ୟୁମ୍ ଷ୍ଟାଟିଷ୍ଟିକାଲ ଆକାଉଣ୍ଟ, ପୁରୀଜିଲ୍ଲା, ୧୮୬୬, ପୃ.୩

୧୮.

Tripathy, S.N.-Geo Religions Tourist landscape of Prachi Vally of Orissa,. Proceedings, National Seminar-2006, Adaspur College P-15

 

K.P. Jayaswal-Hatigumpha Inscription JBORS-Vol-III, IV P 456-1917

ଡାକ୍ତର ରାଧାଚରଣ ପଣ୍ଡା ପୃ. ୨୫

 

***